Satyabati Swain

Others

4  

Satyabati Swain

Others

ଭାଗ ବଣ୍ଟା

ଭାଗ ବଣ୍ଟା

6 mins
585



ଆମ ଗାଁ ଘରର ସେ ରୁମ୍ ଭିତରକୁ ପଶି ଗଲେ ମୋତେ ବାପା ବାପା ବାସେ।ଲାଗେ ଥାକରେ ଚକା ମେଲି ଯେମିତି ବାପା ବସିଛନ୍ତି।ଥାକରେ ସଜା ପ୍ରତି 'ବହି'କୁ ଛୁଇଁଲେ ସତେକି ମୁଁ ଛୁଏଁ ମୋ ବାପାଙ୍କ କାନ୍ଧ।ପ୍ରତିଟି ପୃଷ୍ଠାରେ ବାପାଙ୍କ ମୁହଁକୁ ଅନୁଭବ କରେ ମୁଁ।


ଗାଁରୁ ଖବର ଆସିଛି ଆମ ଘର ଭାଗ ହେବ। ରମୁ ଓ ଅମୁ ଆଉ ଏକାଠି ଚଳି ପାରିବେ ନାହିଁ।ସବୁଦିନେ କିଏ ରାମ ରାବଣ ଯୁଦ୍ଧ କରିବ।ରାତି ପାହି ସକାଳ ହେଲେ ଚାଲିଲା ଠିଆ ପାଲା।ଏଣୁ ମୁଳୁ ମାଇଲେ ଯିବ ସରି ଦେବତା ସାଙ୍ଗ କିମ୍ପା କଳି।ଦୀପା ଅମୁ ସ୍ତ୍ରୀ ଓ ମିନି ରମୁ ସ୍ତ୍ରୀ ;ଦୁହେଁ ନିଆଁକୁ ଝୋଟ।ଯେତେ ବୁଝେଇଲେ କଣ ହେବ ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦର ପୋଡ଼ା କାଠ ପରି ସେମାନଙ୍କ ଗୁଣ।


ଅମୁ ରୋଜଗାରିଆ।ଏଣୁ ତା ସ୍ତ୍ରୀ ଦୀପାର ଭାଉ ଟିକେ ଅଧିକ ରମୁ ସ୍ତ୍ରୀ ମିନି ଅପେକ୍ଷା।ରମୁ ଚାଷ ବାସ ବୁଝେ।ମଳି ମୁଣ୍ଡିଆ ଗୋବର ଗଣେଶ ଟିଏ।ମାଟି ସଂଗେ ମାଟି ହୋଇ ଖଟେ।ତା ଛୁଆ ପିଲାଙ୍କ ଭଲ ମନ୍ଦ ଖର୍ଚ୍ଚ ଅମୁ ଉଠାଏ।ଅମୁ ରୋଜଗାରଟି ଏବେ ସବୁ ନାଟର ଗୋବର୍ଦ୍ଧନ ହୋଇଛି।ଦୀପା ଏମିତିରେ ସୁଦୁ ରାହା ବାଳୀ କତରା ଛିଣ୍ଡେଇ ଟିଏ।ଅହରହ କଳ ଗାଉଣା ପରି ଚଲଉଥିବ ପାଟି।ମିନି କୁ ଦେଖେଇ ଶିଖେଇ କହିବ "ତୁଚ୍ଛାକୁ ଏତେ ମୁଦି ନାହିଁ ଗୋଡ଼ କଚାଡୁ କେତେ ।" ରଡି ଯଦି ଛାଡିବ ମେଘ ଘଡ଼ ଘଡି ପଇଲା ପରି ଶୁଭେ।ମୁଖୁରା କଳିହୁଡ଼ିଙ୍କୁ ସମସ୍ତେ ଦୁରୁ ଜୁହାର କରନ୍ତି।ଅମୁଟି ମେଷ ଶାବକ ପରି।ନିର୍ମାୟା।ଶାନ୍ତ ଶିଷ୍ଟ।ଦୀପାକୁ ଆକଟ କରି କିଛି କହି ପାରେ ନାହିଁ।ଲୁହା କଅଁଳ ଦେଖି ଦୀପା ବାଘ ଘରେ ମିରିଗି ନାଟ କରେ।ଏତେ ଜିଦିଆ ଯେ ଗଙ୍ଗା କହିଲେ ଥିବି,ଗାଙ୍ଗୀ କହିଲେ ଯିବି ପରି ହୁଏ।ବାରମ୍ବାର କଳି କତରାଲ କରି ବାପ ଘରକୁ ପଳାଏ।ଅମୁ ବ୍ଳକ ଗ୍ରାଣ୍ଡ ଶିକ୍ଷକଟିଏ।ତାକୁ ମୁଣ୍ଡ ଟେକି ଚାଲିବାକୁ ଲାଜ ଲାଗୁଛି ଦୀପା ହରକତ ନେଇ।


