STORYMIRROR

Arjuni charan Behera

Children Stories Horror

3  

Arjuni charan Behera

Children Stories Horror

ବାବନାଭୁତ କଥା

ବାବନାଭୁତ କଥା

3 mins
114


ମୂଳ ବେଦବ୍ୟାସ କୃତ ସଂସ୍କୃତ ମହାଭାରତ କାହାଣୀ ସହ ଉତ୍କଳୀୟ ଲୋକ କଥାକୁ ଯୋଡ଼ି କାହାଣୀ ସୃଷ୍ଟିକରିବାରେ ସିଦ୍ଧହସ୍ତ ଆମ ମାଟିର ମହାକବି ସାରଳା ଦାସ ବିରଚିତ ମହାଭାରତର ଉଦଯୋଗ ପର୍ବରୁ ଏହି କାହାଣୀ l

ଶ୍ରୀକୃଷ୍ଣ ଯୁଦ୍ଧ ନହେବାପାଇଁ ହସ୍ତିନା ଦରବାରରେ ଶାନ୍ତିଦୂତଭାବେ ଯାଇ ପହଞ୍ଚିଲେ l ସେ ସମସ୍ତଙ୍କୁ ପାଣ୍ଡବ ମାନଙ୍କ ପ୍ରାପ୍ୟ ଅର୍ଦ୍ଧେକ ରାଜ୍ୟ ଫେରାଇ ଦେବା ପାଇଁ କହିଲେ l ବାୟୋବୃଦ୍ଧ ମାନେ ଏହା ଗ୍ରହଣ କରୁଥିଲେ ହେଁ,ଦୁର୍ଯ୍ୟୋଧନ କିନ୍ତୁ ଏହାକୁ ଗ୍ରହଣ କଲା ନାହିଁ l ଶେଷରେ ଶ୍ରୀକୃଷ୍ଣ ପାଞ୍ଚୋଟି ପଡ଼ା ଭିକ୍ଷାକଲେ l ଦୁର୍ଯ୍ୟୋଧନଙ୍କ ମନକୁ ଏକଥା ପାଇଲା l ଭୀଷ୍ମଙ୍କ ପରାମର୍ଶରେ,ଏହି ପ୍ରସ୍ତାବରେ ସେ ଦୁଇଖଣ୍ଡ ପଡ଼ା ଦେବାପାଇଁ ସ୍ଵୀକୃତି ଦେବାକୁ ଯାଉଛନ୍ତି,ହସ୍ତକ୍ଷେପ କରି ବସିଲେ ମାମୁଁ ଶକୁନି l ଶକୁନି କହିଲେ, ଆରେ ଭଣଜା ! ଇଏ ତୁ କଅଣ କରିବାକୁ ଯାଉଛୁ l ପାଣ୍ଡବମାନେ ତ ଖଣ୍ଡିଏ ମାତ୍ର ପଡ଼ା ପାଇବା ପାଇଁ ଯୋଗ୍ୟ ନୁହଁନ୍ତି l ସେମାନଙ୍କୁ କିଛିହେଲେ ଦିଅନାହିଁ l ସେ ଚତୁର କୃଷ୍ଣଟା ଯାଉ ଖାଲି ହାତରେ l ମାମୁଁ କଥାରେ ଦୁର୍ଯ୍ୟୋଧନ ଅଡ଼ି ବସିଲା,ବିନାଯୁଦ୍ଧରେ ସୁଚ୍ୟଗ୍ର ପରିମିତ ମେଦିନୀ ମଧ୍ୟ ମୁଁ ପାଣ୍ଡବ ମାନଙ୍କୁ ଦେବି ନାହିଁ l

ଏ ସମସ୍ତ ଘଟଣାକ୍ରମକୁ ଲକ୍ଷ୍ୟ କରୁଥଲେ ରାଣୀ ଭାନୁମତି l ସେ ଦୁର୍ଯ୍ୟୋଧନଙ୍କୁ କହିଲେ, ମାତୁଳ ଶକୁନିଙ୍କ କଥାରେ ପରିଚାଳିତ ହୋଇ, କୌଣସି ଗୁରୁ ଗୁରୁଜନ କଥା ତୁମେ ମାନିଲ ନାହିଁ l ତୁମେ ଶେଷରେ ଭଗବାନ ଶ୍ରୀକୃଷ୍ଣଙ୍କୁ କଟୁ ବଚନ କହି ଅବଜ୍ଞା କଲ l ପରିଶେଷରେ ତୁମମାନଙ୍କ ଅବସ୍ଥା ବିଶେଷକରି ମାମୁଁ ଶକୁନିର ଅଵସ୍ଥା ବାବନା ଭୂତ ପରି ହେବ l ଏପରି କହି ଭାନୁମତି ବାବନା ଭୂତ କାହାଣୀ କହିଲେ l

