STORYMIRROR

KRUTIBAS NAYAK

Others

4  

KRUTIBAS NAYAK

Others

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଅଠର) -ଡକ୍ଟର କୃତ୍ତିବାସ ନାୟକ

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଅଠର) -ଡକ୍ଟର କୃତ୍ତିବାସ ନାୟକ

4 mins
175

ନଅଙ୍କ ଦୁର୍ଭିକ୍ଷ ଆତଙ୍କ ଇତିହାସରେ ଗୋଟାଏ ସ୍ଵତନ୍ତ୍ର କଳଙ୍କର ଯୁଗ ସୃଷ୍ଟି କରିଥିଲା l ତେଣୁ ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ସମୟ ଓ ପୂର୍ବବର୍ତ୍ତୀ ଯୁଗ ବା ସମୟ ହିସାବରେ ଅନେକ କଥା କୁହାଯାଉଛି l ଠିକ ସେହିପରି 2020 ମସିହାର କରୋନା ଆତଙ୍କ ଇତିହାସରେ ଆଉ ଗୋଟାଏ କଳଙ୍କର ଯୁଗ ଆରମ୍ଭ କରିଦେଇଛି l ଏଣିକି ଲୋକେ କହିବେ-କରୋନା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଯୁଗ l ସେହି ଅନୁସାରେ ମଧ୍ୟ ସମୟ ହିସାବରେ ଗଣନା କରାଯିବ l ଏହିପରି ଦୁଃସମୟରେ ଅଧିକାଂଶ ଲୋକ ଦୁଃଖ-ଅଭାବରେ କଷ୍ଟ ପାଆନ୍ତି ସତ୍, କିନ୍ତୁ କିଛିଲୋକ ଏହି ଦୁଃସମୟରେ ସୁଯୋଗ ଉଣ୍ଡି ସେମାନକଠାରୁ ଆର୍ଥିକ, ମାନସିକ ଓ ଶାରୀରିକ ଶୋଷଣ କରନ୍ତି l ପ୍ରଚୁର ଧନ ଅର୍ଜନ କରି ଠୁଳକରି ପକାନ୍ତି l ଲୋକଙ୍କର ବିପଦ ଓ ଅସୁବିଧାକୁ ସେମାନେ ସୁଯୋଗ ମନେକରି ବେଶ ଲୁଟପାଟ କରି ପାରନ୍ତି l ପାପଭୟ ତାଙ୍କର କୁଆଡ଼େ ଉଭେଇ ଯାଏ l ଅଭାବୀ, ଗରିବ ଆଉ ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ପଶୁଭଳି ବ୍ୟବହାର କରନ୍ତି l ଅର୍ଥ ସର୍ବସ୍ଵ, ସ୍ଵାର୍ଥପର ଲୋକମାନଙ୍କର ମଣିଷପଣିଆ ଆଉ ତାଙ୍କ ପାଖରେ ରହେନାହିଁ l ଅସୁବିଧା ସମୟରେ ଅଧିକାଂଶ ସରକାରୀ କର୍ମଚାରୀମାନେ ସବୁଠାରୁ ଅଧିକ ସୁଖ ଉପଭୋଗ କରନ୍ତି l କିଛି କର୍ମଚାରୀ କାମ ତ କିଛି କରନ୍ତି ନାହିଁ, ବରଂ ସରକାରୀ ଅର୍ଥ ବାଟ ମାରଣା କାମ କରିପାରନ୍ତି, ତା’ ସହିତ ସର୍ବସାଧାରଣ ଜନତାଙ୍କୁ ହଇରାଣ କରି ବିଭିନ୍ନ ପ୍ରକାର ପେଞ୍ଚ କାଢି ଲାଞ୍ଚ-ମିଛ ମାଧ୍ୟମରେ ବେଶ ଦୁଇ ପଇସା ରୋଜଗାର କରି ମଜାରେ ଥା’ନ୍ତି l ଆପଣମାନେ ସମସ୍ତେ ଏହି କରୋନା ଆତଙ୍କ ସମୟରେ ନିଶ୍ଚୟ କିଛି କିଛି ଅଭିଜ୍ଞତା ଅର୍ଜନ କରି ସାରିଥିବେ |

