shibaram dalai

Others

3  

shibaram dalai

Others

ଭଗବାନ ଜୀବିତ

ଭଗବାନ ଜୀବିତ

3 mins
543



ପୂର୍ବ ଓଡିଶାରୁ ଆସି ପଶ୍ଚିମ ଓଡ଼ିଶାରେ ପହଞ୍ଚିଲି ଗୋଟେ କମ୍ପାନୀରେ ଦାଦନ ଖଟିବାକୁ । ପୂର୍ବ ଓଡିଶା ଆଉ ପଶ୍ଚିମ ଓଡ଼ିଶାର ଭାଷା ଟିକିଏ ଅଲଗା । ଗୋଟେ ନାମୀ ଦାମୀ କମ୍ପାନୀ ପାଖରେ କାର୍ଯ୍ୟରତ ଛୋଟ କମ୍ପାନୀଟିଏ ଠିକା ନେଇ କାର୍ଯ୍ୟ କରୁଥାଏ । ସେହି ଛୋଟ କମ୍ପାନୀର ନିୟମ କାନୁନ ,କାଇଦା କଟକଣା ମାନି ଆମ୍ଭେମାନେ ୨୦୦ ରୁ ୩୦୦ କର୍ମୀ କାର୍ଯ୍ୟ କରୁଥାଉ । ଏମିତିରେ ଦୁଇ ବର୍ଷ ବିତିଗଲା ।


    ୨୦୧୨ ମସିହା ମଇ ମାସର ଘଟଣା ।କମ୍ପାନୀର ମେସ ପରିଚାଳକ ଛୁଟିରେ ଘରକୁ ଯାଇଥାନ୍ତି ।କମ୍ପାନୀ ପରିଚାଳକଙ୍କ ନିର୍ଦ୍ଦେଶ କ୍ରମେ ଅପରାହ୍ନ ୪ଟା ସମୟରେ ବାହାରି ପଡ଼ିଲି ହାଟରୁ ପରିବା ପତ୍ର କ୍ରୟ କରିବାକୁ ।ସାଥିରେ ଦୁଇ ଜଣ ମେସ କର୍ମୀ ଯାଇଥାନ୍ତି । ହାଟ ଭିତରକୁ ପ୍ରବେଶ କରି ମୁଁ ଆଗରେ ଆଗରେ ଚାଲିଥାଏ ।ଜ୍ୟେଷ୍ଠ ମାସର ଝାଞ୍ଜି ଖରା ଯୋଗୁଁ ପରିବା ବିକାଳୀ ଅଳ୍ପ ବହୁତେ ପରିବା ପାସୋରିବା ଆରମ୍ଭ କରୁଥିଲେ । ମୁଁ ଗୋଟିଏ ପରିବା ବିକାଳୀଠୁ ପରିବା ମୂଲେଇ ପଛକୁ ଚାହେଁ ତ ମୋ ସାଥିରେ ଥିବା ଦୁଇ ଜଣ କର୍ମୀ ଭିତରୁ ଜଣେ କିଛି ଦୂରରେ ମୁଁହ ପୋତି କାନ୍ଦୁଛି ,ପାଖ ଆଖରେ ଦେଖା ଯାଉନଥାଏ । ମୁଁ ସେ ଜଣଙ୍କ ପାଖକୁ ଯାଇ ପଚାରେ ତ ସେ ଆଖିରୁ ଲୁହ ପୋଛି କହିଲା "ଟମାଟୋ ଟ୍ରେ ଟିକିଏ ବାଜିଗଲା ବୋଲି ସେ ବ୍ୟକ୍ତି (ଜଣେ ୨୦ରୁ୨୨ ବର୍ଷୀୟ ଯୁବକ) ଆମ ଦୁହିଁଙ୍କୁ ପିଟିଲା । ଅଧିକ ମାଡ଼ ଭୟରେ ଆର ଜଣଙ୍କ କୁଆଡେ ଦୌଡ଼ି ପଳେଇଛି । ମୁଁ କିନ୍ତୁ ମୋ କର୍ମୀକୁ କହିଲି ଭୁଲ ତ କରିଛ, ଆଉ ଯାହା ହବାର ଥିଲା ହେଇଗଲା ଚାଲ ଏବେ ପରିବା କିଣିବା (ମନ ଭିତରେ ଥାଏ "ପାଣିରେ ଘର କରି କୁମ୍ଭୀର ସହିତ କଳି କରିବା ଠିକ ନୁହେଁ" ସେମାନେ ସ୍ଥାନୀୟ ଆମେ ବିଦେଶୀ) ।


