ଅଦେଖା ଲୁହ
ଅଦେଖା ଲୁହ
ମୋ ବାପା ଜଣେ ସାଧାରଣ ଚାଷୀ ।ପିଲାଟି ଦିନରୁ ଚାଷ କୁ ବୃତ୍ତି ରୂପେ ଆପଣେଇ ନେଇଛନ୍ତି ସେ ।ନିଜର ବୋଲି ଜମି ଖଣ୍ଡେ ନାହିଁ ।ଅନ୍ୟର ଭାଗ ଜମିରୁ ଯାହା ଅମଳ କରନ୍ତି, ଜମି ମାଲିକ କୁ ତାହାର ଅଧକ ଦେଇ ନିଜ ଅଧକ ଘରକୁ ଆଣନ୍ତି ବର୍ଷକ ଚଳିବା ପାଇଁ ।ପିଲାଟି ଦିନରୁ ମୋ ବାପା ମାଆ ଛେଉଣ୍ଡ ।ତାଙ୍କ ବାପା ଦ୍ଵିତୀୟ ବିବାହ କରିବା ପରେ ବାପା ତାଙ୍କ ଆଈଙ୍କ ଦ୍ବାରା ଲାଳିତ ପାଳିତ ।ଆଈ ର କହିଲେ ଯାହା ଘର ବାଡ଼ି ଖଣ୍ଡିକ ।ତେଣୁ ଷଷ୍ଠ ଶ୍ରେଣୀ ରେ ନିଜ ପଢ଼ାରେ ଡୋରି ବାନ୍ଧି ଥିଲେ ବାପା ।ପରେ ୧୫ ବର୍ଷ ବୟସରୁ ମୋ ବାପା ବିବାହ ବନ୍ଧନରେ ଆବଦ୍ଧ ।ତା ପରେ ତାଙ୍କ ଆଈ ଙ୍କ ମୃତ୍ୟୁ ।
xxxxxxxxxxxxxx
ବାପା ବହୁତ ଦୁଃଖ କଷ୍ଟେ ନିଜର ପରିବାର ଚଳାନ୍ତି ।ତା ପରେ ଆମେ ଭାଇ ଭଉଣୀ ଚାରି ଜଣଙ୍କ ଜନ୍ମ ।ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜ ସଂସାର ଡଙ୍ଗାକୁ ବୁହାଇନିଅନ୍ତି ସେ ।ଜୀବନରେ ତାଙ୍କୁ କେବେ ବସିଥିବାର ଦେଖିନାହିଁ ମୁଁ ।ନିଜ ପରିବାର ଡ଼ଙ୍ଗା କୁ କୂଳରେ ପହଞ୍ଚାଇବା ପାଇଁ ଅନ୍ୟର ଗୁହାଳ ପୋଛିବାକୁ ପଛାଇ ନାହାନ୍ତି ସେ ।ନିଜ ପରିବାର ପାଇଁ ଦିନ ରାତି ସବୁ ସମାନ କରିଦେଇଥିଲେ ।ତା ପରେ ଆମେ ଚାରି ଜଣ ଭାଇ ଭଉଣୀ ଉପବାସ, ଲଗେଇବା, ପିନ୍ଧିବାରେ କମ କେଭେ ଅନୁଭବ କରିନୁ ।ଏବେ ବି ମନେପଡୁଛି ପ୍ରତି ଶନିବାର ଓ ବୁଧବାର କଥା, ବାପା ହାଟକୁ ଯାଆନ୍ତି କିଛି ପରିବା କିଣିବା ଆଗରୁ ଆମ ଚାରି ଜଣଙ୍କ ପାଇଁ ନିଶ୍ଚୟ ବରା ଆଉ ଆଳୁକଷା ଆସିଥାଏ ।
xxxxxxxxxxxxxxxxx
ଆଉ ଆମ ପାଠ ପଢିବା ପାଇଁ ଆମମାନଙ୍କ ଠାରୁ ବାପାଙ୍କ ପ୍ରଚେଷ୍ଟା ଢେର ଅଧିକ ।ଆମ ମାନଙ୍କୁ ଉଚ୍ଚ ଶିକ୍ଷିତ କରାଇବା ପାଇଁ ତାଙ୍କର ଚେଷ୍ଟା ଅବର୍ଣ୍ଣନୀୟ ।ବୋଉ ବି କିଛି କମ ନୁହେଁ, ବାପାଙ୍କ କାର୍ଯ୍ୟରେ ବାପାଙ୍କୁ ସାହାଯ୍ୟ କରିବା ସହ ଘର ର ସବୁ କାମ କରିବାରେ ପ୍ରବୀଣ ସେ ।ମୋ ବାପା ବୋଉ ନିଜ ପେଟରେ ମୁଠେ ଦାନା ନଦେଇ ଆମ୍ଭମାନଙ୍କୁ ଖୁଆଇ ପିଆଇ ବଡ଼କରିବାରେ ପ୍ରଚେଷ୍ଟା ସତରେ ଅବିଶ୍ଵସନୀୟ ।