ରମୁ ଟି ପାଠ ଶାଠ ପଢିଲେ ବି ଚାକିରି ବାକିରି ନ କରି ବାପ ଅଜା ଅମଳର ବିଲ ବାଡ଼ି କଥା ବୁଝେ।ଧାନ,ମୁଗ,ବିରି,କୋଳଥ ସାଙ୍ଗକୁ ନଡ଼ିଆ ବାଡିଟିଏ ଅଛି।ଭଲ ଦୁଇ ପଇସା ଚାଷରୁ ହୁଏ।ରମୁ ବର୍ଷ ଶେଷରେ ଫସଲ ବିକି ସବୁ ପଇସା ଅମୁକୁ ଧରାଏ।ଯେତେ ରୋଜଗାର କଲେ ବି ରମୁ ରୋଜଗାର ଦିଶେନି ଅମୁ ରୋଜଗାର ପାଖେ।ଏହାହିଁ ଘର କଳି ଓ ଅଶାନ୍ତିର ମଞ୍ଜି।


ଦୁଇ ଭାଇ ଯାକ ମୋତେ ଫୋନ୍ କରିଛନ୍ତି।ନାନୀ ତୁ ଟିକେ ଆସିବୁ ପଂଚାୟତ ବସି ଫଇସିଲା କରାହେବ।ଆଉ ଗୋଟିଏ ହାଣ୍ଡିରେ ଚଳି ହେବ ନାହିଁ।ଅଣାୟତ୍ତ ହେଲାଣି ଘର।ଇଜ୍ଜତ, ମାନ ମହତ ଦି କଡା କରି ଦେଲେଣି ଦୀପା ଓ ମିନି।ମୋତେ ପ୍ରାଣ ଭୟ ଡର ଦୀପା ଓ ମିନିର।ବଡ଼ ନଣନ୍ଦ ହିସାବରେ ଯେତିକି ମାନ୍ୟ କରନ୍ତି ସେତିକି ମୁଣ୍ଡରେ ମୁଣ୍ଡାନ୍ତି।କାରଣ ସବୁ ପର୍ବ ପର୍ବାଣୀରେ ସେମାନଙ୍କ ସଜବାଜ କଥା ବୁଝେ ଓ ବର୍ଷକୁ ଥରେ ଦୁଇ ଥର ଭଲ ଭଲ ଜାଗାକୁ ବୁଲେଇ ନିଏ।ଛୋଟ ଭାଇ ମୋର।ଗାଁ ରେ ରହିଲେ।ଏଣୁ ସପରି

ବାରଙ୍କ ଦେହ ମୁଣ୍ଡ ଠାରୁ ଭଲ ମନ୍ଦ ବୁଝେ ବୋଲି ବୋଧେ ପାଦ ଧୁଆ ତଳେ ଥୁଆ କରନ୍ତି।।ଦିଆକୁ ଦିଆ ଅଦିଆକୁ ପଚାରେ କିଏ।ଆଜି ଦେବା ନେବା ବନ୍ଦ କରିଦେଲେ କାଲି କଣ୍ଟା ପକେଇ ଦେବେ ଘର ଦୁଆର ମୁହଁରେ ମୋ ପାଇଁ,ମୁଁ ଜାଣେ।ତେବେ ବି ବାପାଙ୍କ ତିନି ସନ୍ତାନ ମଧ୍ୟରେ ମୁଁ ବଡ଼ ସହ ଭଲ ଚାକିରି ବି କରିଛି।ଏଣୁ ଭାଇ ଓ ତାଙ୍କ ପିଲା ମାନଙ୍କ ପ୍ରତି ମୋର ଗୋଟେ ଅହେତୁକ ଦୁର୍ବଳତା ଅଛି।


