Satyabati Swain

Others

3  

Satyabati Swain

Others

ଅଧିକାର

ଅଧିକାର

5 mins
718



ଲଖି ଏଇ ମୋ ସ୍ତ୍ରୀ ଆଜି କଣ ସକାଳୁ ସକାଳୁ ଭାରି ଚଞ୍ଚଳ ଅଛି!। ଡାକି ଡାକି ହଲେଇ ହଲେଇ ଶୁକ୍ରୁ ଥକତ ହୁଏ ପଛେ ଉଠିବା ନାଁ ଧରେନି ସେ। ଆଉ ଉଠିଲା ମାନେ ହାତ ଥୟ ହୁଏ ନାହିଁ ଶୋଇବା ପର୍ଯ୍ୟନ୍ତ। ଶୁକ୍ରୁ ନିଜ ହାତରେ ଚା କରି ଖାଇଦେଇ କାମକୁ ବାହାରି ଯାଏ। ଲଖି ଦେହରୁ ଖସି ଯାଇଥିବା ଚାଦର ଘୋଡେଇ ଦେଇ ମନକୁ ମନ କୁହେ ଶୋଉ ଖଟୁଛି ଦିନ ରାତି ଗୋରୁ ପରି।


           ଆଜି କିନ୍ତୁ ଚକିତ ହେଲା ଶୁକ୍ରୁ!।ଅନ୍ଧାରୁଆରୁ ଉଠି ପଡ଼ିଲାଣି ଲଖି!। କଥା କଣ!। ଗୁହାଳୁ ବାହାରିଲା ଛଅ ସାତ ଗାଣ୍ଡୁଆ ଚନନି,ଗୋବର ମିଶି। ସବୁ କାମ ସାରୁଥିଲା ଚଞ୍ଚଳ ଚଞ୍ଚଳ। ଗୋଟିଏ ଗାଈ,ପାଞ୍ଚଟା ଛେଳି ଓ ମେଣ୍ଢା ତିନିଟା ବେକରେ ବନ୍ଧା ତାର। ଲାଗିଥିବ ତାଙ୍କ ପିଛରେ ଉଠିବାଠାରୁ ଶୋଇବା ଯାଏ।। ଯାହା କୁହ ଲଖି ଟା ଗୋଟିଏ ମେସିନ୍। ଥକେନି କେବେ କାମ କରି କରି।ସେଥିରେ ପୁଣି କୋଠାରେ ଦୁଇଟା ଛୁଆ ଓ ପେଟରେ ସାତମାସର ଆଉ ଗୋଟେ ଛୁଆ ଜଞ୍ଜାଳ।


      ଲୋକେ କୁହନ୍ତି ଲଖିଟା କେଉଁ ସାହିବର ଛୁଆ।ଜଙ୍ଗଲ ବଙ୍ଗଳାରେ ରହିବାକୁ ଆସିଥିବା କେଉଁ ଗୋଟେ ସହରି ବାବୁ ପାଖରେ ଲଖି ବୋଉ ଭୋଗ ଲାଗିଥିଲା।ଜଙ୍ଗଲରୁ ଶାଳ ପତ୍ର ବିଡା ନେଇ ଆସିଲା ବେଳେ ଡାକ ବଙ୍ଗଳା ସାହେବର ତାତିଲା ନଜର ପଡିଥିଲା ତା ଉପରେ। ପଚାରି ବୁଝିଲେ ପାଖ ଗାଁର ସଉରା ଝିଅ ସେ।ଗାଁ ମୁଖିଆକୁ ଡକା ଯାଇ ଫର୍ମାଇସି କରାଗଲା ସେ ଝିଅ ସହ ଦୁଇଟି କଳା ଗଞ୍ଜା ପଠେଇବାକୁ। ଠାକୁର ପାଖେ ଲଖି ବୋଉ ଭୋଗ ଲାଗିବାର ଆଶୀର୍ବାଦ ଫଳ ହେଉଛି ଲଖି।ଠାଣି ମାଣି ରଙ୍ଗ ରୂପ ସବୁ ସାହେବଙ୍କ ପରି।


