The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Ranjit Sahu

Others

2  

Ranjit Sahu

Others

ଅନ୍ୟ ଏକ ଅରୁଣାଭ

ଅନ୍ୟ ଏକ ଅରୁଣାଭ

5 mins
531


"କାହିଁକି ସକାଳୁ ସକାଳୁ କମ୍ବଳ ତଳୁ ବାହାରିବାକୁ ତୁମେ ଏତେ ଆଗଭର କହିଲ? କୋଉ ଏବେ କ୍ଷୀରି  ହାଣ୍ଡିରେ ଗୁଡ଼ ପକେଇବାର ଅଛି ଯେ ଧଡପଡ ହୋଇ ଉଠୁଛ? ଆଜି ପୁଣି ରବିବାର I ଟିକେ ଡେରିରେ ଉଠିଲେ ଚଳିବନି? ସବୁ ଦିନ ତ ଏମିତି ଚାକିରିଆ ଜୀବନର ତେଲି ଘଣାର ମଜ଼ଦୂରୀ କରୁଛ I ଚା କପେ ନ ପଡିଲେ ତ ବାହାରିବାର ନାହିଁ ଏମିତିରେ ମଧ୍ୟ  ଘରୁ ଭିତରୁ ତୁମର I କାଉର ଡାକ ଶୁଣା ବି ହୋଇନି ଆଉ ତୁମର ଆରମ୍ଭ ହେଲାଣି ଲାଇଟ ଜଳେଇବା I ପ୍ରଥମେ ଲାଇଟ ଅଫ କର ତା ପରେ ଯାହା କହିବ I ନିଜେ  ବନେଇକି ଚା ପିଇବ  ଆଜି I ମୁଁ କାଲି ବହୁତ ଡେରି ପର୍ଯ୍ୟନ୍ତ ଘର କାମ କରିଛି I ତୁମ ନାଆ ଯିଏ ଅରୁଣ ରଖିଛି ତାକୁ ପ୍ରଥମେ ଦୁଇ ପାହାର ଦେବା କଥା I କାଉ କୋଇଲିର ରାବ ଶୁଭିନଥିବା, ମହାଶୟ ଘରୁ ବାହାରିବାକୁ ପ୍ରସ୍ତୁତ, ମୁହଁ ଅନ୍ଧାରରୁ I ଆଉ ..."

ମୁଁହ ହାତ ଧୋଇ ତଉଲିଅରେ ମୁଁହ  ପୋଛୁ ପୋଛୁ ଅରୁଣର କାନରେ ବାଜିଥିଲା ସିପ୍ରାର ଗଞ୍ଜଣା I କିଛି ନୂଆ କଥା ନୁହଁ I ଆଜିକି ତିନି ବର୍ଷ ହେଲାଣି ସେହି କଥାଟି ପୁରୁଣା ଗ୍ରାମଫୋନରେ ଅଟକିଥିବା ଛୁଁଞ୍ଚିରୁ ବାହାରିଲା ଭଳି ଭାସି ଆସୁଛି ବେଡ଼ରୂମରୁ I କିଛି କହେ ନାହିଁ ଅରୁଣ I ଥରେ ଦୁଇଥର କହିଥିଲା, କିନ୍ତୁ ଶାଶୂଙ୍କର ଆଖିର ଚାହାଣି ଦେଖି  ଭଲ ଲାଗି ନଥିଲା ତାହା ପରେ I ଶାଶୂଙ୍କର ପୁଅ ନଥିବାରୁ ଝିଅ ଘରେ ରୁହନ୍ତି I ସକାଳ ସମୟରେ ଗୃହ ଯୁଦ୍ଧରୁ  ଆଉ ଶାଶୂଙ୍କର ପରିବାର କେମିତି ଚଳେଇବାକୁ ହୁଏ ସେ ସମ୍ପର୍କରେ ଉପଦେଶରୁ ମୁକ୍ତି ପାଇବାର ଲାଗି ଅରୂଣର ଭଲ ପନ୍ଥାଟିଏ ହେଲା ପ୍ରାତଃ ଭ୍ରମଣ I ଉଭୟ ସ୍ଵାସ୍ଥ୍ୟ ପାଇଁ ଓ ଶ୍ରାବ୍ୟ ପାଇଁ ମଧ୍ୟ I 


