Pramod Kumar Jena

Others

4  

Pramod Kumar Jena

Others

ବାପା

ବାପା

4 mins
509



ଗାଆଁର ପାଣି............ ଗାଆଁର ପବନ................ ଗାଆଁର ଆବହାୱା............... ଟୁଟୁ ବାବୁଙ୍କୁ ଭାରି ଭଲି ଲାଗେ l ସେଥିପାଇଁ ଭୁବନେଶ୍ୱର ପେଲେସିଆଲ୍ ବିଲଡିଙ୍ଗରୁ ବାହାରି କିଛି ଦିନ ପାଇଁ ଗାଆଁକୁ ଚାଲି ଆସନ୍ତି ସେ l କିନ୍ତୁ ତାଙ୍କର ଏ ମୋହକୁ କିଛି ବି ମୂଲ ଦିଅନ୍ତିନି ତାଙ୍କର ଗୃହିଣୀ l ଯଦିଚ ଦୁହିଁଙ୍କ ଭିତରେ ଅତୁଟ ସମ୍ପର୍କ l ଗାଆଁ କଥା ଶୁଣିଲେ ସ୍ମିତାଙ୍କ ମୁହଁଟା ଟିକିଏ ବିକୃତ ହୋଇଯାଏ l ଟୁଟୁ ବାବୁ କିନ୍ତୁ କେବେ ଜୋର୍ ଜବରଦସ୍ତ କରନ୍ତିନି, ତାଙ୍କୁ ଗାଆଁକୁ ଆଣିବା ନିମନ୍ତେ l ସେ ଭଲ ଭାବରେ ଜାଣିଛନ୍ତି ସ୍ମିତାଙ୍କ ମନର କଥାକୁ l ଏଇ ଗାଆଁରେ ନୂଆ ନୂଆ ବୋହୁ ହୋଇ ଆସିବା ବେଳେ ତାଙ୍କ ସାଙ୍ଗେ ଘଟିଥିବା ଘଟଣାଗୁଡିକୁ ମନେ ପକାଇ ସେ ବୁହତ କଷ୍ଟ ପାଆନ୍ତି l ତେଣୁ ପୁରୁଣା ଘାଆକୁ ନ କୁଣ୍ଡାଇବା ଭଲ l ବାଧ୍ୟ କରନ୍ତିନି ତାଙ୍କୁ କେବେ ଗାଆଁକୁ ଆଣିବା ନିମନ୍ତେ l

ଟୁଟୁ ବାବୁଙ୍କ ବାବା ସରପଞ୍ଚ ଥିଲେ l ବ୍ରିଟିଶ୍ ଅମଳର ସରପଞ୍ଚ l ବେଶ୍ ଖାତିର ଥିଲା ତାଙ୍କର ଗାଆଁରେ l ତାଙ୍କରି ଯୋଗୁଁ ଟୁଟୁ ସମସ୍ତଙ୍କ ପାଇଁ ଟୁଟୁବାବୁ ହୋଇଥିଲେ l ବାପାଙ୍କ ଯିବାର ଅନେକ ବର୍ଷ ହୋଇଗଲାଣି  l ତେବେ ଖାତିରର ଛାପ କିଛିଟା ରହି ଯାଇଛି l

ଗାଆଁର ଗୋଲେଇ ଛକରେ ଟୁଟୁବାବୁ ବସିବାକୁ ଭଲ ପାଆନ୍ତି l କିଛି ସମୟ ଭିତରେ ଜଣେରୁ ଦୁଇ ଜଣ, ଦୁଇରୁ ତିନି ହୋଇ ବେଶ୍ ଆସର ଜମିଯାଏ l ସବୁ ପୁରୁଣା ସାଙ୍ଗମାନଙ୍କ ମେଳରେ ପୁରୁଣା ଦିନର ଘଟଣାକୁ ମନେ ପକାଇ ବେଶ୍ ଆନନ୍ଦ ପାଆନ୍ତି l