କିଏ ସିନା କ୍ଷୀରରେ ସର ପକାଏ,ଦୀପା ପାଣିରେ ସର ପକାଇ କଥା କୁହେ।ହାରିକି ମାରି ପାରିକି ଆଣିଲା ଵାଲା।ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ପରି ସେ ଯାହା କରେ ଠିକ୍ ବୋଲି ଭାବେ।ଏମିତି ନାକ କାନ୍ଦୁରି ସାକୁଳେଇ ହୋଇ କହିବ ସତେ ଯେମିତି ଧୁଆ ମୁଗ।ବିଚିତ୍ର ଦୀପା।ଗୋଟେ କାଳ ନାଗୁଣୀ ଅମୁ ବେକ ପାଇଁ।ଚଟୁ ଚଲେଇ ଏମିତି କହିବ ସତେକି ଗୋଟା ତୁଳସୀ।କହିବାକୁ ଗଲର ବିଷ କୁମ୍ଭ ପୟୋମୁଖ ପ୍ରକୃତିର ସ୍ତ୍ରୀ ଲୋକ ଟିଏ।କିନ୍ତୁ ମୋତେ ଦେଖିଲେ କଇଁଛ ଭଳିଆ ମୁଣ୍ଡ ଗୁଂଜିଦିଏ।କାହିଁକି ନା ଜୋକ ମୁହଁରେ ମୁଁ ଲୁଣ ଦେଇ ଥାଏ।


ମିନିଟି ମାଛି କୁ ମ ନ କହିବା ମଣିଷ।ରମୁ ସାଙ୍ଗକୁ ରାମ ସୀତା ଯୋଡି ପରି।ବାରମ୍ବାର ଏପରି ଖବର ମୋ କାନରେ ପଡେ।ବ୍ୟାଙ୍କ୍ ଜବ୍ ମୋର।ଏଣୁ ଛୁଟି ପ୍ରାୟତଃ ମୋର ନାହିଁ।ଫୋନ୍ ରେ ଯାହା କଥା ବାର୍ତ୍ତା।ଅମୁର ଛୁଟି ହେଲେ ସେମାନେ ମୋ ପାଖକୁ ଆସନ୍ତି।ଦଶହରା ରଜରେ ରମୁ ଆସେ ତା ପିଲାଙ୍କୁ ଆଣି ଆସେ।ଭାଇ ଦୁହିଁଙ୍କ ପ୍ରତି ମୋର ଅହେତୁକ ମାୟା।କାରଣ ମା ୟୁଟ୍ରସ୍ କ୍ୟାନ୍ସରରେ ମରି ଯାଇଥିଲା ମୋତେ ଯେତେବେଳେ ସତର ବର୍ଷ।ଏମାନଙ୍କର ମୁଁ ମା ପରି।ପାଳି ନାଳି ମଣିଷ କରିଛି।


ବାପା ବି ଜଣେ ସ୍କୁଲ ଶିକ୍ଷକ ଥିଲେ।ଖଣ୍ଡ ମଣ୍ଡଳର ନାଁ କରା ମଙ୍ଗୁଳି ମାଷ୍ଟ୍ରେ।ଭଲ ଖାଦି ଥିଲା ବାପାଙ୍କର।

