STORYMIRROR

Nibedita Mishra

Others

3  

Nibedita Mishra

Others

ଭାଗ

ଭାଗ

2 mins
363

ଭାଗ-1


ବାପା,ମା,ଭାଇ ଓ ମାନିନୀ।ବାସ୍ ଛୋଟିଆ ପରିବାରଟିଏ ମାନିନୀର।ସମ୍ପର୍କୀୟ କହିଲେ ମାନିନୀ ବୁଝେ ତା'ର ଏକମାତ୍ର ପିଉସୀକୁ।ଯିଏକି ବେଳେ ବେଳେ ତାଙ୍କ ଘରକୁ ଆସନ୍ତି।

ଆଉ ମାନିନୀର ମା' ତାଙ୍କ ଘରେ ଏକମାତ୍ର ଝିଅ ହୋଇଥିବାରୁ,ଅଜା ଆଈ ଗଲାପରେ ମାନିନୀ ଲାଗି ମାମୁଁ ଘର ବୋଲି କିଛି ଗୋଟାଏ ନ ଥାଏ।ତେଣୁ ପିଉସୀଟି ହିଁ ତା'ର ସବୁଠୁ ଅତିପ୍ରିୟ ମଣିଷଟିଏ।

ସବୁଥର ପିଉସୀ ଆସିବା ଖବରଟା ଶୁଣିଲେ ମାନିନୀର ପରିବାରରେ ଏକ ଖୁସିର ଲହରୀ ଖେଳିଯାଏ।ପିଉସୀ ଆସିବା ମାନେ ଘରେ ଏକ ରୀତିମତ ଉତ୍ସବ ଚାଲେ।ଆଉ ପିଉସୀର ଫେରିଯିବାଟା ଝିଅ ବିଦାୟ ଠାରୁ କମ ଦୁଃଖଦ ନ ଥାଏ।

ହେଲେ ଏଥର ର କଥାଟା ଟିକିଏ ଅଲଗା ଥିଲା।କିଛି ବୁଝିପାରୁନ ଥିଲା ମାନିନୀ।ଯେବେଠୁ ପିଉସୀ ଆସିବ ବୋଲି ଖବର ଦେଇଛି,ସେବେଠୁ ଘରେ ଏକ ଗୁଳୁଗୁଳିମୟ ପରିବେଶ ଅନୁଭୂତ ହେଉଛି।ମାନିନୀ ତା'ର ଅଗ କି ମୂଳ କିଛି ପାଉ ନଥାଏ।

ଦିନେ ମାନିନୀ ସଂଧ୍ଯାରେ ପାଠ ପଢି ବସିଥିବା ସମୟରେ ପାଖ ରୁମରେ ବାପା ଓମା ଙ୍କ ଭିତରେ ହେଉଥିବା କଥା ଶୁଣିବାକୁ ପାଇଲା।

=ନାନୀ ଆସିବ ବୋଲି ଫୋନ କରିଚି।ଜାଣିଲଣି ତ!

=ହଁ,ଦେଖିବ ଆସିଲେ ନିଶ୍ଚୟ ଗାଁ ଜମିରେ ଭାଗ କଥା ଉଠେଇବେ।

=ସରକାର ଝିଅଙ୍କୁ ପୈତୃକ ସମ୍ପତ୍ତିରେ ଭାଗ ଦେଇକି ବଡ ଅଡୁଆ କଲେ।

=ହଁ ପରା,ମୁଁ ବୁଝିପାରୁନି ନାନୀଙ୍କର ଭାଗ କ'ଣ ଦରକାର ଯେ?ତାଙ୍କର ତ ଦୁଇ ପୁଅ ବାହାଚୁଡା ହେଇକି ବିଦେଶରେ ରହିଲେ।ତାଙ୍କୁ ପେନସନ୍ ଭି ତ ମିଳୁଛି।ଘରଦ୍ବାର ତ ଅଛି।

=ହଁ ପରା ସେଇକଥା ତ ମୁଁ ବି ଭାବୁଛି।ଆମର ଛୁଆ ଛୋଟ।ଘରଦ୍ବାର ଟେ ନାହିଁ। ଆମର ଭାଗଟା ଯେତିକି ଜରୁରୀ ,ତା'ର କ'ଣ ସେତିକି ଜରୁରୀ?

=ତେବେ କ'ଣ କରିବା କହୁଛ?

=ତୁମେ ଯଦି ନାନୀକୁ ବୁଝେଇ ଶୁଝେଇ ସେ N.O.C ପେପର୍ ରେ ଦସ୍ତଖତ ଟା କରିପାରନ୍ତ ।ତେବେ ସୁବିଧା ହୁଅନ୍ତା।

=ହଁ ତାଙ୍କ ପୁଅମାନେ ଛୁଟିରେ ଆସିବା ଆଗରୁ କାମ ସରିଯାଆନ୍ତା।ଭାଗ ଦବାକୁ ପଡନ୍ତାନି।

=ହଁ ନାନୀ ଯେମିତି ଭାଗ କଥା ନ କହେ।ସେଥିପ୍ରତି ଧ୍ଯାନ ଦେବ।

=ହଉ ତେବେ..........

ଠିକ୍ ଏତିକି ବେଳକୁ ମାନିନୀ ରୁମ ଭିତରକୁ ପଶି ଆସିଲା।କିଛି ସମୟ ନିରବ ରହିବା ପରେ ,ଅତି ସଂଙ୍କୁଚିତ ଓ ଭୟଭୀତ ହୋଇ ପଚାରିଲା-"ବାପା,ଭାଇ ବି କ'ଣ ଭାଗ ଲାଗି ମୋ ସାଙ୍ଗେ ଏମିତି କରିବ?"

ହଠାତ୍ ଏ.ସି କୋଠରୀ ଭିତରେ ଥାଇ ବି ମାନିନୀର ବାପା ମା ଝାଳର ଶ୍ରାବଣ ଧାରାରେ ଭିଜିବା ଆରମ୍ଭ କଲେ।କି ଉତ୍ତର ଦେବେ କିଛି ବୁଝିପାରୁ ନଥିଲେ।

କୋଠରୀରେ କେବଳ ଗୋଟିଏ ଶବ୍ଦ ନିରବ ଭାବେ ଗୁଞ୍ଜି ଉଠୁଥିଲା"ଭାଗ"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