ABADHOOT PANDA

Others

3.9  

ABADHOOT PANDA

Others

ବାଉଁଶ ପୋଖରୀ ପ୍ରେତିନୀ

ବାଉଁଶ ପୋଖରୀ ପ୍ରେତିନୀ

5 mins
417


ଆମ ଗାଆଁ ପାଖ ଏକ ପୋଖରୀ l ତା ନାଆଁ ବାଉଁଶପୋଖରୀ l ଆମ ଗାଆଁ ଠାରୁ ଦୁଇ କିଲୋମିଟର ବାଟ l ତା ପାଖରେ ମଣିନାଗେଶ୍ୱର ମନ୍ଦିର l ଭୂତ ପ୍ରେତ ପିଶାଚମାନଙ୍କ ଆଡ୍ଡା ସ୍ଥଳ l ଦିନେ ମୁଁ ସନ୍ଧ୍ୟା ବେଳେ ସେଇ ପୋଖରୀକୁ ଗାଧୋଇବାକୁ ଯାଇଥିଲି l କାହିଁକିନା ଜ୍ୟେଷ୍ଠ ମାସ ଖରାଦିନିଆ ମାଳଭୂମି ଚାରିବାଟିଆରେ ଭୀଷଣ ଉତ୍ତାପ ଅନୁଭୂତ ହୋଇଥାଏ l ଗାଧୋଉ ଗାଧୋଉ ସନ୍ଧ୍ୟା ହେଇଗଲା l ଗାମୁଛା ପକେଇ କିଛି କିଛି ଚୁନା ମାଛ ଧରି କୁଳ ଉପରେ ରଖି ପୁଣି ପାଣିରେ ବୁଡ଼ି ପୁଣି ଧରି ପୁଣି ରଖି ଏମିତି ପ୍ରାୟ କିଲେ ମାଛ ଗାମୁଛା ଉପରେ ପୋଖରୀ ତୁଠରେ ଠୁଳ କଲି l ଚାହୁଁ ଚାହୁଁ ସନ୍ଧ୍ୟା ହେଇଆସିଲା l ବେକେ ପାଣିରେ ଠିଆ ହେଇ ଗରମ ଦାଉରୁ ନିଜକୁ ରକ୍ଷା କରୁ କରୁ ରାତି ହେଇଗଲା l ସେଦିନ ଜ୍ୟେଷ୍ଠ ଅମାବାସ୍ୟା ତିଥି l ଆକାଶରେ କେବଳ ତାରାମାନଙ୍କ ରାଜୁତି l ମୁଁ ତୁଠ ଉପରକୁ ଉଠି ଆସିଲି l ଆଉ ଗୋଟାଏ ତଉଲିଆରେ ଦେହ ମୁଣ୍ଡ ପୋଛି ପକେଇଲି l ମାଛ ଗଦାକୁ ଖୋଜିବାକୁ ଲାଗିଲି l କିନ୍ତୁ ହାଏରେ କପାଳ ମାଛ ଗଦା ମିଳିଲାନି l ପୁରାପୁରି ଉଭାନ l ମୁଁ ଆଶ୍ଚର୍ଯ୍ୟ ହେଇ କାଳି ଅନ୍ଧାରି ଜହ୍ନ ଆଲୁଅରେ ଚାରିଆଡ଼କୁ ଆଖି ବୁଲେଇଲି l କାନ ମୁଣ୍ଡା ଆଉଁସି ଆଉଁସି ପୋଖରୀ କୂଳ ତୋଟା ପାଖ ତୋଟା ଭିତର ଦେଇ ଆସୁଥାଏ l ହଠାତ ମୋ ନଜର ଗୋଟାଏ ବରଗଛ ମୂଳେ ପଡ଼ିଲା l ଦେଖିଲି ଗାମୁଛାରେ ଗୁଡ଼ା ହୋଇଥିବା ମାଛ ପୁଟୁଳି ତଳେ ପଡ଼ିଛି l ଆଉ ଗୋଟାଏ କଳା ଛାଇ ଗଛ ମୂଳେ ଗଛ ଗଣ୍ଡିକୁ ଡେରି ହେଇ ଠିଆ ହେଇଛି l ମୋତେ ଟିକେ ବି ଡର ଲାଗିନାନି କାରଣ ମନେ ମନେ ମହାପ୍ରଭୁ ମଣିନାଗେଶ୍ଵରଙ୍କୁ ଡାକୁଥାଏ l ଇଆଡ଼େ ମାଛ ଖାଇବା ଲାଳସା l ପଛରେ ଯୋଗାଡ଼ କରିଥିବା ଚୁନା ମାଛ ଗାମୁଛା ପୁଡ଼ିଆଟି ହାତରେ ଧରି ମୁଁ ଆଗେଇ ଗଲି l ପଛରେ କୌଣସି ଜଣେ ସ୍ତ୍ରୀ ଲୋକର ସ୍ୱର ଶୁଭିଲା l ଅଶରୀରୀ ଦେଖି ଆଗେଇ ଚାଲିଲେ ପଛକୁ ଚାହିଁବା ଉଚିତ ନୁହେଁ l କାରଣ ଜୀବନ ପ୍ରତି ବିପଦ ଥାଏ ବୋଲି ପ୍ରବାଦ ଅଛି l ତେଣୁ ମୁଁ କିଛି ସମୟ ଠିଆ ହେଇ ଶୁଣିଲି l କିଏ ଯେମିତି ମୋ କାନ ପାଖରେ କହୁଥାଏ - ହେ ପୁଅ ମୁଁ ମଲା ପୂର୍ବରୁ ଚୁନା ମାଛ ଭଜା ଖାଇବାକୁ ଆଶା କରିଥିଲି l ମାତ୍ର ଆମ ଘରେ ମତେ କେହି ଖୁଆଇ ପାରିଲେନି l ମୋର ଇଷ୍ଟ ମଣିନାଗେଶ୍ଵରଙ୍କୁ ଡାକି ଆଖି ବୁଜିଦେଲି l ତୋ ଚୁନା ମାଛ ଦେଖି ମୋର ଭାରି ଖାଇବାକୁ ଇଚ୍ଛା ହେଲା l ତୁ ମୋ ଆଶା ପୂରଣ କର l ମହାପ୍ରଭୁ ତୋର ମଙ୍ଗଳ କରିବେ l " ମୁଁ ଜବାବ ଦେଲି " ହଁ " l