      ଲଖି ବୋଉ କାଳେ ଲଖିକୁ କେଉଁ ବାବୁ ଚାହିଁବ ଓ ତା ପରି ସେ ବି ଭୋଗ ଲାଗିବ ଏଇ ଭୟରେ ପିଲା ଦିନୁ ଶୁକ୍ରୁ ସାଙ୍ଗେ ଯୋଡି ଦେଇଥିଲା ସମ୍ପର୍କ। ଶୁକ୍ରୁ ଓ ଲଖି ସାଙ୍ଗ ହୋଇ ଧୂଳି ଘର କରି ମିଛି ମିଛିକା ବାହାଘର,

ବୋହୁ ବୋହୁକା ଖେଳ ଖେଳୁ ବୟସ ହେବାରୁ ଏବେ ସତ ସତିକା ଖେଳୁଛନ୍ତି ଘର ସଂସାର କରି ବୋହୁ ବୋହୁକା ଖେଳ। ଶୁକ୍ରୁର ହାଣ୍ଡିଆ ନିଶା। ହାଣ୍ଡିଆ ପେଟେ ପିଇ ଦେଲେ ଲଖି ତାକୁ ସ୍ୱର୍ଗ ଅପସରି ଲାଗେ। ସତ କିନ୍ତୁ ଲଖିଟା ସତରେ ଅଭିଶାପ ପାଇଁ ବୋଧେ ଘନ ଜଙ୍ଗଲ ଘେରା ବସ୍ତିରେ ଜନ୍ମ ନେଇଛି। ଶୁକ୍ରୁ ଲଖିକୁ

ଦେଖି ଟିକେ ନିଶରେ ହାତ ମାରି ଦିଏ। କାହିଁକି ନା ଖଣ୍ଡ ମଣ୍ଡଳରେ ତା ସ୍ତ୍ରୀ ପରି ପଢୁଆ,ସୁନ୍ଦୁରୀ,ଓ ବୁଦ୍ଧିଆ ଆଉ

କାହା ସ୍ତ୍ରୀ ହେବନି। ଛତରା ନିଶ ଗଜୁରୁଥିବା ଟୋକା ଗୁଡା ଲଖିକୁ ଗିଳିଲା ପରି ଅନାନ୍ତି।କୁହନ୍ତି ଶୁକ୍ରୁଦାର ଅନ୍ଧାର ଘରେ ହୀରା ଖଣ୍ଡେ ଲଖି ବହୁ। କି ସୁନ୍ଦୁରୀ!!।


           ଶୁକ୍ରୁ ଗର ଗର ହୋଇ ଲଖିକୁ ରାଗେ।କୁହେ ତେତେ କେତେ ଥର କହିଲିଣି ଦେହ ମୁଣ୍ଡ ଲୁଗା ସଜାଡ଼ି କାମ କରିବୁ। ଏତେ ସଜ ବାଜ ହେବୁ ନାହିଁ।ଏକା ଜଙ୍ଗଲ ଭିତରକୁ ଯିବୁ ନାହିଁ। ଜାଣିଲୁ ଜଙ୍ଗଲ ବାଘ ପଛେ ଆଜିକାଲି ଛାଡି ଦେଉଛନ୍ତି ଶିକାର ହେଲେ ମଣିଷ ବାଘକୁ ଭରସା ନାହିଁ ଲୋ। ଛତରା ଧାଙ୍ଗଡା ଗୁଡା ତୋତେ ଖାଇ ଗଲାପରି ଅନଉଁଛନ୍ତି!!ସୁନ୍ଦୁରି ଟା ବୋଲି ତୁ ବି କେଉଁ କମ୍ କି!ଦେଖଉଥା ପିଠି,ଜଙ୍ଗ,ବାହୁ....

କାଇଁକି ତେଲ ମାଖୀ ମୁଖୀ ଏତେ ଜୁଡ଼ା ପାରୁଛୁ!।

ହଳଦି ଗୁରୁ ଗୁରୁ ମୁହଁରେ ଉଦିଆ ସୁରୁଜ ଦେବତା ପରି ସୁନ୍ଦୁର ଠୋପା ନାଉଚୁ!!।ବଳିଲା ବଳିଲା ପେଣ୍ଡା,ବାହୁ ଦେଖାଉଚୁ!।ଲୁଗାଟା ଆଣ୍ଠୁ ତଳକୁ ଳମ୍ବେଇ ପିନ୍ଧୁନୁ।ସେ ଯେଉଁ ପାଉଁଜ ଆଣିଥିଲି ଆରସନ ମେଳାରୁ ତାକୁ ପିନ୍ଧି ଛମ୍ ଛମ୍ ହୋଇ ଝରଣା ଆଡେ ଯିବୁନି। ଖାଲି ଘରେ ଥିଲା ବେଳେ ପିନ୍ଧିବୁ,ମୁଁ ଦେଖିବି,ଶୁଣିବି ତା ଗୀତ।


