Himalini Hota

Others

4  

Himalini Hota

Others

ଅଷ୍ଟ କଳାନାଗ

ଅଷ୍ଟ କଳାନାଗ

5 mins
845


ପିଲା ଦିନୁ ଦେଖିଆସିଛି ମୋ ଅଜାଙ୍କ ଘରେ ନାଗ ଦେବତାଙ୍କୁ ପୂଜା କରାଯାଏ । ଦଶହରା ସମୟରେ ଏବଂ ବାହା ଘର,ବ୍ରତ ସମୟରେ ପ୍ରଥମେ ନାଗ ଦେବତାଙ୍କୁ ପୂଜା କରିବା ତାଙ୍କ ଘରର ନିୟମ ଥିଲା । ସାଧାରଣତଃ ବ୍ରାହ୍ମଣ ପରିବାରରେ ନାଗ ଦେବତାଙ୍କୁ ଘରର ଇଷ୍ଟ ଭାବେ ପୂଜା କରାଯାଇନଥାଏ ତେଣୁ ଘଟଣା କଣ ଜାଣିବା ପାଇଁ ମନରେ କୌତୁହଳ ଜାତ ହେଲା । ସନ୍ଦେହ ମୋଚନ ପାଇଁ ବୋଉଙ୍କ ଆଗରେ ଜିଜ୍ଞାସା ରଖି ପଚାରିଲି ଏବଂ ବୋଉଙ୍କ ଠାରୁ ଶୁଣିଲି ତାଙ୍କ ପୂର୍ବ ପୁରୁଷର କାହାଣୀ । 