ମନରେ ପ୍ରେତାତ୍ମାକୁ ଶାନ୍ତ କରିବା ପାଇଁ ଆଣ୍ଟ ବାନ୍ଧି ଘରକୁ ଫେରିଲି l ମନେ ମନେ ଭାବିଲି - ଅତୃପ୍ତ ପ୍ରେତାତ୍ମା ମାନେ କୌଣସି ଏକ ମଣିଷର ଅତୃପ୍ତ ଆତ୍ମା ଯାହାର ଲିଙ୍ଗ ଭେଦ ନଥାଏ l ସେମାନଙ୍କ ମଧ୍ୟରୁ ଆମର ପୂର୍ବ ପୁରୁଷ ବି ଥାଇ ପାରନ୍ତି l ତେଣୁ ଅତିଶୀଘ୍ର ବାଉଁଶ ପୋଖରୀ ପ୍ରେତାତ୍ମାକୁ ଶାନ୍ତ କରିବାକୁ ପଡ଼ିବ ଆଜି ରାତି ସୁଦ୍ଧା- ଯାହାବି ହେଉ ଦୁଇଟି ମାଛ ଆମ ଫାଟକ ବାହାରକୁ ଫିଙ୍ଗି ଦେଇ ଘରେ ପଶିଲି l ବୋଉଙ୍କୁ ସବୁ କଥା କହି ତାଙ୍କ ହାତରେ ମାଛଗାମୁଛା ପୁଟୁଳିଟି ଧରେଇ ଶୀଘ୍ର ଭାଜି ବାକୁ କହିଲି l ମାଛ ଭଜା ସରୁ ସରୁ ରାତି ଆଠଟା ବାଜିଗଲା l ମୁଁ ସବୁ ଭଜା ଗୋଟାଏ ପିତଳ କଂସାରେ ପୁରାଇ ତାକୁ କଦଳୀ ପତ୍ରରେ ଢାଙ୍କି ବାଉଁଶ ପୋଖରୀ ତୋଟା ଆଡ଼କୁ ଆଗେଇ ଚାଲିଲି l ହାତରେ ଟର୍ଚ୍ଚ ଆଉ ପାଣି ବୋତଲ ଥାଏ l ଅମାବାସ୍ୟା ରାତି l ଚାରିଆଡ଼େ ଅନ୍ଧାର l ଟର୍ଚ୍ଚ ମାରି ମାରି ତଳ ଉପର ଚାରିକଡ଼କୁ ଦେଖି ବାଟ ଚାଲୁଥାଏ l କାରଣ ସେଠି ବହୁତ ବିଷାକ୍ତ ସାପ ରହୁଥାନ୍ତି l ବିଲୁଆ ତୋଟା ଭିତରେ ଭୁକୁ ଥାଏ l ବିଲୁଆ ପଛେ ପଛେ ଗାଆଁର ବୁଲା କୁକୁରଗୁଡ଼ାକ ବି ଭୁକି ଭୁକି ଗୋଡ଼ାଉ ଥାନ୍ତି l ମୁଁ ଯାଇଁ ବର ଗଛ ପାଖରେ ପହଞ୍ଚି ଗଲି l ଗଛ ମୂଳେ କଦଳୀ ପତ୍ର ବିଛେଇ ତା ଉପରେ ମାଛ ଭଜା କୁଢ଼େଇ ଦେଲି l ପତ୍ର ପାଖରେ ପାଣି ବୋତଲ ଠିପି ଖୋଲି ରଖି ଗଛ ଉପରକୁ ଟର୍ଚ୍ଚ ମାରିଲି l କାରଣ ଗଛ ଉପରୁ ଚୁଡ଼ିର ଝଣ ଝଣ ଶବ୍ଦ ଶୁଭିଲା l ଯାହା ଦେଖିଲି ମୋ ଆଖି ଖୋସି ହେଇଗଲା l ଦେହ ଶୀତେଇ ଉଠି ଦେହରୁ ଗମ ଗମ ଝାଳ ବୋହିବାକୁ ଲାଗିଲା l ଦେଖିଲି ବର ଗଛର ଶାଖା ଉପରେ ଜଣେ ସ୍ତ୍ରୀ ଲୋକ ବର ଓହଳକୁ ଧରି କଳା ଶାଢ଼ୀ ପିନ୍ଧି ବସିଛି l ଲମ୍ବା ଲମ୍ବା କଳା ମୁଚୁ ମୁଚୁ ମୁକୁଳା ବାଳରେ ମୁହଁ ଢାଙ୍କି ହେଇ ଯାଇଛି l ତଳକୁ ମୁହଁ କରିଛି l ମହାଦେବଙ୍କୁ ସ୍ମରଣ କରି ତାକୁ କହିଲି," ହେ ଅଶରୀରୀ ମା ତୁମେ ତଳକୁ ଆସି ମାଛ ଭଜା ଖାଇ ପାଣି ପିଇ ସନ୍ତୁଷ୍ଟ ହୁଅ l ତୁମ ପାଇଁ ଅତି ସରାଗରେ ମୋ ବୋଉ ହାତ ରନ୍ଧା ମାଛ ଆଣିଛି l ଜଲଦି ଖାଇଦିଅ l ନହେଲେ ବିଲୁଆ ହେଟା ଆସି ଖାଇଦେବେ l " ଏତିକି କହି ମୁଁ ଘର ମୁହାଁ ହେଲି l