       ଲଖି ଖିଲି ଖିଲି ହସି କୁହେ ପୋଡା ଗନ୍ଧ କେଉଁଠୁ ଆଉଚି ଗୋ। ତୁଇ ଜଳୁଚୁ କିଆଁ!!ତୁ ପରା ମୋର ହାତୀ ଗୋଡ଼ ଧରିବା ପରି ମରଦ ଟା ଅଛୁ!!।ମୁଇଁ ଆଉ କାହାକୁ ଚାହିଁବି ନାଇଁ ଗୋ ଧନ। ଅଭିମାନ କରି କୁହେ ସୁନ୍ଦୁରି ବୋଲି କେତେ କଥା କହୁଛୁ ଦେଖେଇ।ଏଇଟା କଣ ମୁଇଁ କରିଛି!ଏଟା ମହାପୁରୁଙ୍କ ଦାନ।ମୁଁ କାଣ ଟା କରିମି ଗୋ।

            

ହଉ ହଉ ତୋତେ କହିବାର ଥିଲା କହିଦେଲି।ତୁ ମାଇକିନିଆଁ ଟା କଣ ବୁଝିବୁ ପୁରୁଷ ପୁଅ କଥା!।ପୁରୁଷ ପିଲା ତା ମାଇକିନିଆଁକୁ କିଏ ଆଖି ଉଠେଇ ଚାହିଁଲେ କି ସୁନ୍ଦୁରି ବୋଲି ପ୍ରଶଂସା କଲେ ହଜମ କରି ପାରେନି। ତା ଲୋକ କେବଳ ତାର। ସେ ହିଁ ଦେଖିବ,ଭଲ ପାଇବ ମାରିବ,ହାଣିବ ଯା ଇଚ୍ଛା ତା କରିବ। ତା ଦେହ,ସୌନ୍ଦର୍ଯ୍ୟ, ମନ ସବୁର ମାଲିକାନା ଜାହିର କରିବାକୁ ପସନ୍ଦ କରେ ପୁରୁଷ ପୁଅ। ଏମିତି କଥା ହେଉ ହେଉ ଶୁକ୍ରୁ ଟାଣି ଆଣେ ଲଖିକୁ ନିଜ ପାଖକୁ। ଲଖି ଚିଲ୍ଲାଏ। ରସିକିଆ ହଁ ନା କହୁଛି। ଦିଟା ଛୁଆର ବାପା ହେଲୁଣୀ। ମୋର ଗାଈ ଛେଳି,ମେଣ୍ଢା ଓ ଛୁଆ ଏପରି ସମସ୍ତଙ୍କୁ ମିଶେଇ ଆଠ ଦଶ ପ୍ରାଣୀ ହେଲେଣି। ମୁଁ ଏକା ଏତେ ପାରିବି ନାଇଁ। କେତେ ଥର ଶୁକ୍ରୁକୁ ଲଖି କହିଛି"ଆମର ତ ଦିଟା ଝିଅ ହେଲେଣି

,ଆଉ ପିଲା କରିବା ନାଇଁ।ଏଣିକି ତାଙ୍କ କଥା ଚିନ୍ତା କରିବା। ପଢେଇବା ଦି ଅକ୍ଷର ପାଠ। ବଡ ଝିଅର ଏ ବର୍ଷ ନାଁ ଲେଖେଇଛି ବସ୍ତି ସ୍କୁଲରେ। ରୋଜଗାର କରି ଛୁଆ ଦିଟାଙ୍କୁ ଭଲ ମଣିଷ କରିବା।