ସବୁ ସାଙ୍ଗମାନେ ବୁଢା ହୋଇଗଲେଣି l କାହାର ଦାନ୍ତ ନାହିଁ ତ କାହାର ଚୁଟି ନାହିଁ.... ପୁଣି କାହାର ଅଧା ଧଳା ତ କାହାର ପୁରା l କିଏ ବାଡି ଧରି ଆସୁଛି ତ କିଏ ନାତିକୁ ଧରି....... ହେଲେ ସଭିଏଁ ଯେତେବେଳେ ଏକାଠି ହୋଇଯାଆନ୍ତି, ଲାଗେ ଯେମିତି ବୟସ ତାଙ୍କର ମନ ପାଖରେ ପାଖରେ ପୁରା ହାର ମାନିଯାଇଛି l ତାଙ୍କ ମେଳିର କିଛି ସାଙ୍ଗ ମଧ୍ୟ ଆରପାରିକୁ ଚାଲି ଗଲେଣି l ସେମାନଙ୍କ କଥା ମନେ ପକେଇ କିଛିଟା ଆନନ୍ଦ ହେବା ପରେ ପୁଣି ଆପେ ଆପେ ଚୁପ୍ ହୋଇଯାଆନ୍ତି l ମନେ ମନେ ବୋଧହୁଏ ସମସ୍ତେ ଭାବନ୍ତି, ‘ଆର ପାଳିକୁ ମୁଁ ଥିବି ତ ???’

ସୁନ୍ଦରାୟ ବାବୁଙ୍କ କଥା ଦେଖୁନାହାନ୍ତି l ଗତ ଥର କାର୍ତ୍ତିକ ପୂର୍ଣ୍ଣିମାକୁ କେତେ ମଜା ମଜା କଥା କହି ଆସରଟାକୁ ଜମେଇ ଦେଇଥିଲେ l ହେଲେ ଆଜି ତାଙ୍କର ଶେଷ କ୍ରିୟା l ଯିବାର ବାର ଦିନ ହୋଇଗଲାଣି l ତାଙ୍କ ପୁଅ ପିଲା ଦିନେ କେତେ ବାଳୁଙ୍ଗା ଥିଲା l ମନେ ପଡିଲା ସେ ଦିନର କଥା l

ହଷ୍ଟେଲରୁ ଆସିଥାଏ l ମୁଣ୍ଡରେ ବୋଝେ ଚୁଟି l ତା ସାଥକୁ ଲମ୍ବା କଲି l ସହର ଛାପ ବେଶ୍ ବାରି ହୋଇ ପଡୁଥାଏ l କଥା କଥା କେ ହିନ୍ଦି ଫିଲ୍ମର ଡାଇଲଗ୍ l ଗୀତ କଥା ନ କହିବା ଭଲ l ପାଠ ପଢା କେମିତି ସେ ଜାଣିଥିବ l

ସେ ଦିନ ରବିବାର ଥିଲା l ସୁନ୍ଦରାୟ ବାବୁ ମଧ୍ୟ ଘରକୁ ଆସିଥାନ୍ତି l ସେ ଗୋଟିଏ ପ୍ରାଇଭେଟ୍ ଫାର୍ମରେ କାମ କରନ୍ତି l ପ୍ରତି ସପ୍ତାହରେ ଥରେ ଘରକୁ ଆସନ୍ତି l ସେ ଦିନ ଯୋଗକୁ ବାପ ପୁଅ ଦୁଇ ଜଣ ଘରକୁ ଆସିଥାଆନ୍ତି l ସୁନ୍ଦରାୟ ବାବୁ ଜଣେ ଓଲ୍ଡ୍ ଫ୍ୟାସନଡ୍ ଭଦ୍ରଲୋକ l ଭାରି କଟକଣା ତାଙ୍କର l ପୁଅର ପାଠ ପଢା ଗାଆଁରେ ଠିକ୍ ହୋଇ ପାରିନି ବୋଲି ତାକୁ ବୋର୍ଡିଙ୍ଗ୍ ସ୍କୁଲରେ ଭର୍ତ୍ତି କରିଛନ୍ତି l

ହଠାତ୍ ପୁଅର ଏ କେଶ ସଜ୍ଜା ଦେଖି ଚିତ୍କାର କଲେ l

: ଆରେ ଏଇଟା କ’ଣ ? ତୁ କ’ଣ ହିପ୍ପି ରଖିଛୁ ? ତା’ ସାଙ୍ଗକୁ ଲମ୍ବା କଲି ? ରାଗରେ ଚାଉଳ ଚୋବାଉଛନ୍ତି ସୁନ୍ଦରାଏ l