xxxxxxxxxxxxx
ସମୟ ଆଗେଇ ଚାଲେ, କାଳକ୍ରମେ ନାନୀର ବିବାହ ହେଇଯାଏ ।କିଛି ବର୍ଷ ପରେ ସାନ ଭଉଣୀ ର ମଧ୍ୟ ବାହାଘର ହେଇଯାଏ ।ଦୁଇ ଦୁଇଟି ବାହାଘର ର କରଜକୁ ମୁଣ୍ଡରେ ମୁଣ୍ଡେଇ ନିଜ ସଂସାର ରଥକୁ ଟାଣି ନିଅନ୍ତି ଆଗକୁ ଆଗକୁ ।ଦୁଃଖରେ ଭାଙ୍ଗି ପଡିବା ଦେଖିନି କି ସୁଖରେ ଫାଟିପଡିବା ଦେଖିନି ବାପା ବୋଉକୁ ।ଖାଲି ସମୟ ସ୍ରୋତରେ ଭାସି ଚାଲନ୍ତି ସେ ଦୁହେଁ ।ଆମ ଚାରି ଜଣ ଙ୍କ ଭିତରୁ ମୁଁ ବହୁତ ଅଝଟ ଥିଲି ,ସର୍ବଦା ତିନିଜଣଙ୍କୁ ହଇରାଣ ହରକତ ମାଡ଼ପିଟ କରୁଥିଲି ମୁଁ ।ତଥାପି ରାଗ କରନ୍ତି ନାହିଁ ସେମାନେ କି ମୋ ବୋଉ ବାପା ।କୌଣସି ନା କୌଣସି କଥାରେ ଜିଦ ଧରିବସେ ମୁଁ ,କେବେ ଆଇସକ୍ରିମ ତ କେବେ ଗୁପଚୁପ ଆଉ କେତେବେଳେ ଦହିବରା ମିଠା ଅନ୍ୟ କିଛି ।ମୋର ସବୁ ଆଶା ପୁରଣ କରନ୍ତି ମୋ ବାପା ବୋଉ ମନରେ ଦୁଃଖ ବା ଅସନ୍ତୋଷ ନ କରି ।
xxxxxxxxxxxx
ସମୟ ଗଡି ଚାଲେ,ହଠାତ କଳା ହାଣ୍ଡିଆ ମେଘ ଟେ ମାଡିଯାଏ ଆମ ଘର ଉପରେ ।ମନେ ପଡୁଛି ସେ ଦିନର କଥା,୧-୭-୨୦୦୭ ତାରିଖ ସକାଳ ୬:୩୭ମିନିଟ ମୋ ସାନ ଭାଇ ଠିକ ୧୮ ବର୍ଷ ର ପ୍ରଥମ ଦିନରେ ଆମ୍ଭମାନଙ୍କୁ ଛାଡି ଚାଲିଯାଏ ଅଫେରା ବାଟର ଯାତ୍ରୀ ହୋଇ ।ଭାଙ୍ଗି ପଡେ ଆମ ପରିବାରର ହୃଦୟ ।କିନ୍ତୁ ମୋ ବାପା ମନର ଦୁଃଖକୁ ହୃଦୟର ପଥର ତଳେ ଚାପି ଦେଇ ପରିବାର ଡଙ୍ଗାକୁ ବୁହାଇ ନିଅନ୍ତି କୂଳରେ ଲଗେଇବା ପାଇଁ ।କିନ୍ତୁ ଭାଙ୍ଗିପଡ଼େ ମୋ ବୋଉ ୧୮ ବର୍ଷର ପୁଅକୁ ହରାଇ ।ସଦା ସର୍ବଦା ଗୁଣୁଗୁଣୁ ହୋଇ କାନ୍ଦୁଥାଏ ସେ ରୋଷେଇ କଲାବେଳେ, ଗାଧୋଇ ଗଲା ବେଳେ ।କେତେ ବେଳେ ଭାତ ପୋଡ଼ି ଦିଏ ତ କେତେ ବେଳେ ଡାଲି ।ପୁଅକୁ ହରାଇବା ଦୁଃଖ ରେ ପାଗଳୀ ହୋଇଗଲା ମୋ ବୋଉ ।ବାପା କୋଉଦିନ ଖାଆନ୍ତି ତ କୋଉଦିନ ଉପାସ ।ଗାଁ ର ପ୍ରତେକ ବ୍ୟକ୍ତି କିଛି ନା କିଛି ବୁଝାନ୍ତି ମୋତେ ।ତା ପରେ ବାପା ମୋତେ ବୁଝେଇବାକୁ ଚେଷ୍ଟା କରନ୍ତି ଘର ବିଷୟରେ ।ତା ପରେ ବିବାହ କରେଇ ଦିଅନ୍ତି ମୋତେ ଗୋଟେ ସରଳ ହୃଦୟ ସହିତ ।ରୁପ ଅପେକ୍ଷା ଗୁଣରେ ଅବର୍ଣ୍ଣନୀୟ ସେ ।ସେହିଠାରୁ ଘରର ଧୀରେ ଧୀରେ ପରିବର୍ତ୍ତନ ସହ ବୋଉର ମନ ପରିବର୍ତ୍ତନ ହେଇଆସେ ।
