sushama Parija

Others

3  

sushama Parija

Others

ଅନ୍ଧ ବିଶ୍ଵାସ

ଅନ୍ଧ ବିଶ୍ଵାସ

6 mins
529


ଶୁକ୍ରବାର ସକାଳ ଠାରୁ ଆସି ରବିବାର ରାତି ହେଲାଣି ଅଥଚ ଶାନ୍ତି ର ଦେଖା ନାହିଁ । ଶାନ୍ତି ଆମ ଘର ର ପାର୍ଟଟାଇମ୍ ହେଲ୍ପର୍ ,ଘର ର ଝାଡୁପୋଛା ବାସନ ମଜା ସବୁ ତା'ରି ଉପରେ । ସିଏ ନଆସିଲେ ଘର ର ଅଚଳାବସ୍ଥା । ପୁଅ ବୋହୂ ଙ୍କ ଅଫିସ୍ , ଛୁଆ ନାତି ର ଦେଖାଶୁଣା, ଏସବୁ ଭିତରେ ଶାନ୍ତି ର ଅନୁପସ୍ଥିତି ବଡ କଷ୍ଟଦାୟକ । ଶାନ୍ତି ଟି ଖୁବ୍ ଭଲ ସ୍ତ୍ରୀ ଲୋକ । ପରଘରେ କାମ କରି ପେଟ ପୋଷୁଥିଲେ ବି ଖୁବ୍ ପରିଷ୍କାର ପରିଚ୍ଛନ୍ନ ଆଉ ନମ୍ର ସ୍ବଭାବର । ଅନ୍ୟ କାମବାଲୀ ମାନଙ୍କ ଭଳି ମୁଖରା କି କଥା କଥାକେ ମିଛ କହି ରହିଯିବାର ଲୋକ ନୁହଁ । ଆମ ଘରେ କାମ କରିବା ଦିନରୁ ଶାନ୍ତି ର ଏମିତି କିଛି ଖବର ନଦେଇ ରହିବା ବୋଧହୁଏ ଏଇ ପ୍ରଥମ ଥର । ସେଥିଲାଗି ଆମେ ସମସ୍ତେ ତା'କୁ ଭଲପାଉ । କିନ୍ତୁ ଏଥରକ ତା'ର ଏମିତି ବିନା ଖବର ରେ ରହି ଯିବାଟା ଆମ ମନରେ ଶଙ୍କା ଜାଗ୍ରତ କରୁଥିଲା । ତା'ର ମୋବାଇଲ୍ ଫୋନ୍ ଟି ମଧ୍ୟ କେତେବେଳେ 'ସୁଇଚ୍ ଅଫ୍ ' ତ କେତେବେଳେ 'ନଟ୍ ରିଚେବଲ୍ ' ଆସୁଥିଲା ଯାହା ଆମକୁ ବେଶୀ ସନ୍ଦେହ ଭିତରକୁ ଟାଣି ନେଉଥିଲା ।