କହିଲେ, ‘ଯେତେ ଶିଘ୍ର ପାରୁଛୁ ମୋ ସାମ୍ନାରୁ ଉଠ୍ l’ ଗୋପାଳ ବୋଉକୁ ପାଟି କରି ଡାକି କହିଲେ, ‘ୟାକୁ କହ ଯେତେ ଶିଘ୍ର ପାରୁଛି କାଳିଆ ଭଣ୍ଡାରି ପାଖକୁ ଯାଇ ଚୁଟି ଆଉ କଲି କାଟି ଆସିବ l ନେହେଲେ ଜାଣିବ ମୁଁ କିଏ ?’

ଗୋପାଳ ବୋଉ ପୁଅକୁ ବୁଝେଇ କାଳିଆ ଭଣ୍ଡାରୀ ପାଖକୁ ପଠେଇ ଦେଲେ l ବିଚରା କରେ କ’ଣ ? କେତେ କଷ୍ଟରେ ହିପ୍ପି ରଖା ଯାଇଛି l କାଟିବାଟା କ’ଣ ଏତେ ସହଜ ? ଭଣ୍ଡାରୀକୁ କହି ଟିକିଏ କଲିଟାକୁ ଛୋଟ କରି ଦେଲା l ଆଉ ହିପ୍ପିରେ ସାମାନ୍ୟ ଟିକିଏ କଇଁଚି ଲଗାଇ ବାବୁ ଘରକୁ ଫେରିଲେ l

ଘର ଭିତରକୁ ଯାଉ ଯାଉ ସୁନ୍ଦରାୟଙ୍କ ହାବୁଡରେ ପଡି ଗଲା l ତାକୁ ଦେଖୁ ଦେଖୁ ତାଙ୍କ ରାଗ ପୁଣି ପଞ୍ଚମକୁ ଉଠି ଗଲା l କହିଲେ, ‘ସେଇଟା ଭଣ୍ଡାରୀ ନା ମୋଚି ? ମୋ ପାଖକୁ ଡାକି କରି ଆଣେ l ଏଇଟା କି ଚୁଟି କଟା ହୋଇଛି ? ତା’କୁ ଦୁଇ ଟଙ୍କା ଦେବୁ, କହିବୁ ଠିକ୍ ଭାବରେ କାଟେ l (ସେତେବେଳକୁ ଦୁଇ ଟଙ୍କାର ମୂଲ୍ୟ ବହୁତ ଥିଲା) l ଯେମିତି ଗୋପାଳ ଶୁଣିଲା, ଏକା ନିଃଶ୍ୱାସକେ ଯାଇ ଭଣ୍ଡାରା ପାଖରେ ହାଜର l ଗୋପାଳର ଖାତିର ଦେଖି ସୁନ୍ଦରାୟେ ମନେ ମନେ ଭାରି ସନ୍ତୋଷ ଲାଭ କଲେ l ଭାବିଲେ ପୁଅଟା ପୁରା ବଦଳି ଗଲାଣି l ଆଉ ସେ ବାଳୁଙ୍ଗାମି ନାହିଁ l ସହରରେ ପାଠ ପଢିଲେ କିଛି ତ ଶିଖିବ l

ଏ ସବୁ କଥା ଦେଖୁଥିଲେ ପାଖ ଘରର ମହୀ ପ୍ରଧାନେ l ତାଙ୍କର ଆଉ ସୁନ୍ଦରାୟଙ୍କର ଅହି ନକୁଳ ସମ୍ପର୍କ l କଟା ଘାଆରେ ଚୁନ ମାରିବାରେ ପ୍ରଧାନେ ଓସ୍ତାଦ୍ l ପାନ ଖଣ୍ଡେ ପାଟିରେ ପୁରେଇ, ପାକୁଳେଇ ପାକୁଳେଇ ଚୁମୁଟା ମାରିବାର କଳାଟା ତାଙ୍କୁ ବେଶ୍ ଜଣା l

କିଛି ସମୟ ପରେ ଗୋପାଳ ମୁଣ୍ଡରେ ଗାମୁଛା ଭିଡି ଘରକୁ ଫେରୁଥାଏ l ପ୍ରଧାନେ ପଚାରିଲେ, ‘କିରେ ମୁଣ୍ଡରେ ଗାମୁଛା ? ଏଇଟା କ’ଣ ଗୋଟେ ଇଷ୍ଟାଇଲ୍ ?’

