ବାଧ୍ୟ
ବାଧ୍ୟ


ଏ ତୁ କିଏ ?
ମୁଁ .....!
ତୋ ଭିତର ଭିଡ଼ ସ୍ପନ୍ଦନ ହସ ଖୁସି, ଆଶା ସ୍ବପ୍ନ ଜୀଇଁବା, ଜୀବନ ରାସ୍ତା ଦୁନିଆଁ।
ମୁଁ ବାପାର ଗେହ୍ଲେଇ ସୁନା ପ୍ରତିମା,ମା ର ରାଣୀ କଣ୍ଢେଇ । ଘରର ସୌନ୍ଦର୍ଯ୍ୟ।ମୋ ପାଇଁ ଘର ଘୋ ଘୋ ସୁନ୍ଦର।ମୁଁ ଅଛି ବୋଲିତ ତୁମେ ଜାଣିପାର ପର୍ବ ପର୍ବାଣୀର ଆହ୍ଲାଦ,ଉଲ୍ଲାସ। ମୁଁ "କନ୍ୟା" ରତ୍ନ।ବଂଶ ବୃକ୍ଷ। ଦୁଇ ପରିବାରର ସଂଯୋଗ ସେତୁ। ମୋଠୁ ଆରମ୍ଭ ସୃଷ୍ଟି।
ମୁଁ ଭାଇ ମୁହଁର ହସ। ରାକ୍ଷୀର ସଙ୍ଗୀତ। ସେହ୍ନର ପ୍ରତୀକ। ଖୁସିର ଝରଣା। ସଂସାର ଖୁସି। "ଭଗ୍ନୀ" ନିରୁତା ପ୍ରେମର ଅନ୍ୟନାମ।
ମେଞ୍ଚେ ସମ୍ମୋହନ ମୁଁ । ତୁମ ହୃଦର। ଦୁର୍ବାର ଆକର୍ଷଣ ତୁମ ମନର। ତୁମ ଚଲା ପଥର,ଜୀବନର,ଜନ୍ମର, ଆଜୀବନ ସାଥୀ। ସହକର୍ମୀ,ସହଧର୍ମୀ,ଅର୍ଦ୍ଧାଙ୍ଗିନୀ ;ତୁମ ଶେଜର ଉଷୁମ, ବୟସର ଅୟସ,କାମନାର ପୂର୍ତ୍ତି,ସ୍ୱପ୍ନର ଉଡାଣ,ସମ୍ଭାବନାର ପ୍ରେରଣା,ଉତ୍ସ,ପ୍ରୋତ୍ସାହନ। ପ୍ରେମର ପରିଭାଷା ମୁଁ ତୁମ ଜୀବନର। ସୌନ୍ଦର୍ଯ୍ୟ ଘରର,ମହକ ଜୀବନର,ବନ୍ଧନ ବିଶ୍ଵାସର।ସିନ୍ଦୁର, ଶଙ୍ଖା,ମଙ୍ଗଳ ସୂତ୍ର ଓ ଗୋଟେ ପରିଚୟ ତୁମ ଦ୍ବାର ପ୍ରଦତ୍ତ,ତୁମ "ପତ୍ନୀ"।ଦୁଃଖ ସୁଖ,ହସ କାନ୍ଦ,ଝଡ଼ ଝଞ୍ଜାର ଜୀବନ ତମାମ ଅଂଶୀଦାର। ସିନ୍ଦୁର କାଙ୍ଗାଳୀ,ଶଙ୍ଖା ପାଇଁ ରଙ୍କୁଣୀ,ପ୍ରେମ ପସିନ ପାଗେଳି।
ଦଶମାସର ଯନ୍ତ୍ରଣାକୁ ନୀଳକଣ୍ଠ ପରି ଖୁସି ଖୁସି ପିଉଥିବା "ମା"ଟିଏ ମୁଁ। ମୋ ବକ୍ଷର ଅମୃତ,ମୋ କୋଳର ଉଷ୍ଣତା,ମୋ ଆଖିର ଭାଷା,ମୋ ମୁହଁର ହସ ମୋ ସନ୍ତାନ।ମୁଁ ମା....।ପୃଥିବୀ,ଆକାଶ,ଜଳ ସ୍ଥଳ,ଜୀବନ,ଓ ଜଗତ,ଭୂମି ଓ ଭୁମା।ବାତ୍ସଲ୍ୟ ମମତାର ଗଙ୍ଗା । ଶାଶ୍ୱତ ପ୍ରେମର ପ୍ରତିମୂର୍ତ୍ତୀ,କଲ୍ୟାଣ ମୟୀ,ଦିବ୍ୟ ଚିନ୍ତାଚେତନାର ମୂଳପିଣ୍ଡ। ମା... ମା ଟିଏ ମୁଁ ।
ସତରେ ମୁଁ କିଏ ?