        ଆଗ ଠାରୁ ଢେର ବଦଳି ଗଲାଣି ତାଙ୍କ ବସ୍ତି,ଓ ବସ୍ତି ବାସିନ୍ଦାଙ୍କ ଜୀବନ ଶୈଳୀ। ପଥର ହଣା, ଖଣି ଖୋଳା କାମରେ ନିଯୁକ୍ତ ହୋଇ ଚଳିବା, ଖାଇବା ଢାଞ୍ଚା ଟିକେ ବଦଳିଲାଣି। କିନ୍ତୁ ବଦଳି ନାହିଁ ପୁଅ ପ୍ରେମ। ଝୁଅ ଗୁଡା ବାହା ସାଦି ହୋଇ ପଳେଇବ ପର ଘର। ପୁଅଟିଏ ଥିଲେ ସିନା ବାପ କାନ୍ଧକୁ କାନ୍ଧ ମିଶାଇବ। ଏଣୁ ଶୁକ୍ରୁ ଇଚ୍ଛା ପୁଅଟିଏ ହେଉ। ଲଖି କିନ୍ତୁ ଅମଙ୍ଗ ହେଉଥିଲା।ହେଲେ ହାଣ୍ଡିଆ ପିଇ ଦେଲେ ଶୁକ୍ରୁ ହୋଇଯାଏ ରାଜା। କି ଲଖି ପଖି କାହା କଥା ଶୁଣେନି।ଯା ଇଛା ତା ହିଁ କରେ।ଗୁଡାଏ ହଁ ନାହିଁ ଟଣା ଓଟରା ଭଅଁରରେ ପଡି ଲଖି ହୋଇଯାଏ କଅଁଳ ଧଳା ଠେକୁଆ,ଆଉ ଶୁକ୍ରୁ ସିଂହ ହୋଇ ଝାମ୍ପି ପଡେ ତା ଉପରେ।ଶେଷରେ ଏଇଆ ଫଳ,ଲଖି ପୁଣି ପେଟ କାଢି ବୁଲିଲାଣି।


       ଲଖି ପେଟରେ ପେଟେ ବୁଦ୍ଧି ବି। କଣ ଲୋନ ଫୋନ କରି ଗାଈ,ଛେଳି,ମେଣ୍ଢା ଆଣିଛି। ସକାଳୁ ସଞ୍ଜ ଲାଗିଥିବ,ଖଟୁଥିବ ଲୋଟଣୀ ପାରା ପରି।ଅଜବ ଝିଅଟି।ସବୁ ଭଲ ଗୁଣ ଭିତରେ ଲଖିର ଗୋଟେ ବଦ ଗୁଣ ସକାଳୁ ଉଠେନି ସହଳ। ସୁର୍ଯ୍ୟ ଦେବତା ତାଙ୍କ ଘର ଭିତରେ ପଶି ଶୁକ୍ରୁ ହାତ ତିଆରି ନାଲି ଚା ଟୋପେ ନ ପିଇଲା ପର୍ଯ୍ୟନ୍ତ।ଦିନ ଦଶ ଘଡିଯାଏ ଶୁଏ ଲଖି। ଯେତେ କହିଲେ ବୋଇଲେ ଏ ଅଭ୍ୟାସ ଛାଡୁ ନାହିଁ।


    ଶୁକ୍ରୁ ଟିକେ ପୂରୁବ ଆକାଶକୁ ଅନାଇଁଲା।ସୁରୁଜ ଦେବତା ଉଠି ପଡିଲେଣି କି ଶୁକ୍ରୁ ଆଗରୁ!!ନାଇଁ ତ!!ଚିତ୍ ହୋଇ ଶେଯରେ ପଡି ଶୁକ୍ରୁ ଗୋଡ ହଲେଇ ହଲେଇ ଦେଖୁଥିଲା ଲଖି ତର ତର କାମକୁ। ପଚାରିଲା ଶୁକ୍ରୁ କିଲୋ, ଆଜି ତୋର କଣ ହେଇଛି ବା??ଲଖି କିଛି ନଶୁଣିବା ପରି ତା କାମ ସାରି ଆସିଲା। ବାକୁସରୁ ସାଇତା ଛିଟ ଲୁଗା ପିନ୍ଧି ପକାଇଲା। ସଜବାଜ ହୋଇ ଶୁକ୍ର କୁ କହିଲା ଦାନ୍ତ ଘଷି ପକା। ଚା ଟିକେ ପିଇ ଦେ। ସଫା ଲୁଗାଟା ପିନ୍ଧି ପକା।ଯିବା.....