ଆମ ଦେଶରେ ତହସିଲ ଅଫିସ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଭଳି ସରକାରୀ ଅଫିସଗୁଡ଼ିକ ତ ଦୁର୍ନୀତିର ଗନ୍ତାଘର l ସେଇଠୁ କିଛିକାମ କରେଇ ନେଇ ପାରିବା, ବୋଧହୁଏ ଭାଗ୍ୟରେ ଥିଲେ ସମ୍ଭବ ହେଇପାରେ l ବିଭିନ୍ନ ପ୍ରକାର ଦଲାଲ, କର୍ମଚାରୀଙ୍କର ଅସହଯୋଗ ଓ ଲାଞ୍ଚ ଆଶା ସବୁ କାମକୁ ଧିମେଇ ରଖେ l ସରକାର ଯେତେ ପ୍ରକାର ଆଇନ କଲେ, ଦୁର୍ନୀତି ନିବାରଣ ବିଭାଗ ଯେତେ ଚେଷ୍ଟାକଲେ ବି ଚତୁର ଲାଞ୍ଚୁଆମାନଙ୍କୁ ସହଜରେ ଧରି ପାରନ୍ତି ନାହିଁ l ଖସିଯିବା ପାଇଁ ସେମାନେ କେତେ ନୂଆନୂଆ କୌଶଳ ଅବଲମ୍ବନ କରନ୍ତି l ସରକାର ଡାଳେଡାଳେ ଗଲେ,

ଦୁର୍ନୀତିଗ୍ରସ୍ତ କର୍ମଚାରୀମାନେ ପତ୍ରେ-ପତ୍ରେ ଯାଆନ୍ତି l ଅବଶ୍ୟ ଅତି ସାମାନ୍ୟ ପ୍ରତିଶତ ଧରାପଡ଼ି ହିନସ୍ଥା ହେଉଛନ୍ତି |

ଏହି ସମୟରେ ମୋର ତିକ୍ତ ଅନୁଭୂତିକୁ ପାଠକମାନଙ୍କ ସମ୍ମୁଖରେ ପରିବେଷଣ କରିବାକୁ ମୁଁ ଉଚିତ ମନେ କରୁଛି l ମୋ ପୁଅ ଉତ୍କଳ ବାଙ୍ଗାଲୋରରେ ଥିବା ସମୟରେ କାର୍ ଖଣ୍ଡେ କିଣିଥିଲା l ସେ ଆମେରିକା ଚାଲିଯିବାରୁ ଗାଡ଼ିଟିକୁ ମୋ ପାଖରେ ରଖିଦେଇ ଗଲା l ସରକାରଙ୍କ ଆଇନକୁ ମୁଁ ସର୍ବଦା ସମ୍ମାନ ଦେବାକୁ ଆଗ୍ରହୀ ଥିବାରୁ ଗାଡ଼ିଟିକୁ ବ୍ୟବହାର କରିବା ହେଉ ବା ନହେଉ, ନିୟମିତ ଭାବରେ ସରକାରୀ ଦେୟ ଦେଇ ପକାଏ l ବୀମା କାଗଜ ପତ୍ର ସହ ପରିବେଶ ନିୟନ୍ତ୍ରଣ ପ୍ରମାଣପତ୍ର ଠିକଠାକ କରି ରଖେ l ଫଳରେ କେବେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଇନାହିଁ l କରୋନା ଆତଙ୍କ ସମୟ ପୂର୍ବରୁ ବୀମା ହେଇପାରିଲା, କିନ୍ତୁ ପରିବେଶ ନିୟନ୍ତ୍ରଣ ପ୍ରମାଣପତ୍ର ଆଉ ହେଇପାରିଲା ନାହିଁ l ବୁଝାବୁଝି କରିବାରୁ ଜଣା ପଡ଼ିଲା, ବାହାର ରାଜ୍ୟର ଗାଡ଼ିର କାଗଜ ପତ୍ର ଓ ନୋ ଅବଜେକସନ ସାର୍ଟିଫିକେଟ ଆଣିଲେ ହିଁ ଅନ୍ୟ ସବୁକାମ ଭୁବନେଶ୍ଵରରେ ହେଇପାରିବ l ଅବଶ୍ୟ ଏହି କାମଟି ଏତେ ସହଜସାଧ୍ୟ ନଥିଲା |

