ଆଉ ସେ ଭୁଲ ହେବନାହିଁ
ଆଉ ସେ ଭୁଲ ହେବନାହିଁ
ପରିମଳ ଦଶମ ପାସ୍ କଲା ପରେ ଆଖ ପାଖରେ କଲେଜ ନଥିବାରୁ ପାଠ ପଢିବା ପାଇଁ ଇଚ୍ଛା କଲେ ନାହିଁ। ପରିମଳ ଜାଣିଥିଲେ ବାପା ପଢେଇ ପାରିବେ ନାହିଁ। ତେଣୁ ସେ ଗାଁରେ ଛୋଟ ଛୋଟ ପିଲାଙ୍କୁ ପଢେଇବା ଆରମ୍ଭ କଲେ। ପରିମଳର କିନ୍ତୁ ମନଥାଏ କଲେଜରେ ପଢି କକେଇଙ୍କ ପରି ଚାକିରୀ କରିବ। ଯୋଗକୁ କକେଇ ଥରେ ଆସି ପରିମଳକୁ ତାଙ୍କ ସହିତ ଯାଇ ସେଠି କଲେଜରେ ପଢିବାକୁ କହିଲେ । ପରିମଳ କକେଇଙ୍କ ପ୍ରତି କୃତ କୃତ୍ୟ ହେଇଗଲା। ତାର ଆଗକୁ ପାଠ ପଢିବାର ଅବଶୋଷ ରହିଯିବ ବୋଲି ଯାହା ଭାବୁଥିଲା ତାହା ଆଉ ହେବ ନାହିଁ। ତାର ବାପା ମାଆ ମଧ୍ୟ ଖୁସିରେ ପରିମଳକୁ କହିଲେ, ଯା' ବାପା ମନ ଦେଇ ପଢିବୁ। ଏଠି ରହିଲେ ତୋର କିଛି ହେବନି। ପରିମଳ ମୁଣ୍ଡରେ ଆଶିର୍ବାଦର ହାତ ବୁଲାଇ ଦେଇ ବାପା କହିଲେ, ମୁଁ ଅଯୋଗ୍ୟ, ମୋର ରୋଜଗାର ନାହିଁ। ତୋତେ କିଛି ଦେଇ ପାରିବନି। ପାଠ ପଢିବା ପାଇଁ ଯାହା ଖର୍ଚ୍ଚ କକେଇ କରିବ କହିଛି। ତାର ସରକାରୀ ଚାକିରି , ଭୁବନେଶ୍ବରରେ ତା କ୍ଵାର୍ଟରରେ ତୁ ରହିବୁ । ତାର ବୋଲହାକ ଟିକେ କରି ଦେଉଥିବୁ। କେତେବେଳେ ଯଦି କଣକୁହେ ଉତ୍ତର ଦେବୁନିରେ ବାପା। କକେଇଟା ଭାବି ସହିଯିବୁ। ଖୁଡୀ ଟିକିଏ କଟୁ କହି ଓ କଠୋର ଭାଷୀ। ସେ ଯଦି ତୋ ପ୍ରତି କିଛି ଅନ୍ୟାୟ କରେ ସେଇଟା ତାଙ୍କର ତୋ ପ୍ରତି ଅବଦାନର ମୂଲ୍ୟ ଭାବି ଚୁପ୍ ରହିଯିବୁ।
ବାପାଙ୍କ ଭାବ ବିହ୍ଵଳତା ଦେଖି ପରିମଳ କହିଲା - ତମେ କାହିଁକି ବ୍ୟସ୍ତ ହେଉଛ ବାପା, ମୁଁ କାହାକୁ କିଛି କହିବି ନାହିଁ। ମୋତେ କେହି ମାଡ ମାରିଲେ ବି ଚୁପ୍ ରହିବି। ପେଟ ପୂରାଇ ଖାଇବାକୁ ନଦେଲେ ବି କିଛି କହିବି ନାହିଁ। ମୁଁ ପଢିବାକୁ ଯାଉଛି। ମୋର ପଢିବା ଏକମାତ୍ର ଲକ୍ଷ୍ୟ ବାକି ସବୁ ମୋ ପାଇଁ ଗୌଣ। ତମେ ମୋ ପାଇଁ ଜମାରୁ ବ୍ୟସ୍ତ ହୁଅ ନାହିଁ। ମୁଁ ତମର କୌଣସି କଥାକୁ ଅନ୍ୟଥା କରିବି ନାହିଁ।