ତା' ବିଷୟରେ ଆମେ ଖାଲି ସେତିକି ଜାଣିଥିଲୁ ଯାହା ସେ ପ୍ରଥମ କରି ଆମ ଘରକୁ କାମ କରିବାକୁ ଆସିଲାବେଳେ କହିଥିଲା । ପନ୍ଦର ବର୍ଷ ତଳେ କୁଆଡେ ତା'ର ସ୍ବାମୀ ସୁରେଶ ନାଏକ ଫୁଲବାଣୀ ଜିଲ୍ଲା ର ଦାରିଙ୍ଗବାଡ଼ି ଗାଁ ଛାଡି ଶାନ୍ତି ଓ ତା'ର ଦୁଇଟି ଛୋଟ ଛୋଟ ଝିଅଙ୍କୁ ଧରି ଜୀବନ ଜୀବିକା ର ସନ୍ଧାନ ରେ ଆସି ପହଞ୍ଚିଥିଲା ଭୁବନେଶ୍ବର ରେ । ଏଠି ତାଙ୍କର କିଏ ଜଣେ ବନ୍ଧୁ ଙ୍କ ପାଖରେ ଦିନାକେତେ ରହି କାମଧନ୍ଦା ଖୋଜାଖୋଜି କରିବା ପରେ ଗୋଟିଏ ଅଫିସ୍ ରେ ରାତି ଜଗୁଆଳି ଚାକିରୀ ଟିଏ ମିଳିଥିଲା ତା'କୁ ପନ୍ଦର ଶହ ଟଙ୍କା ଦରମାରେ । ସେଥିରେ ଅଲଗା ଘରଭଡ଼ା ନେଇ ଚାରି ପ୍ରାଣୀ କୁଟୁମ୍ବ ଚଳେଇବା ସମ୍ଭବ ନଥିଲା । ତେଣୁ ବାଧ୍ୟ ହୋଇ ଶାନ୍ତି ପରଘରେ କାମ କରିବାକୁ ବାହାରି ଥିଲା । ତାଙ୍କର ଘରପାଖ କଲୋନୀ ରେ ବାସନ୍ତୀ ମିଶ୍ର ବୋଲି ଜଣେ ବୟସ୍କା ବିଧଦା ସ୍ତ୍ରୀ ଲୋକ ରହୁଥିଲେ ଯାହାଙ୍କ ପୁଅମାନେ ବିଦେଶରେ ଚାକିରୀ ବାକିରୀ କରି ନିଜ ନିଜର ପରିବାର ଧରି ରହୁଥିଲେ । ବୃଦ୍ଧା ବିଧବା ଢଣକ ଏମିତି ଜଣେ ବିଶ୍ବସ୍ତ ଲୋକ ଖୋଜୁଥିଲେ ଯିଏ ତାଙ୍କ ପାଖରେ ରହି ତାଙ୍କର ଦେଖାଶୁଣା କରିବ । ସୁରେଶ ର ସେଇ ବନ୍ଧୁ ଜଣକ ବୁଝାବୁଝି କରି ଶାନ୍ତି କୁ ସେଇ ବୃଦ୍ଧା ମହିଳାଙ୍କ ସେବା ଶୁଶ୍ରୁଷା କରିବା ଲାଗି ସେଠାରେ ରଖାଇ ଦେଇଥିଲେ । ବୃଦ୍ଧା ଜଣକ ତାଙ୍କ ବିରାଟ ହତା ଭିତରେ ଥିବା ଦୁଇ ମହଲା କୋଠା ରେ ରହୁଥିଲେ ଏବଂ ସୁରେଶ ତା'ର ପରିବାର ଧରି ହତା ର ଗେଟ୍ ପାଖକୁ ଲାଗି ଥିବା ସର୍ଭ୍ୟାଣ୍ଟ କ୍ଵାର୍ଟର ରେ ଆସି ରହିଲେ। ସେତେବେଳକୁ ତାଙ୍କର ବଡ ଝିଅ ରୀନା ପାଞ୍ଚବର୍ଷର ଆଉ ସାନ ଝିଅ ମୀନା ତିନି ବର୍ଷର। ସୁରେଶ ଦିନ ବେଳା ଛୋଟ ମୋଟ କାମଧନ୍ଦା କରେ ଏବଂ ଶାନ୍ତି ଦିନସାରା ବୃଦ୍ଧା ମହିଳାଙ୍କ ସେବା ଶୁଶ୍ରୁଷା କରିବା ସହିତ ତାଙ୍କର ବାଡି ବଗିଚାର କାମ ମଧ୍ୟ କରିଦିଏ । ଶାନ୍ତି ର କାମ ଦେଖି ବାସନ୍ତୀ ମାଉସୀ ତା'କୁ ଝିଅ ଭଳିଆ ସ୍ନେହ ଶ୍ରଦ୍ଧା କରୁଥିଲେ । ସବୁ ଦିନ କିଛି କିଛି ବଳକା ତରକାରୀ ,ଶାଗ ତା' ପିଲା ମାନଙ୍କ ପାଇଁ ଦେଉଥିଲେ, ସମୟ ସମୟରେ ପୁରୁଣା ଲୁଗା ଖଣ୍ଡେ ଖଣ୍ଡେ ମଧ୍ୟ ଶାନ୍ତି କୁ ପିନ୍ଧିବାକୁ ଦେଉଥିଲେ । କୌଣସି ପ୍ରକାର ଦୁଃଖ ସୁଖରେ ଚଳି ଯାଉଥିଲା ଶାନ୍ତି ର ପରିବାର । ଧୀରେ ଧୀରେ ପିଲା ମାନେ ବଡ ହେଲେ, ସେମାନଙ୍କ ନାଁ ଲେଖା ହେଲା ସ୍ଥାନୀୟ ସରକାରୀ ସ୍କୁଲ ରେ । ଶାନ୍ତି ଚାହୁଁଥିଲା ତା'ର ଝିଅ ମାନେ ପାଠଶାଠ ପଢି ଚାକିରୀ କରନ୍ତୁ ତା' ଭଳିଆ ପରଘରେ କାମ ପାଇଟି ନକରନ୍ତୁ । ସେଥିଲାଗି ଖୁବ୍ ପଇସା ପତ୍ର ଲାଗିବ। ତେଣୁ ସେ ବାସନ୍ତୀ ମାଉସୀ ଙ୍କୁ