ପାହାନ୍ତିଆ ସମୟରୁ ସୂର୍ଯ୍ୟୋଦୟ ପୂର୍ବରୁ ଟିକିଏ ସହରର ବାହାରକୁ ଚାଲିଗଲେ ମନଟି ଆନନ୍ଦିତ ହୋଇ ଯାଏ I ସେଠାରେ ସହରର ଗହଳି ନାହିଁ, ଅଛି ଦୂର ପର୍ଯ୍ୟନ୍ତ ଧାନ କିଆରୀ ସବୁ ଯେଉଁଥିରେ କିଛି କିଛି ଧାନ ପାଚିବାକୁ ଆରମ୍ଭ ହେଲାଣି I ସକାଳ କୁହୁଡିର ଘେର ଭିତରୁ ସୂର୍ଯ୍ୟକିରଣରେ ଯେତେବେଳେ କିଆରୀ ଗୁଡିକ ଝଲସି ଉଠେ ଅରୁଣ ଏକାଗ୍ରତାର ସହ ଦେଖିବାକୁ ଲାଗେ ଧୀର ପବନରେ ଦହଲୁ  ଥିବା କାକର ଟୋପା ସବୁ I ଅନେକ ଥର ଭାବେ ସତରେ ପ୍ରକୃତି ଠାରୁ ଆଉ କିଛି ଅଧିକ ସୁନ୍ଦର ନୁହେଁ କିନ୍ତୁ ପରେ ପରେ ମନେ ପଡ଼ିଯାଏ ଚୁମକି କଥା I ଆଉ ଭାବିବାକୁ ଲାଗେ 

ଚୁମକିର ଉପସ୍ଥିତିରେ ସକାଳର ଦୃଶ୍ୟଟି ଆହୁରି ମନୋରମ ହେଉଥିଲା I ସିଏ ଯେତେବେଳ ବିଲ ଆଡକୁ ମାଡ଼ି ଯାଉଥିଲା, ବିପରୀତ ଦିଗରୁ ସହର ଅଭିମୁଖେ ଯାଉଥିବା ଚୁମକି ନିତି  ଭେଟ ହେଉଥିଲା I ମୁଣ୍ଡରେ ଗୋଟିଏ ହାଣ୍ଡି ଯେଉଁ ଥିରେ ସିଏ କ୍ଷୀର ନେଇ ଯାଏ ସକାଳୁ ସହରରେ ତାହାର ଗ୍ରାହକ ମାନଙ୍କୁ ଦେବାକୁ I ପ୍ରଥମେ ପ୍ରଥମେ ବିଲର ହୁଡ଼ା ଉପରେ ଯେତେବେଳେ ଆମ୍ନା  ସାମ୍ନା ହେଉଥିଲେ, ଅରୁଣ ପାଖ ହୁଡ଼ା ଉପରକୁ ଚାଲି ଯାଉଥିଲା ଯେତେ ବେଳେ ଯାଏଁ ଚୁମକି ବିଲ ପାରି ହୋଇ ପକା ରାସ୍ତା ଉପରକୁ ଉଠୁ ନଥିଲା ଏବଂ ଚାହିଁ ରହୁଥିଲା ସକାଳ ଖରା ଆଉ କୁହୁଡିର ମିଶ୍ରଣରେ ଆଭିର୍ଭାଵ ହେଉଥିବା ଆଉ ବିଲୀନ ହେଉଥିବା ଚୁମକିର ରୂପରେଖକୁ I ଥରେ ମାତ୍ର ପଚାରିଥିଲେ ସିଏ ଚୁମକି କୁ  ତାହାର ନାମ ଆଉ ପରେ କେବେ କଥା ହେଇନି I ମୁଁହରେ କାନି ଦେଇ ଚୁମକି କହିଥିଲା ତାହାର ନାମ Iଚୁମକି ବ୍ୟତୀତ ଅନ୍ୟ ଗଉଡ଼ୁଣି ମାନେ ମଧ୍ୟ ଯାଆନ୍ତି ସେହି ବାଟ ଦେଇ, କିନ୍ତୁ କେଜାଣି କାହିଁକି ଚୁମକି ହିଁ ପସନ୍ଦ ହେଇଥିଲା ଅରୁଣକୁ ! 

