Satyabati Swain

Children Stories Tragedy

2  

Satyabati Swain

Children Stories Tragedy

ଅଭିଶାପ ନା ଆଶୀର୍ବାଦ

ଅଭିଶାପ ନା ଆଶୀର୍ବାଦ

6 mins
522


 ଲିଲି ଆଖି କ୍ୟାମେରାରେ ଦିଶିଗଲା ନୂଆଁଣିଆଁ ଚାଳ ଘରଟିଏ। ଗୋଟିଏ ଶୋଇବା ଘର। ଅନ୍ୟଟି ଛୋଟ କାଟିଆ ରୋଷେଇ ଘର। ଚାଳ ଉଡ଼ି ଯାଇଛି ବୋଲି ପଲିଥିନ ବନ୍ଧା। ଘର ଭିତରେ ପାଞ୍ଚଟି ଛୁଆ ଓ ବାପା ମା। ଏପରି ସାତ ପ୍ରାଣୀ। ହେଁସ ପାରି ତା ଉପରେ ଦରବା,କନ୍ଥା ପକେଇ ଶୋଇ ଯାଆନ୍ତି ପରମ ଶାନ୍ତି ନିଦରେ ସାତ ଜଣ ବଡ଼ ସାନ ମଣିଷ। ଅଭାବ ଓ ନିଶା ରାକ୍ଷସ ଆଁ ରେ ଗଳି ପଡନ୍ତି ପାଞ୍ଚଟି ଛୁଆଙ୍କ ଭୋକ। ତିନି ଛୁଆ ଭିତରେ ସବା ସାନ ଛୁଆଟି ମୁଁ ଲିଲି।

ସଭିଙ୍କ ଆଦରର ଗେହ୍ଲେଇ ଲିଲୁ। ବଡ଼ ଭାଇ କୁଲୁ,ତାପରେ ଫେଲୁ ଭାଇ ଓ ସବା ଶେଷରେକୋଡ଼ ପୋଛା ମୁଁ।


ଅଭାବ ଯେତିକି ବାଧେନି,ବାଧେ ସେତେ ଏ ନିଶାଡି ପ୍ରକୃତି ବାପାଙ୍କର। ଯାହା ପାଇଁ ନିତି ଆମ ଘରେ ଠିଆ ପାଲା ହୁଏ। ବାପା ଗଞ୍ଜେଇ ଧୂଆଁରେ,ନାଲି ପାଣିରେ କି କ୍ୟାମ୍ପସ ବଟିକାରେ ନିଜକୁ ବୁଡାଇ ମାକୁ ନିର୍ଧୁମ ପିଟନ୍ତି। ପାଖକୁ ଜାକି ନିଅନ୍ତି ମା କୁ। ନିଶାରେ ଚୁର୍ ହୋଇ ଭୁଲି ଯାଆନ୍ତି ତିନୋଟି ନିରୀହ,ଅବୁଝା ଛୁଆ ଥାଆନ୍ତି ବୋଲି ସେ ଘରେ। ମା ଟାଣି ଓଟାରି ହୁଏ। ରଡି ଛାଡେ।ମାଡରେ କେବେ କେବେ ମା ର ପିଠି,ମୁଣ୍ଡ ଫାଟେ। ଅତ୍ୟଧିକ କଳି କି ମାଡ଼ ହେଲେ ମଝିରେ ମଝିରେ ମା ପଳାଏ ମାମୁଁ ଘରକୁ ଋଷି। ଆମେ ତିନି ଭାଇ ଭଉଣୀ ଭାରି ହଇରାଣ ହରକତ ହେଉ। ରାନ୍ଧି ଗଣ୍ଡେ ଦେବାକୁ କେହି ନ ଥାଆନ୍ତି। ବାପା କିନ୍ତୁ ଛାଡ଼ନ୍ତି ନାହିଁ ନିଶା। ଵେହୋସ ହୋଇ ପଡନ୍ତି। ଆମେ ଭାଇ ଭଉଣୀ ଘୋଷାରି ଓଟାରି ଘର ଭିତରକୁ ବାପାଙ୍କୁ ଆଣୁ। କେଜାଣି ବାପା ପ୍ରତି ଗୋଟେ ଅସହାୟ ମମତା ଆମ ମନରେ ଲହଡି ପିଟେ।


