shibaram dalai

Others

4.2  

shibaram dalai

Others

ବାପା

ବାପା

3 mins
297



 ବାପା ଅମୂଲ୍ୟ ରତ୍ନଟିଏ । ଭରଣେ ଭରଣେ ଅଷ୍ଟଧାତୁ ସେ ରତ୍ନ ସହ ତୁଳନା କଲେ କମ ପଡେ । ମୁଁ ଆଜି ରତ୍ନ ହରା ।

ବାପାଙ୍କୁ ଆମର ଏ ତିନି ଖଣ୍ଡି ମୌଜାରେ କିଏ ବା ନ ଜାଣେ ।ହରି ଡାକବାଲା କହିଲେ ସମସ୍ତଙ୍କୁ ଜଣା ।ମାଟିଆ ପ୍ୟାଣ୍ଟ ସାର୍ଟ ସାଙ୍ଗକୁ ମାଟିଆ ଟୋପି ଆଉ ବ୍ୟାଗ ମୋ ବାପାଙ୍କୁ ଖୁବ ମାନିଥାଏ । ସେହି ସାଇକେଲଟି ଥିଲା ତାଙ୍କର ବର୍ଷ ବର୍ଷର ସାଥି । ସମସ୍ତଙ୍କ ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ହେଉଥିଲେ ସେ । ଡାକ କାମଟି ତାଙ୍କ ଜୀବନର ସବୁକିଛି । 

କି ଖରା କି ବର୍ଷାରେ ଡାକ ବ୍ୟାଗଟି ଧରି ଏ ଘରୁ ସେ ଘର ଏ ଗାଁ ରୁ ସେ ଗାଁ ବୁଲି ଡାକ ବାଣ୍ଟି ବାଣ୍ଟି ଦିନ କିପରି ସାରିଯାଏ ସେ ଜାଣିପାରନ୍ତି ନାହିଁ ।ବେଳେ ବେଳେ ଡାକ ବାଣ୍ଟୁ ବାଣ୍ଟୁ ନିଜର ଖାଇବା ବି ଭୁଲିଯାଆନ୍ତି ।

   ନିଜ ପେଟକୁ ଗଣ୍ଡେ ଦେହକୁ ଖଣ୍ଡେ ନ ପିନ୍ଧି ପୁଅକୁ ସମାଜରେ ପ୍ରତିଷ୍ଠିତ କରିବା ଜୀବନର ବ୍ରତ ଭାବିଥିଲେ । ଜୀବନରେ ଯେତେ ବାଧା ବିଘ୍ନ ଆସିଲେ ବି ନିଜ ଲକ୍ଷ୍ୟ ଚ୍ୟୁତ ହେଇ ନଥିଲେ ସେ ।

ଦିନେ ବାପାଙ୍କୁ ଭୀଷଣ ଜ୍ଵର ହେଇଥାଏ । ବାପାଙ୍କୁ ଔଷଧ ଖାଇବାକୁ ଦେବାପାଇଁ ମାଆକୁ କହି ବାପାଙ୍କ କାର୍ଯ୍ୟରେ ବାହାରି ପଡ଼ିଲି । ମୁଁ ଚାଲିଯିବା ଦେଖି ବାପା ,ମାଆ ଉପରେ ବିଗିଡି କହିଲେ ଛୋଟ ପିଲା ତୁମେ ମନା କଲନାହିଁ । କିଏ ଜାଣେ କେତେବେଳେ ଫେରିବ । ପଚାରି ପଚାରି ଡାକ ବାଣ୍ଟୁ ବାଣ୍ଟୁ ସନ୍ଧ୍ୟା ହେଇଗଲା । ବାପା ଗାଁ ଛକରେ ମୋ ଫେରିବା ବାଟକୁ ଚାହିଁ ରହିଥଲେ ।

  ଘରକୁ ଆସି ମାଆକୁ ପଚାରିଲି ବାପା ଔଷଧ ଖାଇଲେ । ମାଆ ମନାକଲା ।ତେବେ ଜ୍ଵର? 

 ମାଆ କହିଲେ ଭଲ ହେଇଗଲାଣି । ମୁଁ ପଚାରିଲି କେମିତି ? ମାଆ କହିଲେ ଆଗରୁ ତାଙ୍କ ବାପାଙ୍କର ସେହି ଛିଣ୍ଡା ସାଲ କିଛି ସମୟ ଘୋଡ଼ାଇ ହୋଇ ଶୋଇଗଲେ କିଛି ସମୟ ପରେ ଜ୍ଵର ଆପେ ଆପେ ଭଲ ହେଇଯାଏ ,ଆଜି ବି ସେମିତି ଭଲ ହେଇଗଲା ।