ବାଙ୍ଗାଲୋର ଅଫିସକୁ ଯୋଗାଯୋଗ କରି ଜାଣିଲି, ଗାଡ଼ିକୁ ନେଇ ବାଙ୍ଗାଲୋରରେ ତାଙ୍କୁ ଦେଖାଇବାକୁ ପଡ଼ିବ, ନଚେତ ଏଥିପାଇଁ ଆଠହଜାର ଟଙ୍କା ଦେଲେ, ସେମାନେ ଦେଖିଲେ ବୋଲି ଲେଖିଦେବେ l ଦସ୍ତଖତ ତାଙ୍କ ଆଗରେ କରିବାକୁ ହେବ, ନଚେତ ଦୁଇହଜାର ଟଙ୍କା ଦେଲେ, ସେମାନେ ଆମର ଦସ୍ତଖତ କରିଦେବେ l କରୋନା ଆତଙ୍କ ସମୟରେ ଏସବୁ କାମ କରିବା ମୋ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା l ଉପାୟ ଶୂନ୍ୟ ଭାବରେ ବାଧ୍ୟହୋଇ ଆମେ ଲାଞ୍ଚୁଆ ଠକଙ୍କ ଆଦେଶକୁ ଶିରୋଧାର୍ଯ୍ୟ କଲୁ l ବହୁ ବିଳମ୍ବରେ ହେଉପଛେ 2020 ମସିହା ଅଗଷ୍ଟ ମାସରେ କାଗଜପତ୍ର ସବୁ ଠିକହୋଇ ମୋ ପାଖକୁ ଚାଲିଆସିଲା l ଏବେ ଆମେ ଭୁବନେଶ୍ଵର ଜାଲରେ ପଡ଼ିଲୁ l ସ୍ଥାନୀୟ ଆର॰ଟି॰ଓ ଅଫିସ କାରୋନା କଟକଣାରେ ପ୍ରାୟ ବନ୍ଦ ହେଇ ଯାଇଥିଲା l କେବେ କେମିତି କିଛି ସମୟ ପାଇଁ ଖୋଲୁଥାଏ l ବୟସ୍କ ଲୋକ ହିସାବରେ ମୁଁ ସେ ଅଫିସକୁ ଯିବାକୁ ମଧ୍ୟ ଭୟ କରୁଥିଲି l କାରଣ କିଛି କର୍ମଚାରୀ କରୋନାରେ ପୀଡ଼ିତ ଥିବା ଖବର ପ୍ରଚାରିତ ହୋଇ ସାରିଥିଲା l ଏହି କାମଟି କେମିତି ଶୀଘ୍ର ହେଇପାରିବ, ବିଭିନ୍ନ ଲୋକଙ୍କୁ ପଚାରି ଜାଣିଲି, କେହି ଜଣେ ଦଲାଲ ମାଧ୍ୟମରେ ଏସବୁ କାମ ନକଲେ ହେଇପାରିବ ନାହିଁ l ନୀତି ନିୟମକୁ ମାନିବା, ସବୁ କାଗଜପତ୍ରକୁ ତୁରନ୍ତ ଠିକ କରିବା ମୋର ଲକ୍ଷ୍ୟ ଥିବାରୁ ବାଧ୍ୟହୋଇ ଦଲାଲ ଜଣଙ୍କର ସହାୟତା ନେଲି l ସେ ଅଫିସର ଆଉ କର୍ମଚାରୀଙ୍କର ଲାଞ୍ଚ ପରିମାଣ ଯାହା କହିଲେ, ସେଥିରେ ମୁଁ ଅଶ୍ଵସ୍ତିକର ପରିସ୍ଥିତିରେ ପଡ଼ିଗଲି l ନିୟମ ଅନୁସାରେ ସବୁ ପ୍ରକାର କାଗଜପତ୍ର ତ ଆସିଲା, ପୁଣି ସରକାରୀ ଦେୟ ଯାହାହେବ, ତାକୁ ଦେବାକୁ ମୁଁ ପ୍ରସ୍ତୁତ ଅଛି l ତଥାପି ପୁଣି ଲାଞ୍ଚ କାହିଁକି ଦେବି ? ମୁଁ ଦଲାଲକୁ କହିଲି-ତୁମର ଯେତିକି ପାରିଶ୍ରମିକ ମୁଁ ଦେଇଦେବି, ତୁମେ ଚେଷ୍ଟା କର, କାମ ଯଦି ହେଇ ନ ପାରିବ, ତେବେ ମୁଁ ନିଜେ ଯାଇ ପରେ କରିନେବି l ଅନେକ ଚେଷ୍ଟା କରି ଶେଷରେ ବିଫଳ ହୋଇ ଦଲାଲ ବିଚରା ଦୁଇମାସ ପରେ ମୋର କାଗଜପତ୍ର ସବୁ ଆଣି ମୋତେ ଫେରାଇଦେଲେ l ଶେଷରେ ସାହସ କରି ମୁଁ ନିଜେ ଆର.