ଚାଷ ବାସ ସାଙ୍ଗକୁ ଚାକିରି ଥିବାରୁ ବାପା ଭଲ ଘର ଖଣ୍ଡେ କରିଥିଲେ ଓ ସବୁ ପିଲାଙ୍କୁ ଶିକ୍ଷିତ ବି କରିଥିଲେ।ମା ର ମରଣ ଆମ ଘର ପ୍ରତି ଅକାଳ ଚଡକ ସଦୃଶ ହୋଇଥିଲା।ବାପାଙ୍କ ଉପରେ ସତେକି ଆକାଶ ଛିଡି ପଡିଲା।ଚାକିରୀ ସହ ଆମକୁ ସଂସ୍କାର ଓ ସୁଶିକ୍ଷା ଦେବାକୁ ଭୁଲି ନଥିଲେ ବାପା।ହାଡ଼ ଗୋଡ଼ ଚୁନା କରି ଥିଲେ ଆମ ଘର ଓ ଆମ ପାଇଁ।।ସେଇ ବୈକୁଣ୍ଠ ପରି ଘର ଆଜି ଦି ଫାଳ ହେବ।ଗୋଟିଏ ଭାତ ହାଣ୍ଡି ଦିଟା ହେବ।ଜମିରେ ହିଡ ଓ ଘର ମଝିରେ ପାଚିରୀ ଉଠିବ।ଏସବୁ ହେବା,ଦେଖିବା କି ସହିବା ଏତେ ସହଜ ନ ଥିଲା ମୋ ପାଇଁ।


ଇଚ୍ଛା ନଥିଲେ ବି ଭାଇ ଦିଟା ଡାକି ଛନ୍ତି ଯେତେବେଳେ ଛୁଟି ନେଇ ଘରକୁ ଗଲି।ଆଖି ପୁରେଇ ଦେଖିଲି ଟିକେ ପୁରା ଘରଟିକୁ।କାହା ସଂଗେ କଥା ବାର୍ତ୍ତା ହେବା ସ୍ପୃହା ନଥିଲା।ଗୋଟିଏ ଛାତିକୁ ଦି ଗଡ଼ କରିବା କଣ ଏତେ ସହଜ !


ପ୍ରଥମେ ଆଖିରେ ପଡିଲା ବାପା ଓ ମାଙ୍କ ବେଡ୍ ରୁମ୍।କାନ୍ଥରେ ବାପା ମା ଓ ଆମ ପିଲା ଦିନ ଫୋଟୋ ଟଙ୍ଗା ହୋଇ ଥିବା ଜାଗାରେ ଅମୁ ,ଦୀପା ଓ ସେମାନଙ୍କୁ ଦୁଇ ପୁଅଝିଙ୍କ ଫୋଟୋ ଝୁଲୁଥିଲା।ରୋଜଗାରିଆ ବୋଲି ବାପାଙ୍କ ଶୋଇବା ଘରଟି ମାଡି ବସିଛି ଦୀପା ସାନ ବୋହୁ ହେଲେ ବି।ତା ପାଖକୁ ଜେଜେମା ରହୁଥିବା ଘର।ରମୁ ରହୁଛି ସେଥିରେ।ସେପଟ ରୁମ୍ ଟି କୁଣିଆଁ ମୈତ୍ରଙ୍କ ପାଇଁ ଥିଲା।ପିଲାମାନେ ସେମାନଙ୍କର ପଢା ଘର କରିଛନ୍ତି।ତା ପାଖକୁ ଯେଉଁ ରୁମ୍ ଟି ମୋତେ ହାତ ଠାରି ଡାକିଲା ; ସେଇଟି ଥିଲା ବାପାଙ୍କ ସବୁଠାରୁ ପ୍ରିୟ ରୁମ୍।


ପ୍ରାୟତଃ ବନ୍ଦ ଥାଏ ଏ ରୁମ୍ ଟି।ପ୍ରତି ରବିବାର ଦିନ ଆମ ତିନି ଭାଇ ଭଉଣୀ ରୁଣ୍ଡ ହେଉ ଏଠି।ବାପା ଥାକରୁ ଟାଣି ଆଣି ଆମକୁ ଧରେଇ ଦିଅନ୍ତି ବିଭିନ୍ନ ଚିତ୍ର ବିଚିତ୍ର ବହି।ମୁଁ ଶୀଘ୍ର ପୃଷ୍ଠା ଓଲଟାଇ କୁହେ ଆଉ ଦିଅ ବାପା।ବାପା ପୁଣି ଟାଣି ଆଣି ଦିଅନ୍ତି କେଇ ଖଣ୍ଡ ବହି।ଦିନ ତମାମ ଖାଇବା ପିଇବାକୁ ଛାଡି ଆମେ ସେଇ ଘରେ ବିତାଉ।


