ଅପମାନ
ଅପମାନ


ରୁଦ୍ର ମାଆ ଛେଉଣ୍ଡ ଛୁଆଟିଏ। ତା ବାପା ଜଣେ ବହୁତ ବଡ଼ ବ୍ୟବସାୟୀ। ରୁଦ୍ର ବହୁତ ଗେହ୍ଲା ତା ବାପାଙ୍କର। ଧନୀ ଘର ଛୁଆ... ସେଥିପାଇଁ ସେ ଦୁଷ୍ଟାମି ହୋଇ ଯାଇଛି।
ବିଦ୍ୟାଳୟରେ ରୁଦ୍ର ବହୁତ ବଦମାସୀ କରେ। ହେଲେ କୌଣସି ବି ଶିକ୍ଷକ ଶିକ୍ଷୟତ୍ରୀ ତା ବାପାଙ୍କ ଡରରେ କେବେ ବି ତାକୁ କିଛି କୁହନ୍ତି ନାହିଁ....କି ତା ବାପାଙ୍କୁ କିଛି କୁହନ୍ତି ନାହିଁ। ଏହା ଦ୍ୱାରା ରୁଦ୍ରର ଦୁଷ୍ଟାମିର ସୀମା ବୃଦ୍ଧି ପାଇବାରେ ଲାଗିଛି।ଛୁଆମାନଙ୍କୁ ପିଟିବା, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଥଟ୍ଟା କରିବା ଆଦିରେ ବ୍ୟସ୍ତ ରହୁଥାଏ।
ନଚିକେତ ସାର ଛଅ ମାସ ହେବ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଜାଣି ନ ଥିଲେ ରୁଦ୍ର ମାଆ ଛେଉଣ୍ଡ ଛୁଆ ବୋଲି।କେବଳ ଏତିକି ଜାଣି ଥିଲେ ରୁଦ୍ର ଗୋଟିଏ ଧନୀ ଘରର ବଦମାସ ଛୁଆ।
ଦିନେ ନଚିକେତ ସାର ରୁଦ୍ରର ଦୁଷ୍ଟାମିରେ ବିରକ୍ତ ହୋଇ ତା ବାପାଙ୍କୁ ବିଦ୍ୟାଳୟକୁ ଡାକି ଅଫିସରେ ସବୁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମ୍ମୁଖରେ ରୁଦ୍ରକୁ ନାନା କଟୁ ତିକ୍ତ କଥା କହି ଗାଳି ଦେଲେ ଆଉ ତା ବାପାଙ୍କୁ ଛୁଆକୁ ଠିକ୍ ଭାବରେ ସଂସ୍କାରରେ ରଖି ବଢାଇବାକୁ ଉପଦେଶ ଦେଲେ।
ରୁଦ୍ରର ବାପା ବହୁତ ରାଗି ଲୋକ। ତାଙ୍କୁ ପୁଅ ପାଇଁ ମୁଣ୍ଡ ତଳକୁ ହେଲା ପରି ଲାଗିଲା। ରୁଦ୍ର ଉପରେ ରାଗି ତାକୁ ସୈନିକ ସ୍କୁଲ ପଠାଇ ଦେଲେ। ରୁଦ୍ର ହଠାତ୍ ତା ବାପା, ସାଙ୍ଗସାଥି ଠାରୁ ଦୂରେଇ ଯିବାରୁ ନଚିକେତ ସାରଙ୍କ ଉପରେ ରାଗି ତମତମ ହୋଇଛି....ସାର ତାକୁ ଅପମାନ କରିଛନ୍ତି...। ଜୀବନରେ ଆଉ କେବେ ବି ସେ ସାରଙ୍କ ସହ କଥା ହେବ ନାହିଁ ବୋଲି ମନେ ମନେ ସ୍ଥିର କରିଛି।
ନଚିକେତ ସାର ବି ପରେ ରୁଦ୍ରର ପରିବାର ବିଷୟରେ ଜାଣି ମନ ଦୁଃଖ କରିଛନ୍ତି... ମାଆ ଛେଉଣ୍ଡ ଛୁଆଟା ତାଙ୍କ ପାଇଁ ତା ବାପାଠାରୁ ଦୂରେଇ ଯାଇଛି।
ଏମିତି ତିରିଶ ବର୍ଷ କଟି ଗଲାଣି। ଏବେ ନଚିକେତ ସାର ବୃଦ୍ଧ।ଚାକିରୀରୁ ଅବସର ପ୍ରାପ୍ତ।ସେ ପ୍ରାୟ ରୁଦ୍ର କଥା ମନେ ପକାନ୍ତି... କିନ୍ତୁ ରୁଦ୍ର ବିଦ୍ୟାଳୟ ଛାଡିଲା ପରେ କେମିତି ଅଛି... କଣ କରୁଛି ସେ ଆଉ ଜାଣି ପାରି ନାହାନ୍ତି।
ସେଦିନ ଗୁରୁ ଦିବସ ଥାଏ। ସକାଳ ସମୟ। ନଚିକେତ ସାର ଗେଟ୍ ପାଖରେ ବସି ଖବରକାଗଜ ପଢୁଥାନ୍ତି। ହଠାତ୍ ଗୋଟିଏ ଯୁବକ ସୈନ୍ୟ ପୋଷାକ ପିନ୍ଧି ତା ତିନି ବର୍ଷର ଛୁଆକୁ ନେଇ ସାରଙ୍କ ପାଖକୁ ଆସିଛନ୍ତି। ଆଉ ପାଦ ତଳେ ପଡି ନମତମ ପ୍ରଣାମ କରିଛନ୍ତିା
