Banabihari Mishra

Others

3.9  

Banabihari Mishra

Others

ଅଜାଙ୍କ ଗାମୁଛା

ଅଜାଙ୍କ ଗାମୁଛା

4 mins
12.1K


ପିଲାଦିନେ ଅଧିକାଂଶ ସମୟ ମୋର ମାମୁଁଘରେ କଟିଥିଲା। ମାମୁଁଘର ଆମ ଘରଠୁ ଖୁବ୍ କମ୍ ଦୂର। ଡାକିଲେ ଶୁଭେ। ଆମର ଗୋଟେ ବଡ ପରିବାର। ଚାଷୀବନ୍ଦି ଘର। ହଳିଆ ମୂଲିଆ, ଗାଈଗୋରୁଙ୍କ ଦାୟିତ୍ୱ ସବୁକିଛି ମାଆ ଉପରେ ନ୍ୟସ୍ତ। ବୁଢାବାପା ଆଖପାଖର ଜଣେ ପୁରୁଖା ମାମଲତକାର। ଲୋକଙ୍କ ଭଲମନ୍ଦ ବୁଝିବାରେ ତାଙ୍କର ଅଧିକାଂଶ ସମୟ ଯାଏ। ତା'ଛଡା ପୌରୋହିତ୍ୟ କରିବା, ବିଲବାଡିର ଭଲମନ୍ଦ ବୁଝିବା ଆଉ ବନ୍ଧୁବାନ୍ଧବ କାମକାର୍ଯ୍ୟ ସବୁ ସିଏ ବୁଝନ୍ତି। ସେଥିପାଇଁ ଘରର ଆଭ୍ୟନ୍ତରୀଣ ଦାୟିତ୍ୱ ନେବାପାଇଁ ତାଙ୍କର ସମୟ ନଥାଏ। କିନ୍ତୁ ମାଆ ଏଇ ଘର ଜଞ୍ଜାଳ ଭିତରେ ଏକରକମ ପେଶୀ ହେଇ ଯାଉଥାଏ। ବୁଢୀମାର ବ୍ରେନ୍ ଟ୍ୟୁମର ଯୋଗୁଁ ତାର ମାନସିକ ସନ୍ତୁଳନ ନଥାଏ। ଏକରକମ ବାୟାଣୀ। ଶାଶୁ ହିସାବରେ ମାଆକୁ କୌଣସି କଥା ଶିଖେଇବା ବା କୌଣସି କଥାରେ ଆକଟ କରିବା ବୁଢୀମା କରିନଥିଲା କେବଳ ତା'ର ମୁଣ୍ଡ ଦୋଷ ଯୋଗୁଁ। ବାପାଙ୍କର ବି.ଏନ୍.ଆର୍ (ବେଙ୍ଗଲ୍ ନାଗପୁର ରେଲଓ୍ବେ) ଚାକିରୀ ଓଡିଶା ବାହାରେ। ସେଇଥିପାଇଁ ନିଜ ଦାୟିତ୍ୱ ସାମାନ୍ୟ ହାଲୁକା କରିବାକୁ ମାଆ ପ୍ରତିଦିନ ସକାଳୁ ମୋତେ ମାମୁଁଘରେ ଛାଡି ଦେଇଆସେ। ସେଇଠି କହିବାକୁ ଗଲେ ମୋର ବାଲ୍ୟ ଓ କୈଶୋର ସମ୍ପୂର୍ଣ୍ଣ କଟିଛି।


ଅଜା ଓ ଆଈ ଉଭୟ ଖୁବ୍ ସ୍ନେହୀ। ଅଜା ପଣ୍ଡିତ ଦଶରଥ ଶତପଥୀ ଜଣେ ସ୍ବନାମଧନ୍ୟ ସଂସ୍କୃତ ପଣ୍ଡିତ ତଥା ଭଞ୍ଜ ସାହିତ୍ୟର ଅପ୍ରତିଦ୍ବନ୍ଦୀ ବକ୍ତା। ଖାଲି ଓଡିଶା ନୁହେଁ, ଓଡିଶା ବାହାରକୁ ମଧ୍ୟ ଭଗବଦୀୟ ପ୍ରବଚନ ତଥା ଭଞ୍ଜ ସାହିତ୍ୟର ଆଲୋଚନା ପାଇଁ ଯାଆନ୍ତି। ଏ ସବୁ ଭିତରେ କିନ୍ତୁ ଅଜାଙ୍କର ମୁଣ୍ଡରେ ପଗଡି ବନ୍ଧା ହେଇଥିବା ସେଇ ଧୋବ ଫରଫର ଗାମୁଛା ସବୁବେଳେ ମୋର ଆକର୍ଷଣର କେନ୍ଦ୍ରବିନ୍ଦୁ ହେଇ ରହିଥାଏ। ସେଇଟାକୁ ଅଜା ପୋଛା କୁହନ୍ତି। ଯଦିଓ ଅଜା ଦୈନିକ ତେଲ ଲଗାଇ ଗାଧାନ୍ତି, ତଥାପି ତାଙ୍କ ଗାମୁଛା କେତେବେଳେ ହେଲେ ଅନ୍ୟମାନଙ୍କ ପରି ତେଲିଆ ଗନ୍ଧ ହୁଏନି। ତା'ର ଗୋଟେ ଅଲଗା ବାସ୍ନା ଯାହା ସବୁବେଳେ ମୋତେ ଆକର୍ଷିତ କରେ। ସେ ଗାମୁଛା ଖଣ୍ଡକ କେବେ ସିଏ ହାତକୁ ଦିହାତ କରିବାର ନଜିର ନଥିଲା।


