Pallabi Das

Others

5.0  

Pallabi Das

Others

ବାପାଙ୍କ ସ୍କୁଟର

ବାପାଙ୍କ ସ୍କୁଟର

3 mins
689


  ମେଟ୍ରୋ ସହରର ଟ୍ରାଫିକ ଭିତରେ ପୁଣି ଗୋଟେ "Bajaj Chetak" ଦେଖିଲି, ତାକୁ ଦେଖି ପୁଣି ମନେ ପଡ଼ିଗଲା ମାଆ କଥା | ସକାଳୁ ମାଆ ର ଫୋନ୍ ଆସିଥିଲା, ଆଉ ସେ ମୋ ବାପାଙ୍କ ସ୍କୁଟର ଉପରେ ଭୀଷଣ ଅଭିମାନ କରିଥିଲା |

ଝିଅମାନେ ଯେତେ ବଡ ହୋଇଗଲେ ସୁଦ୍ଧା ତାଙ୍କ ବାପାଙ୍କ ସାଥିରେ ଜଡ଼ିତ ଥିବା ସବୁ ଜିନିଷ ତାଙ୍କ ଲମ୍ବା ଚଉଡ଼ା ପସନ୍ଦ ତାଲିକାର ଆଗ ଧାଡ଼ିରେ ରୁହେ | କିଏ ଯଦି କିଛି ଖରାପ କହିଦେଲା ବାପାଙ୍କ ଜିନିଷକୁ ତେବେ ସେମାନେ ଯୁଦ୍ଧ କରିବାକୁ ପ୍ରସ୍ତୁତ ରୁହନ୍ତି | ମୁଁ ବା ବାଦ ଯାନ୍ତି କେମିତି ? 

 ମତେ ଭୀଷଣ ରାଗ ଚିଡ଼ୁଥିଲା, ମାଆ ବାପାଙ୍କ ଗାଡ଼ିକୁ ଗାଳିଦେଇ ଚାଲିଥିଲା ଆଉ ବହୁତ୍ ଖରାପ ବି ଲାଗୁଥିଲା 

 କାରଣ ମାଆର ଖଣ୍ଡିଆ ହୋଇଯାଇଥିଲା |    

ବାପାଙ୍କ ଠାରୁ ବୁଝି ଜାଣିଲି ଯେ ଅଣ ଓସାରିଆ ରାସ୍ତାରେ ଗାଡ଼ିଟି ସ୍ଲିପ୍ ହୋଇଯାଇଥିଲା ଆଉ ମାଆ ମୋର ପଡ଼ି ଗୋଡ ହାତ ଖଣ୍ଡିଆ କରିଥିଲା | ଭାଗ୍ୟକୁ ବେଶି କିଛ଼ି ହୋଇ ନଥିଲା ସେଇ ଗାଡିରେ ପୁଣି ସେମାନେ ଭଲରେ ଫେରିଥିଲେ | 

ମୋ ଜୀବନରେ ବାପାଙ୍କ ସ୍କୁଟର ମୋ ପସନ୍ଦ ତାଲିକାର ଆଗରେ ରହିଛି | ରହିବନି କେମିତି ଯେ , ସେଥିରେ ତ ଆମେ କେତେ ଖୁସି ସାଉଁଟିଛୁ | କେବେ ଅନ୍ଧାର ରାତିରେ ଯହ୍ନ ଆଲୁଅରେ ଯହ୍ନ ସାଥିରେ ପ୍ରତିଯୋଗିତା କରି ଅଜା ଘର ଗାଁ ରେ ପହଞ୍ଚିଛୁ ତ କେବେ ନିଜ ଗାଁ ରେ | ମାଆ ପଛରେ ବସି କହିବେ -" ପିଲେ , ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି କରି ଚାଲ , ଆମେ ଜଲଦି ପହଁଚି ଯିବା |

ସାନ ଭାଇ ସେତେବେଳେ ଛୋଟିଆଟେ ଥିଲା ସେଥିପାଇଁ ବାପାଙ୍କ ସ୍କୁଟରର ଆଗରେ ଠିଆ ହୁଏ , ଆଉ ଗୋଡ କାଟିଲେ ତା ପାଇଁ ଲଗା ଯାଇଥିବା ଛୋଟିଆ ସିଟରେ ବସି ଯାଏ | ସନ୍ଧ୍ୟା ହବା ମାତ୍ରେ ଆମ ଦୁହିଁଙ୍କର ଢୋଳେଇବା ଆରମ୍ଭ ହୋଇଯାଏ | କାଳେ ଶୋଇ ପଡ଼ିବୁ ବୋଲି ମାଆ ଆମକୁ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରେଇ କରେଇ ନିଅନ୍ତି ଆଉ ଆମ ସାଥିରେ ନିଜେ ବି ଉଚ୍ଚାରଣ କରନ୍ତି |