ସାର ହଠାତ୍ ଚିହ୍ନି ନ ପାରି ଚଷମାକୁ ପୋଛି ପୋଛି ପଚାରୁଛନ୍ତି... ତୁମେ କିଏ ବାବୁ। ମୁଁ ଯେ ତୁମକୁ ଚିହ୍ନି ପାରୁ ନାହିଁ।
ଉତ୍ତରରେ ସାର ଶୁଣିଲେ... ସାର ଆପଣ ଜାଣି ପାରୁ ନାହାନ୍ତି.... ମୁଁ ପରା ଆପଣଙ୍କ ଦୁଷ୍ଟ ଛାତ୍ର ରୁଦ୍ର। ଆଉ ଛୁଆଟାକୁ ଧରି ରୁଦ୍ର କହିଲେ ଏ ମୋ ପୁଅ ଦିବ୍ୟ।
ସାର ରୁଦ୍ର ଶୁଣି ଆଖରୁ ଝର ଝର ଲୁହ ଝରାଇ ରୁଦ୍ରଙ୍କ ହାତକୁ ଧରି ପକାଇଲେ... କହିଲେ କେମିତି ଅଛୁ ରେ ବାବୁ...। ତୋତେ ମୁଁ ଅପମାନ କରିବାରୁ ତୋ ବାପା ତୋତେ ସୈନିକ ସ୍କୁଲ ପଠେଇ ଦେଲେ... ତାପରେ ମୁଁ ଜାଣିଲି ଯେ ତୁ ମାଆ ଛେଉଣ୍ଡ ଛୁଆ.... ତୋ ବାପା ତୋ ପାଇଁ ସବୁ କିଛି। ମୋ ପାଇଁ ବାପ ପୁଅ ଅଲଗା ହୋଇ ଥିବାରୁ ମୋ ମନରେ ସବୁ ଦିନ ପାଇଁ ଗ୍ଲାନି ରହି ଗଲା। ମୋତେ କ୍ଷମା କରି ଦେ।
ରୁଦ୍ର ସାରଙ୍କ କଥା ଶୁଣି ସାରଙ୍କ ଗୋଡ ଧରି ପକାଇଲେ। ସାର ମୋ ଦୁଷ୍ଟାମି ପାଇଁ ମୁଁ ଆପଣଙ୍କୁ କ୍ଷମା ମାଗିବା କଥା। ସେଦିନ ଆପଣ ମୋତେ ଅପମାନିତ କଲା ପରେ ମୁଁ ଆପଣଙ୍କ ଉପରେ ରାଗି ଯାଇ ଥିଲି। ତାପରେ ସୈନିକ ସ୍କୁଲରେ ରହିବା ପରେ ମୁଁ ଜାଣିଲି ଜୀବନର ମୂଲ୍ୟ କଣ। ତାପରେ ମୁଁ ନିଜ ପାଇଁ ଠିକ ରାସ୍ତା ବାଛି ପାରିଲି... ଆଉ ଆଜି ଦେଖନ୍ତୁ ମୁଁ ଦେଶର ଜଣେ ସୈନ୍ୟ।
ଆପଣ ମୋତେ ସେଦିନ ଗାଳି ଦେଇ ଅପମାନ ନ କରି ଥିଲେ ମୁଁ ଆହୁରି ସମସ୍ତଙ୍କ ଗେହ୍ଲା ହୋଇ ମୁଁ ଆହୁରି ଦୁଷ୍ଟାମି କରି ଥାନ୍ତି... ଆଉ ଆଜି ହୁଏତ ମଦୁଆ ମାତାଲ ହୋଇ ରାସ୍ତାରେ ଗୋଡି ଥାନ୍ତି।
ଆଜି ମୁଁ ଯାହା ହୋଇଛି ତାହା କେବଳ ଆପଣଙ୍କର ସେଦିନର ସେ ଅପମାନ ପାଇଁ....। ନା ନା ସାର ତାକୁ ମୁଁ ଅପମାନ ବୋଲି ଆଉ ଭାବୁନି... ତାହା ହେଉଛି ଜଣେ ଶିକ୍ଷକଙ୍କର ତାଙ୍କ ଛାତ୍ର ପ୍ରତି ଭଲ ପାଇବା ଆଉ ଆଶୀର୍ବାଦ। ସେଥିପାଇଁ ପାଇଁ ମୁଁ ଆଜି ମୋ ଭାରତ ମାତାଙ୍କର ସେବକ ହୋଇ ପାରିଛି।
ରୁଦ୍ର, ସାରଙ୍କୁ ଅନାଇ କହିଲେ ସାର ଆଜି ଏ ପବିତ୍ର ଗୁରୁଦିବସରେ ମୁଁ ଆପଣଙ୍କୁ ଧନ୍ୟବାଦ କହି ଆପଣଙ୍କ ଆଶୀର୍ବାଦ ନେବାକୁ ଆସିଛି। ଆଉ ମୋ ପୁଅ ଦିବ୍ୟକୁ ଆଶୀର୍ବାଦ କରନ୍ତୁ ସେ ତା ବାପା ଭଳି ଦେଶ ସେବାରେ ନିଜକୁ ନିୟୋଜିତ କରୁ। ସାରଙ୍କ ଆଖିରୁ ଲୁହ ଝର ଝର ହୋଇ ବହି ଯାଉଛି.... ସେ ରୁଦ୍ର ଆଉ ଦିବ୍ୟକୁ ନିଜ ପୁଅ ଆଉ ନାତି ପରି ଜାବୁଡି ଧରି ଗେହ୍ଲ କରିଛନ୍ତି..... ଆଉ କହିଛନ୍ତି ମୋ ଆଶୀର୍ବାଦ ସବୁ ଦିନ ତୁମମାନଙ୍କ ଉପରେ ରହିବ।