ବାପା ପରିମଳକୁକୁଣ୍ଢାଇ ପକେଇ କହିଲେ - ମୋର ପିତୃରୂଣ ପରିଶୋଧ ହେଇଗଲାରେ ବାପା। ପୁତ୍ର ଜନ୍ମ କରିବାର ସାର୍ଥକତା ମୁଁ ପାଇଗଲି। ତୁ ଯା' ମନଦେଇ ପାଠ ପଢିବୁ।
ପରିମଳ ସେଇଦିନ ଠାରୁ ଆସି କକେଇଙ୍କ ଘରେ ରହି ପାଠ ପଢିଲା। ପାଠ ପଢିବା ସହିତ ଘରର ଯାବତୀୟ କାମ କରେ। କକେଇଙ୍କ ପୁଅ ଝିଅ ମାନେ ଭାଇ ବୋଲି ଡାକିଲେ ଭାଇର ମାନ୍ୟତା କେବେ ସେ ଅନୁଭବ କରି ପାରେ ନାହିଁ। କାରଣ ସେମାନଙ୍କ ବୋଲହାକ ମଧ୍ୟ ତାକୁ କରିବାକୁ ପଡେ। କଲେଜ ବହି କକେଇ କିଣି ନଦେବାରୁ ବେଳେ ବେଳେ ଲାଇବ୍ରେରୀ ନଚେତ୍ କୋଉ ସହପାଠୀ ଘରେ କିଛି ସମୟ ରହି ପଢିଦେଇ ଆସେ। ଆସିବାରେ ବିଳମ୍ବ ହେଲେ ଗାଳି ଖାଏ। ଗୋଟିଏ ବର୍ଷ କୌଣସି ପ୍ରକାରେ ଅତିକ୍ରାନ୍ତ ହେଲା ପରେ ପରିମଳ ବୁଝି ପାରିଲା, ବାପା କାହିଁକି ତାକୁ ଆସିଲା ଦିନ ଆଖିର ଲୁହକୁ ଚାପିଧରି ଏତେ କଥା କହୁଥିଲେ। ବର୍ଷେ ଭିତରେ ଗାଁକୁ ସେ ଦୁଇ ଥର ଯାଇଛି। ମାଆ ସ୍ନେହରେ ହାତ ବୁଲାଇ ପଚାରେ, ତୋ ଖୁଡୀ ଠିକରେ ଖାଇବାକୁ ଦେଉଛି ତ ପୁଅ।
ବାପା ଦୂରକୁ ଡାକି ନେଇ କହନ୍ତି - ପାଠ ଏକମାତ୍ର ଲକ୍ଷ୍ୟ ବାକିସବୁ ଗୌଣ। ଯେତେ କଷ୍ଟ ଆସୁ ମନେ ରଖିଥିବୁ ବାପା।
ପରିମଳ ନିଜ କଷ୍ଟ ବିଷୟରେ କିଛିକୁହେ ନାହିଁ। ଭଲରେ ଅଛି ବୋଲି ଜଣାଇ ଦିଏ।
ପରିମଳ ବିକମ୍ ରେ ଅନର୍ସ ସହିତ ପାସ୍ କଲାପରେ କକେଇ କହିଲେ ଆଉ ଆଗକୁ ପଢିବା ଦରକାର ନାହିଁ ଏବେ ଚାକିରୀ ପାଇଁ ଚେଷ୍ଟା କର।
ପରିମଳ ପ୍ରତ୍ୟୁତ୍ତର ନଦେଇ କକେଇଙ୍କ କଥାରେ ହଁ ଭରିଲା। ଚାକିରି ଖୋଜା ସହିତ ଘରର ଦୈନନ୍ଦିନ କାମ ତା ଜୀବନରେ ରୁଟିନ ହେଇ ଯାଇଥାଏ। ଥରେ ପରିମଳ ଗାଁକୁ ଯାଇ ଆଉ ଆସିଲା ନାହିଁ। ଚାକିରୀ ପାଇଁ ପ୍ରସ୍ତୁତି ସେ ଗାଁରେ କରିବାକୁ ଯୋଜନା ରଖିଥାଏ। କକେଇଙ୍କ ଘରେ ହୁଲସ୍ତୁଲ ପଡିଗଲା। ସବୁତକ କାମ ଖୁଡୀଙ୍କୁ କରିବାକୁ ପଡିଲା। କକେଇ କିଛି କିଛି ସାହାଯ୍ୟ କଲେ ବି ନୟାନ୍ତ ହେଇ ଯାଉଥିଲେ। କକେଇ ଦିନେ ଫୋନ କରି ଆସିବାକୁ କହିଲାରୁ କକେଇଙ୍କୁ କହିଲା - କକେଇ ଏବେ ଏଇଠି ପଢାପଢି କରୁଛି, ପରେ ଯିବି। କକେଇ ତା'ପର ଦିନ ଗାଁରେ ପହଞ୍ଚି ଯାଇ ସମସ୍ତଙ୍କୁ ନିର୍ଘାତିଆ ଗାଳି ଗୁଲଜ କରି କହିଲେ - ଦୁନିଆଁଟା ସ୍ଵାର୍ଥପର, ଏଠି କାହାକୁ କିଛି ସାହାଯ୍ୟ କରିବା ବେକାର। ନିଜ ଲୋକ ପର ଲୋକ ସବୁ ସମାନ। ମୁଁ ନଥିଲେ କଣ ପରିମଳ ଭୂବନେଶ୍ବର ଯାଇଥାନ୍ତା ନା ପାଠ ପଢିଥାନ୍ତା। ମୋ ଯୋଗୁଁ ସେ ଆଜି ବିକମ୍ ପାସ୍ କରିଛି। ନହେଲେ ସେମିତି ଦଶମ ପାସ୍ କରି ବସିଥାନ୍ତା।
ପରିମଳ ଚୁପଚାପ ଫେରି ଆସିଲା। ଆସିଲା ବେଳେ ବାପାଙ୍କ ଦୁଃଖ ଭରା ଆଖି ଦୁଇଟିକୁ ଦେଖି ତାର ଆଖି ମଧ୍ୟ ସଜ୍ଜଳ ହେଇ ଉଠିଲା।
ଯାହା ବି ହେଉ ପୁଣି ଥରେ ଭୂବନେଶ୍ବର ଆସି ରହିବା ଦ୍ବାରା ତାର ଦୁଇଟା ଲାଭ ହେଲା ସେ କାହାକୁ ନ ଜଣାଇ ପୋଷ୍ଟ ଗ୍ରାଜୁଏସନ ସାରି ପାରିଲା ଓ ଟ୍ୟୁସନରୁ କିଛି ରୋଜଗାର କରି ପାରିଲା। ଏବେ ସେ ଖୁଡୀଙ୍କୁ ରୋଷେଇ ବାସରେ ସାହାଯ୍ୟ ନକରି ତାଙ୍କ ପିଲାମାନଙ୍କୁ ମୋଟରସାଇକେଲରେ ନେବା ଆଣିବା କରୁଛି। ଭାଇ ଭଉଣୀଙ୍କ ସହିତ ଏତେଦିନ ମିଶି ରହିଲା ପରେ କେହି ଜଣେ ତାକୁ ବଡଭାଇର ସମ୍ମାନ ଦେଲେ ନାହିଁ ବୋଲି ମଝିରେ ମଝିରେ ଦୁଃଖ ମାଡି ବସେ। ଏପରି କି କକେଇ ଖୁଡୀ ମଧ୍ୟ ପିଲାମାନଙ୍କୁ ବ୍ୟବହାରରେ ସୁଧାର ଆଣିବାକୁ ଚେତାବନୀ ଦିଅନ୍ତି ନାହିଁ।
ପ୍ରଥମ ଥର ଯେତେବେଳେ ସେ ଲିଖିତ ପରୀକ୍ଷାରେ ଯୋଗ୍ୟତା ହାସଲ କରି ମୌଖିକ ପାଇଁ ଡାକରା ପାଇଲା ତାର ଖୁସିର ସୀମା ନଥାଏ। ସେ ମନଧ୍ୟାନ ଦେଇ ପ୍ରସ୍ତୁତି ଚଲାଇ ଥାଏ।
