Shanti Mishra

Others

3  

Shanti Mishra

Others

ଅଦ୍ଭୁତ ସର୍ତ୍ତ

ଅଦ୍ଭୁତ ସର୍ତ୍ତ

11 mins
201




ହାଇସ୍କୁଲ ସରିଲା ପରେ କଲେଜ୍ ରେ ପାଠ ପଢିବାକୁ ବହୁତ ଇଚ୍ଛା ଥିଲେ ବି ସମ୍ବଳ ଅଭାବରୁ ସେ କାମନାକୁ ବର୍ତ୍ତମାନ ପାଇଁ ସେମାନେ ବାତିଲ କରିବାକୁ ବାଧ୍ୟ ହେଲେ l ବର୍ତ୍ତମାନ ପରିସ୍ଥିତିରେ “ଭିକି” ଆଉ “ମିକି” ଙ୍କର ଯେ କୌଣସି ଭାବେ ହେଉ ଚାକିରି କରି କିଛି ଟଙ୍କା ସଞ୍ଚୟ କରିବା ନିହାତି ଦରକାର l ଦୁଇ ବର୍ଷ ହେବ ପରସ୍ପରକୁ ଜାଣିଛନ୍ତି l ସମ୍ପର୍କ ବେଶ୍ ମଧୁର ସେମାନଙ୍କ ମଧ୍ୟରେ l ବିବାହର ସ୍ଵପ୍ନ ଯଦିଓ ଅଛି ତେବେ ଆସନ୍ତା ପାଞ୍ଚ ବର୍ଷ ଭିତରେ ନୁହେଁ, ସେମାନେ ଭଲ କରି ଜାଣିଛନ୍ତି l

କାରଣ ସେମାନେ ବର୍ତ୍ତମାନ ଯେଉଁ ଚାକିରି କରିବାକୁ ଯାଉଛନ୍ତି ସେଥିରେ ବିଶେଷ ସେପରି ଟଙ୍କା ବଳିବାର ସମ୍ଭାବନା ନାହିଁ ନିଜର ବ୍ୟକ୍ତିଗତ ଖର୍ଚ୍ଚ ପରେ l ତଥାପି ଆଶାରେ ହିଁ ଜୀବନ l ଦୁଇ ଜାଣଙ୍କର କଲେଜରେ ପାଠ ପଢି କିଛି ଗୋଟେ ବଡ ଡିଗ୍ରୀ ନବାର ଇଚ୍ଛା ଆଉ ସ୍ଵପ୍ନ ବି ଅଛି l କିନ୍ତୁ ଆମେରିକାରେ କଲେଜ ଖର୍ଚ୍ଚ ବହୁତ ବେଶୀ l ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ବାପ ମାଙ୍କ ପକ୍ଷେ କଲେଜ ଖର୍ଚ୍ଚ ପାଇଁ ଟଙ୍କା ଯୋଗେଇବା ସମ୍ଭବ ନୁହେଁ l ତେଣୁ ଅଧିକାଂଶ ପିଲା ମାନେ ହାଇସ୍କୁଲ ସମୟରୁ ଷୋହଳ ବର୍ଷ ହୋଇଗଲା ମାତ୍ରେ ଖରା ଛୁଟି ଓ ଶନିବାର ରବିବାରରେ ବିଭିନ୍ନ ଷ୍ଟୋର ମାନଙ୍କରେ କାମ କରି ଟଙ୍କା ସଞ୍ଚୟ କରିବାରେ ଲାଗି ଯାଆନ୍ତି l

କିନ୍ତୁ “ଭିକ୍ଟର” ଆଉ “ମିକାଲା”ଙ୍କ ବାପ ମା ଏ ଦେଶକୁ ଇମିଗ୍ରାନ୍ଟ ହୋଇ ଆସିଛନ୍ତି ଏବଂ ଛୋଟ ଛୋଟ କାମ କରି ପେଟ ପୋଷ ନ୍ତି ତେଣୁ ସେମାନଙ୍କ ପକ୍ଷେ କୌଣସି ମତେ ହିଁ ଆର୍ଥିକ ସାହାଯ୍ୟ କରିବା ସମ୍ଭବ ନୁହେଁ l ତା ବ୍ୟତୀତ ଏ ଦେଶରେ ପିଲାମାନେ ଅଠର ବର୍ଷରୁ ସ୍ଵାବଲମ୍ବୀ ହୋଇଯାନ୍ତି l ବାପା ମା ଙ୍କର ସେମାନେ ଆଉ ଦାୟୁତ୍ଵ ନୁହନ୍ତି l ବାପ ମା ବିଶେଷ ହସ୍ତକ୍ଷେପ କରନ୍ତିନି ସେମାନଙ୍କ ଜୀବନ ବା ଚଳଣି ଉପରେ l

