ବେହଲୁଲ୍ ଦାନା
ବେହଲୁଲ୍ ଦାନା
ବହୁତ ଦିନ ତଳର କଥା ବାଗଦାଦରେ ' ହାରୁନ୍ ରଶିଦ୍ 'ନାମକ ଜଣେ ରାଜା ଥିଲେ । ପ୍ରଜାମାନଙ୍କ ମଧ୍ୟରେ ସେ ଖଲିଫା ହାରୁନ୍ ରଶିଦ୍ ନାମରେ ପ୍ରସିଦ୍ଧ ଥିଲେ । ତାଙ୍କର ଜଣେ ରାଣୀଙ୍କ ନାମଥିଲା ଯୁବେଦା ।ରାଣୀ ଯୁବେଦା ଜଣେ ଧର୍ମପ୍ରାଣା ମହିଳା ଥିଲେ ।ସେଇ ରାଇଜରେ ବେହଲୁଲ୍ ଦାନା ନାମକ ଜଣେ ଫକିର ରହୁଥିଲେ ।ଫକିର ଇଶ୍ବରଙ୍କ ଭକ୍ତିରେ ସବୁବେଳେ ନିମଜ୍ଜିତ ରହି ବସ୍ତୁବାଦୀ ଦୁନିଆରୁ ଦୂରେଇ ରହୁଥିଲେ ।ତେଣୁ ସାଧାରଣ ପ୍ରଜା ଏହି ଫକିର ସନ୍ୟାସୀଙ୍କୁ ସମ୍ମାନ ଦେଉଥିଲେ ମଧ୍ୟ ତାଙ୍କୁ ପାଗଳ ବୋଲି ଭାବୁଥିଲେ ।ଥରେ ସନ୍ଥ ବେହଲୁଲ୍ ନଦୀ ତୀରରେ ବାଲି ସଂଗ୍ରହ କରି ବାଲିରେ କିଛି ଗଢୁଥିଲେ ଓ ଭାଙ୍ଗ ି ଦେଉଥିଲେ । ।ଏଦୃଶ୍ୟ ହାରୁନ ରଶିଦଙ୍କ ରାଣୀ ଯୁବେଦା ରାଜଉଆସରେ ଥାଇ ଦେଖୁଥିଲେ । ସେ ଦାସୀମାନଙ୍କ ସହ ଆସି ବେହଲୁଲଙ୍କୁ କ'ଣ କରୁଛନ୍ତି ବୋଲି ପଚାରିବାରୁ ଫକିର ବେହଲୁଲ୍ କହିଲେ ବାଲିରେ ସ୍ବର୍ଗର ମହଲସବୁ ଗଢୁଛି। ଯୁବେଦା ଫକିରଙ୍କୁ କିଛି ଦାନ କରିବାକୁ ଚାହୁଁଥିଲେ ।ସେ ଫକିରଙ୍କୁ କହିଲେ ଏଇ ମହଲସବୁ ମୋତେ ବିକିବେ ? ଫକିର କହିଲେ -ହଁ , ମୁଁ ଏହିସବୁ ମହଲ ଗଢୁଛି ଓ ବିକୁଛି ମଧ୍ୟ । ଏହାର ମୂଲ୍ୟ କେତେ ବୋଲି ରାଣୀ ପଚାରିବାରୁ ଫକିର ତିନି ଦିରହମ୍(ବାଗଦାଦ୍ ମୁଦ୍ରା)କହିଲେ ।ରାଣୀଙ୍କ ଦାସୀମାନେ ଫକିରଙ୍କୁ ମୁଦ୍ରା ଦେଲେ ।ଫକିର ରାଣୀଙ୍କ ପାଇଁ ଇଶ୍ବରଙ୍କ ଠାରେ ବହୁତ ଶୂଭ ମନାସିଲେ ।ପରେ ଫକିର ଏହି ମୁଦ୍ରାସବୁ ଦୁଖୀ ଦରିଦ୍ରଙ୍କୁ ବାଣ୍ଟି ଦେଲେ ।