ଅଜାଙ୍କ ପୂର୍ବ ପୁରୁଷ ମାନେ ବହୁତ ସମ୍ଭ୍ରାନ୍ତ ଥିଲେ । ଓ ସେମାନେ ରାଜ ଦରବାରରେ କାର୍ଯ୍ୟ କରୁଥିଲେ । ସେହିମାନଙ୍କ ମଧ୍ୟରୁ ଜଣେ ଦମ୍ପତିଙ୍କର ଦ୍ୱିତୀୟ ଗର୍ଭରେ ଦୁଇଟି ଯମଜ ନାଗ ସନ୍ତାନ ଜନ୍ମ ଲାଭ କରିଥିଲେ । ପ୍ରଥମରେ ସେମାନଙ୍କ ଗୋଟିଏ କନ୍ୟା ସନ୍ତାନ ଥିଲା । ନାଗ ଛୁଆ ଦୁଇଟିର ଜନ୍ମ ପରେ ସେମାନଙ୍କୁ ଦେଖି ସମସ୍ତେ ଭୟ କଲେ । କିନ୍ତୁ ମା ତ ସବୁବେଳେ ମା ସେ କିପରି ତାର କର୍ତବ୍ୟରେ ସ୍ନେହ ମମତା ଦେବାରେ ଅବହେଳା କରିପାରିବ,ଛୁଆ ଦୁଇଟିକୁ ମା ତାର ଅତି ଯତ୍ନରେ ଲାଳନ ପାଳନ କଲା । ପାଞ୍ଚ ଦିନରେ ପଞ୍ଚୁଅତି କଲା ଆଠ ଦିନରେ ଆଠୁଆରୀ ପାଣି ଗାଧେଇଲା ,ଏକୋଇଶ ଦିନରେ ଏକୋଇଶିଆ ବିଧି ମତେ ପାଳନ କଲା । ଅଷ୍ଟ କଳା,ଚନ୍ଦ୍ର କଳା ବୋଲି ଦୁଇ ପୁତ୍ରଙ୍କ ନାମକରଣ କଲା । ଦୁଇଟି ଦୋଳି ପକାଇ ପିଲା ଦୁଇଟିକୁ ସୁଆଇଲା । ଏହିପରି କେତେ ଦିନ ବିତିଗଲା । ଦିନେ ମାଆଟି ଝିଅକୁ କହିଲା ଝିଅ ମୁ ଗାଧେଇବାକୁ ଯାଉଛି,ଚୁଲିରେ କ୍ଷୀର ଗରମ କରି ରଖିଛି,ଭାଇ ଦୁଇଟି ଯଦି ଉଠିପଡିବେ କ୍ଷୀର ପିଇବାକୁ ଦେବୁ । ଛୋଟ ଝିଅଟି ମା କଥାରେ ହଁ କଲା । ମା ଯିବା ପରେ ଛୋଟ ନାଗ ଛୁଆଟି ଉଠିପଡ଼ି ଭଉଣୀର ଗୋଡ଼ରେ ଗୁଡେଇ ହୋଇ ଖାଇବାକୁ ମାଗିଲା । ଗୋଡରେ ଗୁଡେଇ ହୋଇ ପଡିବାରୁ ଝିଅଟି ଭ ଭୀତ ହୋଇ ମା କହିବା ଅନୁସାରେ ଗରମ କ୍ଷୀର ଗିନାଟା ନାଗ ଛୁଆ ଆଗରେ ରଖି ଦେଇ ଦୌଡ଼ି ପଳେଇଲା । ନାଗ ଛୁଆଟି ସାଙ୍ଗେ ସାଙ୍ଗେ କ୍ଷୀର ଗିନା ଭିତରେ ମୁହଁ ପୁରେଇଦେଲା କ୍ଷୀର ପିଇବା ପାଇଁ । ଫୁଟିଲା କ୍ଷୀରରେ ମୁହଁ ମାରିବା ଯୋଗୁ ନାଗ ଛୁଆଟି ସାଙ୍ଗେ ସାଙ୍ଗେ ମରିଗଲା । ମାଆଟି ଗାଧେଇ ସାରି ଘରକୁ ଆସିଦେଖିଲା ଗୋଟେ ଛୁଆ ଦୋଳିରେ ନାହିଁ । ବ୍ୟସ୍ତ ହୋଇ ଚାରିଆଡେ ଖୋଜିଲା ,ଦେଖିଲା ବେଳକୁ ଛୁଆଟି ଗରମ କ୍ଷୀରରେ ପଡ଼ି ମୃତ୍ୟୁ ବରଣ କରିଛି । ବିକଳରେ କ୍ରନ୍ଦନ କଲା ମାଆଟି । ବିଧିର ବିଧାନ ଏଇଆ ଥିଲା ଭାବି କାନ୍ଦି କାନ୍ଦି ଅନ୍ୟ ଛୁଆଟିକୁ ଯତ୍ନରେ ଲାଳନ ପାଳନ କରି ରହିଲା । ତା ପରେ ପରେ ଆଉ ଚାରଟି ପୁତ୍ର ସନ୍ତାନର ଜନନୀ ହେଲା ମାଆଟି । ପିଲାମାନେ ଧୀରେ ଧୀରେ ବଡ଼ ହେଲେ ,ତାଙ୍କ ସହ ନାଗ ଛୁଆ ବି ବଡ଼ ହେଲା । ନାଗ ପୁତ୍ରଟି କାହାକୁ କିଛି ନ କଲେ ମଧ୍ୟ ଆକାରରେ ବଡ଼ ହେଇଯିବାରୁ ସମସ୍ତେ ଭୟ କଲେ ତାକୁ । ଏପରିକି ସାଇ ପଡିଶା ମଧ୍ୟ । ସମସ୍ତେ ତାକୁ ଘରୁ ବାହାର କରିଦେବାକୁ କହିଲେ । ମାଆଟି ବହୁତ କାନ୍ଦିଲା । ନିଜ ଛାତିରୁ କ୍ଷୀର ଖୁଆଇ ବଡ଼ କରିଛି ତାକୁ । କେମିତି ତାକୁ ଘରୁ ବାହାର କରିବ । କିନ୍ତୁ ସମସ୍ତେ ତାକୁ ବାଧ୍ୟ କରିବାରୁ ସେ ଦିନେ କାନ୍ଦି କାନ୍ଦି ନାଗ ପୁତ୍ରକୁ କହିଲା--- ବାପା ତୁ ବଡ଼ ,

ହେଇଯିବାରୁ ସମସ୍ତେ ତତେ ଦେଖି ଭୟ କରୁଛନ୍ତି,କିଏ ତତେ ମାରିଲେ ମୁଁ ସହ୍ୟ କରିପାରିବିନି ତେଣୁ ତୁ ଆଉ ଏ ଘର ଭିତରେ ନରହି ବାଡ଼ି ପଟ ବିଳାରେ ଯାଇ ରହ । ଆଉ ମୋ ଆଖି ସାମ୍ନାରେ ରହ । ନାଗ ପୁତ୍ରଟି ମଧ୍ୟ ମାର ଲୋତକ ପୂର୍ଣ ଆଖିକୁ ଦେଖି ସବୁ ବୁଝିପାରିଲା ପରି ବାଡିପଟ ବିଳାକୁ ଚାଲିଗଲା । 