ଇଣ୍ଟରଭ୍ୟୁ ଦିନ ସକାଳୁ ଖୁଡୀ ସ୍ନେହରେ ପରିମଳକୁ ଡାକି ଜଳଖିଆ ଦେବାର ଦେଖି ମନେ ମନେ ଶଙ୍କା କରିବାକୁ ଲାଗିଲା। ବୈଶାଖରେ ମଳୟର ସ୍ପର୍ଶ ଅସମ୍ଭବ ପରି ଖୁଡୀଙ୍କ ମୁହଁରେ ସ୍ନେହର ସ୍ପର୍ଶ ତାକୁ ଅସମ୍ଭବ ମନେ ହେଉଥାଏ। ଜଳଖିଆ ଖାଉ ଖାଉ ଆଗତ ଝଡର ସୂଚନାକୁ ଲକ୍ଷ୍ୟ କରୁଥାଏ।
ଖୁଡୀ କହିଲେ, ତମେ ଟିକେ ବସ୍ ଷ୍ଟାଣ୍ଡ ଯିବ, ମୋ ବଡ ଭଉଣୀର ଝିଅ ଆସୁଛି। ଏକୁଟିଆ ଆସୁଛି ତ ସେଥିପାଇଁ ତମକୁ ପଠାଉଛି ନହେଲେ ପଠାଇ ନଥାନ୍ତି। ଦୁଇଟା ବେଳେ ତାର ଇଣ୍ଟରଭ୍ୟୁ। ଯିବାକୁ ଇଛା ହେଉ ନଥାଏ। ପୁଣି ଭାବିଲା ଆଣିକି ଆସିବା ପାଇଁ ଘଣ୍ଟାଏ ଲାଗିବ। ଯିବାକୁ ମନାକଲେ ପଚାଶ କଥା ଖୁଡୀ କହିବେ। ଏତେ ଟେନସନରେ ରହି ଇଣ୍ଟରଭ୍ୟୁ ଦେବାକୁ ଯିବା ଅପେକ୍ଷା ବସଷ୍ଟାଣ୍ଡ ପଳେଇ ଯିବା ଭଲ। ଗଲାବେଳେ ନିଜକୁ ନିନ୍ଦା କରି ଭାବୁଥିଲା କାହିଁକି ସେ କହୁଥିଲା ଆଜି ଇଣ୍ଟରଭ୍ୟୁ ଅଛି ବୋଲି। ଖୁଡୀ ବୋଧେ ତାକୁ ଜାଣି ଶୁଣି ପଠାଉଛନ୍ତି। ନହେଲେ ଯିଏ ଏକୁଟିଆ ବସରେ ଆସି ପାରୁଛି ସେ କଣ ଘରକୁ ଆସି ପାରିବନି। ମନଟା ତାର ଇଣ୍ଟରଭ୍ୟୁ ପାଇଁ ଡହଳ ବିକଳ ହେଉଥାଏ। ସେ ବସଷ୍ଟାଣ୍ଡ ଆସି ଅପେକ୍ଷା କରିବାକୁ ଲାଗିଲା। ମନେ ମନେ ଚିନ୍ତା କରୁଥାଏ ଯାହାକୁ କେବେ ଦେଖିନି ଚିହ୍ନିବ କେମିତି। ମୋବାଇଲ ଫଟୋ ରୁ ଜାଣି ପାରିବ ବୋଲି ତାର ହୃଦବୋଧ ହେଉ ନଥାଏ। ନିର୍ଦ୍ଧାରିତ ସମୟ ନ'ଟା ଅତିକ୍ରମ କରି ଯେତେବେଳେ ଦଶଟା ବାଜିଲା ତାର ହୃତକମ୍ପ ବଢିବାକୁ ଲାଗିଲା। ବସ୍ ଆସୁ ନଥାଏ କି ବସର କିଛି ଖବର ନଥାଏ। ଖୁଡୀ ବସ୍ ଆସିଲା କି ବୋଲି ଥରେ ମାତ୍ର ଫୋନ କରି କାଟି ଦେଇଥିଲେ। ଏଗାରଟା ବେଳକୁ ଯେତେବେଳେ ବସ୍ ଆସିଲା ସେ ଜାଣିଲା ଯେ ସେଇଟା ହିଁ ତାର ଠିକ ସମୟ। ସେ ଅଯଥାରେ ସାଢେ ଆଠଟାରୁ ଆସି ବସିଛି।
