Sunanda Mohanty

Others

4  

Sunanda Mohanty

Others

ଅମୃତ ଅନୁଭବ

ଅମୃତ ଅନୁଭବ

4 mins
242



   ଆଜିକାଲି ଆଉ ଢେର ରାତି ଯାଏଁ ଦାଣ୍ଡ କବାଟ ଖୋଲା ରହୁନାହିଁ, ବଜ଼ାର ଯିବାର ନାହିଁ, କେହି ଅତିଥି ଅଭ୍ୟାଗତ ବି ଆସିବାର ନାହିଁ ତ କବାଟ ବନ୍ଦ ହେଇଯାଏ ସାତଟା ଭିତରେ l

  ସେଦିନ କବାଟ ବନ୍ଦ କଲାବେଳେ ମତେ କାହିଁ ସିଂହ ଦୁଆର କଥା ମନେ ପଡିଲା, କେବେଠୁ ଦେଖିନି ପ୍ରଭୁ, ଏଵେ ତ ଯିବାର ଉପାୟ ନାହିଁ ସେଥିରେ କାଳ ବେଳ ଭଲ ନାହିଁ, କେଡେ କେଡେ ଲୋକ ତ ବାହୁଡ଼ି ଯାଉଛନ୍ତି ମୁଁ ଯଦି କେବେ ଚାଲିଯାଏ, ତୁମକୁ ଦେଖିବା ତ ଦୂରର କଥା, ସ୍ୱର୍ଗଦ୍ୱାରରେ ବି ଦାହ କରାଯାଇପାରିବ ନାହିଁ ମୋ ଶରୀର, ତ ମନେପଡେ ଅନ୍ତରା ଚକ୍ରବର୍ତ୍ତୀ ଗାଇଥିବା ସେଇ ଜଣାଣରୁ କିଛି ପଂକ୍ତି, "କାହିଁ କେତେ ଦୂର, ତୋ ସିଂହ ଦୁଆର, କିଏ ନେଇଯିବ ମତେ ସରଗ ଦ୍ୱାର, କାଳିଆରେ ମତେ ଲାଗୁଛି ଡର, କାଳିଆରେ ମତେ ଲାଗୁଛି ଡର, "ବୋଲି ଦେଇ ପଦେ ଆଖିରୁ ଲୁହ ପୋଛି ଶୁଭ ମନାସିବାକୁ ଲାଗିଲି ସ୍ୱାମୀ, ପୁତ୍ର, ବଧୂ କନ୍ୟା, ଜାମାତା ଓ ଟିକି ନାତୁଣୀଟି ସହ ତେତ୍ରିଶଶହ କୋଟି ମନୁଷ୍ୟ ଓ ପ୍ରାଣୀଙ୍କୁ ଭଲରେ ରଖ ପ୍ରଭୁ ଜଗନ୍ନାଥ l

  ମନେ ପଡିଲା ଟିକି ନାତୁଣୀ ଟାକୁ ଜ୍ୱର, ହେ ପ୍ରଭୁ ଜଗନ୍ନାଥ ରକ୍ଷା କର ପ୍ରଭୁ, ଭଲ କରିଦିଅ ତାକୁ, ବଡ଼ ହେଇଯାଉ ଶୀଘ୍ର, ଆଜିକାଲିର ପିତା ମାତା ତ ଗୋଟିଏ ବା ଦୁଇଟି ସନ୍ତାନରେ ତୃପ୍ତ, କିଏ କହିବ ଏଇ ନାତୁଣୀଟି ପରେ ଝିଅ ଆଉ ଥରେ ମାଆ ହେବାକୁ ଚାଁହୁଛି ନା ନାହିଁ, ତା ଛଡ଼ା ପିଲାଟିର ଗୁଳୁଗୁଲିଆ ଖେଳ କୌତୁକ ସବୁ ଆଖିରେ ନାଚୁଛି,ଦୂରରେ ଥିବାରୁ ପ୍ରତ୍ୟକ୍ଷରେ ଦେଖି ହେଉନଥିଲେ ବି ଆଜିକାଲିର ଟେକନୋଲୋଜି ପାଇଁ ଭିଡ଼ିଓ କଲିଙ୍ଗରେ ସବୁ ତ ଦେଖିହେଉଛି ଆଉ ଆଶା ବାନ୍ଧିଛି ମନରେ, ଆସିଲେ ପୁରୀ ନେଇଯିବି, ବଡଦାଣ୍ଡର ଧୂଳି ମୁଣ୍ଡରେ ମାରି ମହୋଦଧିରେ ଗାଧେଇ ଦେବି, ଜଗନ୍ନାଥଙ୍କ ବାଇଶି ପାହାଚରେ ଗଡେଇ ଦେବି, ଆଉ ଟିକେ ବଡ଼ ହେଲେ ରଥଯାତ୍ରା, ଚନ୍ଦନ ଯାତ୍ରା, ଚାପ ଖେଳ ଭଉଁରୀ ସବୁ ଦେଖେଇ ନେବି l