କାଳକ୍ରମେ 4 ପୁତ୍ର ଓ କନ୍ୟା ବଡ ହେଲେ । ଏ ଦମ୍ପତ୍ତି ମଧ୍ୟ ବାର୍ଦ୍ଧକ୍ୟରେ ଉପନୀତ ହେଲେ,ନିଜର ସବୁ ସମ୍ପତ୍ତିକୁ ଭାଗ କରି ପୁତ୍ର ମାନଙ୍କ ମଧ୍ୟରେ ବାଣ୍ଟି ଦେବାକୁ ମନସ୍ଥ କଲେ । ଭଦ୍ର ଲୋକଙ୍କ ସାମ୍ନାରେ ଧନ ରତ୍ନ ସବୁ ଚାରି ଭାଗ କରି ରଖାଗଲା । ଏହି ସମୟରେ ମାଆଟି ବାଡ଼ି ପଟକୁ ଯାଇ ବାହୁନି ବାହୁନି କାନ୍ଦିଲେ ଓ ନାଗ ଛୁଆଙ୍କ ଉଦେଶ୍ୟରେ କହିଲେ ---ତୁ ଯଦି ଆଜି ମଣିଷ ଜନ୍ମ ପାଇଥାନ୍ତୁ ତେବେ ତୋ ନାଆଁରେ ମଧ୍ୟ ଆଜି ସମ୍ପତ୍ତି ଭାଗ ହେଇଥାନ୍ତା । ତୁ ମୋର ଜ୍ୟେଷ୍ଠ ପୁତ୍ର ହୋଇ ମଧ୍ୟ ନାଗ ଜନ୍ମ ପାଇ ଥିବାରୁ କିଛି ବି ପାଇଲୁ ନାହିଁ । ମାଙ୍କର କ୍ରନ୍ଦନ ଶୁଣି ନାଗ ପୁତ୍ର କୁଆଡେ ଥିଲା ପଳେଇ ଆସି ଯେଉଁ ଭାଗଟି ଜ୍ୟେଷ୍ଠ ପୁତ୍ର ନାମରେ କରାଯାଇଥିଲା ସେ ଭାଗ ଟିକୁ କୁଣ୍ଡଳୀ କରି ଠିଆ ହୋଇପଡିଲା । ଅନ୍ୟ ଭାଇ ମାନେ ଏସବୁ ଦେଖି ଭୟରେ ଛିନ୍ନଛତର ହୋଇ ଦୌଡ଼ି ପଳେଇଲେ । (ପୂର୍ବରୁ ମୁ କହିଥିଲି ପୂର୍ବ ପୁରୁଷ ମାନେ ବହୁତ ଧନୀ ଥିଲେ ତେଣୁ ସୁନା,ରୂପା ,ଅଳଙ୍କାର ସବୁ ଗଦା କରି ରଖି ଭାଗ କରାଯାଇଥିଲା । )ଶେଷରେ ଭାଇ ମାନେ ନାଗ ଭ୍ରାତାଙ୍କୁ କହିଲେ--ଏ ଜନ୍ମରେ ତ ଭାଇ ତୁମେ ଏ ସବୁ ଭୋଗ କରିପାରିବ ନାହିଁ ତେଣୁ ଆମେ ତୁମ ଭାଗର ସମସ୍ତ ସମ୍ପତ୍ତିକୁ ହାଣ୍ଡିରେ ପୋତି ରଖି ଦେଉଛୁ ଏବଂ ତୁମେ ଯେବେ ମଣିଷ ଜନ୍ମ ପାଇବ ସେତେବେଳେ ଏ ସମ୍ପତ୍ତି ଭୋଗ କରିବ । 