ବେଶୀ କ୍ଷତି ହୁଏ ମୋର। ଚାରି ଭାଇରେ ମୁଁ କୋଡ଼ ପୋଛା ଗୋଟିଏ ବୋଲି ଝିଅ। ବର୍ଷକର। କ୍ଷୀର ବି ଛାଡି ନଥିଲି ଯେତେବେଳେ ମା ମୋତେ ଛାଡି ମାମୁଁ ଘର ଚାଲିଯାଇଥିଲା? ଏ କଥା ମୋ ବଡ଼ ଭାଇ କହିଲା ବେଳେ ମନ ଭିତରେ ମୁଁ ଖୁବ୍ କାନ୍ଦି ପକାଏ। କେମିତିକା ଏ ବାପା ମାଙ୍କ କଳି!! ସେଥିରେ ଆମ ପରି ନିରୀହ ଛୁଆ ଗୁଡା ବଳି ପଡନ୍ତି...। ମା ମୋତେ ଛାଡି ଚାଲିଯାଏ ବୋଲି ମୋ ମନରେ ଭାରି ଅଭିମାନ। କେମିତି ଏ ମୋ ମା....ବର୍ଷକ ଛୁଆକୁ ଛାଡି ପଳାଏ...! ମୋତେ ସାଙ୍ଗରେ ନେଇ ଯାଏ ନାହିଁ କାହିଁକି? ମା ପ୍ରତି ମୋର ରାଗ ବଢେ। ଆଦର ସରାଗ କମି ଯାଏ ମା ଉପରୁ।


ହେଲେ ବି ମା କୁ ଛାଡି ରହି ପାରେନି ମୁଁ। ଭାଇ କୁହେ ମୁଁ କୁଆଡେ ଭାରି ଖିନି ମିନି ହୋଇ କାନ୍ଦେ। ମୋ ଭାଇ ମାନେ ଯଥା ସାଧ୍ୟ ଚେଷ୍ଟା କରନ୍ତି ମୋତେ ବୁଝାଇବାକୁ। କଞ୍ଚା ଦରସିଝା ଚୁଲି ଫୁଙ୍କି ଫୁଙ୍କି ରନ୍ଧା ରୋଷେଇ ଖାଦ୍ୟ ଚକଟି ଖୁଆଇବାକୁ। କିନ୍ତୁ ମୋର କି ସେ ଖାଦ୍ୟରେ ରୁଚି ଥାଏ...! ମୁଁ ତ ଅଣ୍ଡାଳେ ମାର ଛାତି। ଦିନ ସାରା ଯାହା ଯେମିତି ଚଳିଯାଏ । ମାତ୍ର ରାତିରେ ମା ଛାତିରେ ମୁଣ୍ଡ ଗୁଞ୍ଜି ତା ବକ୍ଷର ଅମୃତ ପାନ କରିବା ମୋର ନିହାତି ଦରକାର। ସେତକ ନ ହେଲେ ମୋତେ ତ ନିଦ ହୁଏ ନାହିଁ। ମା ଅଖ କରି ଦେଇଛି। କ୍ଷୀର ଖୁଆଇ ଭାଇ ମାନଙ୍କ ପାଖେ ଛାଡି ଦେଇ ବାପା ଓ ସେ କାମକୁ ଯାଆନ୍ତି। ଯେମିତି ମା ଘରକୁ ଆସେ ଓହଳି ପଡେ ତା ଛାତିରେ ମାଙ୍କଡ଼ ଛୁଆ ପରି। ମା ବି ମୋତେ ପିଠିରେ ବାନ୍ଧି ଦେଇ ଘର କାମ କରେ। ରାତିରେ କୋଳେଇ ଜାକି ଜୁକି ପୁରେଇ ଦିଏ ତା ପେଟ ତଳେ। ମୁଁ କିନ୍ତୁ ରଗଡୁଥାଏ ମା ଛାତି। ମା ଥନ ପାଟିରେ ଥାଇ ମହା ଆନନ୍ଦରେ ଶୋଇଯାଏ ମୁଁ। ପୁରା ରାତିଟା ମା ମୋର। ଏଣୁ ମାକୁ ଛାଡି ରହିବା ମୋ ପାଇଁ ଅତି କଷ୍ଟ ହୁଏ। ଏଁ.. ଏଁ ହେଉଥିବି ଦିନ ରାତି। ଅତି ବିଗିଡି ଗଲେ ବାପା କୁହନ୍ତି ଚୋପ୍। ମୁଁ ଭୟରେ ଢ଼ିମା ଢ଼ିମା ଆଖି କରି ଚାହେଁ ଆକୁଳ ହୋଇ ବାପା ମୁହଁକୁ। ମୋ ବଡ଼ ଭାଇ ମୋତେ ଆସି ଯେତେବେଳେ କୋଳେଇ ନିଏ ମୁଁ ମୁହଁ ଫଟାଇ ଭେଁ କରି କାନ୍ଦି ଉଠେ।


