Sanuja Meghamala

Others

4.8  

Sanuja Meghamala

Others

ବାପା

ବାପା

3 mins
1.2K


ବାପା କେବଳ ଗୋଟିଏ ଶବ୍ଦ ନୁହେଁ।ବିଶାଳ ହୃଦୟର ପ୍ରତିଶବ୍ଦ।ରକ୍ତ ମାଂସ ର ଦେବତା।ଚିରନ୍ତନ ସତ୍ୟ। ମାଆ ସ୍ନେହ ମମତା ର ନିର୍ଝର ହେଲେ ବାପା ଅନୁଶାସନ ଓ କର୍ତ୍ତବ୍ୟ ର ମୂର୍ତ୍ତିମନ୍ତ ପ୍ରତୀକ।ବାପା ବରଗଛ ଟିଏ,ତାଙ୍କ ଛାୟାରେ ପରିବାର ର ସବୁ ସଦସ୍ୟ ସୁରକ୍ଷିତ ସଂଗଠିତ ଓ କାର୍ଯ୍ୟ ଦକ୍ଷ ଏବଂ ସଦା ଆଶ୍ରିତ।ପରିବାର ଭିତରେ ମାଆ ଓ ବାପା ମୁଦ୍ରା ର ଦୁଇଟି ପାର୍ଶ୍ଵ ଭଳି।ଜଣଙ୍କ ର ଅବର୍ତ୍ତମାନରେ ଆଉ ଜଣେ ସ୍ବତଃ ଝାଉଁଳି ଯାଏ।

    ମୋ ଦୃଷ୍ଟିରେ ଆମ ବାପା ଆହୁରି ଭିନ୍ନ ବୋଧେ ଅନ୍ୟମାନଙ୍କ ଠାରୁ।ସବୁବେଳେ ବାପାଙ୍କ ଉପରେ ଗୋଟେ ଚାପା ଅଭିମାନ ଥାଏ ଆମ ଭଉଣୀ ମାନଙ୍କର।ଆମେ ଝିଅ ମାନେ ବାହା ହେଇଗଲା ପରେ,ଆମକୁ ଦିନେ ,ଦୁଇ ଦିନରୁ ଅଧିକ ସମୟ ଘରେ ରହିବାକୁ ଦିଅନ୍ତନି।ଯଦି ଆସିବ ସପରିବାର ଆସ,ଏକୁଟିଆ ଆସିବ!, ଜୋଇଁ ଖାଇବାରେ ହଇରାଣ ହେବେ।ବୋଉ ଡାକିଲେ,ମୁଁ ରାଗିକି କହୁଥିଲି , କଣ ପାଇଁ ଯିବି? ହିଟଲର ଭାଷଣ ଶୁଣିବା ପାଇଁ।।ଖୁସି ହେବା ବଦଳରେ,ତମେ ସବୁ ମଜା କରୁଚ,ବାବୁମାନେ(ଜୋଇଁ) ଅଫିସରୁ ଫେରି ହାତରେ ଚା ପାଣି ପିଇବେ।ଭଉଣୀ ମାନେ ଶୁଣନ୍ତି, ମୁଁ ବିରକ୍ତ ହୋଇ ରାଗିକି ମୁଁହ ଫୁଲାଇ ବୋଉକୁ କୁହେ ଆଉ ଡାକି ବୁନି, ଜମା ଆସିବିନି।