ଟି.ଓ ଅଫିସକୁ ଯାଇ ବୁଝିଲି, ସେମାନେ ବିଭିନ୍ନ ପ୍ରକାର ମୂଳ କାଗଜପତ୍ର ଆଣିବାକୁ କହିଲେ l ଶେଷରେ ବିଚିତ୍ର ସତ୍ୟପାଠ (affidavit) କରିବାକୁ କୁହାଗଲା l ସେଥିରେ ଲେଖାଯିବ ଯେ, ମୋର ଗାଡ଼ି ଆଗରୁ କେବେ ଚୋରୀ ହେଇନାହିଁ l ସେଇଟା ନହେଲେ କିଛି ହେଇପାରିବ ନାହିଁ l ନିଜର ଗାଡ଼ିଟି ପାଖରେ ଥାଉ ଥାଉ ପୁଣିଏଭଳି ସତ୍ୟପାଠର କ’ଣ କାହିଁକି ଦରକାର ? ସେକଥା ମୋତେ ବୁଝା ପଡ଼ିଲା ନାହିଁ l ଅଯଥାରେ ବାଧ୍ୟ ହୋଇ କୋର୍ଟ କଚେରୀକୁ ଯାଇ ତାକୁ ଆଣି ଦାଖଲ ଦେଲି l ତାପରେ ସରକାରୀ ଦେୟ ଜମା କରିବା କଥା, ସେଇଟା ଥିଲା-ଆହୁରି ଜଟିଳ ପ୍ରକ୍ରିୟା l ଅଫିସରେ ସବୁ ଦେୟ ଟଙ୍କା ଜମା ହେଇ ପାରିବ ନାହିଁ l ଅଧା ଦେୟ ଟଙ୍କା ନଗଦ ଆକାରରେ ନେବେ l ଆଉ କିଛି ଦେୟ ପୁଣି କିଛି ଦିନ ପରେ ଅନ୍ ଲାଇନରେ ବାହାରେ କେଉଁଠି ଜମା କରିବାକୁ ହେବ l ଏହି କାମ ପାଇଁ ପାଞ୍ଚ ଥର ମୋତେ ଅଫିସକୁ ଦୌଡ଼ିବାକୁ ପଡ଼ିଲା l କରୋନା ଆତଙ୍କ କାରଣରୁ ଓ ଅଫିସ ବନ୍ଦଥିବା କାରଣରୁ ଏବଂ ମୋର କାମ ନଭେମ୍ବର ମାସରେ ହେଉଥିବାରୁ ଚାରି ମାସ ବିଳମ୍ବରେ କାଗଜପତ୍ର ଦେଇଥିବାରୁ, ସେଥିପାଇଁ ଜୋରିମାନା ବି ବେଶ କିଛି ଆଦାୟ କଲେ l ବହୁ ଯାତନା ଓ ଜୋରିମାନା ପ୍ରତିଦାନରେ ମୋର ଗାଡ଼ିର କାଗଜପତ୍ର ଠିକ ହେବାକୁ ମାସଟିଏ ଲାଗିଗଲା l ଏଥିପାଇଁ ମୋତେ ବିଭିନ୍ନ କୌଶଳରେ ଏକପ୍ରକାର ସଂଗ୍ରାମ କରିବାକୁ ପଡ଼ିଥିଲା l ବର୍ତ୍ତମାନ ଗାଡ଼ିର ବୟସ ଓ ମୂଲ୍ୟ ନିର୍ଦ୍ଧାରଣ କଲେ, ଯେତିକି ହେବ, ମୋର ଅନୁମାନ ଏ ବର୍ଷର ସରକାରୀ ଦେୟ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇଲେ, ତା’ ଠାରୁ ଅଧିକ ହେଇଗଲା l ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ l 



Rate this content
Log in