ଘରକୁ ଫେରିଲା ବେଳେ ପଛରୁ ନାରୀ କଣ୍ଠ ସ୍ୱର ଶୁଭିଲା ---ପୁଅ ତତେ କଲ୍ୟାଣ କରୁଛି l ଯାହା ବି ହଉ ମୋ ଆଶା ପୂରଣ କଲୁ l ମୁଁ ଆଜି ପ୍ରେତ ଯୋନିରୁ ମୁକ୍ତ l ଓଃ...ଓଃ...ଓଃ...ଓଃ...... ଓଃ.... ଓଃହୋ.... ଶାନ୍ତି ---- ମୁଁ ପଛକୁ ନଚାହିଁ ସିଧା ଆସି ମନ୍ଦିର ବେଢ଼ା ପାଖରେ ପହଁଞ୍ଚିଲି l ତା ଭିତରେ ମନ୍ଦିର ନନାଙ୍କ ଚାଳ ଘର ପିଣ୍ଢାରେ ଲଣ୍ଠନ ମିଞ୍ଜି ମିଞ୍ଜି ଜଳୁଥାଏ l ରାତି ଦଶଟା l ତେଣୁ ଆଉ ନନାଙ୍କ ଘରକୁ ଯିବାକୁ ମନ ବଳିଲାନି l ମନ୍ଦିର ଫାଟକ ବାହାରେ ମୁଣ୍ଡିଆଟିଏ ମାରି ଘରକୁ ଫେରି ଆସିଲି l ବଡ଼ ଚାବି ଦିଆ କାନ୍ଥ ଘଣ୍ଟାକୁ ଚାହିଁ ଦେଖିଲି ରାତି ଏଗାରଟା l ଘରେ ସମସ୍ତେ ଶୋଇ ପଡ଼ିଥିଲେ l ମୁଁ ରୁଟି ଡାଲି ଖାଇ ଖାଲି ସପ ଉପରେ ଶୋଇଗଲି l କିନ୍ତୁ ମନ ଭିତରେ ପ୍ରେତାତ୍ମାର ଛବି ଥାଏ l ମନରେ ମଧ୍ୟ କୌତୁହଳ ଥାଏ କଣ ହେଲା ସକାଳେ ଯାଇ ଦେଖିବା ପାଇଁ l ଏମିତି ଭାବୁ ଭାବୁ ରାତି ପାହିଗଲା l ମୁଁ ସିଧା ସପରୁ ଉଠି ଶାଳୁଆ ଦାନ୍ତକାଠି ଧରି ଧୋତି ପିନ୍ଧି ଗାମୁଛା କାନ୍ଧରେ ପକେଇ ପୋଖରୀ ଆଡ଼କୁ ଚାଲିଲି l ପୋଖରୀ ବାଟ ପାଖ ବରଗଛ ମୂଳକୁ ଗଲି ଆଉ ଦେଖିଲି କାଚ ବୋତଲଟା ଖାଲି ପଡିଛି ସେଥିରେ ବୁନ୍ଦାଏ ବି ପାଣି ନାହିଁ l କଦଳୀପତ୍ରଟି ମଧ୍ୟ ପୁରା ସଫା l ତା ଉପରେ ଗୋଟାଏ ହେଲେ ବି ମାଛ କଣ୍ଟା ନାହିଁ l ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା l ଭାବିଲି ଆମ ଗୁରୁଜନଙ୍କ ବଚନ ସମ୍ପୂର୍ଣ୍ଣ ସତ l ମୁଁ ପିଲାବେଳୁ ଦେଖିଛି ଆମ ବାପା ଜେଜେ ମାମୁଁ ଅଜା ସମସ୍ତେ ବାହାରେ ତିଆରି ଯେ କୌଣସି ଖାଦ୍ୟ ଦ୍ରବ୍ୟ ଆଣିଲେ ସର୍ବ ପ୍ରଥମେ ତାହାର କିଛି ଅଳ୍ପ ଅଂଶ ଘର ଅଗଣା ବାହାରେ ଫୋପାଡ଼ି ଦିଅନ୍ତି l ବିଶେଷ କରି ରାତିରେ ଆଦୌ ଆମିଷ ଖାଦ୍ୟ ଘରକୁ ଆଣନ୍ତି ନାହିଁ l କାରଣ ନକାରାତ୍ମକ ପ୍ରଭାବଯୁକ୍ତ ଅତୃପ୍ତ ପ୍ରେତାତ୍ମାଗୁଡ଼ିକର କୁଦୃଷ୍ଟି ସେହି ଖାଦ୍ୟ ସାମଗ୍ରୀ ଉପରେ ପଡ଼ିଥାଏ ଯେହେତୁ ସେମାନଙ୍କ ଅତ୍ୟଧିକ ଆସକ୍ତି, ଘରକୁ ଆମିଷ ଖାଦ୍ୟ ବହନ କରି ଆଣୁଥିବା ଗୃହସ୍ଥ ବ୍ୟକ୍ତିଙ୍କ ପଛେ ପଛେ ଟାଣି ଆଣିଥାଏ l ସେହି ପ୍ରେତାତ୍ମାଗୁଡିକୁ କଞ୍ଚା ଆମିଷ କିମ୍ବା ରନ୍ଧା ଆମିଷ ଜଳ ସହିତ ଘର ବାହାରେ ଅର୍ପଣ କରିଦେଲେ ସେମାନେ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆଉ ଘର ଭିତରେ ରହି ନପାରି ବାହାରକୁ ପଳାନ୍ତି l ପରିବାର ବର୍ଗ ଅତୃପ୍ତ ଆତ୍ମାଗୁଡ଼ିକର ଅନିଷ୍ଟ କାରୀ ନକାରାତ୍ମକ ପ୍ରଭାବରୁ ମୁକ୍ତି ପାଇଥାନ୍ତି l ବାଉଁଶପୋଖରୀ ପ୍ରେତିନୀ ମୋତେ ଉକ୍ତ ବଚନର ପ୍ରତ୍ୟକ୍ଷ ଅନୁଭୂତି ଓ ଯଥାର୍ଥତା ପ୍ରଦାନ କରି ପାରିଲା l ମୋର ଭାବନା ସମାପ୍ତ ହେଲା ପରେ ମୁଁ ପ୍ରାତଃ ନିତ୍ୟ କର୍ମ ଶେଷ କରି ଘର ବାହୁଡା଼ ହେଲି l



Rate this content
Log in