ଭୈରବୀ
ଭୈରବୀ
ଭୈରବି ନାଁ ଟା କିଛି ଅଜବ ଶୁଣା ଯାଏନି। ଭୂତ ପ୍ରେତ କି ଡାହାଣୀ ଚିରୁଗୁଣୀ କ’ଣ ଗୋଟେ ହେଇଥିବ। ମାତ୍ର ହେଡେକେଟି! ଏଇଟା ଗୋଟେ କି ନାଁ ଲୋ ମା’। ଅନେକ ଅନୁସନ୍ଧାନ ପରେ ମଧ୍ଯ ତାର ପରିଚୟ ମିଳିଲାନି। କିନ୍ତୁ ଶହେ ପ୍ରତିଶତ ଭୟ ଶୃଷ୍ଟି କରାଏ। ହେଡେକେଟି ଆଇଲା କହିଲେ ମୋ ପ୍ରାଣ ବିକଳ ରେ ପିମ୍ପୁଡି ଗାତ ଖୋଜେ। ଦାନ୍ତୁରି, ନିତେଇ ଧୋବୋଣୀ, ରୂମା, ହେଡେକେଟି, ଭୈରବୀ। ଏ ସମସ୍ତେ ହେଲେ ମୋର ଭୟ ର ଉସ୍ଚ। ଗୋଟେ ରକମ ଅତୃପ୍ତ ଦୁନିଆ ମୋ ପାଇଁ। ରୂମା କୁ ଛାଡିଲେ ଆଉ କାହାକୁ ମୁଁ କେବେ ଆଖିରେ ଦେଖିନି। କିନ୍ତୁ ମୋ କଳ୍ପନା ଘର ଟା ଏତେ ସୁଦୃଢ ଯେ କୁହା ଯିବା ନାଇଁ। ମାମୁଁ ଘର ଗାଁ ଅବଳି ଅପା ଝିଅ ରୂମା। ତରଡା ଖାଇ ମରି ଯାଇଥିଲା। ତା ଜୀବିତ ଅବସ୍ଥା ରେ ମୁଁ ତାକୁ ଦେଖିଥିଲି। ମଲା ପରେ ତା ଭୁତକୁ ବି ଦେଖିଚି। କିନ୍ତୁ ମୋ ଆଖିରେ ନୁହେଁ। ମୋ ଭାଇର ବର୍ଣ୍ଣନା ଆଉ ମୋ ସୁଦୃଢ ପରିକଳ୍ପନା ରେ। ତେଣୁ ରୂମା ବି ପ୍ରାୟ ସେଇ ସମାନ ପ୍ରକାର ଭୟ ଶୃଷ୍ଟି କରେ। ମୋଟା ମୋଟି କହିବାକୁ ଗଲେ ସେ ସମସ୍ତଂକ ର ଗୋଟିଏ ଭୂମିକା ମୋ ଜୀବନ ରେ।
ସମସ୍ତେ ବଡ ବଡ ସିନ୍ଦୁର ଟୋପା କରନ୍ତି, ପାଦ ଯାଏ ବାଳ ଲମ୍ବିଥାଏ, ଧଳା ଲୁଗା ପିନ୍ଧନ୍ତି, ହାତେ ଲମ୍ବା ଜୀଭ ବାହାର କରନ୍ତି, ଗଛ ଉପରେ ଗୋଡ ଲମ୍ବେଇ ବସନ୍ତି। ଇଚ୍ଛା ହେଲେ ମୁଣ୍ଡ ତଳକୁ କରି ଗୋଡ ଉପରକୁ କରି ଝୁଲନ୍ତି। ଶକ୍ତିମାନ ଭଳିଆ ଉଡନ୍ତି ମଧ୍ଯ। ସେମାନେ ଖାଆ ପିଅ ବି କରନ୍ତି। ଖାଦ୍ଯ ନୁହେଁ, ମାଂଶ ଖାଆନ୍ତି ଆଉ ରକ୍ତ ପିଅନ୍ତି। ସେମାନେ ବେସି କରି ମୋ ବୟସର ଛୁଆ ମାନଂକୁ ଖାଇବାକୁ ଭଲ ପାଆନ୍ତି। ଏ ସବୁ ମୋ ଭାଇ ର ରିସର୍ଚ। ସବୁତକ ତଥ୍ଯ ସେ ଯୋଗାଡ କରିଚି ତା ଚାରି ପାଂଚ ବର୍ଷର ଭଉଣୀ ର ସୁରକ୍ଷା ପାଇଁ। ବଡ ଭାଇ ନା। ବେଳେ ବେଳେ ଭାଇ ପ୍ରତି ପ୍ରବଳ ସମ୍ମାନ ଜାଗ୍ରତ ହୁଏ ମନରେ। ମୋ ପାଇଁ ଭାଇର କେତେ ଦରଦ ସାଇତା।