ଅନେକ ଥର ନିଜକୁ ପ୍ରଶ୍ନ ଭାବିଛି କରିଛି କାହିଁକି ଚୁମକି ପାଇଁ ଏତେ ଆକର୍ଷଣ ତାହାର ମନରେ ଭରିଛି, କିନ୍ତୁ ଉତ୍ତରଟିଏ  ପାଇନି  I ଥରେ ତାହାର ବାଲ୍ୟବନ୍ଧୁଙ୍କୁ ପଚାରିବାରୁ ସିଏ କହିଥିଲେ, ପୁରୁଷ ମାନଙ୍କର  ସ୍ଵଭାବତଃ ବିପରୀତ ଆଡକୁ ଆକର୍ଷଣ ହେବାର ପ୍ରକୃତି ( ସିଏ ଭାଇ ହେଉ କି ବାପା ହେଉ କି ଯିଏ  ହେଉ ନା କାହିଁକି) I ସେ ଯୁକ୍ତିଟି କିନ୍ତୁ ଅରୁଣକୁ ମନ ପାଇନଥିଲା I ତାହା ହେଲେ ଏତେ ସବୁ ଗଉଡ଼ୁଣୀଙ୍କୁ ସିଏ ଏମିତି ଫେରିକି ଚାହୁଁନି କାହିଁକି ? 

ପାଞ୍ଚ  ବର୍ଷ ତଳେ ପ୍ରଥମେ ଆସିଥିଲା ସହରକୁ ଚାକିରିଟିଏ ପାଇକି I ଠିକ ଆଜିର ଭଳି ଶୀତ ଦିନରେ ପ୍ରଥମ ଥର ପାଇଁ ପରସ୍ପରର ପଥକୁ  ଆଗୁଳି ଥିଲେ ଦୁହେଁ I ଏହା ମଧ୍ୟରେ ଚୁମକିର  ବାହାଘର ମଧ୍ୟ ହୋଇ ସାରିଛି ଏବଂ ଅରୁଣର ମଧ୍ୟ I କିନ୍ତୁ ଏହି ନିତି ଦିନର କାର୍ଯ୍ୟକ୍ରମ ଏମିତି ହିଁ ବଜାୟ ରହିଛି I


ମନରେ  ଗୁଣୁ ଗୁଣୁ ଗୀତ ଗାଇ ଚାଲିବାକୁ ଲାଗିଲା ଅରୁଣ ବିଲ ଆଡ଼କୁ I ଦୁଇ ସପ୍ତାହ ତଳେ  ଅନ୍ଦାଜ କରିଥିଲା ଚୁମକିର ଚାଲି ଧୀର ହେବାକୁ ଲାଗିଛି I ଅଟକି କି ଠିଆ ହେଊଛି ଆଉ ଦୁଇ ତିନିଟା ନିଶ୍ଵାସ ଛଡିଲା ପରେ ପୁଣି ଚାଲୁଛି I ପ୍ରଥମ ଥର ପାଇଁ ଆଖିରେ ଆଖି ମିଶିଥିଲା ସେଦିନ I ମୁରୁକି ହସିଦେଇଥିଲା ପ୍ରଥମ ଥର ପାଇଁ ଚୁମକି I ଏକ ଭିନ୍ନ ପ୍ରକାର ଆତ୍ମା ସନ୍ତୋଷ ଝଲକୁ ଥିଲା ତାହାର  ଆଖିରୁ I ପ୍ରଥମେ ହସି  ଦେଇଥିଲା ଏବଂ ପରେ ବୁଝି ପାରିଥିଲା ଅରୁଣ ଚୁମକିର ପରିବାରକୁ ନୂଆ ସଦସ୍ୟଟିଏ ଯୋଡି ହେବ ଶୀଘ୍ର I ସତରେ କେତେ ଖୁସିର କଥା I କିଛି ପରିଚୟ ନ ଥାଇ  ମଧ୍ୟ ଏକ ପ୍ରକାର ସମ୍ପର୍କ ଗଢି ଉଠିଛି ଚୁମକି ସହିତ I ତାହାର ଖୁସିରେ ଖୁସି ହେବାକୁ ଲାଗୁଛି  ଅରୁଣ I ନିଜର ପରିବାର ଏଯାଏଁ ଆଗକୁ ବଢି ପାରି ନାହିଁ, ଶାଶୁଙ୍କ କାରଣରୁ I ସବୁ ବେଳେ ବରାଦ, ଆଗ ଘର ଖଣ୍ଡେ କର, ଜାଗା ଖଣ୍ଡେ କର ପଇସା ରଖ ଇତ୍ୟାଦି I ସତେ ଯେମିତି ସମ୍ପତ୍ତି ନ ଥିଲେ ମଣିଷଟିଏ ମଣିଷ ହୋଇ ବଢି ପାରିବ ନାହିଁ !