   କିଛି ବର୍ଷ ପରେ ମୋର ବିଶାଖାପାଟଣାରେ ଚାକିରୀ ହେଇଗଲା । ମୋତେ ପାଖ ବଜାରକୁ ଛାଡି ନଥିବା ବାପା ମାଆ ବିଶାଖାପାଟଣା ଯିବା ଦିନ ବହୁତ କାନ୍ଦିଲେ । ବାପାଙ୍କ ଆଶା ଏବଂ ସମାଜରେ ବଞ୍ଚିବା ପାଇଁ ମୁଁ ବିଶାଖାପାଟଣା ଚାଲିଗଲି । 

     ଏମିତିରେ ମୋର ଗୋଟିଏ ମାସ ବିତିଗଲା । ପ୍ରଥମ ମାସ ଦରମା ପାଇବାର ଦୁଇଦିନ ପୂର୍ବରୁ ମାଆଙ୍କୁ ଫୋନ କଲି । ମାଆ କହିଲା ମୋ ପାଇଁ ଖଣ୍ଡେ ସମ୍ବଲପୁରୀ ପାଟ ଆଉ ଆଗକୁ ଶୀତ ଆସୁଛି ତେଣୁ ବାପାଙ୍କ ପାଇଁ ଖଣ୍ଡେ ସାଲ ଆଣିବୁ ।

   ମୁଁ ଦରମା ପାଇ ଘରକୁ ଫେରିବା ବାଟରେ ମାଆ ପାଇଁ ସମ୍ବଲପୁରୀ ପାଟଶାଢ଼ୀ, ବାପାଙ୍କ ପାଇଁ ସାଲ କିଣିଲି । ପ୍ରଥମ ଥର ପାଇଁ ଗୋଟେ ମାସ ବାପା ମାଆଙ୍କୁ ଦେଖିନଥିବା ଆଖି ଆନନ୍ଦରେ ଛଳ ଛଳ ହେଇଯାଉଥାଏ ।

  ଘରେ ପହଞ୍ଚିଲା ବେଳକୁ ମାଆ ବାପାଙ୍କ ମୁଣ୍ଡ ଉପରେ ବସିଥାଏ ।ମୁଁ ପଚାରିଲି ବାପାଙ୍କର କଣ ହେଇଛି ମାଆ ,ସେ ଏମିତି ଶୋଇଛନ୍ତି ? ଆଉ ବାପାଙ୍କ ଉପରେ ଏ ଛିଣ୍ଡା ସାଲ ? ମୋ ହାତରେ ଥିବା ଭଲ ସାଲଟିକୁ ବାପାଙ୍କ ଉପରେ ଘୋଡେ଼ଇ ଦେଲି ।

ମାଆ କାନ୍ଦି କାନ୍ଦି କହିଲା "ବାବୁରେ ତୋ ବାପାଙ୍କୁ କାଲି ଠାରୁ ଜ୍ୱର, ଛାଡିବା ନାଁ ଧରୁନି " .ଏ ଛିଣ୍ଡା ସାଲ ବି କାମ କରୁନି ।

   ମୁଁ ରିକ୍ସା ଡାକି ବାପାଙ୍କୁ ବଡ଼ ଡାକ୍ତରଖାନା ନେବା ବାଟରେ ବାପା ଆମକୁ ଛାଡି ଅଜଣା ଜାଗାକୁ ଚାଲିଗଲେ । ମାଆର ଆଶା ସମ୍ବଲପୁରୀ ଶାଢ଼ୀ ପିନ୍ଧା ସେମିତି ଆଶାରେ ରହିଗଲା ।

  

    ଆଜି ବାପାଙ୍କ ୯ମ ବାର୍ଷିକ ଶ୍ରାଦ୍ଧ । ବାପାଙ୍କ ଫୋଟୋ ପାଖରେ ତାଙ୍କର ସେହି ମାଟିଆ ସାର୍ଟ ପ୍ୟାଣ୍ଟ ଟୋପି ରଖାଯାଇଛି । କିନ୍ତୁ ତାଙ୍କ ବ୍ୟାଗଟିକୁ ମୋ ପୁଅ କାନ୍ଧରେ ପକେଇ ମୋ ମାଆ ଆଗରେ ବୁଲି ଆସିଲା । ମାଆ ମୋତେ ଡାକି କହିଲା ବାବୁରେ ଦେଖ ଏବେ ବି ତୋ ବାପା ବଞ୍ଚିଛନ୍ତି ।

    ସେଦିନ ପୁଅ କାନ୍ଧରେ ସେହି ମାଟିଆ ବ୍ୟାଗ ଦେଖିଲା ପରେ ବାପାଙ୍କ ସ୍ମୃତି ସବୁ ଲୁହ ହେଇ ମୋ ଆଖି କୋଣରୁ ଜକେଇ ଆସିଲା ।


#MyDadMyHero 


Rate this content
Log in