ଭାଇ ମୋତେ ତା କାନ୍ଧରେ ପକାଇ ଦାଣ୍ଡ ଆଡକୁ ବୁଲେଇ ନିଏ। ପାଟି ଲଗେଇ କୁହେ" ଓଲୋ ଓଲୋ ମୋ କଣ୍ଢେଇକୁ କିଏ ମାଇଲା ;ଦେଖିବୁ ମୁଁ ତାକୁ ମାଇବି। ହାସୁ ହାସୁ କହି ତଳକୁ ଗୋଇଠା ମାରିବ। ଏ କାଉ ଆ.. ଆ...। ମୋ ନିଲୁ ସଙ୍ଗେ ଖେଳୁବୁ ଆ।ହେଇ ଦେଖେ..ଦେଖିଲୁ.

ଦେଖିଲୁ...।ଆ... ଆ ତୁ,ଭାଲୁଆ ଆ.. ଆ।ମୋ ଲୁହ ସିଙ୍ଘାଣି ତା ସାର୍ଟ ପ୍ୟାଣ୍ଟରେ ପୋଛି ଦିଏବ।ହଲେଇ ହଲେଇ ପିଠି ଥାପୁଡ଼ାଇ ଶୁଆଇ ଦିଏ।


ରାତି ହେଲେ ନିଦ ବାଉଳାରେ ଭାଇ ଛାତିକୁ ଚୁଚୁମେ।ଟାଆଁସିଆ ଛାତିରୁ କ୍ଷୀର ନ ବାହାରିବା ଜାଣି ଭେଁ କିନା କାନ୍ଦି ଉଠେ।ରାତି ଥରେ ମୋ ଛୁଆ ମନର କରୁଣ କାନ୍ଦରେ।ଭାଇ ତା ଆଙ୍ଗୁଠିରେ ଚିନି ଲଗେଇ ମୋ ପାଟିରେ ଦିଏ।ମୁଁ କ୍ଷୀର ଭାବି ଆଙ୍ଗୁଠି ଚୁଚୁମି ଶୋଇ ପଡେ।ଏ କଥା ମୁଁ ଟିକେ ଢେକ ହେଲା ପରେ ମୋ ବଡ଼ ଭାଇ କହି ହସି ହସି ଗଡିଯାଏ।ମୁଁ କିନ୍ତୁ ଗମ୍ଭୀର ହୋଇଯାଏ।ମନ ହୁଏ କାନ୍ଦି ପକେଇବି।କହିବି ଭାଇ ଲୋ ତୁ ମୋ କଥା କହନା।ମୋତେ ଭାରି କାଟୁଛି।