  ଏମିତି ସବୁ ଭାବନା ଭିତରେ ଦାଣ୍ଡଦୁଆରେ କିଏ ଜୋର ଜୋର ଡାକିବାର ଶବ୍ଦରେ ବିରକ୍ତି ପ୍ରକାଶ କଲି କାରଣ ଏକରେ ଏ ଅବେଳରେ, ଦୁଇରେ କଲିଙ୍ଗବେଲ ନମାରି ଗ୍ରିଲ ଗେଟେକୁ ଏଡେ଼ଜୋରରେ ବାଡେଇ ପକେଇବାର ମାନେ କଣ?? 

  ତରତରରେ ଓହ୍ଲେଇ ଦୁଆର ଫିଟେଇ ଚମକି ପଡିଲି ନନାଙ୍କୁ ଦେଖି, ନନା ମାନେ, ଏଠିଥିବା ଅଠେଇଶ ବୋଲି ଗୋଟେ ଜାଗାରେ ଗାଗନ୍ନାଥଙ୍କ ମନ୍ଦିର, ତାଙ୍କ ପୂଜକ, ଏତେ ଦିନ ଧରି କାହିଁ ଆସୁନଥିଲେ?? , କେତେ, ପୂର୍ଣ୍ଣମୀ, ଅମାବାସ୍ୟା, ଏକାଦଶୀ ତଥା ସଂକ୍ରାନ୍ତି ଗଲାଣି ହେଲେ ଆପଣ ଆସୁନାହାନ୍ତି କି ଠାକୁରଙ୍କ ଭୋଗ ପାଇଁ କିଛି ଦକ୍ଷିଣା ନେଉନାହାନ୍ତି, ପାଣିଲାଗି ବି କରୁନାହାନ୍ତି, ହଉ ହଉ ଭିତରକୁ ଆସନ୍ତୁ, ମୁଁ ଚା ବସଉଛି, ତ ନନା କହିଲେ ନାଇଁ ମାଆ ଭିତରକୁ ଯିବାକୁ ଆଉ ସମୟ ନାହିଁ, ଆଜି ଭଉଁରୀ ବୋଲି ଆସିଲି, ଏଇ ନିଅ ଚନ୍ଦନ ତୁଳସୀ, ରୁହନ୍ତୁ ନନା ମୁଁ ଦକ୍ଷିଣା ନେଇଆସୁଛି, ମନେ ମନେ କେତେ ଖୋଜୁଛି ଆପଣଙ୍କୁ, ଜଗନ୍ନାଥଙ୍କୁ ମୋ ଦୁଃଖ ସୁଖ କହିବାର ମାଧ୍ୟମ ତ ଆପଣ, ଜଗାଙ୍କୁ ନା ଦେଖିହେଉଛି ନା ଆପଣ ଆସି ତାଙ୍କ ଭୋଗ ଲାଗି କରି, ଦୀପ ସଞ୍ଜ ପାଇଁ କିଛି ଦକ୍ଷିଣା ନେଉଛନ୍ତି!, ତ ନନା କହିଲେ ନାଇଁ ମାଆ ତୁମେ ତ ଜାଣ ମୁଁ ଜଗନ୍ନାଥଙ୍କ ପୂଜକ, ତ ବେଳ ହେଉନି ଆଜି ତୁମେ କାଳେ ଭଉଁରୀ ବୋଲି ଭୁଲିଯାଇଥିବ ଭାବି ତାଙ୍କ ତୁଳସୀ ଚନ୍ଦନ ନେଇଆସିଛି, ମୁଁ ପରେ ଆସିବି କହି ଫେରି ପଡି ଅଦୃଶ୍ୟ ହେଇଯାଉଥିବା ନନା ଦେଇଯାଇଥିବା ତୁଳସୀ ଚନ୍ଦନ ପାଇ, ପରିବାରର ଉପସ୍ଥିତ ସଭ୍ୟଙ୍କୁ ଦେଇ ସେମାନଙ୍କ ମୁଣ୍ଡରେ ମାରି ଆର୍ଶୀବାଦ ଦିଅ ପ୍ରଭୁ ମୋର ସମସ୍ତଙ୍କୁ, ଆଉ କ୍ଷମା କର ଆଜି ଏତେ ବଡ଼ ଦିନରେ ତୁମ ଚାପ ଖେଳ ଟିକେ ଟିଭିରେ ବି ଦେଖି ପାରିନି, ଧନ୍ୟ ହୋଇଯାଇଥାନ୍ତି, ପବିତ୍ର ହେଇଯାଇଥାନ୍ତା ଚକ୍ଷୁ ଯୁଗଳ, ଯାହା ହେଉ ନନା ଆସିନଥିଲେ ଏ ମହାର୍ଘ ଚନ୍ଦନ ତୁଳସୀ କୋଉଠୁ ପାଇଥାନ୍ତି, ପୁଣି ମନ ଗୋଳେଇ ଘାଣ୍ଟି ହେଉଥିଲା ନନାଙ୍କ ପାଇଁ, ପ୍ରାୟ ଚାରି କି ପାଞ୍ଚ ମାସ ପରେ ଆସିଥିଲେ, ହେଲେ ଚା ଟିକେ ବି ପିଇ ପାରିଲେନି, ମୁଁ ଅଲକ୍ଷଣୀ ବାଧ୍ୟ ବି କରିପାରିଲିନି ଚଳନ୍ତି ଗାଗନ୍ନାଥଙ୍କୁ ମୋ ହାତ ଚା ଟିକେ ପିଇବାକୁ ଦେଇ ପାରିଲିନି, ହଉ ଛାଡ଼, ମୋ ଭାଗ୍ୟ !ହେଲେ ବଳକା ମହମହ ତୁଳସୀ ଚନ୍ଦନ ଟିକକ ଠାକୁର ଘରେ ଜଗନ୍ନାଥଙ୍କ ଫଟୋ ତଳେ ରଖିଦେଲି ନାତୁଣୀ ଆସିଲେ ଝାଡିଦେବି ବୋଲି, ଦୁଇଟି ଖୁସି ଖବର ବି ମିଳିଗଲା, ନାତୁଣୀର ଜ୍ୱର କମିଛି ଆଉ ଖରା ଛୁଟି ପାଇଁ ଝିଅ ଜୋଇଁ ନାତୁଣୀ ଆସୁଛନ୍ତି ନିଜ ଗାଡ଼ିରେ, ସମସ୍ତଙ୍କୁ ଖୁସି ଖବର ଦେବା ସହ ଦୀପ ଟିଏ ଜାଳି ଦେଲି ଜଗାଙ୍କ ପାଖେ ଆଉ କାଲି ସ୍କୁଲରେ ବହୁତ କାମ ଥିବାରୁ ଆତ୍ମସନ୍ତୋଷରେ ଶୋଇଗଲି l