ସ୍କୁଲ୍ ରୁ ଫେରି ସବୁଦିନ ପାଂଚଟା ବେଳକୁ ଆମେ ବିଲରେ ଥିବୁ। ହାତରେ ଗୋଟେ ଖଳି ବୋଝ ଆଉ ନିଜ ନିଜର ଦା’ ଖଣ୍ଡେ ଖଣ୍ଡେ। କାନ୍ଧରେ ମାଂକଡ ମୁଣି କରି ଗାମୁଛାରେ ବନ୍ଧା ହେଇଥିବ ଭୁଜା। ଗୀତ ଗାଇ ଗାଇ ଭୁଜା ଖାଇ ଖାଇ ଚାଲିବୁ ଘାସ ଅଭିଯାନ ରେ। ବିଲ ପାଣି ରେ ଚବ ଚାବ ହେଇ କଂକଡା ଧରା, ଗେଣ୍ଡା ଧରା, ମାଛ ଧରା, ବେଂଗ ଧରା ସବୁ ଅପରେସନ୍ ତା ଭିତରେ ହେଇ ଯାଏ।
ସେଦିନ ଘରୁ ବାହାରିଲା ବେଳକୁ ଟିକେ ଡେରି ହେଲା। ଭାଇ ହେଲା ଆମ (ମାନେ ତାର ଆଉ ମୋର ) ସଂଘ ମୁଖ୍ଯ। ସେ ଯାହା ନିସ୍ପତି ନବ ସେଇଆ ହିଁ କରାଯିବ। ମହୋଦୟଂକର ନିସ୍ପତି ହେଲା ଆଜି ବିଳମ୍ବ ହେତୁ ବିଲଆଡେ ନ ଯାଇ ମହୁଲ ଆଡେ ଯିବା। ମହୁଲ ପଡିଆ। ଯୁଆଡେ ସଂଜ ସକାଳେ ସମସ୍ତେ ଉପନ୍ଯାସ ପଢି ଯାଆନ୍ତି। କହ୍ନେଇ ଅଜା ଘର ହରଡ ବୁଣିଚନ୍ତି ସେଇ ପାଖରେ। ପାହାଡ ତଳ ହରଡ ଗଛ ଗୁଡା ବଡ ବଡ ଆଉ ଘଂଚ ହେଇଚି। ତା ଭିତରେ ପୁରା ବହଳ ଘାସ। ଦଶ ମିନିଟ୍ ଲାଗିବନି ବୋଝ ପୂର୍ଣ୍ଣ ହବାକୁ। ଆମେ ଘାସ କଟା କାମରେ ପୁରା ଅଭିଜ୍ଞ। ଭାଇ ଆଗେ ଆଗେ ମୁଁ ଚେଲା ପଛେ ପଛେ। ହରଡ ବାରି ଭିତରେ ପଶିକି ଦେଖିଲି ସ୍ୱର୍ଗ କି ସ୍ୱର୍ଗ। ବୋପା ଲୋ କି ଘାସ। ନଇଁ ପଡି କମା ପୂର୍ଣ୍ଣଚ୍ଛେଦ ନମାରି ଘାସ କାଟି ଚାଲିଲି। ମୁଁ ପଛ କୁ ନଦେଖି ଘାସ ଗଦା କରି ଚାଲିଚି। ମୋ ଘାସ ଦେଖି ଭାଇ ଆଉ କାଟୁନି। ମୋ ପଛରୁ ଗୋଟେ ଗୋଟେ ଗଦା ନେଇ ତା’ ବୋଝ ରେ ଭରୁଚି। ଶାଗୁଣା ଆଖି ମୋର। ଥରେ ମାତ୍ର ସେ ନେଇଚି। ମୁଁ ଚିଲେଇଲି।
- ଏ ଏ.... ଚୋର, କ’ଣ କଲୁ କିରେ? ଶିଘ୍ର ମୋ ଘାସ ଫେରା। ନହେଲେ ଚିହ୍ନିବୁ ମତେ।
