ଅଭିନୟ
ଅଭିନୟ
ବାପା,କାଲି ମୋ ଜନ୍ମଦିନ। ମୋର ସେଇ ଗୋଲାପୀ ଡ୍ରେସଟା ଦରକାର। ମୁଁ ମୋ ସାଙ୍ଗମାନଙ୍କୁ ବି ଡାକିଚି। ମାଆକୁ କହିଦିଅ ପୁରି, କ୍ଷୀରି, ତରକାରୀ କରିଦେବ। ଆଉ ହଁ ମଣ୍ଡା ପିଠା ବି। ତୁମେ କାଲି କାମ ବନ୍ଦ କରି ମୋ ସାଙ୍ଗେ ଘର ଟିକିଏ ସଜେଇବ। ମୋ ସାଙ୍ଗ ମାନେ ସବୁ ଆସିବେ ନା। ଏମିତି କେତେ କଣ ଡିମାଣ୍ଡ ଥାଏ ତାହାର। ଏସବୁ କଥା ମନେ ପକେଇ ପକେଇ ଅନୁଭବ ବସରେ ଆସୁଥାଆନ୍ତି ଝିଅ ଘରକୁ। ଆଜି ତା'ର ଜନ୍ମଦିନ ବୋଲି।
ଝିଅ ଘରେ ପହଞ୍ଚି ଠିକ କବାଟ ବାଡେଇବାକୁ ଯାଉ ଯାଉ ଭିତରୁ ଶୁଣିବାକୁ ପାଇଲେ--- ହଁ ମ ବୁଢୀ ବୟସରେ ପୁଣି ଜନ୍ମଦିନ ଗୋଟେ କଣ ମ? ଶୁଣ..ଏଇଟା ତୋ ବୋପାଘର ନୁହେଁ ଯେ ମୁଁ ତୋର ଜନ୍ମଦିନ ପାଳିବି।ଛୁଆଟିଏ ତ ଦି ବର୍ଷ ହେଲାଣି ଜନ୍ମ କରିପାରିଲୁନି ।ଆଉ ନିଜ ଜନ୍ମଦିନ ପାଳିବାକୁ ମନ୍ଦିର ବାହାରିଲେ ମହାରାଣୀ।ଚୁପଚାପ ଯାଇକି ଘରକାମ ଦେଖ।ତୋ ନଣନ୍ଦ ଆସୁଛି ପରା। ସେମାନେ ଆସିବା ଆଗରୁ ରୋଷେଇ ସାରି ଦେ। ବିଚାରି କେତେବେଳୁ ଟ୍ରେନରେ ଚଢିଥିବ। ୩ ଦିନର ରାସ୍ତା, ଥକିଯାଇଥିବ।
ବିଚାରି ଚୁପଚାପ କିଛି ନ କହି ରୁମ ଆଡକୁ ମୁହାଁଇଲା। ଏହି ସମୟରେ କଲିଂବେଲଟା ବାଜିଲା। କବାଟ ଖୋଲିଲା ବେଳକୁ ସାମ୍ନାରେ ଅନୁଭବ, ମାନେ ତା ବାପା ଠିଆ ହେଇଛନ୍ତି। ବାପାଙ୍କୁ ଦେଖି ତା ଆଖି ଛଳଛଳ ହେଇଗଲା। ଅନୁଭବ ବି ତାକୁ ଦେଖି ଖୁସି ହେଇଗଲେ।
ଅନୁଭବ ସମୁଦୁଣୀଙ୍କୁ ପ୍ରଣାମ କରୁ କରୁ କହିଲେ-ଆଜି ଝିଅର ଜନ୍ମଦିନ ତ। ସେଥିଲାଗି ତା ମାଆ ତା ପସନ୍ଦର ପିଠା କରି ପଠେଇଛି। ଏତିକି କହୁ କହୁ ସମୁଦୁଣୀ ମୁହଁ ମୋଡି ନମସ୍କାରଟିଏ ଫୋପାଡି ଦେଇ ଭିତରକୁ ଚାଲିଗଲେ।
ଅନୁଭବ ଝିଅ ଆଡକୁ ଚାହିଁ କହିଲେ -ମାଆରେ ମନ୍ଦିର ଯାଇଥିଲୁ କି ?ନୂଆଲୁଗା ପିନ୍ଧିଚୁ ଯେ? ଝିଅ କହିଲା -ହଁ ହଁ ବାପା ଏବେ ପରା ମନ୍ଦିରରୁ ଆସିଲି। ମାଆଙ୍କ ଦେହ ପରା ଭଲ ନାହିଁ ବୋଲି ଶୋଇବାକୁ ଗଲେ ବୋଧହୁଏ । ୟାଙ୍କ ଭଉଣୀ ଆଜି ଆସୁଛନ୍ତି ତ। ସେଥିଲାଗି ରୋଷେଇ ପତ୍ର ଟିକିଏ ଜଲଦି ସାରିଦେବି ବୋଲି ଭାବୁଥିଲି। ଆଉ ତୁମେ କୁହ, ମାଆ କେମିତି ଅଛି?କଣ ଖାଇବ କୁହ?
ଅନୁଭବ କହିଲେ-ତୋ ମାଆ ଭଲ ଅଛି। ମୋତେ ଖାଲି ପାଣି ଗିଲାସଟେ ଦେ। ମୋର ଅନ୍ୟାନ୍ୟ କାମ ଅଛି। ଜଲଦି ସାରିଦେଇ ଗାଆଁକୁ ଫେରିଯିବି।
ଝିଅ ଆଉ କିଛି ବେଶୀ କହିଲାନି। ରୋଷେଇଘରୁ ପାଣି ଗିଲାସଟେ ଆଣି ବଢେଇଦେଲା।
ଅନୁଭବ କହିଲେ ମାଆରେ ତୁ ଖୁସିରେ ଅଛୁ ତ?
ହଁ ବାପା ତୁମେ ମୋ ଚିନ୍ତା କରନି। ମୁଁ ବହୁତ ଭଲରେ ଅଛି। ଏତିକି କହି ହସିଦେଲା ଅନୁଭବଙ୍କୁ ଚାହିଁ ତାଙ୍କ ଝିଅ।
ଅନୁଭବ ବି ଆଉ କିଛି ନ କହି ଘରକୁ ଫେରିଆସିଲେ। ଘରେ ତାଙ୍କ ସ୍ତ୍ରୀ ପଚାରିଲେ-ଆମ ଝିଅ କେମିତି ଅଛି?
ଅନୁଭବ କହିଲେ-ଆମ ଝିଅ ଏବେ ଅଭିନୟ କରିବା ଶିଖି ଯାଇଛି। ଭାରି ଭଲ ଅଭିନୟ କରୁଛି।
ଏତିକି ବେଳକୁ ତାଙ୍କ ଦୁଇ ଆଖିରୁ ଦୁଇ ଧାର ଲୁହ ବୋହି ଯାଉଥିଲା।
