ବହି,ପାଠକ,ଲକି ଡ୍ର
ବହି,ପାଠକ,ଲକି ଡ୍ର
ବହି ବିକ୍ରୀର, ନୂଆ ସ୍କିମ ଯୋଗୁଁ ହଇଚଇ ସୃଷ୍ଟି ହୋଇଥିଲା ସୋସିଆଲ ମିଡିଆର ମେସେଞ୍ଜରରେ ।
ଏମିତି ଏକ ଅବିଶ୍ଵାସନୀୟ ଅଫର ! ଦୁଇ ଦିନ ଭିତରେ ସବୁ ବହି ଶେଷ । ତଥାପି ଡିମାଣ୍ଡ,ଫୋନ ଓ ମେସେଜ୍ । ଲେଖକ ବିକାଶ ମହାପାତ୍ର ମନେ ପକାଉଥିଲା ବିଗତ ୭୨ ଘଣ୍ଟା ତଳର ଘଟଣାକୁ । ତିନିଦିନ ତଳେ ସେ ଯାଇଥିଲା ନିଜ ନୂଆ ପାଣ୍ଡୁଲିପି ହାତରେ ଧରି ପ୍ରିଣ୍ଟିଙ୍ଗ ପ୍ରେସକୁ ।
ବିକାଶକୁ ସଫା ସଫା ଶୁଣାଇଦେଲେ ପ୍ରିଣ୍ଟିଙ୍ଗ ପ୍ରେସର ମାଲିକ ନିତ୍ୟାନନ୍ଦ ବାବୁ ।
- ଦେଖନ୍ତୁ,ବିକାଶ ବାବୁ,ବାକି ଟଙ୍କା ନସୁଝିଲା ପର୍ଯ୍ୟନ୍ତ ମୁଁ ଆପଣଙ୍କର ଆଉ ବହି ଛାପି ପାରିବିନି । ଆପଣଙ୍କ ପ୍ରକାଶକକୁ କୁହନ୍ତୁ ଅନ୍ୟ କୁଆଡେ ଦେଖିବେ ।
- ଦେଖନ୍ତୁ ନିତ୍ୟାନନ୍ଦ ବାବୁ,ଏ ବହିଟା ନିଶ୍ଚେ ଭଲ ବିକ୍ରିହେବ । ଗ୍ୟାରେଣ୍ଟି ମୁଁ ଦେଉଛି । ପ୍ରକାଶକ ମୋତେରାୟାଲିଟି ଦେଲେ ମୁଁ ଆଗେ ଆପଣଙ୍କ ଟଙ୍କା ସୁଝିବି । ମନ ,ହୃଦୟ ଲଗାଇ ପ୍ରତିଟି ଲାଇନ ଲେଖିଛି । ଅମୃତା ପ୍ରକାଶନ ତରଫରୁ ଏହା ମୋର ସପ୍ତମ ବହି । ମୋର ଆଗ ବହିଟା ଏକାଡେମୀର ଫାଇନାଲ ସିଲେକ୍ସନକୁ ଯାଇଥିଲା ବୋଲି ଶୁଣିଥିଲି । ଏଇ ବହିଟା ହୁଏତ...
- ସେସବୁ ବାଜେ କଥା ଛାଡ଼ନ୍ତୁ ବିକାଶ ବାବୁ । ଆଗେ ପୁରୁଣା ଟଙ୍କା ଦିଅନ୍ତୁ । ବ୍ୟବସାୟ ତ ଖାଲି ମୁହଁ ବା ବନ୍ଧୁ ଦେଖିଲେ ହେବନି । ମୋ ପରିବାର ଚଳିବ କେମିତି ?ଆଛା, ଏଇ ଅମୃତା ପବ୍ଲିଶର ମାଲିକ କଣ ଆପଣଙ୍କ ଚିହ୍ନା ?