ସେମାନେ ଦୁଇଜଣ ଏକ ବଡ଼ ରେଷ୍ଟୁରାଣ୍ଟରେ ନିଜ ପାଇଁ କାମ ଯୋଗାଡ଼ କରିନେଲେ l ଭିକି ରିଶେପସନ ଡେସ୍କରେ କାମ କଲା l ମିକି ଡାଇନିଂଗ ହଲରେ କଷ୍ଟମର ମାନଙ୍କୁ ସାହାଯ୍ୟ କରିବା କାମ ବାଛି ନେଲା l ବେଳେ ବେଳେ ତାକୁ ସେଠି ବଳକା ଖାଦ୍ୟକୁ ଅଧା ଦାମ୍ ରେ ମିଳି ଯାଏ ଓ କଷ୍ଟମର ମାନଙ୍କ ଠାରୁ ଟିପ୍ସ ବି ମିଳେ l ସେଥିରୁ ଦୁଇଜଣ ଅଧା ଅଧା ଖାଇ କାମ ଚଳେଇ ନିଅନ୍ତି l ନିଜର ବ୍ୟକ୍ତି ଗତ ଦୈନିକ ଖର୍ଚ୍ଚ ପରେ ବଡ ରକମର ଟଙ୍କା ସଞ୍ଚୟ ସେମାନଙ୍କ ପକ୍ଷରେ ଏବେବି ସମ୍ଭବପର ହୋଇ ନାହିଁ l ଘର ଭଡା, ଇଲେକଟ୍ରି ବିଲ୍ ଫୋନ ବିଲ୍, ପାଣି ବିଲ୍, ଓ ଦୈନିକ ଖର୍ଚ୍ଚ ପରେ ସେମାନଙ୍କର ଯାହା ବଳେ ଗୋଟି ଗୋଟି ନୂଆ ପଇସା ବି ଗଣି ଗଣି ସଞ୍ଚୟ କରି ରଖୁଥିଲେ l

ବିବାହ କରିନଥିଲେ ବି ଗୋଟିଏ ବେଡ଼ରୁମ୍ ଥିବା ଅପାର୍ଟମେଣ୍ଟକୁ ଭଡାରେ ନେଇଥିଲେ l ଗୋଟିଏ ବାଥରୁମ, ଗୋଟିଏ ରୋଷେଇ ଘରକୁ ସେମାନେ ଭାଗ କରି ଚଳୁଥିଲେ l ସେମାନେ ତ ପୁରା ଦିନ ହୋଟେଲ କାମରେ ବ୍ୟସ୍ତ ରହୁଥିଲେ l ବେଳେ ବେଳେ ଓଭର ଟାଇମ ବି କରୁଥିଲେ l ରାତିରେ କେବଳ ମୁଣ୍ଡ ଗୁଞ୍ଜିବା ଦରକାର ବୋଲି ଘର ଖଣ୍ଡେ ଦରକାର ଥିଲା ସେମାନଙ୍କର l

ଆମେରିକାରେ ଗାଡିଟିଏ ନହେଲେ ନଚଳେ l ଏକ ନିହାତି ଆବଶ୍ୟକୀୟ ଜିନିଷ l ସବୁ ସହରର ଜାଗା ଗୁଡିକ ସବୁ ଏତେ ବିସ୍ତାରିତ ଯେ ସବୁଆଡେ ଚାଲି ଚାଲି ଯିବା ସବୁବେଳେ ସମ୍ଭବ ନୁହେଁ l ସେମାନେ କାମ କରୁଥିବା ରେଷ୍ଟୁରାଣ୍ଟ ପାଖରେ ଘର ଭଡା ନେଇ ରହିଥିଲେ ବି ପ୍ରାକୃତିକ ପ୍ରାଦୁର୍ଭାବରୁ ରକ୍ଷା ପାଇବା ବି ନିହାତି ଆବଶ୍ୟକ l କେବେ ବର୍ଷା ତ କେବେ ତୁଫାନ୍ ତ କେବେ ସ୍ନୋ ତ କେବେ ପ୍ରଚଣ୍ଡ ଖରା l ସବୁକୁ ସବୁବେଳେ ବରଦାସ୍ତ କରିନେବା ସହଜ ନଥିଲା l ତେଣୁ ପାଠ ପଢିବା ଖର୍ଚ୍ଚ ସହିତ ଗାଡି ଟିଏ ପାଇଁ ବି ସେମାନେ ଟଙ୍କା ସଞ୍ଚୟ କରୁଥିଲେ l

ଏହା ଭିତରେ କେତେବେଳେ ଯେ ପାଞ୍ଚ ବର୍ଷ ବିତି ଯାଇଛି କେହି ତାର ହିସାବ ରଖି ନାହାନ୍ତି l ରଖିବାକୁ ବେଳ ବା କାହିଁ l ସପ୍ତାହରେ ସାତ ଦିନ ଭିତରୁ ଛଅ ଦିନ ସେମାନେ କାମ କରନ୍ତି l ପ୍ରତି ମଙ୍ଗଳବାର ଦିନ ସେମାନଙ୍କୁ ଛୁଟି ମିଳେ l ସେଇ ଦିନଟିରେ ଘର ସଫା, ଲୁଗା ସଫା, ସପ୍ତାହକ ପାଇଁ ରୋଷେଇବାସ, ଆବଶ୍ୟକୀୟ ଜିନିଷ ପତ୍ର କିଣିବା ପ୍ରଭୃତିରେ ଦିନ ଟି ସରିଯାଏ l ଏକାଠି ବସି ଆନନ୍ଦରେ ସମୟ କଟେଇବା ବା ଗପସପ ହେବାକୁ ଫୁରୁସତ ନଥାଏ l

ତା ବ୍ୟତୀତ ସେମାନେ ଅନ ଲାଇନ୍ ରେ ପାଠ ବି ପଢୁଛନ୍ତି l ସବୁ ରାତିରେ କ୍ଳାନ୍ତ ହୋଇ ଘରକୁ ଫେରିଲା ପରେ ବି ବିଶ୍ରାମ ନା ହିଁ କଲେଜ ପାଠ ପଢିବା ସହିତ ହୋମ ୱାର୍କ ବି ସାରିବାକୁ ହୁଏ l ପ୍ରତି ଟି ମୁହୂର୍ତ ସେମାନଙ୍କ ପାଇଁ ମୁଲ୍ୟବାନ l ନିଜକୁ ଶାନ୍ତ୍ଵନା ଦେଇ ଦିଅନ୍ତି କିଛି ବର୍ଷ ଟିକେ କଷ୍ଟ କରିଦେଲେ ସାରା ଜୀବନ ଖୁସି ହିଁ ଖୁସିରେ ଜୀବନ ବିତିଯିବ l ସ୍ଵପ୍ନ ଆଉ ଆଶାକୁ ନେଇ ହିଁ ମଣିଷ ବଞ୍ଚି ରହେ l କିନ୍ତୁ ସେମାନଙ୍କ ସ୍ଵପ୍ନ ବହୁ ବିସ୍ତୃତ l ଏତେ କଠିଣ ପରିସ୍ଥିତି ଭିତରେ ବି ସେମାନେ ସ୍ଵପ୍ନ ଦେଖା ଛାଡ଼ନ୍ତିନି l