 ବହୁତ୍ ଥର ଭାଇ କହି କହି ଥକି ଗଲାଣି, ଗାଡ଼ିଟିକୁ ବଦଳେଇ କିଛି ନୁଆ ଗାଡି ଆଣିବାକୁ , କିନ୍ତୁ ସବୁଥର ସେ ବାପାଙ୍କ ଜିଦ୍ ଆଗରେ ହାର୍ ମାନି ଯାଏ | ବାପାଙ୍କ ପାଇଁ ସେ ଗାଡି ଖାଲି ଗୋଟେ ଗାଡି ନଥିଲା ସେ ଥିଲା ତାଙ୍କ ବିଶ୍ବାସ | ବାପା କୁହନ୍ତି "ଛବିଶ ବର୍ଷ ହୋଇଗଲା ମତେ ମୋ ଗାଡି କେବେ ଧୋକା ଦେଇନି , ଯେତେ ବି ଦୁର୍ଗମ ରାସ୍ତା ହଉ ପଛେ ଅତିକ୍ରମ କରି ମତେ ମୋ ନିର୍ଦ୍ଧିଷ୍ଟ ସ୍ଥାନରେ ପହଁଚିବାରେ ସବୁବେଳେ ସାହାଯ୍ୟ କରିଛି, ଆଜି ସେଟା ଟିକେ ପୁରୁଣା ଆଉ ବୃଦ୍ଧ ଦେଖା ଯାଉଛି ବୋଲି କ'ଣ ମୁଁ ତାକୁ ମୋ ନିଜଠାରୁ ଦୂରେଇ ଦେବି" | ତା ପରେ ଆମ ଆଡକୁ ଚାହିଁ କୁହନ୍ତି ," ମୁଁ ବି ତ ବୃଦ୍ଧ ହୋଇଗଲିଣି ତେବେ ମତେ କେମିତି ବଦଳେଇବ" | ଆମେ ବାସ୍ ଶବ୍ଦ ଶୂନ୍ୟ ହୋଇ ବିରକ୍ତିକର ଚାହାଣିରେ ଅନେଇ ରହୁ ତାଙ୍କୁ | କିଏ ବୁଝନ୍ତୁ ବା ନବୁଝନ୍ତୁ ମୁଁ ଏତିକି ବୁଝି ପାରିଥିଲି ଯେମିତି ଭଗବାନଙ୍କ ପାଇଁ ତାଙ୍କ ପ୍ରିୟ ଯାନ ରଥ ସେମିତି ମୋ ବାପାଙ୍କ ପାଇଁ ତାଙ୍କ ସ୍କୁଟର ହେଲା ତାଙ୍କ ରଥ | ଏବେ ବି ମୁଁ ଘରକୁ ଗଲେ ତାଙ୍କ ସେ ରଥ ଟା ସବୁ ବେଳେ ମୋ ସେବା ରେ ଲାଗେ |

 ବଜାର ବୁଲା ଠାରୁ ଘର କୁ ଫେରିବା ବେଳେ ଷ୍ଟେସନରେ ଛାଡ଼ିବା ଆଉ ଆଣିବା ସବୁ କାମ ରେ ବାପା ତାଙ୍କ ସ୍କୁଟର ଧରି ପ୍ରସ୍ତୁତ ରୁହନ୍ତି | ଛୁଟି ଦିନ ହେଲେ ସଖାଳୁ ମତେ ନିଦରୁ ଉଠେଇ ତାଙ୍କ ସେ ବାହାନ ରେ ବସେଇ ଦୂର ପାହାଡ କୁ ଅତିକ୍ରମ କରି ଗାଁ ଗଣ୍ଡା ଦେଖେଇ ବୁଲେଇବାକୁ ନେଇଯାଆନ୍ତି | କେବେ ମତେ ତାଙ୍କ ସାଙ୍ଗ ସାଥୀଙ୍କ ଘର ବୁଲେଇ ଆଣନ୍ତି ତ କେବେ ଆମ୍ବ ତୋଟା ଧାନ ବିଲ ଆଉ ପନିପରିବା ବଗିଚା ଭିତରେ ନିଧୁମ୍ ଖରାରେ ମାଇଲେ ମାଇଲେ ବାଟ ଚଲେଇ ଚଲେଇ ନିଜ ଛୁଆ ଦିନର କାହାଣୀ ଶୁଣାନ୍ତି | ସେଠୁ ଫେରିବା ବେଳେ ଫଳ ପନିପରିବା ବ୍ୟାଗ୍ ଯୋଗୁ ଆମ ସ୍କୁଟରଟା ଗୋଟେ ଛୋଟ ଟ୍ରକ ଭଳି ଲାଗେ |

  ସବୁଠୁ ଅଧିକା ଖୁସି ଲାଗେ ଦେଖିକରି , ଆଜି ବି ବାପାଙ୍କ ସ୍କୁଟର ସ୍ଵାଗତ ପାଇଁ ଗେଟ୍ ଆଗରେ ରହିଛି ଆଉ ହାତ ଠାରି ପୁଣି ଥରେ ଡାକୁଚି କୁଆଡ଼େ ଟିକେ ବୁଲି ଦେଇ ଆସିବାକୁ |




Rate this content
Log in