କୁହାବୋଲା କରି ଆଉ ଦୁଇ ଚାରିଟା ଘର କାମ ଧରିନେଇଥିଲା । ବଡ ଝିଅ ଟି କୁ ମାଟ୍ରିକ ପାଶ୍ ପରେ ଦୁଇ ବର୍ଷ ତଳେ ଭଲ ଘରବର ଦେଖି ବାହାଘର କରି ଦେଇଥିଲା ଧାର କରଜ କରି ।ଏବେ ସାନ ଝିଅ ଟି ପ୍ଲସ଼୍ ଟୁ ପରେ ପ୍ଲସ଼୍ ଥ୍ରୀ ରେ ନାଁ ଲେଖାଇଛି । ପାଞ୍ଚ ଦିନ ତଳେ ଝିଅ ର ରି ଆଡ୍ ମିସନ୍ ଲାଗି ଆମ ପାଖରୁ ଦି'ହଜାର ଟଙ୍କା ଆଡ୍ ଭାନ୍ସ ନେଲା ବେଳକୁ ଅନାଗତ ଭବିଷ୍ୟତ ର ଖୁସି କଳ୍ପନା କରି ଉଜ୍ଜ୍ବଳି ଉଠୁଥିଲା ଶାନ୍ତି ର ମୁହଁ । ସେ କହୁଥିଲା ''ବୁଝିଲ ମାଆ ! ଆଉ ବର୍ଷ ଗୋଟାକର କଥା । ଗ୍ରାଜୁଏସନ ପରେ ମୋ ଝିଅ ର ଚାକିରୀ ପାଇବା ନିଶ୍ଚିତ ଜାଣ । ଆମର ତ କୋଟା ଅଛି । ପାଠପଢା ଆରମ୍ଭ ରୁ ଶେଷଯାଏଁ ସ୍କୁଲ କଲେଜ ରେ ଦରମା ନାହିଁ , ବହିପତ୍ର ମାଗଣା । ଖାଲି ଟିଉସନ ଲାଗି ଯାହା ପଇସା ଲାଗୁଛି । ଖାଲି ମୋ ଝିଅ ପାଶ୍ କରି ଯାଉ । ଚାକିରୀ ପରା ତା' ପଛରେ ଗୋଡେଇ ବୁଲିବ ''। ତା' ପରଦିନ ଠାରୁ ଆଉ ତା'ର ଦେଖା ନାହିଁ ।

ସପ୍ତାହ କ ପରେ ଆସିଲା ଶାନ୍ତି । ସବୁ ଦିନର ସେ ହସ ହସ ମୁହଁ କି ସେ ସଫାସୁତୁରା ସତେଜ ଚେହେରା ନାହିଁ, କାନ୍ଦି କାନ୍ଦି ବୋଧହୁଏ ଆଖି ଦୁଇଟି ଫୁଲିଛି ,ଆଖିତଳ କଳାଦାଗ କହୁଛି ଯେ ସେ କେତେ ଦିନ ଧରି ଶୋଇନି।ତା'ର ମୁହଁକୁ ଦେଖି ବୁଝି ହେଉଥିଲା ଯେ କିଛି ଗୋଟାଏ ଅଘଟଣ ଘଟିଛି । ମୁଁ ପଚାରିଲି ଘଟଣା କ'ଣ ବୋଲି । କାନ୍ଦି କାନ୍ଦି ସେ କହିଲା '' ମୋର ସବୁ ସରିଗଲା ମା ! ମୋ ଝିଅ କୁ ପାଞ୍ଚ ଦିନ ହେଲାଣି ଭୂତ ଲାଗିଛି । ସେ ଖାଲି ବାଡେଇ ଛାଟି ହୋଇ ଚିତ୍କାର କରୁଛି, ମତେ ଛାଡି ଦିଅ ଛାଡି ଦିଅ କହି ଘରୁ ବାହାରି ଯିବାକୁ ଛାଟି ପିଟି ହେଉଛି, ତା' ବାପା, ମୁଁ ଆଉ ଆମର ତିନି ଚାରି ଜଣ ଭାଇବନ୍ଧୁ ମିଶି କରି ବି ତା'କୁ ଅଟକେଇ ପାରୁନୁ । ଘଡି କି ଘଡି ଚେତା ବୁଡି ଯାଉଛି ''। ଆମେ ସବୁ ଶୁଣି କାବା କାଠ ହୋଇ ଚାହିଁଲୁ ଶାନ୍ତି ର ମୁହଁକୁ । କ'ଣ କହୁଛି ଏ ସ୍ତ୍ରୀ ଲୋକ? ଆଜି ର ଯୁଗ ରେ ପୁଣି ଭୂତ ? ? ଶାନ୍ତି ଠାରୁ ଶୁଣିଥିଲୁ ତା' ଝିଅ ତା'ରି ଭଳି ପତଳୀ ଟିଏ , ସିଏ ପୁଣି ଠେଲି ଫୋପାଡି ଦେଉଛି ପାଞ୍ଚ ଜଣ ଲୋକଙ୍କୁ??? ଆଶ୍ଚର୍ଯ୍ୟ !

ମୁଁ ବୋହୂ କୁ କହିଲି ଆଗ ଶାନ୍ତି କୁ କିଛି ଖାଇବାକୁ ଦେଇ ତା'କୁ ସାନ୍ତ୍ବନା ଦେବାକୁ । ବହୁତ ବୁଝା ସୁଝା କରି ତା'କୁ ଖାଇବାକୁ ଦେଇ ଥୟ କରି ବାରଣ୍ଡାରେ ବସାଇଲୁ ଆମେ ଶାଶୁ ବୋହୂ । ଧୀରେ ଧୀରେ ସେ ସାମାନ୍ୟ ହେଲାପରେ ମୁଁ ପଚାରିଲି '' ଆଚ୍ଛା , ତୋ'ର ଝିଅ କ'ଣ କହୁଥିଲା କହିଲୁ? ସେ କହିଲା '' କ'ଣ କହିବି ମା , ସେ ମତେ ଆଉ ତା' ବାପ କୁ ଦେଖିଲେ ତ ଖାଲି ଦାନ୍ତ କାମୁଡି ଗୋଡେଇ ଆସୁଛି, କ'ଣ ଗୋଟାଏ ' ଜୟ ଯୀଶୁ, ଜୟ ଯୀଶୁ ' ବୁଲୁଛି, କହୁଛି ମୀନା କୁ ଭଲରେ ଭଲରେ ମୋ ସାଙ୍ଗରେ ଛାଡି ଦିଅ,ନହେଲେ ତା' ବାପା କୁ ଆଗ ଖାଇବି, ତା'ପରେ ତମେ ବଂଶ ଲୋପ କରିଦେବି । ଏମିତି ତ ଖାଲି ବାଡେଇ ପିଟି ହୋଇ ଘରୁ ବାହାରି ଯିବାକୁ ଚେଷ୍ଟା କରୁଛି ଆଉ କ'ଣ '' । ମୋ ବୋହୂ ବୁଝି ପାରିଲା ମାମଲା ଟି ବୋଧହୁଏ ପ୍ରେମ ଜନିତ । ତଥାପି କହିଲା ତମେ ଡାକ୍ତର ଙ୍କୁ ଦେଖାଇଥିଲ କି ? ସେ କ'ଣ କହୁଛନ୍ତି ? ଶାନ୍ତି କହିଲା ' ଡାକ୍ତର କଥା ଶୁଣିଲେ ବେଶୀ ମାତୁଛି ଗୋ ବୋହୂମା, କିଏ ନେବ ତା'କୁ ? କାଲିକି ମୋ ଭଉଣୀ କହିଛି ତା'କୁ ପଠାଣ ଗୁଣିଆ ପାଖକୁ ନେବ । ସେଇଠି ସାବାଡ୍ ହେବ ସେ ଭୂତ । ମୁଣ୍ଡରେ ହାତ ଦେଲି ମୁଁ । ଆଜି ବି ସେମାନେ ଏତେ ଅନ୍ଧବିଶ୍ୱାସ କୁ ଜାବୁଡ଼ି ଧରି ବସିଛନ୍ତି । ମୁଁ ବହୁତ ବୁଝାଇବାକୁ ଚେଷ୍ଟା କଲି ଶାନ୍ତି କୁ ଏମିତି ଭୂତ ଫୁତ କିଛି ନାହିଁ, ମିଛରେ କାହିଁକି ଗୁଡାଏ ଅର୍ଥ ହାନି, ପ୍ରାଣ ପୀଡ଼ା ସହି କୋଉ ଗୁଣିଆ ପାଖକୁ ଯିବୁ ବରଂ ମୁଁ ହଜାରେ ଟଙ୍କା ଦେଉଛି, ତୁ ତୋ ଝିଅ କୁ ନେଇ କୌଣସି ସାଇକାଟିଷ୍ଟ କୁ ଦେଖା। ସେ ହଁ, ହଉ କହି ମୋ ପାଖରୁ ଟଙ୍କା ନେଇ ଚାଲିଗଲା । ଆଉ ଦୁଇ ଚାରି ଦିନ ଯାଏ ତା'ର ଦେଖା ମିଳିଲାନି ଆମେ ଭାବିଲୁ ସେ ବୋଧହୁଏ ତା' ଝିଅ କୁ ନେଇ କଟକ ଯାଇଛି ବଡ ମେଡିକାଲରେ ଦେଖାଇବା ଲାଗି ହେଲେ ଆମ ସମସ୍ତଙ୍କ ଧାରଣାକୁ ଭୁଲ ପ୍ରମାଣିତ କରି ସେ ସାତ ଦିନ ପରେ ଅର୍ଦ୍ଧଚେତନ ଅବସ୍ଥା ରେ ଝିଅକୁ ଆଣି ଆସିଲା ଆମ ଘରକୁ । କାନ୍ଦି ବୋବେଇ ଅସ୍ଥିର ହୋଇ କହିଲା ମୋ ଝିଅ କୁ ବଞ୍ଚାଇ ଦିଅ ମା , ସେ ମରିଯିବ। ତମ କଥା ନମାନି ମୁଁ ସେ ପଠାଣ ଗୁଣିଆ ପାଖକୁ ଗଲି। ପୂଜା କରି ଭୂତକୁ ଛଡାଇବ ଆଉ ମନ୍ତୁରା ତାବିଜ ଟିଏ ଝିଅ ହାତରେ ବାନ୍ଧିଲେ ଭୂତ ଆଉ ପଶି ପାରିବନି କହିବାରୁ ମୁଁ ଆହୁରି ଦଶ ହଜାର ଟଙ୍କା ଧାର କରଜ କରି ନେଇ ତା'କୁ ଦେଲି । କ'ଣ ସବୁ ପୂଜା କଲା କେଜାଣି ମୋ ଝିଅ କୁ ବେତରେ ପିଟି ପିଟି ଦରମରା କରିଦେଇଛି, ମୋ ଝିଅ ପାଗଳ ପରି ହେଉଛି, ତମେ ମତେ ଦୟା କର ମା, ମୋର ଝିଅ କୁ ବଞ୍ଚାଇ ଦିଅ। ମୁଁ ସାରା ଢୀବନ ତମ ଘରେ ଗୋତି ଖଟିବି, ତମେ ମୋ ଝିଅ କୁ ରକ୍ଷାକର ମା । ମୋ ଇଚ୍ଛା ହେଉଥିଲା ଶାନ୍ତି ର କାନ ମୋଡି

ସେଇଠି ଠାଏ ଠାଏ କରି ଦି'ଟା ଚଟକଣୀ ତା' ଗାଲରେ ବସାଇ ଦେବାକୁ । କିନ୍ତୁ ଝିଅଟିର ଅବସ୍ଥା ଦେଖି ଦୟା ହେଲା ।କ'ଣ କରିବି ବୋଲି ସେମାନଙ୍କୁ ସାଙ୍ଗରେ ନେଇ ଆମ ଘର ପାଖରେ ଥିବା ପ୍ରାଇଭେଟ ହସ୍ପିଟାଲରେ ରେଦେଖାଇ ଝିଅ ର ଚିକିତ୍ସା ପାଇଁ ସବୁ ବନ୍ଦୋବସ୍ତ କରି ଘରକୁ ଫେରିଲା ବେଳକୁ ମନେ ମନେ ଈଶ୍ବରଙ୍କୁ ଡାକୁଥିଲି ''ହେ ପ୍ରଭୁ ! ଏମାନଙ୍କୁ ସଦ୍ ବୁଦ୍ଧି ଦିଅ''।


Rate this content
Log in