ଅକ୍ଳାନ୍ତ ପରିଶ୍ରମର ଫଳ ସ୍ଵରୂପ ସେମାନେ ବେଶ୍ କିଛି ଟଙ୍କା ଏହା ଭିତରେ ସଞ୍ଚୟ କରି ସାରିଲେଣି l ଗୋଟିଏ ସେକେଣ୍ଡ ହ୍ୟାଣ୍ଡ ଗାଡି କିଣିବାକୁ ସକ୍ଷମ ହୋଇଗଲେଣି l ଗାଡିଟିଏ ବାଛି ବାଛି ବି କିଣିଲେ l ଗାଡି ସିନା ପୁରୁଣା କିନ୍ତୁ ସେମାନଙ୍କ ପାଇଁ ତ ନୂଆ l ଏହା ଭି ତରେ ଡ୍ରାଇଭିଂ ଶିଖି ଦୁଇଜାଣ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ପାଇ ଯାଇଛନ୍ତି l ମନ ଆଜି ବହୁତ ଖୁସି l ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ ହୋଇଗଲାଣି ସେମାନେ କେବେ ବି ଛୁଟି ନେଇ ନଥିଲେ l ଯଦିବା କେବେ କେମିତି ନେଇଛନ୍ତି ଦିନେ ବା ଦିଦିନ ଅତିସହ ଦେହ ଖରାପ ହେଲେ l ତାକୁ ତ ଆଉ ଛୁଟି କୁହ ଯାଏନା l

ଆଗକୁ ଆସୁଛି ମେମୋରିଆଲ୍ ଡେ l ତିନିଦିନ ଛୁଟି l ସେତିକି ବେଳେ କିଛି ସମୁଦ୍ର କୂଳିଆ ଜାଗାକୁ ଯିବେ ବୋଲି ଭେକେସ ନରେ ମନସ୍ଥ କରି ଛୁଟି ପାଇଁ ରେଷ୍ଟୁରାଣ୍ଟର ମାଲିକକୁ ଜଣେଇଦେଲେ l ସେମାନଙ୍କ ଖୁସି ଆଜି ଅବର୍ଣନୀୟ l ସେମାନେ ସବୁଦିନ ହୋଟେଲରେ ଅନ୍ୟ ମାନଙ୍କୁ ସେବା ଯୋଗୋଉଥିଲେ l ଆଜି କିନ୍ତୁ ସେମାନେ ଅନ୍ୟ ମାନଙ୍କ ଠାରୁ ସେବା ନେବେ l

ସେମାନେ ହୋଟେଲରେ ରହିବେ, ଖାଇବେ, ମଜ୍ଜାରେ ବୁଲାବୁଲି ବି କରିବେ l ସବୁଠୁ ବଡ଼ କଥା ହେଲା ସେମାନେ ବିବାହ ପାଇଁ ପରସ୍ପରକୁ ପ୍ରପୋଜ କରିବେ l ଟଙ୍କା ବି କିଛି ପରିମାଣରେ ସଞ୍ଚୟ କରି ସାରିଲେଣି l ଏବେ ପାଇଁ ଯଥେଷ୍ଟ ବୋଲି ସେମାନଙ୍କର ଧାରଣା l ସଂସାର ବିଷୟରେ କିଛିଟା ଅଭିଜ୍ଞତା ବି ହୋଇ ସାରିଲେଣି l କାର୍ଯ୍ୟ ସ୍ଥଳୀରେ ବିଭିନ୍ନ ଲୋକ ମାନଙ୍କ ସହିତ ମିଶି l

ସୁଖ ଓ ଖୁସିରେ କିଛି ଟା ପରିବର୍ତ୍ତନ ତ ନିଶ୍ଚୟ ଆସିବ l କିନ୍ତୁ ଜୀବନର ବଞ୍ଚିବା ଶୈଳିରେ ସେପରି ବିଶେଷ କିଛି ପରିବର୍ତ୍ତନ ହୁଏତ ବର୍ତ୍ତମାନ ଆସି ନପାରେ l ପୂର୍ବ ପରି ଦିନ ରାତି ପରିଶ୍ରମ କରିବାକୁ ପଡିବ କଲେଜ ସରିବା ପର୍ଯ୍ୟନ୍ତ l ଆଉ ଦୁଇ ବର୍ଷ ରହିଲା କଲେଜ ସରିବାକୁ l ଏବେ କେବଳ ଏନଗେଜ୍ କରିଦେବେ l ବିବାହ ପାଇଁ ବର୍ଷେ ବା ଦି ବର୍ଷ ଅପେକ୍ଷା କରିବେ l

ସେଦିନ ଭେକେସନରୁ ଘରକୁ ଫେରିବା ବାଟରେ ସନ୍ଧ୍ୟା ପୂର୍ବରୁ ଘରେ ପହଞ୍ଚିବାର ଯୋଜନା ଥିଲେ ବି ଟିକେ ଡେରି ହୋଇଗଲା l ଘର ଠାରୁ ସେମାନେ ଆଉ ତିନି ଘଣ୍ଟା ଦୂରରେ ଥିଲେ l ରାସ୍ତା ସାରା ଗାଡ଼ି ଭିତରେ ସେମାନେ ଗୀତ ଶୁଣୁଥିଲେ ଗାଉଥିଲେ l ମନ ଟା ପୁରା ରାଜା ରାଣୀଙ୍କ ମିଞ୍ଜାସରେ ଥିଲା l ସବୁଦିନ ତାଙ୍କୁ ଏମିତି ମଜ୍ଜା କରିବାକୁ ମିଳି ଯାଆନ୍ତା କି !