- ମୁଁ କ’ଣ ଚିହ୍ନିନି ତତେ? ତୁ ପରା ଆମ ଝିଅ।
-ଝିଅ ନା ଫିଅ। ମାଡ ଦେଲା ବେଳକୁ ଆଉ ଡରେଇଲା ବେଳକୁ ଝିଅ ନୁହେଁ। ଘାସ ନେଲା ବେଳକୁ ଆଉ ଖାଇଲା ବେଳକୁ ଝିଅ। ତୁ ଦେ ମୋ ଘାସ।
ବିଚରା ଫେରେଇ ଦେଲା। ଆଉ ମତେ ଛାଡି ଦେଲା କି? ନାଁ। ପ୍ରତିଶୋଧ ଟା ତା ସାଂଗ ସାଥି ମାନେ ସେଇ ଭୈରବି, ହେଡେକେଟି, ଦାନ୍ତୁରି କି ରୂମା କିଏ ଗୋଟେ ଆସି ନବ ନା। ଏଥର ପାଳି ପଡିଚି ଭୈରବି ର। “ଆଜି ରାତିରେ ଭୈରବି ଡାକିବ। ତା ଇଚ୍ଛା ଯାହାକୁ ସେ ତାକୁ ଡାକିବ। ଡାକିବା ବେଳେ ସେଇ ମଣିଷ ଯଦି ଶୁଣିବ ଆଉ କିଛି କହିବନି ତେବେ ସେ ମରିଯିବ। ଯଦି ଶୁଣି ଶାରି ହଁ କରିବ ତେବେ ତା’ ପେଟ ଫାଟି ଯିବ। ମାନେ ଉଭୟ କାମରେ ସେ ମରିବ।” ଘାସ କାଟି କାଟି ଭାଇ ଏ ସମାଚାର ପଢୁଚି। ମୁଁ ଆଉ କି ଘାସ କାଟେ? ସିଧା ଯାଇ ଭାଇ ପାଖରେ ହାଜର। ଭୟରେ ମୋର ବଚନ ବାହାରୁନି।
- ଭାଇ! ସତ କହୁଚୁ ଏମିତି ହବ ଆଜି? ମତେ ଡରୋଉଚୁ ନା?
- ହୁଁ.... ଃ ଡରେଇବି କାହିଁକି? ବାଶୁ ତିଆଡି ଆଜ୍ଞା(ମନ୍ଦିର ର ବାବା) କହୁଥିଲେ ଯେ, ସେ ବାବୁ ଅଜା ହେକା ସମସ୍ତେ କଥା ହଉ ଥିଲେ। ମୁଁ ସ୍କୁଲ୍ ରୁ ଫେରିଲା ବେଳେ ଶୁଣିଚି।
- କାହାକୁ ଡାକିବ ଜାଣିଚୁ?
-ମୁଁ କେମିତି ଜଣିବି?
- ତୁ ସବୁ ବେଳେ କହୁ ନା, ଛୋଟ ପିଲାଂକ କଥା!
- ହଁ ହଁ। ଛୋଟ ପିଲାଂକୁ ଆଗ ଡାକିବ। ବଜରା କିଆରି ଆଡୁ ଆସିବ ମାନେ ମାମୁଁ ଘରେ ଆଗ ପସିବ। ତତେ ତାହାଲେ ଆଗ ଡାକିବ। ତୁ ହିଁ ତ ସାନ।
ମୋ ଆଖି ଢଳଢଳ, ମନ ଟଳମଳ, ଦେହ ଥରଥର, ତଣ୍ଟି ଶୁଖିଲା ସବୁ ଏକା ସହ ହେଲାଣି। ମୋର ତାହାଲେ ଆଜି ଶେଷ ଦିନ।
- ଭାଇ..... ଭାଇରେ..... ଶୁଣୁନୁ କ’ଣ? ମୁଁ ଝିଅ ରେ।
- ଝିଅ ନା ଫିଅ.... ଘାସ ତ ଭଲ ନେଇଗଲୁ। ଏବେ କିଆଁ ଡାକୁଚୁ?