ବହୁ ପୁରା କାଳର କଥା, ତୁଙ୍ଗଭଦ୍ରାନଦୀ କୁଳରେ ଜ୍ଞାନପୁର ନାମରେ ଏକ ଗ୍ରାମ ଥିଲା l ସେ ଗ୍ରାମକୁ ଲାଗି ଏକ ବିରାଟ ଭୟଙ୍କର ମଶାଣୀ ଥିଲା l ସେ ମଶାଣୀରେ ବାସ କରୁଥିଲା ବାବନା ଭୁତ l ତାହା ଅଧୀନରେ ଅସଂଖ୍ୟ ପିଶାଚ ଭୂତପ୍ରେତ ଡାହାଣୀ ଚିରୁଗୁଣୀ ସବୁ ଥିଲେ l ବାବନା ଭୂତ ନିର୍ଦ୍ଧେଶରେ ସେମାନେ ସେହି ବାଟଦେଇ ଯାଉଥିବା ବାଟୋଇ ମାନଙ୍କୁ ଢେଲା ପଥର ପକାଇ ନାନାଦି ହଇରାଣ ହରକତ କରନ୍ତି l ଅନ୍ଧାର ରାତ୍ରୀରେ ସେମାନଙ୍କୁ ଦେଖି କେହି ଯଦି ଭେଟଣା ହୋଇଗଲା, ତେବେ ରକ୍ତ ବାନ୍ତି କରି ମରି ଯାଉଥିଲା l ଭୁତ ମାନଙ୍କର ଏହିଭଳି ଉତ୍ପାତରେ ଗାଆଁ ଲୋକେ ଭଗବାନଙ୍କ ଭରସାରେ ବଡ କଷ୍ଟରେ ଦିନ କାଟୁଥାନ୍ତି l

ଭଗବାନ ଦିନେ ଲୋକ ମାନଙ୍କ ଡାକ ଶୁଣିଲେ l ସୋମରାଷ୍ଟ୍ର ଦେଶରୁ ଶୁଦ୍ରକ ରାଉଳ ଆସି ସେହି ଗାଁରେ ପହଞ୍ଚିଲେ,ତାଙ୍କୁ ଗୁଣିଗାରୁଡ଼ି ଜଣାଥିଲା l ଲୋକମାନେ ରାଉଳଙ୍କୁ ପାଇ ଖୁସି ହୋଇ ତାଙ୍କ ପାଇଁ ଘରଦ୍ଵାର କରିଦେଲେ l ରାଉଳ ପିଲାଛୁଆ ଧରି ସେହି ଗ୍ରାମରେ ବାସକଲେ l ସେ ପରିବାର ଚଳାଇବାପାଇଁ ସ୍ଥିରକଲେ ବଡ଼ ମଶାଣୀକୁ ଲାଗି ଯେଉଁ ଅନାବାଦି ଜମି ଅଛି ତାକୁ ତାଡ଼ି ଚାଷକରି ଜୀବିକା ନିର୍ବାହ କରିବେ l 

ମନକଥା ସେ ଗାଆଁ ଲୋକଙ୍କୁ କହିବାରୁ ଲୋକେ ତାଙ୍କୁ ବାବନାଭୁତ କଥା କହି ଏ କାମ ନ କରିବା ପାଇଁ କହିଲେ l ଲୋକମାନେ ରାଉଳଙ୍କୁ ବାବନା ଭୁତ ଓ ତା' ଅନୁଚର ମାନଙ୍କ ଉପଦ୍ରବରୁ କିପରି ହରକତ ହେଉଛନ୍ତି, କିପରି ଲୋକ ମାନଙ୍କୁ ସେ ମୃତ୍ୟୁମୁଖରେ ପକାଏ ସବୁକଥା କହିଲେ l