ମିକିର ବାରଣ ସତ୍ଵେଓ ଭିକି ବାରମ୍ବାର ମିକିର ହାତ ଧରୁଥାଏ l ମିକି ଦୁଇ ହାତରେ ଷ୍ଟିଅରିଂ ହୁଇଲ ଧରିବାକୁ ବାରମ୍ବାର କହିବା ସତ୍ଵେ ଭିକି ତା କଥାରେ ଧ୍ୟାନ ଦେଉ ନଥିଲା l ତା ମନ ଆକାଶରେ ଆଜି ଉଡୁଥିଲା l ଉଡିବା ପରି ସବୁ ପ୍ରକାର ଅନୁକୂଳ ପରିବେଶ ବି ସେମିତି ଥିଲା l ଗାଡି ତାଙ୍କର ପୁରୁଣା l ମଝିରେ ମଝିରେ ମଝି ରାସ୍ତାରେ ବେଳେ ବେଳେ ଚାଲୁ ଚାଲୁ ଅଟକି ଯାଏ l ତେଣୁ କିଛି ଅଘଟଣ ଘଟିବ ପୂର୍ବରୁ ସେମାନେ ଘରେ ପହଞ୍ଚି ଗଲେ ଭଲ l ସେଥି ପାଇଁ ମିକାଲାର ମନ ଟିକେ ବ୍ୟସ୍ତତା ଭିତରେ ଥିଲା କିନ୍ତୁ ଭିକ୍ଟରର ମନ ଆଜି ଅନ୍ୟ ଦୁନିଆଁର ଅନ୍ୟ ଇଲାକାରେ l

ହଠାତ ସାମନାରେ ଯାଉଥିବା ଗୋଟାଏ ଗାଡ଼ି ଏକ ଲାଇଟ୍ ଖୁଣ୍ଟରେ ବାଡ଼େଇ ହୋଇ ପ୍ରଚଣ୍ଡ ଏକ ଶବ୍ଦ କରି ରହିଗଲା l ଅନ୍ୟମନସ୍କ ହୋଇ ଗାଡି ଚଳୋଉଥିବା ଭିକି ତଥାପି ହଠାତ୍ ନିଜ ଗାଡିର ବ୍ରେକ ଦେଇଦେଲା l ତଥାପି ଗାଡି ଟି କିଛି ବାଟ ଖସି ଯାଇ ସାମନା ଗାଡିର ପଛପଟକୁ ସାମାନ୍ୟ ସ୍ପର୍ଶ କରି ରହିଗଲା l କିନ୍ତୁ ଦୁର୍ଭାଗ୍ୟକୁ ତା ଗାଡି ଟି ଆଗକୁ ଯିବାକୁ ଆଉ ବାଟ ନାହିଁ l ସାମନା ଗାଡିର ରାସ୍ତା ଅବରୋଧ ଯୋଗୁ l ଏ ଝମେଲାରେ ପଡିବାକୁ ଇଛା ନଥିଲେ ବି ବାଧ୍ୟ ହୋଇ ସେମାନେ ଗାଡ଼ିରୁ ଓଲ୍ହେଇ ଦେଖିଲେ ଗାଡି ଭିତରେ ଉଣେଇଶ ବା କୋଡିଏ ବର୍ଷର ଝିଅ ଟେ ଷ୍ଟିଅରିଂ ହୁଇଲରେ ମୁଣ୍ଡ ବାଡେଇ ହୋଇ ରକ୍ତ ବାହାରୁଛି ଓ ସେ ବେହୋସ ଅବସ୍ଥାରେ l

କଣ କରିବେ କିଛି ମୁଣ୍ଡରେ ପଶୁ ନଥାଏ l ନିଜ ଗାଡି ଭତରକୁ ଦୁହେଁ ଫେରି ଆସି ଗାଡିକୁ ପଛୁଆ ଚଳେଇ ଅନ୍ୟ ଏକ ରାସ୍ତା ଖୋଜି ଏଠାରୁ ବାହାରି ଯିବାକୁ ଇଛା କରି ଗାଡ଼ିକୁ ଷ୍ଟାର୍ଟ କଲେ ସତ କିନ୍ତୁ ଗାଡି ଟି ଆଉ ଷ୍ଟାର୍ଟ ହେଲା ନାହିଁ l ଏବେ ଆଉ କଣ l ଏହାର ଫଳାଫଳକୁ ଅନୁମାନ କରି ଭୀଷଣ ଭାବେ ଡରି ଗଲେ ସେମାନେ l ଜାଗାଟା ନିଛାଟିଆ ଥିଲା l କେହି ସେମାନଙ୍କୁ ଦେଖି ନାହାନ୍ତି ସତ ଏଠାରୁ ବାହାରି ଯିବାକୁ ଅନ୍ୟ କିଛି ରାସ୍ତା ନାହିଁ l ନିଜ ଘର ଠାରୁ ସେମାନେ ଯଥେଷ୍ଟ ଦୂରରେ ଏବଂ ଅନ୍ଧାର ଆଗତ ପ୍ରାୟ l ଗୋଡରୁ ମୁଣ୍ଡ ଯାଏ ଥରୁଥିଲେ ବି ଏବେ ପୋଲିସକୁ ନଡାକିବା ବ୍ୟତୀତ ଆଉ କିଛି ଉପାୟ ନାହିଁ l ସେମାନଙ୍କର ବି ସାହାଯ୍ୟ ଦରକାର l ଘରଠୁ ସେମାନେ ପ୍ରାୟ ଦେଢ ସହ ମାଇଲ ଦୂରରେ ଅଛନ୍ତି l ଚାଲି ଚାଲି ଯାଇପାରିବା କୌଣସି ମତେ ସମ୍ଭବ ନୁହେଁ l ତାଙ୍କ ଗାଡ଼ି ଟି ଯେପରି ପରିସ୍ଥିତିରେ ଅଛି ଯେ କେହି କହିବ ସେ ହିଁ ଏ ଆକ୍ସିଡେଣ୍ଟ ପାଇଁ ଦାୟୀ l ସେ ଭଲ ଭାବରେ ଜାଣେ ତାର ଏଥିରେ କିଛି ହାତ ନାହିଁ କିନ୍ତୁ ତା କଥାକୁ ବିଶ୍ଵାସ କରିବ ବା କିଏ l