ନାରୀ !
ସ୍ନେହର ଝରଣା....
ମମତାର ସାଗର...
ସମ୍ମୋହନର ଇନ୍ଦ୍ରଜାଲ...
ସ୍ୱପ୍ନର ପ୍ରଜାପତି...
ହସର ବଗିଚା...
ବିଶ୍ୱାସର ଫଲ୍ଗୁ....
ଖୁସିର ଠିକଣା...
ଶାନ୍ତିର ଆକାଶ...
ତ୍ୟାଗର ବସୁଧା...
ପ୍ରେମର ଗଙ୍ଗା...
ଅଶାର ବୈତରଣୀ...
ମୁଁ ନାରୀ,ନଦୀ,ନିଆଁ....
ମୁଁ ଶକ୍ତି,ସୃଷ୍ଟି ,ସ୍ଥିତି,ପ୍ରଳୟ....
ମୁଁ ପୁରୁଷର ପ୍ରକୃତି....
ନାରୀ,ନାରାୟଣୀ।
ମୁଁ ଇତିହାସ,କିମ୍ବଦନ୍ତୀ,ବୀରର ମାତା,ବୀରର ରମଣୀ,ବୀରାଙ୍ଗନା।
କିନ୍ତୁ ଅବଶୋଷ.......
ମୁଁ ଏବେ କେବଳ ଭୋଗ୍ୟା । ସଉକର ଶିକାର।ମୁଁ ସୋନା ଗାଛିର ମନ ମୋହିନୀ। ବଳତ୍କାରର ଚରମ ସୀମାରେ ମୋ ଦେହ। ମୁଁ ରୂପ ଜୀବୀ… ବଦନାମ ଗଳିର ଝିଅ,କୋଠିର ମଧୁମାଳତୀ।
ଦେଖ ଡଷ୍ଟବିନରୁ ଟାଣି ଓଟାରି ନଵ ଜାତ ଶିଶୁକନ୍ୟା ହୁଏ କୁକୁରର ବ୍ରେକଫାଷ୍ଟ।ସେଇ ମୁଁ। ଜଙ୍ଗଲରୁ ଉଦ୍ଧାର ହୁଏ ନାବାଳିକାର ଆମ୍ପୁଡା,କାମୁଡ଼ା ଗଳିତ ଦେହ। ସେଇଟା ବି ମୁଁ। ଆଇସିୟୁରେ ମରଣ ସହ ଯୁଦ୍ଧରତ ପୋଡ଼ା ନବବଧୁର ନିରବ ଅସହ୍ୟ ଯନ୍ତ୍ରଣା ମୁଁ। ରସିରେ ଫ୍ୟାନରେ ଓହଳି ଥିବା ପରକ୍ରିୟା ପ୍ରୀତିରେ ମଜଗୁଲ ସ୍ୱାମୀର ଦୁଃଖିନୀ ସ୍ତ୍ରୀ।
ଦେଖ ଦେଖ ମୋତେ।ମୋ ଅସହାୟ ଜୀବନ ଅବେଳେ ଝଡେ।ସୀତା ଦ୍ରୌପଦୀ ଠାରୁ ଆଜିଯାଏ ମୁଁ ନରର ନାରୀ, ମାନବର ମାନସୀ, ପୁରୁଷର ପ୍ରକୃତି ପ୍ରେମର ପ୍ରେୟସୀ,ଲାଞ୍ଛିତ,ନିର୍ଯାତିତ,ପତିତ,କେବେ ଗଣ ଭୋଗ୍ୟା ତ କେବେ ଜଣ ଭୋଗ୍ୟା।
କିନ୍ତୁ କାହିଁକି ମୋର ଏ ଦୁଃର୍ଗତି !
କାରଣ ବୋଧେ ମୁଁ ନାରୀ ସର୍ବଂସହା !ଏହା ମୋ ଜନ୍ମ ଜାତକ । ମୁଁ ବାଣ୍ଟି ହେବି,ଦଳାଯିବି,ବଳତ୍କାର ହେବି। ହେବି କିନ୍ତୁ ପ୍ରେମର ,ତ୍ୟାଗର ପ୍ରତିମା। ସହନଶୀଳତାର ସୃଷ୍ଟିର ଉତ୍କର୍ଷ। ସ୍ୱପ୍ନର ରଙ୍ଗ,ଡେଣାର ଶକ୍ତି ଉଡାଣର ସାଥୀ !
କାରଣ ମୁଁ ନାରୀ.....।ମୋତେ ଏମିତି ହେବାକୁ ବାଧ୍ୟ ।