(ସତ କହିବାକୁ ବିକାଶ'ର ଜିଭ ଲେଉଟୁ ନଥିଲା । ଅମୃତା ହେଉଛି ତା ସ୍ତ୍ରୀର ନାଁ ଓ ପ୍ରକାଶନୀ ସଂସ୍ଥା ତା ନିଜର । )
ବିକାଶ ତଣ୍ଟିରେ କଣ ଲାଗିଗଲା ବୋଧେ । ଜୋରରେ କାଶିଲା ।
- ହଁ ପ୍ରକାଶନୀ ସଂସ୍ଥା ଅତି ନିଜଲୋକ । ତେବେ ,ମୋର ବହି ସବୁ ଯେଉଁ ଦୋକାନରେ ଷ୍ଟକ ଅଛି,ସେମାନେ ପ୍ରକାଶକଙ୍କୁ ଟଙ୍କା ଦେଉ ନାହାନ୍ତି ।
- ବିକ୍ରୀ ହେଲେ ସିନା ଦେବେ । ନିଜେ ଲୋନ ନେଇ ନିଜ ବହି କିଣି ଅନ୍ୟକୁ ଉପହାର ଦିଅନ୍ତୁ । ତେବେ ଯାଇଁ ପ୍ରକାଶକ ଟଙ୍କା ପାଇବେ । ଆଜିକାଲି କେତେ ଲୋକ ବହି କିଣୁଛନ୍ତି ?ଅସଲ କଥା ହେଲା ପଢୁଛି କିଏ?
ବିଫଳ ମନୋରଥ ହୋଇ ଫେରିଲା ବିକାଶ । ଅନେକ ବର୍ଷ ପରେ ପାନ ଦୋକାନରେ ଦେଖାହେଲା ସ୍କୁଲ ବେଳ ସାଙ୍ଗ ସୁଧାଂଶୁ । ସବୁ ଶୁଣି ସେ କହିଲା
- ତୁ ଲେଖାଲେଖି ଛାଡି ଅନ୍ୟ କିଛି ସାଇଡ ବିଜିନେସ କରୁନୁ ?
- କରୁଛି ହେଲେ ସେଥିରେ ବି ଲାଭ ନାହିଁ ।
- ଦେଖେ ତୁ ତୋ ବହିକୁ ଅନ ଲାଇନରେ ଛାଡୁନୁ ?
- ଛାଡିଛି । ହେଲେ ସେଥିରେ କାଳେ ହ୍ୟାଣ୍ଡଲିଙ୍ଗ ଚାର୍ଜ ଅଧିକ । ତେବେ ଦୋକାନ ଓ ପୁସ୍ତକମେଳାରୁ ଡିସକାଉଣ୍ଟରେଟରେ ତ କିଣୁ ନାହାନ୍ତି ଲୋକେ । ପୁସ୍ତକମେଳାକୁ ଆସି ବହି ନକିଣି,ଆଚାର ପାମ୍ପଡ଼,ଖାଇବା ଜିନିଷ ନହେଲେ ପାଖରେ ପଡିଥିବା ହ୍ୟାଣ୍ଡଲୁମ ପ୍ରଦର୍ଶନୀରୁ ଲୁଗାପଟା କିଣୁଛନ୍ତି ।
- ତୁ ଫେସବୁକରେ ଅଛୁ?କେତେ ଫ୍ରେଣ୍ଡ ଅଛନ୍ତି ?ସେମାନେ ତୋ ବହି ବିଷୟରେ ଜାଣିଛନ୍ତି ?
- ପାଞ୍ଚ ହଜାର ବନ୍ଧୁ ଅଛନ୍ତି ନାଁ କୁ ମାତ୍ର । ସମସ୍ତେ ମୋ ବହି ପୋଷ୍ଟରେ ଲାଇକ୍ ଓ କମେଣ୍ଟରେ ଶୁଭେଛା ଦିଅନ୍ତି । କିନ୍ତୁ କେହି କିଣନ୍ତିନି ।
-ସାଙ୍ଗ ମାନଙ୍କୁରିକ୍ୱେଷ୍ଟ କରୁନୁ ?ମୁଁ ଇନ୍ସୁରାନ୍ସ ପଲିସି ବିକେ । ଆମ ଲୋକଙ୍କୁ ଲୋଭ ନଦେଖାଇଲେ କାମ ହୁଏନା ବୋଲି ମୁଁ ଅନୁଭବ କରିଛି । ଆଛା,ତୋ ବହିରେ ହଳଦିଆ ଜରି ଗୁଡ଼ାଇ,କଭର ପେଜରେ ଗୋଟେ ସେକ୍ସି ଲେଡି ଫଟ ଛପାଇ ବିକୁନୁ ?ବେଶୀ ମାର୍କେଟ ନେବ । ଇଂଡିସେଣ୍ଟ ପ୍ରପୋଜାଲ ହେଲେ ତ ଏଠି ଅଧିକ ଆଗ୍ରହ । ପୁରୁଷ ହିଁ ଆଗେ ଫସିବେ । "
- ମୁଁ ପରାରୁଚିଶୀଳ ସାହିତ୍ୟିକ, ଗପ କବିତା ଲେଖେ ।
- ହସି ଦେଇ ସୁଧାଂଶୁ କହିଲା," ଆଜିକାଲି ଭଲ,ନୈତିକ ନୁହେଁ ବରଂ ଅଶ୍ଲୀଳ,ଅରୁଚିକର ଜିନିଷର ଡିମାଣ୍ଡ ଅଧିକ । ମୋ କଥା ଚିନ୍ତା କର । "
ଘରକୁ ଫେରି ବିକାଶ କେଵଳ ଭାବୁଥିଲା ସୁଧାଂଶୁ କଥା । ସେକ୍ସି ଲେଡି । ଇଂଡିସେଣ୍ଟ ପ୍ରପୋଜାଲ !
ଗୋଟେ ଚେଷ୍ଟା କଲେ ଅସୁବିଧା କଣ ?ପୁଣିଥରେ ଭାବିନେଲା । ଲୋକେ ତାକୁ ଖରାପ ଭାବିବେ ?ଭାବନ୍ତୁ । ବହି ବିକ୍ରୀ ହୋଇଯାଉ ।
ଫେସବୁକରେ ନିଜ ଜଣାଶୁଣା ସାଙ୍ଗମାନଙ୍କୁ ଛାଡି, ଅନ୍ୟ ସମସ୍ତଙ୍କୁ ମେସେଞ୍ଜରରେ ଗୋଟେ ମେସେଜ କଲା ।
- ହଜାରେ ଟଙ୍କାରୁ ଉର୍ଦ୍ଧ୍ୱ ଦାମର ବହି,ତଳେ ଦିଆଯାଇଥିବା ଏଇ ବହି ଲିଷ୍ଟ ଭିତରୁ, ମାନସୀ ବୁକଷ୍ଟଲ ଓ ତରୁଣ ବୁକ ଏମ୍ପୋରିୟମରୁ ଯିଏ କିଣି, ବହି ସହ ନିଜ ସେଲ୍ଫି,ମୋବାଇଲ ନମ୍ବର ପୋଷ୍ଟ କରନ୍ତୁ । ନିଜ ସତସତିକା ଫଟ ପୋଷ୍ଟ ନକଲେ ପୁରସ୍କାର ପାଇଁ ଚୟନରେ ସାମିଲ ହୋଇପାରିବେ ନାହିଁ । ଲକି ଡ୍ର ମାଧ୍ୟମରେ ଦୁଇଜଣ ପାଠକଙ୍କୁ ପୁରସ୍କାର ପାଇଁ ବଛାହେବ । "
ସାଙ୍ଗେସାଙ୍ଗେ ଶହ ଶହ ମେସେଜ,"ପୁରସ୍କାର କଣ ମିଳିବ "?
ପୁରସ୍କାର ବିଷୟରେ ଜାଣି, ହଇଚଇ ସୃଷ୍ଟି ହୋଇଥିଲା ସୋସିଆଲ ମିଡିଆରେ । "ଏହା କଣ ସତ ?"