ବୋଉ ବୁଝାଏ ବାପାଙ୍କ ପଟଧରି ।ବୁଝୁନୁ ମା, ବାପା ଏକୁଟିଆ ବାହାରେ ବହୁତ୍ ଦିନ ରହିଛନ୍ତି,ତୁମ ମାନଙ୍କୁ ଛାଡ଼ି,ସେ କଷ୍ଟ ବାପା ଙ୍କ ର ମନେ ଅଛି। ଦି ଜଣ ଙ୍କର କି ଅଦ୍ଭୁତ ସାଲିସ ସତରେ ,କେତେ ସହଜରେ ପରସ୍ପର ର ଭାବନା କୁ ବୁଝି ପାରନ୍ତି।ଭଲ ପାଇବା ,ବିଶ୍ୱାସ ନା ଭୟ ମୁଁ ସନ୍ଦେହ କରେ।ବାପାଙ୍କୁ ଡାକି କହିବ, ସେ ରାଗି ଟା ତାକୁ ସେମିତି କୁହନି, ଛୁଆମାନେ ଦିନ ଦି ଟା ରେ ପଲେଇବେ, ପୁଣି ଆମେ ବୁଢ଼ା ବୁଢ଼ୀ ମୁଁହ ଚାହିଁ ବସିବା।ବାପା ଆସି ମୋ ମୁଣ୍ଡ ଆଉଁସି କହିବେ ,ସବୁଦିନ ଏମିତି। କିନ୍ତୁ ଫେରିଲା ବେଳକୁ ବୋଉ ଠାରୁ ବାପା ବେଶୀ କାନ୍ଦନ୍ତି ।ଗୋଟେ ଦିନ ଫୋନ୍ ନ କଲେ ସନ୍ଧ୍ୟା ବେଳକୁ ଫୋନ ଆସିଯିବ।କହିବେ ତୋ ବୋଉ ବ୍ୟସ୍ତ କରିଦେଲାଣି ସବୁ ଭଲ ତ।ଦୂରରୁ ବୋଉ ପାଟି ଶୁଣା ଯାଉଥିବ କେତେବେଳେ ମୁଁ କହିଲି ନିଜେ ତ ବ୍ୟସ୍ତ ମୋ ନା କାହିଁ ଦଉଚ ବାପା ବୋଉ ହାତକୁ ଫୋନ ଟା ଧରେଇଦେଇ କହିବେ ,ପାଟି ନକରି ଝିଅ ସହିତ କଥା ହୁଅ।ବୁଝି ହୁଏନା ବାପାଙ୍କୁ ,ମୁଁ ତାଙ୍କୁ ନଡ଼ିଆ (ଶ୍ରୀ ଫଳ) କହେ।

ୟା ଭିତରେ ବୋଉ ଯିବା କିଛିଦିନ ହେଇଗଲାଣି।

  ଏଇ କିଛିଦିନ ତଳେ ବାପା ହଠାତ୍ ଫୋନ କରି ଡାକିଲେ, ଆସୁନୁ ମା ଚାରି /ଛ ଦିନ ରହିକି ଯିବୁ ।ବଡ଼ ବ୍ୟସ୍ତ ଲାଗିଲା,ବାପାଙ୍କର ଦେହ ଭଲ ଅଛି ତ।ବାପା ଜାଣିପାରିଲେ ବୋଧେ କହିଲେ, କିଛି ନାହିଁ ମା ,ମୋ ମନ ଯେମିତି ତୋ ବୋଉ କୁ ଖୋଜୁଛି, ତୁ ବି ମନେ ମନେ

ତାକୁ ଝୁରି ଥିବୁ,ସୁବିଧା କରି ଆସ ଖାଲି ଗପିବା।ବୋଉ କଥା ,ତୁମ ପିଲା ଦିନ କଥା।ମୋ ସାଙ୍ଗ ସାଥିଙ୍କ କଥା।

 ଅପେକ୍ଷା ନ କରି ତା ପରଦିନ ମୁଁ ଯାଇ ପହଞ୍ଚି ଗଲି । ବାପାଙ୍କ ମୁହଁରେ ଖୁସିର ଚିହ୍ନ ସ୍ପଷ୍ଟ ବାରିହେଇ ପଡୁଥାଏ। ସମୟ ଅପେକ୍ଷା କରି ନାହିଁ, ଗଡ଼ି ଚାଲିଚି ତା ବାଟରେ।ଜୀବନକୁ ହସେଇ କନ୍ଦେଇ ଭିଜେଇ ଲହୁ ଲୁହାଣ କରି । ବାପା କହୁଥିଲେ ସ୍ନେହଟା ସବୁବେଳେ ତଳ ମୁହାଁ।ଝରଣା ପରି ପାହାଡ ରୁ ବାହାରି ଯାଏ ଆଗକୁ ଗଡ଼ି ଗଡ଼ି ଆଉ ପଛକୁ ଫେରେନା ,ପାହାଡ଼ର ଆସକ୍ତି କୁ ବୁଝି ପାରେନା।

ମୁଁ ତମ ମାନଙ୍କ କଥା ଭାବୁଚି, ଆଉ ତମେ ତମ ଛୁଆଙ୍କ ପାଇଁ ବ୍ୟସ୍ତ।ଏଇ ତ ସୃଷ୍ଟିର ନିୟମ।ବାପାଙ୍କ କଥା ପୁରା ସତ,ଆମେ ଛୁଆମାନେ ଆମ ନିଜର ଘର ପରିବାର ହେଲା ପରେ କେତେ ସମୟ ଦେଇପାରୁ ନିଜ ବାପା ମା ଙ୍କ ପାଇଁ?