ସକାଳର କୁହୁଡି ଟିକେ ଟିକେ ହାଲୁକା ହେବାକୁ ଲାଗିଛି I ପକ୍ଷୀ ମାନଙ୍କର କଳରବ ଆରମ୍ଭ ହେଲାଣିI ଧାନ ବିଲ ପାଖକୁ ମାଡି ଗଲା ବେଳକୁ ମନକୁ ଆସିବାକୁ ଲାଗିଲା ଅନେକ ଭାବନା I  ଚୁମକି କିଛି ଦିନ ପରେ ଫେରିବ ନିଶ୍ଚୟ, ତାହାର ଦେହରେ ଝୁଲେଇ ଅନ୍ୟ ଏକ ଜୀବନକୁ I ଗରିବ ମହିଳାଟିର କାମ ନ କରି ବଞ୍ଚିବାର ଉପାୟ କଣ? ଠିଆ ହେଇଗଲା ହିଡ଼ ଉପରେ କ୍ଷଣଟିଏ ପାଇଁ ଅରୁଣ I ମନେ ପଡିଗଲା ତାହାର ପିଲା ଦିନର କଥା I ଗାଆଁରେ ତାହାର ମାମୁଁ ଘରକୁ ଗଉଡ଼ୁଣୀଟିଏ ଆସେ I ଆଉ ମନ ପଡିଗଲା ଚୁମକି ଭଳି ତାହାର ମଧ୍ୟ ଲମ୍ବା ବେଣୀଟିଏ I ବହୁତ ଭଲ ପାଏ ଅରୁଣକୁ ଆଉ ବେଳେ ବେଳେ ଛେନା ଏମିତିରେ ଦେଇ ଦିଏ ତାହାକୁ I କୋଳରେ ଛୋଟ ଛୁଆଟିଏ ଧରି ଆସେ I ସତରେ ଗଉଡ଼ୁଣୀଟିଏ  ନିଜ  ସନ୍ତାନ ବ୍ୟତୀତ ଅନ୍ୟ ସନ୍ତାନର ଯତ୍ନ ନେବାର ମଧ୍ୟ ଜାଣେ: ମଣିଷ ହେଉ କି ଗାଈର ହେଉ I 

ଆଜି ବୁଝି ପାରିଲା ଅରୁଣ,  ଚୁମକି ପ୍ରତି ଥିବା ତାହାର ରୁଚିର କାରଣ I 

ମୁରୁକି ହସି ତଳକୁ ଚାହିଁଲା ଅରୁଣ I ଚମକି ପଡ଼ିଲା I ପାକଳ ଧାନ ବିଲରେ ଫସଲଟି ପୁରା ଶୋଇ ଯାଇଛି ଗୋଟିଏ ସ୍ଥାନରେ I ଲାଗୁଛି ଯେମିତି କିଛି ଗୋଟିଏ ଦଳ ଚକଟା ହୋଇଛି I କୌଣସି ବନ୍ୟ ଜନ୍ତୁରେ କାରସାଦୀ ନୁହଁ କିନ୍ତୁ I 

ମଣିଷ ଜଣେ କେହି ଚାଲି ଯାଇଛି ସେହି କିଆରୀରେ ମାଡ଼ି I ସଢ଼ୀ  ଆସିଲାଣି ଦଳା ହେଇଥିବା ସ୍ଥାନର ଗଛ ଗୁଡିକ I କେଜାଣି କେମିତ ଆଗରୁ ଆଖିରେ  ପଡ଼ିନଥିଲା ଏହି ଜିନିଷଟି I ତଳକୁ ଟିକେ ବସି ଦେଖିଲା I ଛୋଟ ପକ୍ଷୀଟିଏ ମରିକି  ପଡ଼ିଛି I  ମରିକି ପଡ଼ି ଥିବା ଚଢେଇଟି ପ୍ରାୟ କଙ୍କାଳ ହେବାକୁ ଲାଗିଛି I କିଛି ଦିନ ତଳେ ନିଶ୍ଚୟ ହେଇଛି କିଛି ଗୋଟାଏ ସେହି ଜାଗରେ I କୁହୁଡି ଯୋଗୁଁ ବୋଧ ହୁଏ ଆଗରୁ ଆଖିରେ ପଡି ନଥିଲା I 