ଅଜାଙ୍କର ଚରିତ୍ରର ଆଉ ଗୋଟିଏ ବିଶେଷତ୍ୱ ଯେ ସେ ପ୍ରଚଣ୍ଡ କ୍ରୋଧୀ। ଅବଶ୍ୟ ତାଙ୍କର ରାଗ କେବଳ ଆଈ ଉପରେ ପ୍ରକାଶିତ ହେବାର ମୁଁ ଦେଖିଛି। ଆଈ ଚାଲିଯିବା ପରେ ଆଉ କେବେ କାହା ଉପରେ ରାଗିବାର କାହିଁ ମୋର ମନେ ପଡୁନି। ଆଈ ଉପରେ ରାଗନ୍ତି ଆଉ ତାଙ୍କର ସବୁଠାରୁ ବଡ ଗାଳି ହେଲା 'ଅର୍କ୍ଷିତିଆଣୀ'। ଆଈ ବି କୋଉ ଛାଡିବା ଲୋକ। ସିଏ ତାଳଚେର ରାଜାଙ୍କର ସଭା ପଣ୍ଡିତ ଶିବ ମିଶ୍ରଙ୍କ ଝିଅଟି, ଆଉ ସିଏ କି ଛାଡିବା ଲୋକ। ଆଈ ବି ଅଜାଙ୍କ କଥାକୁ ଖାତିରି କରେନି। ତା'ର ଫଳପାଣି ଆଉ ଅଫିମ ଠିକ୍ ତ ସିଏ ଠିକ୍। ଅଜା ପାନ ଖାଆନ୍ତି। ଅଜାଙ୍କ ପାନବଟା ସଜାଡି ଦେବା ପରେ ପିଲାଙ୍କୁ ପଢେଇବା ତା'ର ଗୋଟେ ପେଶା ଆଉ ନିଶା। ଆମ ଅଞ୍ଚଳର ଅନେକ ପିଲା ତାରି ଛାଟ ଖାଇ ମଣିଷ ହେଇ ସମାଜରେ ଠିଆ ହେଇଛନ୍ତି।


ମୋ ପ୍ରତି ଥିବା ଏଇ ଭଲପାଇବାର ମୁଁ ଭଲ ଭାବରେ ଲାଭ ଉଠାଇଥାଏ। ଅଜା ବଡ ମାମୁଁଙ୍କୁ ବହୁତ ଭଲ ପାଆନ୍ତି। ନାଁ ଧରି କେବେ ଡାକନ୍ତିନି। ମାମୁଁ ମଧ୍ୟ ଅଜାଙ୍କର କୌଣସି କଥାକୁ ତଳେ ପକାନ୍ତିନି। ଯେତେ କ୍ଳାନ୍ତ ହେଇଥିଲେ ବି ଅଜାଙ୍କ ଗୋଡହାତରେ ଟିକେ ହାତ ନ ମାରିଲେ ବିଛଣାକୁ ଯିବେନି। ଯଦି ମୁଁ କେବେ କିଛି ଦୁଷ୍ଟାମୀ କରେ, ମାମୁଁ ରାଗିଲେ ଅଜାଙ୍କ ପାଖରେ ଯାଇ ବସିଯାଏ। ଆଉ ଅଜା ରାଗିଲେ ଆଈ ପାଖରେ ଗେଞ୍ଜି ହୁଏ। ମାମୁଁଙ୍କ ପାଖକୁ ଭରସିକରି ଯାଏନି। ମାମୁଁ ଆମ ଗାଁ ହାଇସ୍କୁଲରେ ଶିକ୍ଷକ। ବୋଧହୁଏ ମାମୁଁଙ୍କ ପ୍ରତି ସେଇଥିପାଇଁ ମୋର ଏମିତି ଗୋଟେ ଅହୈତୁକ ଭୟ ଥିଲା। ଅବଶ୍ୟ କେବେବି ଆମ ଭଣଜା ଭାଣିଜିଙ୍କ ଉପରେ ମାମୁଁ ରାଗିବାର କି କଡାକରି କିଛି କହିବାର ମୁଁ ଜାଣିନି। ତଥାପି କାହିଁକି କେଜାଣି, ମାମୁଁଙ୍କୁ ଡର ଲାଗେ।