   ଏତିକି ବେଳେ ସେହିପିଲା ଧାଇଁ ଆସିଲା ମୋ ପାଖକୁ କହିଲା ମାଆ ଗିଏ ,ତୁହି ଆଙ୍କର ମାଲିକ ଆଉ କଁ.....କାଣା କରବୁ ଵୋ.....ମୋର, ମୁଇଁ ଇ ମାନଙ୍କେ ମାରିଛେ ।ତା ପରେ ଚାରି ପାଞ୍ଚ ଚାପୁଡ଼ା ମୋ ଗାଲରେ କଷୀଦେଲା । ସେ ମାରିବା ଦେଖି ତା ପାଖ ଆଖରେ ଥିବା ତାହାର ଦୁଇ ସାଙ୍ଗ ଧାଇଁ ଆସି ଜଣେ ମୋ କେଶ(ବାଳ)କୁ ଧରି ମୁଁହ ଉପରକୁ କରିଦେଲା ତ ଆଉ ଜଣେ ମୋର ଦୁଇ ହାତକୁ ପଛ ପଟକୁ କରି ମୋତେ ଆଣ୍ଠେଇ ମୋର ଦୁଇ ପାଦ ଉପରେ ଠିଆ ହୋଇଗଲା।ମୁଁ କିଂ କର୍ତ୍ତବ୍ୟ ମୂଳକ ଆଖିରୁ ଲୁହ ଗଡେଇ ଭଗବାନଙ୍କୁ ସୁମୋରୁ ଥାଏ ।ସେହି ତିନି ଜଣ ଭିତରୁ ଜଣେ ପ୍ରଥମ ପିଲାର ନିର୍ଦ୍ଦେଶ ପାଇ ମୋ କେଶ ଛାଡି ଚାଲିଗଲା ବାଡ଼ି(ଠେଙ୍ଗା) ସନ୍ଧାନରେ ।ମୁଁ କିନ୍ତୁ ଆଣ୍ଠେଇ ରହିଥାଏ ଆଉ ପଛ ପିଲା ସେମିତି ଧରିଥିଲା।

   