ଆମେ ଯେତେ ଯେତେ ବଡ଼ ହେଉଥିଲୁ ବହି ଆକାର ଆମ ପାଇଁ ସେତେ ସେତେ ବଡ଼ ହେଉଥିଲା।ଗୋଟିଏ ଥରରେ ବହିଟିଏ ପଢି ହଜମ କରିବା ସାମର୍ଥ୍ୟ ମୋର ଦେଖି ବାପା ଆହୁରି ମୋଟା ମୋଟା ବହି ମୋତେ ଦେଉଥିଲେ।ରମୁ କହୁଥିଲା ନାନୀ ତୁ ଏତେ ଶୀଘ୍ର କେମିତି ପଢି ପୁଣି ମନେ ରଖୁଛୁ?ଅମୁ କୁହେ ନାନୀ ଠକୁଛି।ନ ପଢି ପୃଷ୍ଠା ଓଲଟାଇ ଦେଉଛି।ଅମୁଟି ପିଲାଦିନୁ ସଜକୁଳିଆ,ପରମ ଠକ ।ପାଠ ଚୋର ବି ବହି ପଢ଼ାରେ।କଥାରେ କୁହନ୍ତି ଯେ ପକ୍ଷୀ ଉଡେ ଯେତେ ଦୂର ସେ ଜାଣେ ତହିଁର ବେଭାର।ଯେହେତୁ ସେ ଠକେ ସେହେତୁ ମୋତେ ଠକ କୁହେ।ବାପାଙ୍କ ଅଟଳ ବିଶ୍ୱାସ ମୋ ଉପରେ।


ଅମୁର ସନ୍ଦେହ ଦୂର କରିବାକୁ ବାପା କୁହନ୍ତି ହଁ 'ଲୁସି' ନାନୀ ଠକୁଛି।ତୁ ତାକୁ ତାଠାରୁ ବହି ଆଣି ପଚାରେ,

ଚୋର ଧରା ପଡିଯିବ।ଅମୁ ବାପାଙ୍କ ଚଲାକି ବୁଝି ନ ପାରି ମୋତେ ମୁଁ ପଢି ସାରିଥିବା ବହି ନେଇ କେତେ କଣ ପଚାରେ।ମୋ ଠାରୁ ଠିକ୍ ଠିକ୍ ଉତ୍ତର ପାଇ ଗଲା ପରେ ଅମୁ ଆଖି ଖୋସି ହୋଇଯାଏ।କୁହେ ନାନୀ ତୋ ମୁଣ୍ଡ ନା କଣ ସିଏ?


ଦରମା ପାଇଲା ମାତ୍ରେ ବାପା ଆଗ ଭଲ ଭଲ ବହି କିଣି ଆଣନ୍ତି।ମା ଚିଡ଼େ।ଏତେ ବହି କେଉଁଠି ରଖିବ ଯେ?ଗୋଟିଏ ଘରର ସବୁ ଥାକ ତ ପୁରି ସାରିଲାଣି।


ବାପା କୁହନ୍ତି ତୁ ତ ଅପଗଣ୍ଡ ମୂର୍ଖ ଟା।କେଉଁଠି ବୁଝିବୁ ବହିର ମାହାତ୍ମ୍ୟ।ବହିକୁ ଜୀବନରେ ଯିଏ ବନ୍ଧୁ କରିଛି,ଭଲ ପାଇଛି ସେ ଜାଣେ ଏ ନିଃସ୍ୱାର୍ଥପର ବନ୍ଧୁତାର ମୂଲ୍ୟ।


ବୋଉ ଅଭିମାନରେ କୁହେ ହେଉ ଏବେ ମୁଁ ଗଜ ମୂର୍ଖ।ଜାଗା ନାହିଁ ବୋଲି କହୁଥିଲି ନା ।


ବାପା ରସିକିଆ କରି କୁହନ୍ତି ଆହା କଥାକୁ ନଥା ଥାଏ ବୋଲି କହି ଦେଲି ନା।ମଙ୍ଗୁଳି ମାଷ୍ଟ୍ରଙ୍କ ଅର୍ଦ୍ଧାଙ୍ଗିନୀ ପୁଣି ମୂର୍ଖ!ତୋତେ ପରା ହାଇସ୍କୁଲ ହେଡ ମାଷ୍ଟ୍ର ପୋଷ୍ଟ ଯଚା ହେଉଥିଲା।ମୋ ବାପା ମଙ୍ଗିଲେ ନାହିଁ।କୁଳ ଭୁଆଷୁଣିଟି ବାହାରକୁ ଗୋଡ଼ କାଢ଼ି ଅଣ୍ଡିରାଙ୍କ ସହ କାମ କରିବ କହିଲେ।ନଲେ ତୁ ତ ଆଜି କେଉଁଠି ପହଞ୍ଚନ୍ତୁଣି।