********************
ତା ପରେ ମୋର ପୁତ୍ର ସନ୍ତାନଟିଏ ଜାତ ହୁଏ ।ସେହି ଠାରୁ ମୋ ବାପା ବୋଉ ଭୁଲି ଭୁଲି ଯାଆନ୍ତି ନିଜ ପୁଅକୁ ହରାଇ ଥିବାର ଦୁଃଖ ।ତା ପରେ ବୋଉ କୁ ନେଇ ମୁଁ ଚିକିତ୍ସା କରାଏ ।ଏବେ ବୋଉ ସମ୍ପୂର୍ଣ୍ଣ ସୁସ୍ଥ ।ସମୟ ଆଗେଇ ଚଲେ,ପୁଅ ଜନ୍ମର ୫ ବର୍ଷ ପରେ ମୋର ଝିଅଟିଏ ଜନ୍ମ ନେଲା ।ଏବେ ସବୁ ଠିକଠାକ ଚାଲିଛି ।ପୂର୍ବ ପରି ମୋ ବାପା ହାଟକୁ ଯାଉଛନ୍ତି,ଠିକ ପୂର୍ବପରି ବରା ଆଳୁକଷା ଆସୁଛି ଆଉ ଖାଉଛନ୍ତି ମୋ ପୁଅ ଆଉ ଝିଅ ଦୁଇ ଜଣ ।
ଦୁଇ ଦିନ ତଳର କଥା ,ମୋ ପୁଅ ଜିଦ ଧରି ବସିଲା ଆଇସକ୍ରିମ ଖାଇବାକୁ ।ଅଧିକ ରୁ ଅଧିକ ଜିଦ ଧରିବାରୁ ମୋ ହାତ କାହିଁ ଉଠିଗଲା ତା ଉପରକୁ ।ଚାପୁଡାଟେ ବାଜି ଯିବାରୁ ଭେଁ କରି କାନ୍ଦି ଉଠିଲା ମୋ ପୁଅ । କାମରୁ ଫେରି ଖାଇ ବସିଥିଲେ ମୋ ବାପା ।ଖାଦ୍ୟ ଥାଳିରୁ ଧାଇଁ ଆସି କୁଣ୍ଢେଇ ପକେଇଲେ ମୋ ପୁଅକୁ ।ମୁଁ କିଛି କହିବା ଆଗରୁ ମୋ ଆଖି ଯାଇ ପଡ଼ିଲା ମୋ ବାପାଙ୍କ ଆଖି ଉପରେ । ଦୁଇ ଧାର ଲୁହ ଲମ୍ବି ଆସିଥିଲା ମୋ ବାପାଙ୍କ ଆଖିରୁ,ମୁଁ ଅନୁତାପ କଲି ପୂର୍ବରୁ ୧୮ ବର୍ଷ ର ପୁଅ ଚାଲିଯିବା ସମୟରେ ଯେଉଁ ଆଖିରୁ ଦୁଇ ବୁନ୍ଦା ଲୁହ ବାହାରି ନ ଥିଲା ସେ ଆଖିରୁ କିପରି ଲୁହର ଝରଣା ବୋହିଚାଲିଛି ।
ସେ ଲୁହରେ ଭାସି ଗଲାପରି ଲାଗିଲା ମୋତେ, ଅନୁତାପ ନିଆଁ ରେ ଜଳିଗଲି ମୁଁ ଯେ ମୋ ପୁଅ ଟିକିଏ ଜିଦ କଲା ବୋଲି ମୁଁ ଚାପୁଡାଟେ ପକେଇ ଦେଲି ।କିନ୍ତୁ ମୁଁ ଯେତେ ଜିଦ କରିଥିଲି ମୋ ବୋଉ ବାପା ପାଖରେ ତା ପାଇଁ ମୃତ୍ୟୁ ଦଣ୍ଡ ବି କମ ପଡ଼ିବ ।ଆଉ ମୁଁ ଦେଖିପାରୁଥିଲି ବାପାଙ୍କର ସେହି ଆଦେଖା ଲୁହକୁ ।ନିଜର କୁବ୍ୟବହାର ପାଇଁ ନିଜକୁ ଘୃଣା କରୁଥିଲି ନିଜେ ।ପ୍ରକୃତରେ ସେ ଭୂଲର କ୍ଷମା ପାଇବା କୁ ମୁଁ ସମ୍ପୂର୍ଣ୍ଣ ଆଯୋଗ୍ୟ ।
ଶିବରାମ ଦଳେଇ
ସାଲେପୁର