ବଡ଼ ଭାଇ ସେତେବେଳେକୁ ଦଶ କି ଏଗାର ବର୍ଷର।ମୋତେ ବୁଝାଇବାକୁ ତାକୁ ଖୁ କସରତ କରିବାକୁ ପଡେ। ଭାଇ ମିଳିମିଶି ମୋତେ ତୁନି କରେଇବାକୁ ଚେଷ୍ଟା କରନ୍ତି।କିଏ ପେଏଁକାଳୀ ବଜାଏ।କିଏ ହାଣ୍ଡିରେ ବାଜା ବଜାଏ ତ କିଏ ଗୀତ ବୋଲି ନାଚେ।ସମସ୍ତଙ୍କ ଗୋଟେ ଇଚ୍ଛା ମୁଁ ଶୋଇ ପଡିଲେ,ସେମାନେ ଟିକେ ଶୋଇବେ।ସତ କିନ୍ତୁ ଭାଇ ଦୁହେଁ ବହୁତ ଭଲ ପାଆନ୍ତି ମୋତେ।ରାତିରେ ଏତେ କାନ୍ଦ,ଏତେ ପାଟି ତୁଣ୍ଡ ହେଲେବି ବାପା ଉଠନ୍ତି ନାହିଁ।ବରଂ କୁହନ୍ତି ଶାଳା ଛୁଆ ଗୁଡା ଶାନ୍ତିରେ ଶୁଆଇ ଦେଉ ନାହାନ୍ତି ଟିକେ।ଏତକ କହି ମୁଣ୍ଡ ଉପରକୁ ଚଦର ଟାଣି ଶୋଇ ପଡନ୍ତି ନିଧଡକ।


ସକାଳୁ ସକାଳୁ ଆରମ୍ବ ହୋଇଯାଏ ଆମର ବଂଚିବା ପାଇଁ ସଂଗ୍ରାମ।ଚୁଡା ଆମ ସମସ୍ତଙ୍କୁ ବଞ୍ଚାଇ ଦିଏ।ଏ କଥା ଭାଇ କହିଲା ବେଳେ ତା ଲୁହ ଆଖି ଏରୁଣ୍ଡି ଡେଇଁ ପଡନ୍ତି ଖପ୍ ଖାପ୍।କାହିଁକିନା ସେ ଆମ ସମସ୍ତଙ୍କ ମଧ୍ୟରେ ବଡ଼।ଏଇ ବଡ଼ ହେବାଟା ତା ପାଇଁ ଅଭିଶାପ।ସେ ଭୋଗ କରିଛି ସେ ଅଶାନ୍ତି ଜୀବନ ଆକଣ୍ଠ।


ବଡ଼ ବୋଲି ଘୋଷାରେ ସଭିଙ୍କୁ।ଜାଳ ଗୋଟାଏ।ରୋଷେଇ ପାଇଁ ସାମଗ୍ରୀ ସଂଗ୍ରହ କରେ।ବାପା କିନ୍ତୁ ସକାଳୁ ଚାଲି ଯାଆନ୍ତି ଛକକୁ।ସେଠି ଚା ପିଇବା ସହ ପକେଇ ଦିଅନ୍ତି କ୍ୟାମ୍ପସ ଟାବ୍ ଲେଟ ଟିଏ।ବାସ୍!ଆଉ ଖାଦ୍ୟ ଦରକାର ହୁଏନି ତାଙ୍କର।କିଛି ଚାଉଳ ଓ ଆଳୁ ଆଣି ପକେଇ ଦେଇ ଯାଆନ୍ତି ଆମ ପାଞ୍ଚ ପାଖେ।ସେତେବେଳେ ଟଙ୍କିକିଆ ଚାଉଳ ବ୍ୟବସ୍ଥା ନଥିଲା।କି ଝଡି କି ବଢି ମୂଲ ନ ଲାଗିଲେ ଚୁଲିକୁ ହାଣ୍ଡି ଯାଉ ନଥିଲା।ଖାଡା ଉପାସ ରହୁଥିଲେ ଅନେକ ପେଟ।ଯେଉଁ ମାନଙ୍କ ଘରେ ଦିନରେ ସୂର୍ଯ୍ୟ ଓ ରାତିରେ ତରା କି ଜହ୍ନ ଉହୁଁଙ୍କି ଦେଖୁଥିଲେ ଗରିବ ଗୁରିବାଙ୍କ ପେଟ ଭୋକ ସହ ଲଢେଇ।ଆଉ ବି ଦେଖୁଥିଲେ ମରଦ ପିଲାର ମାଇକିନିଆ ସ୍ତ୍ରୀ ଉପରେ ଦେହ ଭୋକର ଜୁଲୁମ୍।