ବୋଉ ନିଜ ପ୍ରଶଂସା ଶୁଣି ଲାଜେଇ ଯାଏ।"ତୁମେ ଗଲ କେଉଁ ଅସିଆ କାଳର ମସିଆ କଥା ମନେ ପକାଉଛ।ମା ବହି କିଣା ହେଲେ ଚିଡ଼େ କିନ୍ତୁ ନିଇତି ପାଟ କନାରେ ପୋଛୁଥିବ ସେ ଘର।ଝାଡୁଥିବ ବହି ଥାକ।କାହାକୁ ପୁରେଇ ଦେବନି ସେ ଘରେ।କାରଣ ବାପାଙ୍କ ଜୀବନରେ ସବୁଠାରୁ ପ୍ରିୟ ଚିଜ ଥିଲା ବହି।ବହି କିଣିବା କିବା ପଢ଼ିବାରେ ବାପା କେବେ ଥକି ପଡନ୍ତି ନାହିଁ।କୁହନ୍ତି ଏ ବହି ଗୁଡିକ ତାଙ୍କ ଜୀବନ।ମା ଲୁସି ମୋ ଅନ୍ତେ ତୁ ଏ ବହିର "ଉତ୍ତରାଧିକାରୀ"ହେବୁ।


ବାପା ଜାଣିଥିଲେ କି କଣ ମା ପାଖକୁ ଶୀଘ୍ର ଯିବେ।ଏଣୁ ତରବର ହୋଇ ଆମ ତିନି ପିଲାଙ୍କର ହାତକୁ ଦି ହାତ କରି ଦେଇଥିଲେ।ମୁଁ ତ ବାହାଘର ପରେ ପଢି ପି ଓ ପାଇଲି।ସବୁ କାମ ତୁଟାଇ ବାପା ଚାକିରିରୁ ଅବସର ନେବା ପୂର୍ବରୁ ଜୀବନରୁ ଅବସର ନେଇ ଗଲେ ମାତ୍ର ପଂଚାଵନ ବର୍ଷରେ ହୃଦ ଘାତ ରେ। 


ମୁଁ ଚାକିରି କଲା ଦିନୁ ଦରମା ପାଇଲା ଦିନ ଖଣ୍ଡେ ଦି ଖଣ୍ଡ ଭଲ ବହି କିଣି ପଠାଏ ବାପାଙ୍କ ପାଠାଗାରକୁ।


ଦୀର୍ଘଶ୍ବାସଟିଏ ଛାତି ପିଞ୍ଜରା ଠେଲି ବାହାରି ଆସିଲା ମୋର।ଆଜି ବାପାଙ୍କ ପାଠାଗାରଟି ବି ଦି ଫାଳ ହୋଇଯିବ?ସବୁ ଥାକରେ ଟିକେ ଟିକେ ହାତ ମାଇଲି।ଅନୁଭବ କରୁଥିଲି ବାପାଙ୍କୁ।ପାଉଥିଲି ମୋ ପିଲା ଦିନକୁ ଏ ଘର,ଥାକ ଭିତରେ।


ଭଦ୍ର ଲୋକୀ ବସିଲେ।ଗୋଟିଏ ନାହିଁ ଦି ଫାଳ ହେଲା।ରକ୍ତରେ ପଡିଲା ବାଡ।ମୋତେ ସରପଞ୍ଚ ବୈକୁଣ୍ଠ ବାବୁ ପଚାରିଲେ "ଲୁସି ! ଘରର ବଡ଼ ଝିଅ ତୁ ।କହ ତୁ କଣ ନେବୁ।ତୋ ଭାଗ ସମ୍ପତ୍ତି ବିକ୍ରି କରିବୁ ନା କେଉଁ ଭାଇ ଦେଖା ଶୁଣା କରିବାକୁ ଛାଡ଼ିବୁ?"


