ବାପା
ବାପା
ବାୟୁ ଓ ପାଣିର ମିଶ୍ରଣରେ ଗଠିତ ଶବ୍ଦଟିଏ। ବାପା, କେତେ ମହାନ୍ ସେ ଆମ ପାଇଁ? ବାୟୁ ଓ ପାଣି ବିନା କ'ଣ ଜୀବନ ବଞ୍ଚିବା ସମ୍ଭବ? ନାରିକେଳ ଫଳ ପରି ଉପରକୁ ଖୁବ୍ ଶକ୍ତ ଓ କଠିନ ସେ। କିନ୍ତୁ ତା ଭିତରେ ଯେ ଭରି ରହିଥାଏ କୋମଳ ଶସ ଓ କେତେ ସୁମଧୁର ଜଳ ଏକଥା କାହାକୁ ବା ଅଜଣା? ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ଯାଆନ୍ତି ବାପା। ସତେ ଯେପରି ସମୟାନୁବର୍ତ୍ତିତା ରେ ବନ୍ଧା ତାଙ୍କ ଜୀବନ। ଆଳସ୍ଯ ତାଙ୍କୁ ଛୁଇଁ ପାରିନି। ମାଇଲ୍ ମାଇଲ୍ ବାଟ ପାଦରେ ଚାଲି ଯାଇ ପାରନ୍ତି ସେ। ପରିଣତ ବୟସରେ କୋଦାଳରେ ମାଟି ହାଣି ଅକ୍ଳାନ୍ତ ପରିଶ୍ରମ କରି ପାରନ୍ତି ସେ। ସନ୍ତାନର ସୁଖ ପାଇଁ ଜୀବନର ସବୁ କିଛି ତ୍ଯାଗ କରି ପାରନ୍ତି ସେ। ସନ୍ତାନକୁ ଆକଟ କରିବାକୁ ଯାଇ ପିଟି ପିଟି ଶାସନ କରନ୍ତି ସତ, କିନ୍ତୁ ପର ମୂହୁର୍ତ୍ତରେ କେଉଁ ଏକ ବନ୍ଦ କୋଠରୀରେ ନିଜକୁ ଅସହାୟ ମନେ କରି କ୍ରନ୍ଦନ କରିଥାନ୍ତି। ତାଙ୍କର ସେହି ଆକଟ ଆମ ପାଇଁ ଅସହ୍ଯ ହେଲେ ମଧ୍ଯ ଜୀବନର ପ୍ରତିଟି କ୍ଷେତ୍ରରେ ଅଗ୍ରସର ହେବାକୁ ଆମକୁ ପ୍ରେରଣା ଯୋଗାଇଥାଏ। ପରିବାରର ବୋଝକୁ କାନ୍ଧରେ ବୋହି ବୋହି କେବେ ଥକି ପଡନ୍ତି ନି ସେ। କେବେ ହେଲେ ପ୍ରତିବାଦର ସ୍ୱର ଉତ୍ତୋଳନ କରନ୍ତି ନି ମଧ୍ଯ। ଏହାକୁ ନିଜର ଦାୟିତ୍ୱ ଓ କର୍ତ୍ତବ୍ଯ ବୋଲି ଭାବି ଛାତିକୁ ପଥର ପରି କରି ନିର୍ବାହ କରି ଚାଲିଥାନ୍ତି। ନିଜେ ଦୁଇ ଓଳି ଦୁଇ ମୁଠା ପେଟକୁ ନ ଖାଇ ସନ୍ତାନର ଲାଳନପାଳନ ଓ ଉଚ୍ଚ ଶିକ୍ଷା ପାଇଁ ସାଇତି ଥାନ୍ତି ଧନ। ସର୍ବଦା ଚାହାଁନ୍ତି ସନ୍ତାନ ତାଙ୍କର ଉଚ୍ଚ ଶିକ୍ଷା ଲାଭ କରି ବଡ଼ ଚାକିରିଟିଏ କରୁ। ଭଲ ମଣିଷଟିଏ ହେଉ। ବିଦେଶ ଯାତ୍ରା କରୁ। ନିଜ ଶରୀରକୁ ଢାଙ୍କି ପାରୁ ନଥିବା ବାପା ଚାହାଁନ୍ତି ତାଙ୍କ ପୁତ୍ର ସୁଟ୍ ବୁଟ୍ ପିନ୍ଧି ବାବୁ ସାଜି ଗାଆଁକୁ ଫେରୁ।ଆମ ଜୀବନର ମାଆ ପ୍ରଥମ ଗୁରୁ ହେଲେ ମଧ୍ଯ ବାପା ହେଉଛନ୍ତି ଦିତ୍ୱିୟ ଗୁରୁ। ପରିବାରର ସମସ୍ତଙ୍କ ମୁଖରେ ହସ ଫୁଟାଇବାକୁ ସେ ଶଚ ଚେଷ୍ଟିତ।
ସନ୍ତାନକୁ ଦେଇ ଦେଇ କାଙ୍ଗାଳ ହେଲେ ମଧ୍ଯ କେବେବି ପାଇବାର ଆଶା ରଖି ନଥାନ୍ତି ସେ। ଉତ୍ତମ ବୁଝାମଣା ରେ ପରିବାରକୁ ଚଳାଇ ଥାନ୍ତି ସେ। ସେ ହୋଇ ଥାନ୍ତି ପରିବାରର ମେରୁଦଣ୍ଡ। ପରିବାରର ସମସ୍ତଙ୍କ ପାଇଁ ଆଦର୍ଶ। କୌଣସି ପରିସ୍ଥିତିରେ ଧର୍ଯ୍ୟ ହରା ହୋଇ ନ ଥାନ୍ତି ସେ। ବାପା, ସତରେ କେତେ ମହାନ୍! ଜନ୍ମ ଜନ୍ମ କରି ସାତ ଜନ୍ମ ନେଲେ ମଧ୍ଯ ଆମେ ଜୀବନରେ କେବେବି ତାଙ୍କର ଋଣ ଶୁଝି ପାରିବା ନାହିଁ।ବାପା ଆମ ପାଇଁ କଥା କୁହା ଜିଅନ୍ତା ଠାକୁର। ହେ ବାପା! ତୁମ ପାଦତଳେ ଭକ୍ତି ଭରା କୋଟି ଳୋଟି ପ୍ରଣାମ।