ଭାଇ ମାନେ ସେମାନଙ୍କ କଥା ଅନୁସାରେ ସାତଟି ହାଣ୍ଡିରେ ସବୁ ସୁନା ରୁପା ରଖି ପୋତି ଦେଲେ ଘର ମଝିରେ । ନାଗ ପୁତ୍ର ମଧ୍ୟ ସେ ଜାଗା ଛାଡି ପୂର୍ବ ଜାଗାକୁ ଚାଲିଗଲେ । କାଳ କ୍ରମେ ସମୟ ଅତିକ୍ରାନ୍ତ ହେଲା । ତାଙ୍କ ପର ଠାରୁ ପୁରୁଷ ପୁରୁଷ ଧରି ଏହି ବଂଶର ଲୋକ ମାନେ ଅଷ୍ଟ କଳା ନାଗଙ୍କୁ ଘର ଇଷ୍ଟ ଭାବେ ପୂଜା କରି ଆସିଲେ । 

ଧୀରେ ଧୀରେ ଏହି ସତ୍ୟ ଘଟଣାଟି କାହାଣୀରେ ପରିଣତ ହେଲା । କେହି କେହି କଥାଟିକୁ ଗପ ଭାବି ହସି ଉଡେଇଲେ ମଧ୍ୟ ସେତେବେଳକୁ ଅଜାଙ୍କର ଯୁବକ ସମୟ । ଅଜାଙ୍କର ଥିଲେ ୩ ଭାଇ,ଅଜାଙ୍କର ବାପା ଘର ତିଆରି କରିବା ପାଇଁ ମନସ୍ଥ କଲେ,ଅଜାଙ୍କର ଅନ୍ୟ ଦୁଇ ଭାଇ ଏହି କାହାଣୀର ସତ୍ୟତା ପରୀକ୍ଷା କରିବା ପାଇଁ ଗୃହ ମଝିରେ ଖୋଳିବା ପାଇଁ ମନସ୍ଥ କଲେ । ପୁରା ଘର ଖୋଳ ହେଲା । କାରଣ କାହାଣୀରେ ବର୍ଣିତ ଅଛି ଯେ ପ୍ରଥମେ ଗୋଟେ ଚଟାଣ ଅଛି ଓ ତା ତଳେ ହାଣ୍ଡି ଗୁଡିକ ଧାଡିରେ ପୋତା ହେଇଅଛି । ବହୁତ ଖୋଳିଲା ପରେ ଚଟାଣଟି ବାହାରିଲା ଓ ତା ପରେ ହାଣ୍ଡି ଗୁଡିକ ମଧ୍ୟ । ହାଣ୍ଡିକୁ ଖୋଲି ଦେଖିଲା ବେଳକୁ ଦେଖାଗଲା ସେଥିରେ ମୁଣ୍ଡା ମୁଣ୍ଡା ଅଙ୍ଗାର ଭର୍ତ୍ତି ହୋଇଅଛି । ଯେହେତୁ ନାଗ ଦେବତାଙ୍କ ଭାଇ ମାନେ କହିଥିଲେ ନାଗ ପୁତ୍ର ମଣିଷ ଜନ୍ମ ପାଇଲା ପରେ ହିଁ ସମ୍ପତ୍ତି ଭୋଗ କରିପାରିବ ତେଣୁ ୩ ଭାଇ ଯାକ ଅଙ୍ଗାରଗୁଡିକୁ ଛୁଇଁ ଦେଖିଲେ କାଳେ ସେମାନଙ୍କ ମଧ୍ୟରୁ କିଏ ନାଗ ପୁତ୍ର ହୋଇଥିବ, ଅଙ୍ଗାର ଗୁଡିକୁ ଛୁଇଁଲେ ସୁନା ମୁଣ୍ଡାରେ ପରିଣତ ହେବ କିନ୍ତୁ ସେପରି କିଛି ହୋଇନଥିଲା । 