ମୁଁ ଜଡ ଭରତ ପରି ବସିଥିଲି।ମୋତେ ହଲେଇ ଦେଇ ବନା କକା କହିଲେ କଣ ଏତେ ଭାବୁଛୁ?ଯେତେ ଭାଇ ସେତେ ଘର।ସବୁଦିନ କଂସାରୀ ଘର ପାରା ପରି ହେବା ଅପେକ୍ଷା ଭିନ୍ନ ହୋଇଯିବା ଭଲ।କହ ତୋ ଭାଗ କଣ କରିବୁ?ଘରେ ଥିବା ଜିନିଷ ପତ୍ରରୁ ତୋର କେଉଁଟି ନେବାକୁ ଇଚ୍ଛା।


ମୁଁ ପାଟି ଖୋଲିଲି।ଦେଖନ୍ତୁ ମୋତେ ରମୁ ,ଅମୁ ଡାକିଥିଲେ ବୋଲି ମୁଁ ଆସିଥିଲି।ଏହା ଅର୍ଥ ନୁହେଁ ମୁଁ ଭାଗ ନେବାକୁ ଆସିଛି।ବାପା ମାଙ୍କ ଆଶୀର୍ବାଦ ତଥା ଈଶ୍ୱରଙ୍କ କୃପାରୁ ମୋର କୌଣସି ଅଭାବ ନାହିଁ।ତେବେ ମୋର ଯେ ଲୋଭ ନାହିଁ ସେ କଥା ନୁହେଁ।ଏ ଘରର ପ୍ରତ୍ୟେକ ଦ୍ରବ୍ୟ,ଓ ମଣିଷଙ୍କ ପ୍ରତି ମୋର ବହୁତି ଲୋଭ ଅଛି।କିନ୍ତୁ ଗୋଟିଏ ଦ୍ରବ୍ୟ ପ୍ରତି ମାତ୍ରାଧିକ ଆସକ୍ତି ଓ ଲୋଭ ମୋର।


ଭାଇ ମାନେ ନିଜ ନିଜ ମୁହଁ ଚାହାଁ ଚାହିଁ ହେଲେ।ଭାଉଜ ଦୁଇ ଜଣ ପ୍ରମାଦ ଗଣିଲେ।କାଳେ ପୋଖରୀ ଉପର ତିନି ଏକର ମାଗିବି କି?ନଡ଼ିଆ ବାଡ଼ି ଟା ନେବାକୁ କହିବି କି?କିବା ରାସ୍ତା କଡ଼କୁ ଲାଗିଥିଲା ପନ୍ଦର ଗୁଣ୍ଠ ଚାହିଁବି।ନା ବଡ଼ ମାଛ ପୋଖରୀ ସହ ଲୁଣି କିଆରୀଟି ମାଗିବି?


କେହି କହୁଥିବାର ଶୁଭିଲା - ମଙ୍ଗୁଳି ମାଷ୍ଟ୍ରଙ୍କ ବଡ଼ ଝିଅଟି ଏ।ଭାକୁର ମାଛର ମଝି ଘର ନେବ ଦେଖିବ।ଆଉ କିଏ କହୁଥିଲା ବାପାର ବଡ଼ ଝିଅ ହକ୍ ଅଛି ତାର।ନ ନେଇ ଏ ମାଇଚିଆ ମାଗୁଣି ସାହୁ ଭାଇ ମାନଙ୍କୁ ଖାଇବାକୁ ଛାଡି ଦେବ କାହିଁକି?


ସରପଞ୍ଚ କହିଲେ ହେଉ କହ କଣ ନେବୁ?


ସମସ୍ତଙ୍କ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଁ " କହିଲି ବାପାଙ୍କ ପାଠାଗାର ର ସମସ୍ତ ବହି ମୋ ଭାଗରେ ଦିଆ ଯାଉ।"


ସମସ୍ତେ ଆଚମ୍ବିତ ହୋଇ ଏକ ସ୍ୱରରେ କହିଲେ

"ବହି"!!!


Rate this content
Log in