  ସ୍କୁଲରେ ବୋର୍ଡ଼ କାମ ଚାଲିଛି, ଆମର ମେଣ୍ଟର ସ୍କୁଲ ହିସାବରେ ପାଞ୍ଚଗୋଟି ସ୍କୁଲର ଦୁଇଶହ ଅଠର ପିଲାଙ୍କର, ପ୍ରତ୍ୟକଙ୍କର ଛବିଶଟି ଘରେ ମାର୍କ ପୂରଣ ହେବ, ନବମର ଦୁଇ ପରୀକ୍ଷା ଭିତରୁ ଅଧିକା ମାର୍କଥିବା ଛଅଗୋଟି ବିଷୟ ସହିତ ସେହି ପିଲାମାନଙ୍କର ଦଶମରେ ହୋଇଥିବା ତିନିଗୋଟି ପରୀକ୍ଷାର ଛଅଟି ବିଷୟ ଲେଖାଏଁ, ଏମିତି ସମୁଦାୟ ଛବିଶିଟି ଘର ପୂରଣ ବେଳେ କାଳେ ଭୁଲଭଟକା ହେବାର ଭୟ ଭିତରେ, ଅଠେଇଶ ଜଗନ୍ନାଥ ମନ୍ଦିରର ଅନ୍ୟ ଦୁଇ ପୂଜକ ତୁଳସୀ ଚନ୍ଦନ ଧରି ଉପସ୍ଥିତ ତ ଖୁସିରେ ତୁଳସୀ ଚନ୍ଦନ ପାଇ, ଦକ୍ଷିଣା ଦେଇ, କାଲି ନନା ଆସି ଦେଇଥିଲେ, ଆଜି ଆପଣମାନେ ଦେଲେ, କାଲି ପରିବାରରେ ଖୁସି ଖବର ଥିଲା ଆଜି ସ୍କୁଲରେ ବୋର୍ଡ଼ କାମ ନିଶ୍ଚୟ ଠିକ ଠିକ ହୋଇଯିବ କହିବାରେ, ସେ ଦୁହେଁ କହୁଥିଲେ କୋଉ ନନା ମାଆ ? ଯାହାକୁ ଆପଣ ପ୍ରତି ପୂର୍ଣ୍ଣମୀ, ଏକାଦଶୀ, ଅମାବାସ୍ୟା ସଂକ୍ରାନ୍ତିର ଭୋଗ ଲଗାଇବାକୁ ଦେଇଥାନ୍ତି ଦାୟିତ୍ୱ, ନରହରି ଭାଇନା? ସେତ, ହାର୍ଟ ଆଟାକରେ ଚାରି ମାସ ହେଲା ଗଲେଣି, ଆଉ କୋଉ ନନା??? 

 ମୁଁ ଅବାକ, ସ୍ଥାଣୁ, ନିର୍ବାକ, ନିଜେ ନରହରି ନନା ମତେ କାଲି ରାତିରେ ଜଗନ୍ନାଥଙ୍କ ଚନ୍ଦନ ତୁଳସୀ ଦେଇଯାଇଛନ୍ତି, ତ ଆଗନ୍ତୁକ ଭାଇନା ଦ୍ୱୟ ବିସ୍ମୟ ହସ ହସୁଥିଲା ବେଳେ ଫୋନ ଆସୁଥିଲା ଝିଅ, ଜୋଇଁ ନାତୁଣୀ ପହଁଚୁଥିଲେ, ତ ମୁଁ ସ୍କୁଲରୁ ଯାଇ ଘରେ ପହଞ୍ଚି ନାତୁଣୀକୁ ନେଇ ଠାକୁର ଘରେ ଜଗନ୍ନାଥଙ୍କୁ ଫଟୋ ତଳୁ ଚନ୍ଦନ ତୁଳସୀ ଆଣି ପିଲାକୁ ଝାଡ଼ି ଦେଲା ବେଳେ ମୋ କର୍ଣ୍ଣରେ ଗୁଂଜରିତ ହେଉଥିଲା,"ନରହରି ଭାଇନା ତ ଚାରିମାସ ହେଲାଣି ହାର୍ଟଆଟାକରେ."...., ଆଗକୁ ମୁଁ କିଛି ଭାବିପାରୁନଥିଲି, ହେଲେ ମୋ ମୁଠାରେ ଥିବା ଚନ୍ଦନ ତୁଳସୀ କାଲିର ନା ଆଜିର ଭାବିବା ପୂର୍ବରୁ ନାତୁଣୀ ଖନେଇ ଖନେଇ ଆ.. ଈ କହିବାରେ ମୋ ଆଖିରୁ ଗଡିଆସୁଥିଲା ଲୁହ ଧାରେ ସେଇଟା ଅମୃତ ଅନୁଭବର ବୋଲି କାହାକୁ କହିବି?? 



Rate this content
Log in