ପୋଲିସକୁ ଜଣେଇବା ତାଙ୍କର କର୍ତ୍ତବ୍ୟ l ଏକ ଦାୟୁତ୍ଵ ସମ୍ପର୍ଣ ଏ ଦେଶର ନାଗରିକ ଭାବରେ l ପୋଲିସ, ଅମ୍ବୁଲାନ୍ସ ସବୁ ଅବିଳମ୍ବେ ଆସି ଝିଅକୁ ଡାକ୍ତରଖାନା ନେଇଗଲେ l ପୋଲିସ୍ ଆସି ତାଙ୍କୁ ପଚରା ଉଚୁରା କରିବାରୁ ସେମାନେ ସବୁ ସତ କହିଥିଲେ l କହିଥିଲେ ଏଇଟା ପୁରୁଣା ଗାଡି ମଝିରେ ମଝିରେ ଏମିତି ଅଟକି ଯାଏ l ଏଠି ବି ଯେତେବେଳେ ଅଟକି ଗଲା ଆମେ ହଠାତ ଦେଖିଲୁ ସାମନା ଗାଡିଟି ରାସ୍ତା ତଳକୁ କିଛି ବାଟ ଗଡି ଯାଇ ଏଇ ଖୁଣ୍ଟରେ ବହୁ ଜୋରରେ ବାଡେଇ ହୋଇ ଯାଇଛି l

ପୋଲିସ୍ ତାର ତଦନ୍ତ ଆରମ୍ଭ କରିଦେଲା l ସେମାନଙ୍କ କଥାକୁ ବିଶ୍ଵାସ କରୁଥିବାରୁ ଭିକି ଆଉ ମିକି ବହୁତ ଖୁସି ହୋଇଗଲେ l କାରଣ ତାଙ୍କ ଗାଡିର ସାମନା ପଟରେ ବା ବାହାର ପଟରେ କିଛି କ୍ଷତି ହୋଇ ନଥିଲା ପୁରୁଣା ଗାଡି ଭିତରୁ କିଛି ମେସିନ ହୁଏତ ଖରାପ ହୋଇ ଯାଇଥିଲା l ହଠାତ୍ ଗାଡ଼ିକୁ ଯୋରରେ ବ୍ରେକ୍ ଦେଇ ଦେଇଥିବାରୁ l କିନ୍ତୁ ଯେପରି ଭାବରେ ସାମନା ଗାଡିର ଏକଦମ ପଛକୁ ଲାଗି ରହିଥିଲା ସେଥିରେ କେହି ଯେ ସେମାନଙ୍କ କଥାକୁ ବିଶ୍ଵାସ କରିବ ସେମାନେ ସ୍ଵପ୍ନରେ ଭାବି ନଥିଲେ lପରେ ଗାଡିକୁ ଟୋ କରି ନବାକୁ ପଡିଥିଲା l ସେଦିନ ହୁଏତ ରାଶି ନକ୍ଷେତ୍ରଙ୍କ ଚଳନ ସେମାନଙ୍କ ପାଇଁ ଠିକ ଠାକ ଥିଲା ରକ୍ଷା ପାଇ ଯାଇଥିବାରୁ ମନ ଖୁସି ହୋଇଗଲା l ତାପର ଦିନ ଠୁ ରୀତିମତ କାମରେ ଲାଗିଗଲେ l ଟଙ୍କା ଏବେ ଆହୁରି ଦରକାର l ଗାଡ଼ି ରିପେୟାର ପାଇଁ l