ଏବେ ଅନୁଭବ କରୁଥିଲି ବାପା କେତେ ଏକୁଟିଆ ହେଇ ଯାଇଛନ୍ତି ସତରେ ବୋଉ ଯିବା ପରେ।

ଯାହାଙ୍କ କଥା ଘରର ଅଲିଖିତ ସମ୍ବିଧାନ ଥିଲା,ଯାହାଙ୍କ ଅନୁମତି ବିନା ଘର ଚାଳ ରୁ ନଡ଼ା ବା ବାଡି ର ଗଛରୁ ବୋଧେ ପତ୍ରଟେ ଝଡୁ ନ ଥିଲା ସେ ବାପା ଏବେ ଛୋଟ ଛୁଆଙ୍କ ପରି କଥା ହେଉଥିଲେ।ବୋଉର ଫଟୋକୁ ଲୁଚେଇ ଦେଖୁଥିଲେ ଓ କଣ ସବୁ ଆସ୍ତେ କହୁଥିଲେ ।ଆଜି ମୋର ଆଉ କଣ ଅଛି? ମୁଁ ଏବେ ଏକୁଟିଆ ।

ଅତିଥି ମୁଁ!ସବୁ ଦାୟିତ୍ଵ ସରିଗଲା, ଖାଲି ବସିଚି।ଜୀବନ ପ୍ରତି ମୋହ ଆସକ୍ତି ତୁଟି ଗଲାଣି।ମୁଁ ବୁଝି ପାରିଲି ବାପା ବୋଉକୁ ମନ ତଳେ ଜାବୁଡ଼ି ଧରିଛନ୍ତି। ଜମା ଭୁଲି ପାରିନାହାନ୍ତି,ଚାହୁଁ ବି ନାହାନ୍ତି ଭୁଲି ଯିବାକୁ ବୋଧେ।ମୋତେ ବହୁତ୍ କଷ୍ଟ ଲାଗୁଥିଲା।ଯିଏ ଆମ ପାଇଁ ଦମ୍ଭ ର ପ୍ରାଚୀର ଥିଲେ,ସିଏ ଏମିତି ଉଇ ଖିଆ କାଠ ପରି ପାମ୍ପରା ହୋଇଯାଇଛନ୍ତି ଦେଖି ମନ ତଳେ କୋହ ହଉଥିଲା ।

 ତଥାପି ମୋ ପରମ୍ପରା ବାଦୀ ବାପାଙ୍କୁ କହିଲି ମୁଁ ତ ବେଶୀ ଦିନ ରହି ପାରିବିନି ତୁମେ ମୋ ସହିତ ଚାଲ୍  ଆମେ ଏକାଠି ରହିବା , ପସନ୍ଦ ର ଖାଇବା ତିଆରି କରିବା।ଅନ୍ୟ ମାନେ ଘରକୁ ଆସିବେ,ଗହଳ ଚହଳ ଲାଗିବ,ଛୁଆମାନଙ୍କୁ ବି ଭଲ ଲାଗିବ ତୁମେ ଗଲେ। ସବୁ ଶୁଣି କହିଲେ ଲୋକେ କଣ କହିବେ କହିଲୁ? ଝିଅ ଘର ବୁଲି ଆସିବି କେତେ ବେଳେ ରହିବିନି।

ଏ ଘରେ ତୋ ବୋଉ ସହିତ କଟେଇଥିବା ସବୁ ମୁହୂର୍ତ୍ତ । ତୁମ ଛୁଆମାନଙ୍କର ସବୁ ଅଳି ଅର୍ଦ୍ଦଳି ଖେଳ କୁଦ ଅଛି। ୟାକୁ ଛାଡ଼ି କୁଆଡେ ଯିବିନି।ଏଥର ତମେ ମାନେ ଆସିବ ।ମଝିରେ ଦେଖିଯିବ।

ମୁଁ ଯେମିତି ଯାଇଥିଲି ସେମିତି ଫେରିଆସିଲି,ବାପା ବହୁତ୍ ଖୁସି ଲାଗୁଥିଲେ ଆଉ ମୁଁ ବାପାଙ୍କୁ ଛାଡ଼ି ଆସିବା ଦୁଃଖକୁ ସମ୍ଭାଳି ପାରୁ ନଥିଲି।

 କେବେ ଏ ମାନସିକତାରୁ ମୁକ୍ତି ମିଳିବ କେଜାଣି, ବାପା ମାଆ ମାନେ ଝିଅ ଘରକୁ ନିଜ ଘରଭାବି ତାଙ୍କ ସହିତ ରହିବାର ସମ୍ମତି ଦେବେ ।କଥାରେ ପୁଅ ଝିଅ ସମାନ ନ କହି ପ୍ରକୃତରେ ସମାନ ବୋଲି ଭାବିବେ ଯେଉଁଠି ନିଜକୁ ସୁବିଧା ଲାଗିବ ସେଠି ରହିପାରିବେ।


Rate this content
Log in