        ଆଲୋ ଏଡ଼େ ସକାଳୁ ସଜବାଜ ହୋଇ କୁଆଡେ ଯିବା ?କାହା ବାହା ପୁନିଅଁ ଅଛି କି ଲୋ?? ପଚାରିଲା ଶୁକ୍ରୁ।

         ଛି! କି ଭଳିଆ ମରଦ ହାତ ଧଇଲି କେଜାଣି। ତୁ ଚାଇଲୁ ପଛରେ ଜାଣିବୁ କେଉଁଠିକୁ ଯିବା। ଝିଅ ଦିଟାଙ୍କୁ ସାଙ୍ଗରେ ନେଇ ସେମାନେ ପହଞ୍ଚିଲେ ସ୍କୁଲ ପାଖରେ। ଶୁକ୍ରୁ ଦେଖିଲା ସ୍କୁଲ ଘର ଭିତରେ ତା ବସ୍ତିର କିଛି ଲୋକ ଧାଡି କରି ଠିଆ ହୋଇଥିଲେ। କିଛି ଭିତରକୁ ଯାଉଥିଲେ ଓ କିଛି ସମୟ ପରେ ବାହାରି ଆସୁଥିଲେ। ସେ ଓ ଲଖି ବି ଗଲେ ଘର ଭିତରକୁ। ତିନି ଜାଗା ହୋଇ କ୍ରମାନ୍ଵୟରେ ସେମାନେ ଗଲେ। ଦ୍ୱିତୀୟ ଜାଗାରେ ତା ବାଆଁ ହାତ ବିଶି ଆଙ୍ଗୁଠିରେ ବାଇଗିଣି ରଙ୍ଗର କାଳି ଲଗେଇ ଦେଲେ ଜଣେ ସାର୍। ଚାରି ଓ ପାଞ୍ଚ ଜାଗାରେ ମେସିନ୍ ଦି ଟା ଥିଲା। ବୋତାମ ଟିପିଲା ସେ ଚିତ୍ର ଦେଖି।ଶୁକ୍ରୁକୁ ଲଖି ସ୍କୁଲରେ ପହଂଚିବା ପୂର୍ବରୁ କହିଥିଲା କେଉଁ ଚିତ୍ର ପାଖ ବୋତାମ ଚିପିବ। ମେସିନ୍ ବୋତାମ ଚିପିଲା ଶୁକ୍ରୁ ।ମେସିନ୍ ବୋବାଇଲା କେଏଁ।ଶୁକ୍ରୁ ପରେ ପରେ ଲଖି ଏମିତି କଲା।


    ଏତକ ସାରି ଶୁକ୍ରୁ ଘରକୁ ଫେରିଲା ବାଟରେ ଲଖିକୁ ପଚାରିଲା ଦେଖିଲୁ ସରୂଜ କେଉଁଠି ହେଲେଣି।ଆଉ କିଏ ଆଜି ତାକୁ କାମ ଦେବ??ଗଲା ଦିନଟି ବିନା ରୋଜଗାରରେ। ଲଖି ଶୁକ୍ରୁର କାଳି ଲଗା ଆଙ୍ଗୁଠି ଉପରକୁ ଟେକି କହିଲା,ଜାଣିଲୁ ଆଜି ଆମେ ପାଞ୍ଚ ବର୍ଷ ପାଇଁ ସବୁଠୁ ବଡ଼ କାମଟିଏ କରିଦେଇ ଆସିଲେ। ଆମ ଭଲ ପାଇଁ ଯିଏ କାମ କରିବ,ଆମ କଥା ବୁଝିବ,ଆମ ଅଞ୍ଚଳ,ରାଇଜକୁ ଆଗକୁ ବଢ଼ାଇବ ସେଇ ଲୋକକୁ ବାଛି ଆସିଲେ। ସେ ଯିବ ଗାଦିରେ ବସିବ ଓ ଭଲ ମନ୍ଦ ବୁଝିବ ଆମର। ଏଇଟା ଆମ ଅଧିକାର,ବୁଝିଲୁ ବୁନ୍ଦୁ। ଗୋଟିଏ ଦିନ କାମ ବନ୍ଦ ହେଲା ତ କଣ ହେଲା!ପାଞ୍ଚ ବର୍ଷ ପାଇଁ ଆମ ଅଧିକାର ସାବ୍ୟସ୍ତ କରି ଦେଇ ଆସିଲେ। କୌଣସି ପରିସ୍ଥିତିରେ ବି ଏ ଅଧିକାର ହାତ ଛଡା କରିବା ଠିକ୍ ନୁହେଁ।

        ଶୁକ୍ରୁ ଆଙ୍ଗୁଠି ଉପରକୁ ଟେକି କହୁଥିଲା ବୁଝିଲି ଏଇଟା ମୋ ଅଧିକାର।ଏଇଟା ଗୋଟାଏ ଶକ୍ତି,ତାକତ୍।



Rate this content
Log in