କିନ୍ତୁ ମାସକ ପରେ ଦିନେ ତାଙ୍କ କବାଟ କେହି ବାଡ଼େଇବାର ଶୁଭିଲା l ପୋଲିସ ଡ଼ର ମନରୁ ଏଯାଏ ଯାଇନି l ଭୁଲ ତାଙ୍କର ନଥିଲେ ବି ପରିବେଶ ଟା ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯଥେଷ୍ଟ ଥିଲା l କାଳେ ଆଉ କିଛି ଅଘଟଣ ପୋଲିସ ବା ସେ ଡ୍ରାଇଭର ଘଟେଇପାରେ l ମିଛ କଥା କହି ତାଙ୍କୁ ଫସେଇ ବି ପାରେ l ଟିକେ କଣ ହେଲେ କାଳେ ପୋଲିସ ଆସିଗଲା କି ଏ ଭୟ ତ ସର୍ବଦା ମନ ଭିତରେ ଥିଲା l କବାଟର ଲେନ୍ସରେ ଦେଖିଲେ ପୋଲିସ ନୂହନ୍ତି ଅନ୍ୟ କେହି l ଦୁଇଜଣ ସ୍ଵାମୀ ସ୍ତ୍ରୀ ହୁଏତ l ଆସିବାର କାରଣ ପଚାରିବା ପୂର୍ବରୁ ସେମାନେ ଘରକୁ ପଶି ଆସି କବାଟ ବନ୍ଦ କରିଦେଲେ l ସେମାନଙ୍କୁ କୌଣସି କଥା କହିବାର ଅବସର ନଦେଇ କଥା ଆରମ୍ଭ କରିଦେଲେ l ମାସକ ତଳେ ଯୋଉ କାର ଦୁର୍ଘଟଣାର ଆମ ଝିଅ ସମ୍ମୁଖୀନ ହୋଇଥିଲା ତାହା ତୁମେ କରିଚ ତା ଅବହେଳା ଯୋଗୁ ନୁହେଁ l ତା ଗାଡି ପଛ କାଚ ପାଖରେ ତାର ସିସି କ୍ୟାମେରା ଲଗେଇଥିଲା l ସେଥିରେ ତୁମ ଫଟୋ ସହିତ ଗାଡିର ଲାଇସେନସ୍ ପ୍ଳେଟ ନମ୍ବର ଅଛି l ଏବେ ମୋ ଝିଅର ଗୋଟିଏ ଗୋଡ ଭାଙ୍ଗି ଯାଇଛି ଯାହା କେବେ ଫିକ୍ସ ହୋଇ ପାରିବ ନାହିଁ l

ପୋଲିସକୁ ଫଟୋ ଦେଖେଇ ତୁମକୁ ଆରେଷ୍ଟ କରିବା ପୂର୍ବରୁ ତୁମକୁ ଦେଖା କରିବାକୁ ଇଚ୍ଛା ହେଲା l କୋଉ ପ୍ରକାର ଲୋକ ତୁମେ ତୁମକୁ କୋଉ ପ୍ରକାର ଶାସ୍ତି ଉପଯୁକ୍ତ ହେବ l ଏବେ ତୁମକୁ ଦେଖିଲା ପରେ ମନେ ହେଉଛି ତୁମେ ଖରାପ ଲୋକ ନୁହେଁ ବା ମଦ ପିଇ ସେଦିନ ଗାଡି ଚଳୋଉ ନଥିବ l ଏବେ ଆମର ସର୍ତ୍ତ ହେଉଛି ତୁମେ ଆମ ଝିଅକୁ ବିବାହ କରି ସାରା ଜୀବନ ତାର ଯତ୍ନ ନେବ ନଚେତ ଆମକୁ ଏକ ମିଲିଅନ୍ ଡଲାର୍ ଦେବ ତାର ସାରା ଜୀବନ ଭରଣ ପୋଷଣ ପାଇଁ, ନଚେତ ଏ ଫଟ ସବୁ ପୋଲିସ ପାଖକୁ ଯିବ l

ଆକାଶରୁ ଖସି ପଡିଲେ ସେମାନେ l ଏଥିରୁ କୌଣସି ଏକ ସର୍ତ୍ତରେ ସେମାନେ ରାଜି ହୋଇ ପାରିବେ ନାହିଁ l ଏ ଏକ ଅବଞ୍ଛନୀୟ ପରିସ୍ଥିତି l ସେମାନେ ସପ୍ତାହେ ସମୟ ମାଗିଲେ ଭାବି କି କହିବେ ବୋଲି କହିଲେ l ଅଦରକାରୀ ଆଗନ୍ତୁକ ମାନେ ଚାଲିଗଲେ ସତ କିନ୍ତୁ ସେମାନଙ୍କ ଉପରେ ସେମାନେ ଆଖି ରଖିବେ ବୋଲି କହିଗଲେ l ଏ ବିଷୟରେ ବହୁ ଆଲୋଚନା କରି ମିକି ଓ ଭିକି କୌଣସି ମୀମାଂସାରେ ପହଞ୍ଚି ପାରିଲେନି l ରାତି ସାରା ନଶୋଇ ଭାବିବାକୁ ଲାଗିଲେ l କିଛି ଥଳକୂଳ ପାଇଲେନି ଏ ସମସ୍ୟାର l

ହଠାତ ମିକିର ମନେ ପଡିଗଲା ଗଲା ବର୍ଷ ଜଣେ ଭଦ୍ର ବ୍ୟକ୍ତି ସେମାନେ କାମ କରୁଥିବା ରେଷ୍ଟୁରାଣ୍ଟକୁ ଆସିଥିଲେ l ଖାଇ ସା ରିଲା ପରେ ସେ ବାହାରକୁ ଗଲା ବେଳେ ହଠାତ ବେହୋସ ହୋଇ ତଳେ ପଡି ଯାଇ ଥିଲେ l ମିକି ଆଉ ଭିକିଙ୍କର ତାଙ୍କ ଉପରେ ନଜର ପଡିଥିଲା ପାଣି ଚିଞ୍ଚା ଛିଞ୍ଚି କରି ହୋସକୁ ଆଣିଲେ ତାପରେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ l ତାଙ୍କର ହାର୍ଟରେ କିଛି ସମସ୍ୟା ଯୋଗୁ ସେ ମଝିରେ ମଝିରେ ଏପରି ବେହୋସ ହୋଇ ଯାଆନ୍ତି l ସେ ହସ୍ପିଟାଲରେ ତିନି ଦିନ ରହିଲେ ମିକି ଓ ଭିକିଙ୍କୁ ବହୁତ ବହୁତ ଧନ୍ୟବାଦ ଦେଲେ ଓ ତାଙ୍କ ଫୋନ ନମ୍ବର, ଓ ଠିକଣା ଲେଖା ଥିବା କାର୍ଡ ଦେଇଥିଲେ l ଏବଂ କହିଥିଲେ ଭବିଷ୍ୟତରେ ଯଦି କୌଣସି ପ୍ରକାର ସାହାଯ୍ୟ ଦରକାର ପଡେ ତାଙ୍କୁ କହିବାକୁ ଅନୁରୋଧ ମଧ୍ୟ କରିଥିଲେ l