ସେତେବେଳେ ମୋତେ ପ୍ରାୟ ଛଅ କି ସାତ ବର୍ଷ ବୟସ। ଠାକୁରଙ୍କ ପାଖରେ ଚୁଟି ପକେଇବା ପୂର୍ବରୁ ଚୁଟି କଟା ନଯିବାର ପ୍ରଥା ଯୋଗୁଁ ମୋ ମୁଣ୍ଡରେ ଝିଅ ପିଲାଙ୍କ ପରି ଲମ୍ବା ଲମ୍ବା ଚୁଟି ହେଇ ଯାଇଥିଲା। ମୁଣ୍ଡରେ ପଞ୍ଜାବୀଙ୍କ ପରି ଗଣ୍ଠି କରିଦିଆଯାଏ। ଆମ ଗାଁର ଉପରଗଡରେ ଜଗନ୍ନାଥ ମନ୍ଦିର। କୁହାଯାଏ ସେ ମନ୍ଦିରରେ ଜଗନ୍ନାଥ ପ୍ରତିମା ପୁରୀ ମନ୍ଦିରର ପ୍ରତିମାଠାରୁ ଅଳ୍ପ ବଡ। ସେଇଠି ମୋର ଚୁଟି ପକେଇବାକୁ ଅଜା ମୋତେ ନେଇ ଯାଇଥିଲେ। ଉପରଗଡ ଗୋଟେ ଛୋଟ ପାହାଡ଼ ଉପରେ ଅବସ୍ଥିତ ଆଉ ସେଠିକୁ ଯିବାକୁ ହେଲେ ସେଇ ପାହାଡ଼ ଚଢିବାକୁ ହୁଏ। ଆମେ ଅଜା ନାତି ପାହାଡ଼ ଚଢୁଥାଉ। ସେଇ ସମୟରେ ଅଜା ଉପରଗଡ ସମ୍ବନ୍ଧିତ ଗପ କହୁଥିଲେ। ଗଡରେ ରାଜାଙ୍କ ଉଆସ। ଆମ ଦେଖିବା ବେଳକୁ ଅବଶ୍ୟ ତାହା ଭଗ୍ନାବଶେଷ ମାତ୍ର ଥିଲା। ଆମ ଗଡ ରାଜାଙ୍କର କୌଣସି କାରଣରୁ ତାଳଚେର ରାଜାଙ୍କ ସହ ଶତ୍ରୁତା ଥିଲା। ତାଳଚେର ରାଜା ଶହେ ପାଇକ ଘୋଡସବାର ପଠେଇଲେ ଆମ ଗଡ ରାଜାଙ୍କୁ ଶାସ୍ତି ଦେବାପାଇଁ। ସେତେବେଳେ କୁଆଡେ ଏସବୁ ଚଳୁଥିଲା। ଉପରଗଡକୁ ଯିବାକୁ ହେଲେ ଗୋଟେ ବଡ ଚଟାଣ ପଥର ଉପରେ ଯିବାକୁ ହୁଏ। ସେତେବେଳେ ଆମ କରଣ ସାହିର ଶ୍ରୀଚରଣ ପଟ୍ଟନାୟକ ରାଜାଙ୍କର ମୁଖ୍ୟ ପରାମର୍ଶଦାତା ଥିଲେ। ସିଏ ସେଇ ଚଟାଣ ପଥର ଉପରେ ତେଲ ଢାଳି ସେ ବାଟରେ ଉପରକୁ ଯାଉଥିବା ଶହେ ପାଇକଙ୍କୁ ତଳକୁ ଖସେଇ ହାଣି ପକେଇ ଥିଲେ। ସେଇଦିନୁ ଗୋଟେ ପହଳି ଆମ ଅଞ୍ଚଳରେ ପୁରୁଖା ଲୋକମାନେ କୁହନ୍ତି, ଶହେ ପାଇକ ଶହେ ଘୋଡ଼ା, ଏକା ଥିଲେ ଶ୍ରୀଚରଣିଆ ବୁଢା।