- କହୁନୁ କ’ଣ କଲେ ଭୈରବି ଡାକିବନି।
- ଡାକିବନି? ଡାକିବ ତ ଧାର୍ଯ୍ଯ। ହେଲେ ବଂଚିବାକୁ ଗୋଟେ ପ୍ଲାନ୍ ଅଛି। ମତେ ଘାସ ଦେଲେ କହିବି।
- ନଉନୁ। ସବୁ ନେଇଯା। ହେଲେ କହ। ମୁଁ ମରିଗଲେ ତୁ କା ସାଂଗରେ ଘାସ ନବାକୁ ଆସିବୁ? କହି ମୁଁ କାନ୍ଦିଲିଣି।
ଭାଇ ତା ବୋଝ ଟାକୁ ପୁରା ଚପା ଚପି କରି ମୁଣ୍ଡିଆ କରିଦେଲା। ଦା’ ଟାକୁ ଘାସ ଉପରେ ଖୋସି ଦେଲା। ଇଆଡେ ବେଳ ପୁରା ମୁହଁ ସଂଜ। ଝାଡା ବସି ସମସ୍ତେ ଫେରିଗଲେଣି। ଭାଇ ତଥାପି କହୁନି। ମୁଁ ଭେଁ କରି ରଡି ଛାଡିଲି। ତା’ ପରେ ସେ ଉପାୟଟା ବତେଇଲା।
- କାନରେ ତୁଳା ଦେଇ ଶୋଇବୁ। ଶୁଭିବନି। ଏ କଥା ଘରେ କହିବୁନି। କହିଲେ ସିଏ ତତେ ଛାଡିବନି।
କି ଅଗାଧ ବିଶ୍ୱାସ ମୋର ଭାଇ ଉପରେ! ନିସ୍ପତି ନେଲି ତୁଳା ଖୋଜିବି ଆଉ କାନରେ ଦେଇ ଶୋଇବି। ଆଉ କି ଘାସ? ଅଧ ବୋଝ ଘାସ ହେଲା ମୋର। ତା’ର ବୋଝ ପାହାଡ। ଘାସ, ଦା’, ବୋଝ ସାଉଁଟିଲି ସବୁ। ସେ କ’ଣ କଲା? ବୋଝ ମୁଣ୍ଡେଇ ଯିବାକୁ ବାହାରିଲା। ଆଉ କହିଲା “ ଭୈରବି ଆଇଲା.....” ହରଡ ବାରି ଭିତରେ ମୁଁ ଯେମିତି ଅଣନିଶ୍ୱାସୀ ହେଇଗଲି। ମତେ ବୁଦ୍ଧି ବାଟ କିଛି ଦିଶୁନି। କେଡେ ନିଷ୍ଠୁର ଟା! ମତେ ଛାଡି ଦେଇ ଆଗେ ଆଗେ ପଳୋଉଚି। ମୁଁ ହରଡ ଗଛ ରେ ଛନ୍ଦି ମନ୍ଦି ହେଇଯାଉଚି। ତଥାପି ଜୀବନ ବିକଳ ରେ ତା ଯିବା ରାସ୍ତା ଅନୁକରଣ କରି ଡଗ ଡଗ ହେଇ ମାଡି ଯାଉଚି। ଆଖି, ନାକ, କାନ ସବୁ ରାସ୍ତାରୁ ପାଣି ପବନ ବହି ଯାଉଚି। ରାସ୍ତା ଉପରକୁ ଆସିଲେ ମହୁଲ ଗଛ। ଯୋଉଟା ଭୂତ ପ୍ରେତଂକର ପ୍ରିୟ ଯାଗା। ସେଇ ଗଛ ଡେଇଁ ଯିବାକୁ ହବ। ସିଏ ଦୌଡିଲା ଆଉ କହିଲା “ଭୈରବୀ ଆଇଲା....” ମୁଁ ପଡି ଉଠି ଧାଇଁଚି।