ବେଶୀ ଏ ଖଟି ଖିଆ ଗୁଡା ଅଳ୍ପ ଦାମର ନିଶା କବ୍ଜା ରେ ପଡିଯାନ୍ତି କାହିଁକି ବୁଝି ପାରି ନଥିଲି ଯେବେ ଛୁଆ ଥିଲି।ବୁଝି ପାରୁନାହିଁ ଏବେ ବଡ଼ ହେଲେବି।ଏଇ ନିଶା ହିଁ ଅନେକ ବସା ଭଙ୍ଗାର କାରଣ।ବହୁତି ବଳତ୍କାର ଏଇ କାରଣରୁ ହିଁ ହୋଇଥାଏ।ଅନେକ ଜୀବନ ଏହାରି ଯୋଗୁଁ ଅବେଳେ ଝାଉଁଳେ।ବାପା ମା ମାମୁଁ ଘରକୁ ଗଲା ପରେ ବେଶୀ ବେଶୀ କ୍ୟାମ୍ପସ ହିଁ ଖାଆନ୍ତି।ପଇସା ଅଭାବରୁ ନାଲି ପାଣି କିଣି ପାରନ୍ତି ନାହିଁ।


କ୍ୟାମ୍ପସ ଓ ଅନ୍ୟ ନିଶା ଖାଇ ଖାଇ ବାପା ପୁରା ଟାଙ୍ଗ ଖଣ୍ଡେ ପରି ଦେଖା ଯାଆନ୍ତି।ସବୁବେଳେ ଖୁଁ ଖୁଁ।


ଭାଇ କାନ୍ଦେ।କୁହେ ବାପା!ଟିକେ ଚୁଲି ଲଗେଇ ଦିଅ।ଯାଉନ ମାକୁ ନେଇ ଆସିବ।ବାପା ତାଙ୍କ ମର୍ଦ୍ଦାର୍ଙ୍ଗି ଦେଖାଇ ଖିଙ୍ଖାରି ଉଠି କୁହନ୍ତି "ଯାଇଛି ତ ତୋ ମା ଯାଉ।ମୁଁ କାଇଁ ଯିବି ଆଣିବାକୁ।ମନ ଘର ଧରିଗଲେ ବଳେ ଆସିବ ନାହିଁ।କେତେ ଭାଇ ଭାଉଜ ବସେଇ ଖୁଆଇବେ ତାକୁ ଦେଖିବି।ମୋ ବଡ ଭାଇ ଧେତି କୁକୁର ପରି ଲାଗିଥିବ ଏ.. ଏ ବାପା ମା କୁ ଯା ଆଣିବ।ଦେଖିଲ ଲିଲୁ କେମିତି ଝଡି ପଡ଼ିଲାଣି ମାକୁ ଝୁରି ଝୁରି।ବାପା ଏ ବାପା!ତମେ ଦୁଇ ଜଣ ଏପରି ବାରମ୍ବାର କଳି କର କାହିଁକି?କାହିଁକି ଖାଅ ନିଶା।ଛାଡି ଦେଉନ।


ବାପା ଚୁପ୍ ହୋଇ ଯାଆନ୍ତି କ୍ଷଣେ।ପୁଣି ଗାରେଡେଇ ଚାହାନ୍ତି ଭାଇକୁ।ଚଢା ଗଳାରେ କୁହନ୍ତି ଚାଲି ଯାଉନ ସେ ମା ପାଖକୁ।ନଲେ ମରି ଯାଉନ କୂଅ ପୋଖରୀରେ ପଡି।କାହିଁକି ହନ୍ତସନ୍ତ କରୁଛ?ଏତକ କହି ବାପା ଚୁଲି ପାଖକୁ ଯାଆନ୍ତି।ଚୁଲି ଫୁଙ୍କି ପୁଙ୍କି ଲହରା କାଶ ଉଠେ ତାଙ୍କର।ମୁହଁ ବି କଳା ହୋଇଯାଏ।ବାପାଙ୍କୁ ଦେଖି ଏତେ ଦୁଃଖରେ ବି ଆମେ ହସି ଦେଉ।ମୋତେ ଛାଡି ଦୁଇ ଭାଇ ଯାକ ଲାଗି ପଡନ୍ତି ଚୁଲି ଲଗାରେ।ଧୂଆଁ କୁହୁଳି କୁହୁଳି ଚାଉଳ ବତୁରୀ ଯାଏ।ଆଳୁ ସିଝି ଥାଏ କି ନଥାଏ।ଗୋଟିଏ ଥାଳିରେ ଭାତ ବାଢି,ଆଳୁ କଞ୍ଚା ଲଙ୍କା ଦଳି ସୁ ସୁ ହୋଇ ମୋ ଭାଇ ଖାଇ ଯାଆନ୍ତି।ଖାଆନ୍ତି କଣ ଗିଳି ପକାନ୍ତି ପ୍ରବଳ ଭୋକର ତାଡନାରେ।ମୋ ପାଇଁ ଗିନାରେ କିଛି ଭାତ ଲୁଣ ପକେଇ ରଖି ଦେଇ ଥାଆନ୍ତି।