ଜଣେ ବନ୍ଧୁ ତ ମେସେଜ କଲେ ,"ପୁରସ୍କାର ଜିନିଷର ଫଟ ଟିକେ ପୋଷ୍ଟ କରୁ ନାହାନ୍ତି ?ଆମେ ଟିକେ ଦେଖନ୍ତୁ । ମନ ଖାଲି ଉଛନ୍ନ ହେଲାଣି । "
- ଆପଣମାନେ ମୋ ଗପ ବହିର ଗପ ସବୁ ଭଲ କରି ପଢ଼ନ୍ତୁ । ପୁରସ୍କାରର ସମସ୍ତ ବିବରଣୀ ପାଇଯିବେ ।
ଦୁଇ ଦୋକାନରୁ କ୍ରମାଗତ ଫୋନ୍ ପାଇ ବିକାଶ ଖୁସି ହୋଇଗଲା ।
-ବିକାଶ ସାର୍, ଆପଣଙ୍କ ବହି କଣ ଏକାଡେମୀ ନା ଜ୍ଞାନପୀଠ ପାଇଲା କି ?ଫୋନ୍ ଉପରେ ଫୋନ୍ । ଆପଣଙ୍କ ବାକି ଟଙ୍କା ନେଇଯାଆନ୍ତୁ ଓ ଆଉ ପାଞ୍ଚଶ ଖଣ୍ଡେ କପି ବହି ସବୁ ବହିରୁ ପଠାଇଦିଅନ୍ତୁ ।
ପରଦିନ ଘରେ ଥିବା ସବୁ ବହି ବିକ୍ରୀ ହୋଇଯାଇଥିଲା । ମୋବାଇଲରେ ଏଥର ଖାଲି ସେଲ୍ଫି ଫଟ ମିଳିବାରେ ଆରମ୍ଭ ହୋଇଯାଇଥିଲା । ଏତେ ପାଠକ !ମନେମନେ ହସୁଥିଲା ବିକାଶ । ଆଉ ଦୁଇ ତିନିଟା ବହି ସହ,ପୁରୁଣା ବହି ସବୁର ଦ୍ଵିତୀୟ ସଂସ୍କରଣ ଆରାମରେ ଛାପି ହେବ । ଏତେ ପାଠକ,ବହି ପ୍ରେମୀ ପୁଣି ଅଛନ୍ତି ?
- କେଉଁଠି ମିଶିବା ?"ମେସେଞ୍ଜରରେ ପ୍ରଶ୍ନଗୁଚ୍ଛ ।
- ପୁସ୍ତକ ମେଳା ପଡିଆ ଟା ଏବେ ଫାଙ୍କା ପଡିଛି । ଠିକ୍ ସନ୍ଧ୍ୟା ସାତଟା ବେଳେ ସମସ୍ତେ ସେଇଠି ଏକାଠି ହେଲା ପରେ ଲକି ଡ୍ର ହେବ ।
ଏତେ ସଂଖ୍ୟାରେ ଲୋକ ଯେ ବହି କିଣିବେ ଓ ଆସିବେ ତାହା ଚିନ୍ତା କରିପାରିନଥିଲା ବିକାଶ । ବହିର ଏତେ ଡିମାଣ୍ଡ !ଚେତନ ଭଗତଙ୍କୁ ବି ବୋଧେ ସେ ବଳିଗଲା ଲୋକପ୍ରିୟତାରେ ?