ରାତି ହେଲେ ପଢି ବସିବୁ। ମଝିରେ ଶହେ ଥର ଏକ, ପାଣି, ଚାହା, ଭୁଜା, ନିଦ, ଭାତ ସବୁ ମାଡେ। ଆଜି କିଛି ମାଡୁନି। ପୁରା ପଣ୍ଡିତ। ଆଇ କହୁଚି “ ତୁ କ’ଣ ହଲଚଲ ହଉନୁ ଆଜି?” କ’ଣ କହିବି? କହିଲେ ତ’ ଭୈରବୀ ଛାଡିବନି ମତେ। ପାଟିରେ ଅଠା ମାରି ରହିଲି। ସୋଇବା ବେଳକୁ ତୁଳା ଖୋଜିଲି। ମିଳିଲାନି। କାନ ରେ କ’ଣ ଦେବି? କନ୍ଥା ଚଦର ମାଡି ମୁଡି ଶୋଇଲି। ଗୋଡ ହାତ ପୂରା ଶରୀର ଭଲକି ନିବୁଜ୍। କୁଆଡୁ ଦେଖାଯିବ ଯଦି ସେ ଚିହ୍ନି ଦବ। ଡାକିବାର ନଥିଲେ ବି ଡାକିଦବ। ସବୁ ସରିଲା। ମାହାପୁରୁଂକୁ ଡାକି ଶୋଇଲି। ପ୍ରଭୁ ମୋର ଏ ରାତି ଶେଷ ରାତି ନହଉ। ମୋ ଜାଗାରେ ଭୈରବୀ ଭାଇକୁ ଡାକୁ। ଭାରି ହଇରାଣ କରୁଚି। ସ୍ୱାହାଃ ହେଲେ ମୋର ମୁକ୍ତି। ପାହାନ୍ତା କୁ ନିଦୁଟି ଛାଡିଗଲା ପୁଣି। ଏକ ଲାଗିଚି। କ’ଣ କରିବି? ଏବେ ଯଦି ଭୈରବୀର ଆସିବା ସମୟ ଥିବ? ଆଇ କୁ ଡାକିବି ନା ଶେଜ ରେ ଶାରିଦେବି? ଦିଇଟା ଯାକରୁ କିଛି କଲିନି। କଷ୍ଟେ ମଷ୍ଟେ ରହିଗଲି। ପୁଣି ନିଦ ଲାଗିଯାଇଚି।
ସକାଳୁ ଉଠି ନିଜକୁ ପ୍ରଥମେ ପରୀକ୍ଷା କରିପକେଇଲି। ମୁଁ ଜୀବିତ କି ମୃତ। ନାଁ ଆଜି ବଂଚିଗଲି। କୋଟି ନମସ୍କାର କରୁଥାଏ। ଭାଇ ମତେ ନାମ ଦେଇ ସବୁ ଭୁଲି ଯାଇଚି। ବ୍ରସ୍ ଧରି ପାଣି କୁଣ୍ଡ ଆଡେ ଦୁହେଁ ଗଲୁ। ମୁଁ ପ୍ରଥମେ ମୁହଁ ଖୋଲିଲି।
-ହଇରେ ମିଛୁଆ କାଇଁ କିରେ କୋଉ ଭୈରବୀ?
- ଏ ଝିଅ! ମୋ ଲାଗି ତୁ ବଂଚିଗଲୁ। ନହେଲେ?
-ନହେଲେ କ’ଣ?
-କାଲି ତୁ ସୋଇଲା ପରେ ମୁଁ ଭୈରବୀ କୁ ଦେଖିଲି ଆଉ ଆମ ଘରେ କେହି ଛୋଟ ପିଲା ନାହାନ୍ତି ବୋଲି କହିଲି। ନହେଲେ ତୁ ଏବେ ଶୋଇଥାଆନ୍ତୁ।
ଏମିତି ଅନେକ ବିପଦରୁ ଭାଇ ମୋ ଜୀବନ ରକ୍ଷା କରିଚି। କିନ୍ତୁ “ଭୈରବି ଆଇଲା...” କହିବା କେବେ ବନ୍ଦ କରିନି। ସେ ଚଳଚିତ୍ର ଗୁଡାକର ନିର୍ଦେଶକ,ପ୍ରଯୋଜକ, ନାୟକ, ଖଳନାୟକ କେବେ ବି ହାରିନାହାନ୍ତି ମତେ ତିଳ ତିଳ କରି ଡରେଇ ମାରିବାକୁ। ଆଉ “ଭୈରବୀ ଆଇଲା” କହିବା କୁ।