ଶୁଦ୍ରକ ରାଉଳ କହିଲା,ମୁଁ କେତେ ଭୁତ ପ୍ରେତଙ୍କୁ ଏଇ ହାତରେ ସାବାଡ଼ କରିଦେଇଛି l ଏଇ ଛାର ବାବନାଟା ଆଉ କେତେ କି ! ମୁଁ ଯାଉଛି ଏ ବର୍ଷ ସେହି ଜମିରେ ମାଘତିଳ ଚାଷ କରିବି l ମୋତେ ତୁମେ ମାନେ ଖାଲି ହଳ ଚାରିଟା ଯୋଗାଡ଼ କରି ଦିଅ, ତେଣିକି ମୋ ଦାୟିତ୍ଵ l ଖାଲି ଚାଷ ଆରମ୍ଭ କରେ ନା ମୁଁ l ଦେଖିବ ବାବନାଟା କୁଆଡ଼େ ଛାଡ଼ି ପଳାଇ ଯିବ l

ଲୋକମାନେ ଯୋଗାଡ଼ କରି ଦେବାରୁ ରାଉଳେ ମଶାଣି ଜମିରେ ହଳ ବୁଲାଇଲେ l ଏହା ଦେଖି 

ଅନୁଚର ଭୁତ ମାନେ ଯାଇ ବାବନା ଭୁତକୁ ସବୁ କଥା ଜଣାଇଲେ l ବାବନା ଖୁବ୍ ରାଗିଗଲା l ତା ନିର୍ଦ୍ଦେଶରେ ଶହଶହ ଭୁତ ଆସି କିଳିକିଳା ନାଦ କରି ହଳିଆ ମାନଙ୍କୁ ଭୟଭୀତ କଲେ l ହଳିଆ ମାନଙ୍କ ପିଳେହି ପାଣି ହେଇଗଲା l

ଏତିକିବେଳେ ଶୁଦ୍ରକ ରାଉଳ ଆସି ସେଠି ପହଞ୍ଚି ଗୁଣିଗାରୁଡ଼ି ପ୍ରୟୋଗକରି ତାଙ୍କୁ ଦଉଡ଼ିରେ ବାନ୍ଧି ପକାଇ ଠେଙ୍ଗାରେ ଜୋରରେ ପାହାରେ ଲେଖାଏଁ କଷି ଦେଲେ l ଭୁତସବୁ ଆଉ ଯାଆନ୍ତି କୁଆଡ଼େ l ଯୋଡ଼ ହସ୍ତରେ ରାଉଳଙ୍କୁ ମୁକ୍ତି ଦେବାକୁ ପ୍ରାର୍ଥନା କଲେ l ରାଉଳ କହିଲେ, ଯଦି ତାକୁ ୬୦ ପଉଟି ତିଳ ସେମାନେ ଦେବେ, ତେବେ ସେମାନଙ୍କୁ ମୁକ୍ତି ମିଳିବ l ସେମାନେ ରାଜିହେଲେ ଏବଂ ବାବନାକୁ ଯାଇ ସବୁକଥା କହିଲେ l ବାବନାଭୁତ କିନ୍ତୁ ତିଳ ଦେବାକୁ ରାଜି ହେଲାନାହିଁ, କହିଲା କୁଆଡୁ ଇଏ କେଉଁ ରାଉଳ ଆସିଛି ତାକୁ ମୁଁ ଦେଖିଦେବି l 

ରାଉଳ ହଳରୁ ଫେରି ଘରେ ପହଞ୍ଚି ଦେଖିଲା ତା ପୁଅ ଖାଲି ନାଚିକୁଦି ଚିତ୍କାର କରୁଛି l ନାନା କଥା ସବୁ ବକୁଛି l ରାଉଳ ଜାଣିଗଲା ତାକୁ ଭୁତ ଗ୍ରାସ କରିଛି l ରାଉଳ ମନ୍ତ୍ର ପଢ଼ି ବାବନା ଭୂତକୁ ବହେ ପିଟିଲା l ନାକକାନ ଘଷି ହୋଇ ବାବନା ଷାଠିଏ ପଉଟି ତିଳ ଆଣି ରାଉଳକୁ ଦେଲା ଓ ତାର ଦଳ ବଳ ନେଇ କୁଆଡ଼େ ପଳାଇଲା ଯେ ତା'ର ଆଉ ପତ୍ତା ମିଳିଲାନାହିଁ l ଗାଆଁ ଲୋକ ମାନେ ଶୁଦ୍ରକ ରାଉଳକୁ ଧନ୍ୟ ଧନ୍ୟ କରି ଖୁସିରେ ରହିଲେ l

କଥା ଶେଷ କରି ଭାନୁମତି କହିଲେ:-

 ଯେହୁ ବହୁଜନ ତେଜେ ନିଜ ମତ ଘେନି l

 କାଳେ ବାବନାପରାୟେ ହୋଇବ ଶକୁନି ll

         


Rate this content
Log in