ତେଣୁ ହାଣ୍ଡି ଗୁଡିକୁ ଯେମିତି ଥିଲା ସେମିତି ରଖି ମାଆଟିରେ ପୋତି ଦେଇ ତା ଉପରେ ଗୃହ ନିର୍ମାଣ କରିଦେଲେ । କାହାଣୀର ସତ୍ୟତା ଉପଲବ୍ଧି କରିଥିଲେ ସେମାନେ । କାଳ କ୍ରମେ ଅଜା ମଧ୍ୟ ଚାଲିଗଲେ ଆରପାରିକୁ । ତାଙ୍କ ଭାଇ ମାନେ ମଧ୍ୟ ଚାଲିଗଲେ । ମାମୁଁ ମାନେ ସମସ୍ତେ ଉଚ୍ଚ ପଦବୀରେ ଥିବାରୁ ଗାଁ ଘରକୁ ବିକ୍ରି କରି ସହରରେ ରହିବକୁ ମନସ୍ଥ କଲେ । ଗୃହ ବିକ୍ରି କରିବା ଦିନ ଦେଖିଲେ ବାଡିପଟ ଘର କାନ୍ଥର କାଠରେ ଝୁଲୁଛି ନାଗ ସାପ । ଶତଚେଷ୍ଟା ପରେ ମଧ୍ୟ ସାପଟି ନ ଯିବାରୁ ବାଧ୍ୟ ହୋଇ କେଳାକୁ ଡାକି ସାପକୁ ହସ୍ତାନ୍ତର କରି ଗୃହ ବିକ୍ରି କରି ଯେ ଯାହାର ଭାଗ ନେଇ ସହରକୁ ପ୍ରତ୍ୟାବର୍ତ୍ତନ କଲେ । 

ଏହି ଘଟଣାର ପ୍ରାୟ ୨୦ ବର୍ଷ ପରେ

ଦିନେ ହଟାତ ମୋ ସାନ ଭଉଣୀକୁ ସ୍ୱପ୍ନ ହେଲା ----ଗୋଟେ ନାଗ ସାପ ପୁରା ଦୁର୍ବଳ ଶରୀର ଫଣା ଟେକି ପାରୁନି ବନ୍ଦୀ ହୋଇ ରହିଛି ଏବଂ ଆକୁଳରେ କହୁଛି ମୁଁ ଜନ୍ମ ନେବାକୁ ଚାହୁଁଛି ମତେ ମୁକ୍ତି ଦିଅ । ସେତେବେଳେକୁ ଭଉଣୀର କେରିଂ ଷ୍ଟେଜ ୭ ମାସ ଚାଲୁଛି । ପ୍ରାୟ ସବୁଦିନେରାତିରେ ଏକା ପ୍ରକାର ସ୍ୱପ୍ନ ହେବାରୁ ବ୍ୟସ୍ତ ହୋଇପଡିଲେ ଭଉଣୀ,ଭିଣେଇ । ସମସ୍ତଙ୍କୁ କହିଲେ ବିଭିନ୍ନ ଲୋକ ବିଭିନ୍ନ ମତ ଦେଲେ । କେହି କେହି ହସି ଉଡେଇଦେଲେ । କିଛି ବି ସିଦ୍ଧାନ୍ତରେ ପହଞ୍ଚି ପାରିଲେ ନାହିଁ । ଶେଷରେ ଜଣେ ମନ୍ଦିର ପୂଜକ ପରାମର୍ଶ ଦେଲେ, ଯଦି ଗୟାରେ ନାଗ ଦେବତାଙ୍କର ଶ୍ରାଦ୍ଧ ଦିଆଯାଇପାରିବ ତେବେ ଯାଇ ସେ ମୁକ୍ତି ପାଇ ପାରିବେ । କିନ୍ତୁ ଏ ଶ୍ରାଦ୍ଧ ତାଙ୍କ ବଂଶର ଲୋକ ଦ୍ୱାରା ହି କରିବାକୁ ହେବ । ଇଏ ବି ଗୋଟେ ସମସ୍ୟା କିନ୍ତୁ ଅନୁରୋଧ ରକ୍ଷା କରି ମାମୁଁ ସ୍ୱପ୍ନର ସତ୍ୟତା ଉପଲବ୍ଧି କରି ଗୟା ଯାଇ ୧୦୮ ପୁରୁଷଙ୍କୁ ବିଧି ମତେ ଶ୍ରାଦ୍ଧ ଦେଲେ । ଏବଂ ସେ ଦିନ ଠାରୁ ଆଜି ଯାଏ ଆଉ କୌଣସି ସ୍ୱପ୍ନ କେହି ଦେଖିନାହାନ୍ତି । ବିଶ୍ୱାସ ନ ହେଲେ ବି କଥାଟି ସତ୍ୟ ଅଟେ ।



Rate this content
Log in