ମନଟି କେମିତି ଆମ୍ବିଳ ହେଇଗଲା I ଫେରିବାକୁ ଲାଗିଲା ବସା ଆଡ଼େ I 


ଆଜି ଜିଦ୍ଦି କରିକି ଚା ତିଆରି  କରିନି I ଫେରିକି ଆଜି ଚା ସହିତ ଖବର କାଗଜ଼  ପଢ଼ିବ I ରବିବାର ଦିନ ଆଜି ଆରାମ କରିବ, କୌଣସି କାମ  କରିବ ନାହିଁ I ନିଜ ଘରେ ଘର ଜ୍ଵାଇଁ ହୋଇ ବହୁତ ବେଠି ଖଟି ସାରିଲାଣି I 


ଘରକୁ ଫେରି ଦେଖିଲା ଚା ବିସ୍କୁଟ ଥୁଆ ହୋଇଛି ଟେବୁଲ ଉପରେ I ସିପ୍ରା ଜାଣେ ସକାଳୁ ଚା କପେ ନ ହେଲେ ତାହାର ମୁଣ୍ଡ ବିନ୍ଧେ ଆଉ କୌଣସି କାମ କରି ପାରେନା I ନିଶ୍ଚୟ ଆଜି ବଜାରରୁ ସଉଦା କରିବାର ଥିବ I ରବିବାର ଦିନ ପାଖ ଗାଁରୁ ଅନେକ ପାଣି ପାରିବ ଆସେ ଆଉ ସହର ଶେଷ ମୁଣ୍ଡରେ ହାଟ  ବସେ ଯେଉଁଠାରୁ ତାହାର ଶାଶୁ ଅନେକ ଜିନିଷ ମଗେଇ ଥାଆନ୍ତି I  ନଚେତ ଚା କଣ ବିନା ମତଲବର ତିଆରି ହେଇଯିବ ? ସେ ଯାହା ହେଉ ପର ଏକଥ ଅପରେ ଦେଖା ଯିବା ଭାବି ଖବର କାଂଯ଼ଟିକୁ ଦେଖିବାକୁ ଲାଗିଲା ଅରୁଣ I 


ବସିକି ଖବର କାଗଜ଼ରେ ଆଖି ବୁଲାଉ ବୁଲାଉ ଚମକି ପଡିଲା ଅରୁଣ I 

ଜଣେ ମୃତ ମହିଳା ବିଷୟରେ ବିବରଣୀ ଅଛି ଯିଏ କିଛି ଦିନ ହେଲା ନିରୁଦ୍ଧିଷ୍ଟ ହେବାର ପୋଲିସରେ ରିପୋର୍ଟ ହୋଇଥିଲା I ଗର୍ଭବତୀ ମହିଳାଙ୍କ ସହ କୁକର୍ମ ହୋଇଥିଲା I ସର୍ବ ସାଧାରଣଙ୍କୁ ସଚେତନ କରା  ଯାଇଥିଲା, ସହରରେ ନୂଆ ଦୁର୍ବୃତ୍ତଟିଏ ମାତିଛି I ଏକୁଟିଆ କୁଆଡେ ନ ଯିବା ଲାଗି ମହିଳା ମାନଙ୍କୁ ସତର୍କ କରା ଯାଇଛି I 

ଚିନ୍ହା   ଚିନ୍ହା ଲାଗୁଥିଲା ମହିଳାଙ୍କର ଛବିଟି I ପିଠି  ପଟରୁ ଉଠେଇଥିବା ଫୋଟୋରେ  ମଧ୍ୟ ଜୀବନ୍ତ ଦିଶୁଥିଲା ଲମ୍ବା ବେଣିଟିଏ I 


Rate this content
Log in