ବ୍ୟସ୍ତ ବହୁଳ ଜୀବନ ଭିତରେ ସେ କେବେ ମିଷ୍ଟର ଜନ୍ ଙ୍କୁ ଦେଖା କରିବାକୁ ଯାଇ ନଥିଲେ l କିନ୍ତୁ ମଝିରେ ମଝିରେ ସେ ଫୋନ କରି ଏମାନଙ୍କ ହାଲଚାଲ ପଚାରନ୍ତି l କାଲି କାମରୁ ଛୁଟି ନେଇ ତାଙ୍କ ପାଖକୁ ଯାଇ ସବୁ କହିବେ ବୋଲି ମନସ୍ଥ କଲେ ହୁଏତ ସେ କିଛି ରାସ୍ତା ଦେଖେଇ ପାରନ୍ତି ଏପରି ଜଟିଳ ପରିସ୍ଥିତିରେ l ସେମାନଙ୍କ ମୁଣ୍ଡ କିଛି କାମ କରୁନି ବର୍ତ୍ତମାନ ଏ ସମସ୍ୟାର ସମାଧାନ ଖୋଜି ପାଇବାରେ l

ତା ପର ଦିନ କାମ ପରେ ସେମାନେ ଯାଇ ମିଷ୍ଟର ଜନଙ୍କୁ ସବୁକଥା କହିଥିଲେ l ମିଷ୍ଟର ଜନ୍ ସବୁ ଶୁଣି ସାରିଲା ପରେ ପିଲା ମାନଙ୍କ ପ୍ରତି ବଡ ଦୟା ଲାଗିଲା l କେହି ଜଣେ ସେମାନଙ୍କ ଅସହାୟତାର ଓ ପରିସ୍ଥିତିର ଫାଇଦା ଉଠେଇବାକୁ ଚେଷ୍ଟା କରୁଛି lପିଲାମାନେ ଦିନେ ତାଙ୍କୁ ତାଙ୍କର ବଡ ବିପଦ ସମୟରେ ସାହାଯ୍ୟ କରିଥିଲେ ସେ ଭୁଲି ନାହାନ୍ତି l ସେ ରାତିକ ସମୟ ମାଗିଲେ ଭାବିବାକୁ l ଏପରି ପରିସ୍ଥିତିରେ କଣ କର ଯାଇପାରେ l ପିଲାମାନେ କୌଣସି ପ୍ରକାର ଆର୍ଥିକ ବା ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ନହୋଇ ଏ ବିପଦରୁ ମୁକ୍ତି ପାଇ ପାରିବେ l କେଶ୍ ରେ ସେ ଲୋକ ମାନଙ୍କୁ ପକେଇଲେ ବି ପିଲାମାନେ ବେଶୀ ଅସୁବିଧାରେ ପଡ଼ିବେ l ଯୋଉ ରାସ୍ତାରେ ଗଲେ ବି ବର୍ତ୍ତମାନ ପିଲାମାନଙ୍କର କ୍ଷତି ବ୍ୟତୀତ ଲାଭ ହେବ ନାହିଁ l

ସେ ଦମ୍ପତ୍ତି ଏମାନଙ୍କୁ ମାତ୍ର ସପ୍ତାହେ ସମୟ ଦେଇଛନ୍ତି ତାଙ୍କ ସର୍ତ୍ତ ଅନୁସାରେ ସବୁ କାମ କରିବାକୁ l ଯାହା ବି ହେଉ ବର୍ତ୍ତମାନ ମିଷ୍ଟର ଜନ୍ ହେଉଛନ୍ତି ତାଙ୍କର ବାପ ମା, ଶୁଭାକଂ|କ୍ଷି ଏକମାତ୍ର ସାହା ଭରସା ଏ ପରିସ୍ଥିତିରେ l ସେମାନେ ଆଶା ଛାଡ଼ିଲେନି l ତାପର ଦିନ କାମ ପରେ ବସରେ ବସି ମିଷ୍ଟର ଜନଙ୍କ ପାଖରେ ପହଁଚିଲେ l ଗାଡି ତାଙ୍କର ଏବେବି ଗରାଜରେ l ଗାଡିରେ ଆଉ ଅଯଥା ଟଙ୍କା ଖର୍ଚ୍ଚ କରି ରିପେୟାର କରିବେ ନା ଗରାଜ ବାଲାକୁ ବିକିଦେଇ ଆଉ ଗୋଟେ ନୂଆ ଗାଡି କିଣିବେ ଏପର୍ଯ୍ୟନ୍ତ ଠିକ କରି ନାହାଁନ୍ତି l