ବିରକ୍ତ ହୋଇ ମୁଣ୍ଡରୁ ଗାମୁଛାଟା ଖୋଲି ଦେଲା ଗୋପାଳ l

: ଆରେ ଇଏ କ’ଣ ପୁରା ଲଣ୍ଡା ? ତୋ ବୋପା କ’ଣ ମରିଗଲାକିରେ ?

: ସେ କାହିଁକି ମରିବେ ? ଆହୁରି ଦୁଇ ଶହ ବର୍ଷ ବଞ୍ଚିବେ l

: ଲଣ୍ଡା କାହିଁକି ହେଲୁ ?

: ମୁଁ ହିପ୍ପି ରଖିଛି ବୋଲି ବାପାଙ୍କ ଆଖିରେ ଗଲାନି l ବାପା ଦୁଇ ଟଙ୍କା ଦେଇଥିଲି l ମୁଁ ତା’କୁ ପାଞ୍ଚ ଟଙ୍କା ଦେଇ କହିଲି, କାଟିବୁ ଯଦତି ସବୁ ବାଳ କାଟି ଦେ l

***  ***  ***  ***  ***

ସେ ଦିନର କଥା ମନରୁ ଲିଭିବା ପୂର୍ବରୁ ସତକୁ ସତ ଗୋପାଳ କୋଉଠି ଥିଲା ଆସି ପହଞ୍ଚିଲା l ଲଣ୍ଡା ମୁଣ୍ଡ l କାନ୍ଧରେ ଗାମୁଛା l ଦେହରେ ଗାମୁଛା l ଟୁଟୁ ବାବୁଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା l ତା’କୁ ଟିକିଏ କୋଳେଇ ନେଲେ ଟୁଟୁ ବାବୁ l ଟୁଟୁବାବୁଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦି ଚାଲିଥାଏ ଗୋପାଳ l

: ବାପା ଚାଲିଗଲେ l ସାରା ଜୀବନ ତାଙ୍କୁ କେତେ କଷ୍ଟ ଦେଲି l କେତେ ଦୁଃଖ ଦେଲି l କେତେ ହଇରାଣ କଲି .........

ସେ କାନ୍ଦ କିନ୍ତୁ ଲୋକ ଦେଖାଣିଆ ନ ଥିଲା l ତା’ର କୋହକୁ ବେଶ୍ ଉପଲବ୍ଧି କରି ପାରୁଥିଲେ ଟୁଟୁ ବାବୁ l ତା’ ଲଣ୍ଡା ମୁଣ୍ଡଟାକୁ ଟିକିଏ ହାତ ମାରି ପିଠିଟାକୁ ସାଉଁଳି ଦେଇ କହିଲେ, ‘ଆରେ ସମସ୍ତେ ତ ଦିନେ ନା ଦିନେ ଯିବା l ଏତେ ଭାଙ୍ଗି ପଡିଲେ ଚଳିବ ?’

: ଏତେ ଶିଘ୍ର ଏମିତି ଚାଲିଯିବେ ?

କ’ଣ ଉତ୍ତର ଦେବେ ଟୁଟୁ ବାବୁ ? ଅଧିକାଂଶ ପୁଅ ଭାବନ୍ତି ତାଙ୍କ ବାପାଙ୍କ ଆୟୁଷ ହଜାରେ ବର୍ଷ l କଥା ନ ମାନିବା....... ଜବାବ ଦେବା .......... ହଇରାଣ କରିବା............ ତାଙ୍କର ଅଧିକାର . ସେମାନେ ପରା ପିଲା ଲୋକ l ତାଙ୍କ ଭୁଲ ମାଫ୍ l ଆଉ ଯେତେବେଳେ ସେମାନଙ୍କର ବୁଦ୍ଧି ଉଦୟ ହୁଏ,ବାପା ପାଖରେ ନ ଥାନ୍ତି l

***            ***            ***



Rate this content
Log in