ସମସ୍ତେ ଖେଳରେ ମାତନ୍ତି।ବଡ଼ ଭାଇ ମୋତେ ରଖିଥିବା ଭାତ ଚକଟି ବୁଲେଇ ବୁଲେଇଖୁଆଇ ଦିଏ। କିଛି ଢୋକେ ତ କିଛି ଥୁ ଥୁ କରି ଭାଇ ଦେହ ସାରା ଶଙ୍ଖୁଡ଼ି କରି ଦିଏ ମୁଁ।ମୋ ଭାଇ ହିଁ ମୋ ମା ପାଲଟି ଯାଏ।ଖୁଆଇବା ଗାଧୋଇବା ଠାରୁ ଝାଡା ପୋଛିବା ପର୍ଯ୍ୟନ୍ତ ସେ ସମସ୍ତ କାମ କରେ।


ମୋ ବଡ଼ ଭାଇଟି ଦେବ ତୁଲ୍ୟ ଲୋକ।କେତିକି ଚାଉଳ ରାନ୍ଧିଥିବ ଆମ ସମସ୍ତଙ୍କୁ ଖୁଆଇ ମାଡି ମୁଡ଼ି ଗିନାରେ ଗିନାଏ ବାପାଙ୍କ ପାଇଁ ରଖିଥିବ।କିନ୍ତୁ କିଏ ପଚାରେନି ସେ ଖାଇଛି କେତେ....ବଡ଼ ହେବା ଅଭିଶାପ ନା ଆର୍ଶୀବାଦ ବୁଝି ପାରେନି ମୋ କଅଁଳା ଛୁଆ ଭାଇଟି....ଛୁଆ ବୟସରେ ସେ ବୁଢା ହୋଇଯାଏ।ଏ କଥା କହିଲା ବେଳେ ତା ଆଖିରୁ ଖସି ପଡେ ବରକୋଳି ଟୋପା ଲୁଣିଆ ବର୍ଷା.....ଯାହା ତା ନୀଳ ରଙ୍ଗ ସ୍କୁଲ ପ୍ୟାଣ୍ଟଟି ପିଇ ଓଦା ହେବା ସାର୍ ହୁଏ।


ଭାଇ ବାପା ଘରକୁ ଆସିଲା ମାତ୍ରେ ସବୁଦିନେ କୁହେ "ମା କୁ ଆଣିବାକୁ ଯାଇଥିଲ, ବାପା"?।


ବାପା ଗର୍ଜି ଉଠନ୍ତି।ଖାଲି ମା... ମା..ମା...।ଗଲନି ତା ସାଙ୍ଗେ...।କିଏ ଅଟକଉଥିଲା ତୁମକୁ।ମଣିଷଙ୍କୁ ଶାନ୍ତିରେ ରଖେଇ ଦେବେ ନାହିଁ।କାମରୁ ଟିକେ ଆସିବ କଣ ଘରେ ବିଶ୍ରାମ ନେବ ଯେ ଖାଲି କେଏଁ... ଭେଁ...ଭୋକ.... ମା ଶୁଣିବ।ଯାହାର ମା ମରି ଯାଉଛି ତା ଛୁଆ ବଞ୍ଚୁଛନ୍ତି ନା ନାହିଁ!!କାହିଁକି ଗୋଟେ ସବୁବେଳେ ମା ମା ହେଉଛ....?



Rate this content
Log in