ସନ୍ଧ୍ୟାରେ କ୍ରେତାମାନଙ୍କୁ ଚିହ୍ନିବା ଟିକେ କଷ୍ଟକର ହୋଇପଡ଼ିଥିଲା । କାରଣ ମେସେଞ୍ଜର ବକ୍ସରେ ଯଦିଓ ସମସ୍ତେ ନିଜ ଫଟ ଦେଇଥିଲେ ,ତଥାପି ସବୁ ପୁରୁଷ କ୍ରେତା ନିଜ ମୁହଁକୁ ଢାଙ୍କି ଥିଲେ । ବୋଧହୁଏ ଅନ୍ୟମାନେ ଯେମିତି ସେମାନଙ୍କୁ ନଚିହ୍ନି ପାରନ୍ତୁ ବୋଲି ।
ସବୁ ପୁରୁଷ ବହି କ୍ରେତାଙ୍କୁ ଗୋଟାଏ ଲେଖାଏଁ ଫୁଲ ତୋଡା ଧରାଇ ଦେଇ ବିକାଶ କହୁଥିଲା,"ଅନେକ ଧନ୍ୟବାଦ । "
-ଲକି ଡ୍ର କରିବ କିଏ ?
ହସି ଦେଇ ବିକାଶ କହିଲା,"ପୁରସ୍କାର ସ୍ୱୟଂ ଲକି ଡ୍ର କରିବେ । "
ସବୁ କ୍ରେତା ନିଜ ମୋବାଇଲରେ ବିକାଶର ଅଫର ଦେଖୁଥିଲେ ।
- ମୋ ବହି 'ନିରବ ମୁହୂର୍ତ୍ତ' ଓ 'ସବୁଜ ସ୍ୱପ୍ନ' ବହିରେ ଥିବା ସତ୍ୟ ଘଟଣା ଉପରେ ଆଧାରିତ ଗଳ୍ପ ଦ୍ବୟ "ସେକ୍ସି ଲେଡି" ଓ "କଲ ଗାର୍ଲ"ର ପ୍ରକୃତ ନାୟିକା ସହ ଆପଣଙ୍କୁ ନିରୋଳାରେ ଏକ ଘଣ୍ଟା ବିତାଇବାର ସୁଯୋଗ । ବଡ଼ି ମେସେଜ ପାଇଁ ଆପଣ ସେମାନଙ୍କୁ ଘରକୁ ବି ନେଇ ପାରନ୍ତି ମାତ୍ର ଏକ ଘଣ୍ଟା ପାଇଁ । "
- କାହାନ୍ତି ସେକ୍ସି ଲେଡି ଓ କଲ ଗାର୍ଲ ?ଆମେ ସମସ୍ତେ ତ ଆସି ଗଲୁଣି । "
- ହେଇ ସେମାନେ ଆସୁଛନ୍ତି ।
ଓଠରେ ଜିଭ ବୁଲାଇ ସବୁ ପାଠକ ଗପର ଦୁଇ ନାୟିକାଙ୍କୁ ଅନେଇଥିଲେ ।
ହାଠାତ୍ ଅଭିଯୋଗ ସ୍ବର ଆରମ୍ଭ ହେଲା
- ଇୟେ କଣ ? ଏମାନେ ସେକ୍ସି ଲେଡି ଓ କଲ ଗାର୍ଲ । ଆପଣ ଏତେ ମିଛୁଆ ?ଗୋଟେ ବୁଢ଼ା ହିଞ୍ଜଡ଼ା ଓ ଜଣେ ସତୁରୀ ବର୍ଷ ବୁଢ଼ୀ ?
ମୃଦୁ ହସି ବିକାଶ କହିଲା,"ମୋ ଦୁଇ ବହିର ସେଇ ଦୁଇ ଗପର ନାୟିକା ତ ଏମାନେ । ଆପଣମାନେ କଣ ଗପ ପଢି ନାହାନ୍ତି ?
- ଆଜିକାଲି ଗପ କିଏ ପଢୁଛି ? ନାଁ ଦେଖି ଭାବିଥିଲୁ.......
- ଆସନ୍ତୁ ଲକି ଡ୍ର କରିବା । "ବିକାଶ କହିଲା ।
ପାଠକମାନେ ଲକି ଡ୍ର ପାଇଁ ଅପେକ୍ଷା ନକରି ସେଇ ଅନ୍ଧାରରେ ଚାଲିଯାଉଥିଲେ ।