ରାଣୀ ସନ୍ଥଙ୍କ ଠାରୁ ସ୍ବର୍ଗ କିଣା କଥା ଖଲିଫାଙ୍କୁ କହିବାରୁ ଖଲିଫା ହାରୁନ ରଶିଦ୍ ଏହି କଥାକୁ ଥଟ୍ଟାଭାବି ହସିଲେ ।ଖଲିଫା ସେଦିନ ରାତିରେ ସ୍ବପ୍ନରେ ସ୍ବର୍ଗର ଅନେକ ମହଲ ଦେଖିଲେ।ସେଗୁଡିକ ମଧ୍ୟରେ ୟାକୁତ୍ ରତ୍ନରେ ଗଢା ଏକ ମହଲରେ ଖଲିଫାଙ୍କ ନଜର ପଡିଲା । ସେଥିରେ ରାଣୀ ଯୁବେଦାଙ୍କ ନାମ ଲେଖା ହୋଇଥିଲା ।ଖଲିଫା ଉକ୍ତ ମହଲରେ ପ୍ରବେଶ କରିବା ପାଇଁ ଚେଷ୍ଟା କରନ୍ତେ ସେଠାରେ ଥିବା ଜଗୁଆଳୀ ତାଙ୍କୁ ସେଥିପାଇଁ ଅନୁମତି ଦେଲେ ନାହିଁ ।ସେମାନେ ଖଲିଫାଙ୍କୁ କହିଲେ କେବଳ ନାମଲେଖା ଥିବା ବ୍ୟକ୍ତିଙ୍କୁ ହିଁ ପ୍ରବେଶ ଅନୁମତି ମିଳିବ ।ଏଇ ସମୟରେ ଖଲିଫାଙ୍କ ନିଦ ଭାଙ୍ଗିଗଲା ।ସେ ବିଚଳିତ ହୋଇ ପଡିଲେ ।ଖଲିଫା ଭାବିଲେ ଇଶ୍ବର ,ରାଣୀ ଯୁବେଦାଙ୍କ ପ୍ରତି ବେହଲୁଲଙ୍କ ଡାକ ଶୁଣିଛନ୍ତି ।ଖଲିଫା ଆରଦିନ ବେହଲୁଲ ଦାନାଙ୍କୁ ନଦୀତୀରରେ ସେମିତି ସ୍ବର୍ଗର ମହଲ ଗଢୁଥିବା ଦେଖି ତା'ର ମୂଲ୍ୟ ପଚାରି ବସିଲେ । ଫକିର -କହିଲେ 'ତୋର ସମଗ୍ର ରାଜ୍ୟ ହେଉଛି ଏହାର ମୂଲ୍ୟ '।ଖଲିଫା ଏପରି ମୂଲ୍ୟ ଶୁଣି ଆଶ୍ଚର୍ଯ୍ୟ ଫକିରଙ୍କ ପାଖରେ ଆଣ୍ଠୁ ମାଡି ବସି କହିଲେ ,ଗତକାଲି ପର୍ଯ୍ୟନ୍ତ ଏହାର ମୂଲ୍ୟ ତିନି ଦିରହମ୍ ଥିଲା ।ଆଜି ଏତେ ମୂଲ୍ୟ କ'ଣ ପାଇଁ ହେଲା ହଜୁର ।ଫକିର କହିଲେ- ' କାଲି ପର୍ଯ୍ୟନ୍ତ ତୁ ଏହାର ପ୍ରକୃତ ମୂଲ୍ୟ ଜାଣି ନଥିଲୁ ।ଆଜି ତୁ ମୂଲ୍ୟ ଜାଣିବା ପରେ ଏଠିକୁ ଆସିଛୁ' ।ଫକିରଙ୍କ ଏପରି ବାଣୀରେ ଖଲିଫା ବାକଶୁନ୍ୟ ହୋଇଗଲେ ଓ ସମଗ୍ର ରାଜ୍ୟ ଦେବାକୁ ରାଜି ହୋଇଗଲେ । ଫକିର କହିଲେ - ଆମ୍ଭଭଳି ବୈରାଗୀ ଫକିରଙ୍କ ପାଇଁ ଏ ରାଜ୍ୟର ମୂଲ୍ୟ କିଛି ନୁହେଁରେ ।ତୁ ସେଇ ତିନି ଦିରହମ୍ ଦେଇ ଏହାକୁ ନେଇଯା ।
ଏହି କାହାଣୀଟି କହିସାରି ଶିକ୍ଷକ କହିଲେ ପିଲେ ତୁମ୍ଭେମାନେ ଇଶ୍ବରଙ୍କ କୃପା ଓ ଗୁରୁଜନଙ୍କ ଆଶିର୍ବାଦରୁ ଆଜି ପର୍ଯ୍ୟନ୍ତ ଭଲରେ ରହିଛ । ସେଥିପାଇଁ ଇଶ୍ବରଙ୍କୁ ଧନ୍ୟବାଦ ଜଣାଅ ଓ ଗୁରୁଜନଙ୍କୁ ଉପଯୁକ୍ତ ସମ୍ମାନ ଦିଅ ।ସେମାନଙ୍କ ପ୍ରକୃତ ମୂଲ୍ୟକୁ ଜାଣିବାରେ ଡେରି କରିଦେଲେ ତୁମ୍ଭେମାନେ ସାରା ଜୀବନ ପସ୍ତେଇବା ଛଡା ଆଉ କିଛି ପାଇବ ନାହିଁ ।