ସେଦିନ ଲଣ୍ଡିତ ମସ୍ତକ ହେଇ ଫେରିବା ବେଳକୁ ଦି ପହର ହେଇ ଯାଇଥିଲା। ଖରାଦିନ ଖରାବେଳ। ଅଜା ତାଙ୍କ ପୋଛାଟାକୁ ମୋ ମୁଣ୍ଡରେ ଢାଙ୍କିଦେଲେ। ଆଃ, କି ଭାଗ୍ୟ ମୋର। ଯେମିତି ମତେ ଇନ୍ଦ୍ରପଦ ମିଳିଗଲା। ଅନେକ ସମୟରେ ଅଜା ସେଇ ପୋଛାରେ ମୋ ମୁହଁ ପୋଛି ଦିଅନ୍ତି। ଭାରି ସୁଖ ଲାଗେ। କିନ୍ତୁ ସେଇ ପୋଛାଟା ଆଜି ମୋ ମୁଣ୍ଡରେ। କେଡେ ଭାଗ୍ୟ ମୋର। ଘରେ ପହଞ୍ଚିଲା ପରେ ଅଜା ନାତି ଗାଧେଇବା ପାଇଁ ପୋଖରୀକୁ ଗଲୁ। ସେ ପର୍ଯ୍ୟନ୍ତ ମୋ ଅକ୍ତିଆରରେ ଗାମୁଛା ଖଣ୍ଡକ ଥାଏ। ଗାଧୋଇ ସାରିବା ପରେ ସେଇ ଗାମୁଛା ମୋ ଦେହରେ ଅଜା ଢାଙ୍କି ଦେଇଥିଲେ। ସେଦିନ ସେଇ ଗାମୁଛାର ମୋହରେ ଆଉ ମୁଁ ଆମ ଘରକୁ ଯାଇ ନଥିଲି। ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧିଲା ପରେ ବି ମୁଁ ସେ ଗାମୁଛା ଖଣ୍ଡକ ହାତଛଡା କରି ନଥିଲି। ଅବଶ୍ୟ ସେତେବେଳକୁ ଅଜା ଆଉ ଖଣ୍ଡେ ଗାମୁଛା ପଗଡି କରି ସାରିଥିଲେ। ରାତିରେ ଖାଇସାରି ମୁଁ ସେଇ ଗାମୁଛା ଦେହରେ ପକେଇ ଶୋଇ ଯାଇଥିଲି। କେତେବେଳେ ମାଆ ଆସି ନିଦ୍ରିତ ଅବସ୍ଥାରେ ଘରକୁ ଟେକି ନେଇ ଯାଇଥିଲା। ଆଉ ସେ ଗାମୁଛା ଖଣ୍ଡକ ଆଈ ମୋ ଠାରୁ ନେଇ ଯାଇଥିଲା। ସକାଳୁ ଉଠି ଗାମୁଛା ହାତଛଡା ହେଇଯାଇଛି ଜାଣି ଅନେକ କାନ୍ଦିଥିଲି। ଆଉ ମୋ କାନ୍ଦିବା ଦେଖି ଅଜା ଆଈକୁ ପାଟି କରିଥିଲେ। ୟା ଭିତରେ କିନ୍ତୁ ଗୋଟେ ସମସ୍ୟା ହେଇ ଯାଇଥିଲା। ପିଲାଦିନେ ମୁଁ ଅନେକ ସମୟରେ ବିଛଣାରେ ପରିଶ୍ରା କରିଦିଏ। ସେଦିନ ମଧ୍ୟ ଅଜାଙ୍କର ସେଇ ଗାମୁଛାରେ ସାନପାସ୍ କରିଦେଇଥିଲି। ଆଈ ସେଇଥିପାଇଁ ଗାମୁଛା ଖଣ୍ଡକ ଧୋଇବାକୁ ନେଇ ଯାଇଥିଲା। ଅବଶ୍ୟ ଅଜାଙ୍କୁ ଏ କଥାଟା ବୁଝେଇ ଦେଲାପରେ ସେ ଶାନ୍ତ ହେଇ ଯାଇଥିଲେ।


ଏତେସବୁ ହେଲା ପରେ ବି ଗାମୁଛା ଖଣ୍ଡକ ପୁଣି ଥରେ ଦେହରେ ପକେଇବା ପାଇଁ ପରଦିନ ସକାଳୁ ଅଜାଙ୍କ ପାଖରେ ଗେହ୍ଲେଇ ହୋଇଥିଲି। ଆଉ ଅଜା ବି ମୋର ଉଦ୍ଦେଶ୍ୟ ଜାଣିପାରି ଗାମୁଛା ଖଣ୍ଡକ ମୋ ଦେହରେ ଗୁଡେ଼ଇ ଦେଇଥିଲେ। ଖରା ଗରମରେ ଝାଳ ବାହାରୁଥିଲେ ବି ସେ ଗାମୁଛା ମୋତେ ଖୁବ୍ ଆନନ୍ଦ ଓ ଆରାମ ଦେଉଥିଲା। ମୁଁ ଅନୁଭବ କରୁଥିଲି ଅଜାଙ୍କର ଅମୃତମୟ ସୁଖକର ସାନ୍ନିଧ୍ୟ।


Rate this content
Log in