ବସ୍ ରୁ ଓଲ୍ହେଇ କିଛିବାଟ ଚାଲିବାକୁ ପଡିଲା l ଯେମିତି ସେମିତି ହେଉ ସେମାନେ ମିଷ୍ଟର ଜନ୍ ଙ୍କ ପାଖରେ ପହଞ୍ଚିଗଲେ l କିନ୍ତୁ ମିଷ୍ଟର ଜନ୍ ଙ୍କ ଆୟୋଜନ ଦେଖି ସେମାନେ ତଟସ୍ଥ l ତାଙ୍କ ଘରେ ଜଣେ ଚର୍ଚ୍ଚର ଫାଦାର ଓ ଆଉ ଦୁଇ ଜଣ ମିଷ୍ଟର ଜନ୍ ଙ୍କ ସାଙ୍ଗ ସେଠାରେ ଉପସ୍ଥିତ ଥିଲେ l ସେମାନଙ୍କ ବାହାଘରର ସମସ୍ତ ଆୟୋଜନ ସେ କରିଦେଇଥିଲେ ଏପରିକି ବେଶ ପୋଷାକ ଠୁ ଆରମ୍ଭ କରି ଭୋଜି ଭାତର ବି l ସେମାନେ ଆଶ୍ଚର୍ଯ୍ୟରେ ଅବିଭୂତ ହେବା ପୂର୍ବରୁ ମିଷ୍ଟର ଜନ୍ କଥା ଆରମ୍ଭ କରି ଦେଇଥିଲେ, ହାତରେ ତୁମର ସମୟ ବହୁତ କମ ତେଣୁ ମୁଁ ଯାହା କହୁଛି ସେଇ ଅନୁସାରେ ସବୁ କାମ କରିଯାଅ l ତୁମକୁ ଏଇ ମୁହୂର୍ତ୍ତରେ ଫାଦାରଙ୍କ ସାମନାରେ ବିବାହ କରି ବାକୁ ପଡିବ l କାଲି ରାତି ପାହିବା ପୂର୍ବରୁ ତୁମ ବ୍ୟକ୍ତିଗତ ଜିନିଷ ଯାହା ଅଛି ସେସବୁ ନେଇ ତୁମ ଅପାର୍ଟମେଂଟ ଛାଡିଦେଇ ମୋ ଗାଡିଟି ନେଇ ମୋର ଏକ ସମର ହାଉସ୍ ଅଛି ଏ ଠାରୁ ପାଞ୍ଚ ଘଣ୍ଟା ଦୂରରେ ଏକ ଜଙ୍ଗଲ ଘେରା ପାର୍କ ଭିତରେ l ସେଠାରେ ଯାଇ ରହିବ l ଯେ ପର୍ଯ୍ୟନ୍ତ ଏଠିକା ପରିସ୍ଥିତି ଠିକ ହୋଇ ନାହିଁ ସେଠାରେ ତୁମେ ରହିବ l

ସେଠାରେ କିନ୍ତୁ ନେଟୱାର୍କର ସୁବିଧା ନାହିଁ l କେହି ତୁମକୁ କଲ୍ କରି ହଇରାଣ କରି ପାରିବ ନାହିଁ କି ତୁମର ଠିକଣା ପାଇ ପାରିବ ନାହିଁ l କିନ୍ତୁ ଚିଠି ଦ୍ଵାରା ସମସ୍ତ ଖବର ଆଦାନ ପ୍ରଦାନ କରିହେବ l ସେ ସୁବିଧା ସେଠାରେ ଉପଲବ୍ଧ l ଆଶ୍ଚର୍ଯ୍ୟରେ ମିକି ଆଉ ଭିକି ଅବାକ ହୋଇ ଚାହିଁ ରହିଲେ କିଛି ସମୟ ମିଷ୍ଟର ଜନ୍ ଙ୍କ ମୁଁହକୁ ତାପରେ କିନ୍ତୁ ତାଙ୍କ କହିବା ଅନୁସାରେ ସବୁ କାମ ଚୁପଚାପ କରିଗଲେ l ତାପର ଦିନ ରାତି ତିନିଟାରୁ ଉଠି କେହି ନଉଠିବା ପୂର୍ବରୁ ସେ ସହର ଛାଡି ଫାର୍ମ ହାଉସ ଅଭିମୁଖେ ଯାତ୍ରା କଲେ l ବହୁ ସତର୍କତାର ସହିତ ଏଥର ଗାଡି ଚାଳନା କରି ସେମାନେ ସକାଳୁ ସକାଳୁ ପହଞ୍ଚିଗଲେ ଲକ୍ଷ ସ୍ଥଳରେ l

ନା ତାଙ୍କ ପଛରେ କେହି ପୋଲିସ୍ ଗାଡି ଥିଲା ବା କେହି ଗୁପ୍ତଚର ଭଳି ତାଙ୍କୁ ଅନୁସରଣ କରୁଥିଲା l ସେମାନେ ସେଠାରେ ଛଅମାସ ରହିଲା ପରେ ମିଷ୍ଟର ଜନ୍ ଙ୍କ କଥା ଅନୁସାରେ ଅନ୍ୟ ଏକ ସହରକୁ ଜୀବିକା ନିର୍ବାହ ପାଇଁ ଚାଲି ଯାଇଥିଲେ l ସେଠାରେ ଚାକିରୀ କରି ପ୍ରଥମେ ମିଷ୍ଟର ଜନ୍ ଙ୍କ ଗାଡି ବାବଦ ଟଙ୍କା ଫେରାଇଥିଲେ l ସବୁ ସହଜରେ ହେଲା ସତ କିନ୍ତୁ ତାଙ୍କ ପରିକଳ୍ପନା କି ସ୍ଵପ୍ନ ଅନୁସାରେ କିଛି ହୋଇ ପାରିଲାନି l ନା ବିବାହ ନା ଜୀବିକା l କିନ୍ତୁ ସେମାନଙ୍କ ସାହାଯ୍ୟର ଫଳ ସ୍ଵରୂପ ମିଷ୍ଟର ଜନ୍ ଙ୍କ ପରି ଏକ ଶୁଭାକଂ| କ୍ଷି ବଂଧୁ ଓ ତାଙ୍କ ବଦାନ୍ୟତା ମିଳିଥିଲା ଯୋଉଥି ପାଇଁ ସେମାନେ ଚିର କୃତଜ୍ଞ l ସାହାଯ୍ୟର ଫଳ ନିଶ୍ଚୟ ମିଠା l



Rate this content
Log in