   ଏଥର ପ୍ରଥମ ପିଲା ହାତରେ ପିନ୍ଧିଥିବା ଲୁହା କଙ୍କଣ(ବଳା) ଖୋଲି ,କଙ୍କଣ କୁ ହାତରେ ମୁଠେଇ ମୋ ଦୁଇ ଗାଲକୁ ମାରି ଚାଲିଲା ।ହାଟର ସମସ୍ତେ ଗୋଲ ପରି ଆମ ଚାରିକଡେ ଛିଡା ହୋଇ ଦେଖୁଥିଲେ ।ସତେ ଯେମିତି ମାଙ୍କଡ଼ ନାଚ ଚାଲିଛି।କାହାର ମୁଁହ ରୁ ପଦେ କଥା ବାହାରୁ ନଥାଏ।ସମସ୍ତେ ଦେଖୁଥିଲେ ସେହି ମାଙ୍କଡ଼ ନାଚକୁ ।ମାଙ୍କଡ଼ ନାଚରେ ମାଙ୍କଡ଼ ନ ନାଚିଲେ ତା ମାଲିକ ତାକୁ ଚାବୁକରେ ପିଟେ ।ଠିକ ସେମିତି ପିଟି ଚାଲିଥିଲେ ସେମାନେ ।ଲୋକମାନେ ଯେତିକି ଯେତିକି ରୁଣ୍ଡ ହେଉଥିଲେ ସେମାନଙ୍କ ମାଡ଼ ସେତିକି ସେତିକି ବଢ଼ି ଚାଲିଥିଲା । ମୋ ଦୁଇ ଗାଲ ଭିତର ପଟୁ ଫାଟି ରକ୍ତ ଗଡି ପେଟ ପାଖ ପୋଷାକ ଅଧା ଅଂଶ ଭିଜି ଯାଇଥାଏ ।ମୋତେ ଚତୁର୍ଦିଗ ଅନ୍ଧାର ଦିଶୁଥିଲା ।ଏତିକି ବେଳେ ଜଣେ ଭଗବାନଙ୍କ ଦୂତ ମାନବ ରୁପେ ଆସି ପହଁଚିଲେ ।ବୟସ,୫୫ ରୁ ୬୦ ହେବ ସରକାରୀ ଚାକିରୀ ଅବସର ପ୍ରାପ୍ତ ବୋଲି ଜଣାପଡୁଥିଲେ । ସେ କିଛି କହିବାରୁ ୫ରୁ୧୦ ମିନିଟ ମାଡ଼ ବନ୍ଦ ହେଇଗଲା ।ତାଙ୍କ କଥା ଏବେ ବି ମନେପଡେ,"ଆରେ ସେ ଅଭାବି ହେତୁ ତୁମର ଏଠିକୁ ଦାଦନ ଖଟିବାକୁ ଆସିଛି, ଯଦି ତୁମେ ସେହି ପରିସ୍ଥିତି ରେ ଥାଆନ୍ତ ତେବେ ତୁମେ କୋଉଠି ନା କୋଉଠି ମୂଲ ଲାଗିଥାନ୍ତ ।ଆଉ ତୁମ ପ୍ରତି ଏମିତି ଯଦି ହେଇଥାନ୍ତା ।ଏ ତୁମ ଗାଁ ତୁମେ ପିଟୁଛ ଆଉ ତା ଗାଁରେ ଯାଇ ପିଟି ଆସ ତ ? " ସେ ଆଉକିଛି କହିବା ପୂର୍ବରୁ ମୋତେ ପିଟୁଥିବା ପ୍ରଥମ ପିଲା କହିଲା "ଦାଦା ତୁ ତୋର କାମଥି ଯାଆ ତୁହି ଏଥିର ମୁଣ୍ଡ ନାହିଁ ଘୁରା ।"ବୟସର ଅପରାହ୍ନ ରେ ପହଂଚି ଥିବା ବ୍ୟକ୍ତି ଜଣଙ୍କ ଚାଲିଗଲେ ।


   ପୁଣି ଚାଲିଲା ମାଙ୍କଡ଼ ନାଚ ।ଛାତିକୁ ଗୋଇଠା , ଗାଲକୁ କଙ୍କଣର ବିଧା ମାରି ଚାଲିଥାନ୍ତି ।ପ୍ରାୟ ୩୫ ମିନିଟ ମାଡ଼ ଖାଇସାରିବା ପରେ ନିଜର ସଉଦା ଦୋକାନ ଛାଡି ଧାଇଁ ଆସିଲେ ସାକ୍ଷାତ ଭଗବାନ ରୂପି ମାନବଟିଏ ।ଆଉ ମୋତେ ଉଧାର କଲେ ସେହି ତିନି ମଦ୍ୟପ ହାଟ ମହନ୍ତଙ୍କ ଭାଇ କବଳରୁ ।ଏବେ ମୁଁ ଭାବେ ସେଦିନର ଘଟଣା ରେ ମୋର ଭୂଲ ରହିଲା କେଉଁଠି ? ଆଉ ସେହି ଘଟଣା ମନେ ପଡିଲେ ଛାଏଁ ଛାଏଁ ଦୁଇ ହାତ ଯୋଡି ହେଇଯାଏ ସେହି ଭଗବାନ ରୂପି ମାନବ ଆଡ଼କୁ ।



Rate this content
Log in