ବସରୁ ଯାତ୍ରୀ ମାନେ ଧିରେ ଧିରେ ଓହ୍ଲାଉ ଥିଲେ । ବସରେ ଆସିବାକୁ ଥିବା ଅଜଣା ଅତିଥିଙ୍କ ଅପେକ୍ଷାରେ ପରିମଳ ଆଖିରୁ ପଲକ ପଡୁ ନଥାଏ। କେହି ଗୋଟାଏ ଝିଅ ଆସୁ ନଥିବାରୁ ସେ ଚିନ୍ତାରେ ପଡି ଯାଇଥାଏ। ଯଦି ସେ ଆସିନାହିଁ ତାହାଲେ ତ ଖବର ଦେବାକଥା। ନଜରରୁ କାଳେ ଖସିଯିବ ବୋଲି ବସର ଗେଟ୍ ପାଖରେ ଦୃଷ୍ଟି ନିବଦ୍ଧ କରି ଅଟକି ଥାଏ। ଶେଷରେ ଜଣେ ମୋଟି ଝିଅ ବାଡଧରି ଧିରେ ଧିରେ ଓହ୍ଲାଇଲେ । ପରିମଳ ଫଟୋ ଦେଖି ବିଶ୍ୱାସ କରି ପାରିଲା ନାହିଁ ଯେ ଇୟେ ସେହି ଝିଅ ହେଇଥିବ। ଆଉଥରେ ବସ ଭିତରକୁ ଅନାଇଲା କାଳେ ଆଉ କିଏ ଓହ୍ଲେଇବ। ବସରେ କିନ୍ତୁ ଆଉ କେହି ଯାତ୍ରୀ ନଥିଲେ । ପରିମଳ ବିବ୍ରତ ଅବସ୍ଥାରେ ସେହି ମୋଟି ଝିଅ ପାଖକୁ ଯାଇ କହିଲା ମୋତେ ଖୁଡୀ ପଠେଇଛନ୍ତି ଆପଣଙ୍କୁ ନେବା ପାଇଁ। ମୁଁ ଯେହେତୁ ଆପଣଙ୍କୁ ଆଗରୁ କେବେ ଦେଖିନି ମୋର ଜାଣିବାରେ ଅସୁବିଧା ହେଉଛି। ଆପଣ ପହଞ୍ଚି ଗଲେ ବୋଲି ଖୁଡୀଙ୍କୁ ଫୋନ୍ କରି ମୋ ଗାଡିରେ ବସନ୍ତୁ ।
ଝିଅଟି କିନ୍ତୁ କାହାକୁ ଫୋନ୍ ନକରି ସିଧା ମୋଟରସାଇକେଲରେ ବସି ଚାଲନ୍ତୁ କହିଲା। କିଛି ବାଟ ଗଲା ପରେ ଏଇ ବାଟେ ଏଇ ବାଟେ ଯିବାକୁ କହି ଗୋଟିଏ ନାଲି ରଙ୍ଗର ଗେଟ୍ ପାଖରେ ରହିବାକୁ କହିଲା।
ପରିମଳ କହିଲା, ଏଇଟା ତ ଆମ ଘର ନୁହେଁ।
ଝିଅଟି ହସି କହିଲା ତମ ଘର ନୁହେଁ ଆମ ଘର ।
ପରିମଳ ଆଶ୍ଚର୍ଯ୍ୟ ହେଇ ପଚାରିଲା ଆପଣ ଖୁଡୀଙ୍କ ଭଉଣୀ ଝିଅ ରିଙ୍କି ନୁହେଁ!
- ନା! ମୋ ନାଁ ଅରୁନ୍ଧତୀ। ମୋର ବହୁତ ଜରୁରୀ କାମ ଅଛି ବୋଲି ମୁଁ ତମ ସହିତ ପଳେଇ ଆସିଲି। ଆପଣ ଘର ଭିତରକୁ ଆସନ୍ତୁ, ମୁଁ ସବୁ କହିବି।
ମୋର ମଧ୍ୟ ଜରୁରୀ କାମ ଅଛି କହି ପରିମଳ ତରତର ହେଇ ପଳେଇ ଆସିଲା। ମନେମନେ ଝିଅଟିକୁ ଖୁଡୀଙ୍କୁ, ସମସ୍ତଙ୍କୁ ଗାଳି ଦେଉଥାଏ। ଗରୀବ ଲୋକର କଣ ଏହି ଭାଗ୍ୟ ବୋଲି ପ୍ରଶ୍ନ କରୁଥାଏ।
ଘରେ ପହଞ୍ଚିଲା ପରେ ଖୁଡୀ କହିଲେ, ରିଙ୍କି ଫୋନ୍ କରିଥିଲା ଆସିବନି ବୋଲି। ତମକୁ ଫୋନ୍ କଲି ଯେ ତମ ଫୋନ୍ ଲାଗିଲାନି। ପରିମଳର ଏସବୁ ଶୁଣିବାକୁ ଇଚ୍ଛା ନଥାଏ। ସେ ଇଣ୍ଟରଭ୍ୟୁ ପାଇଁ ବାହାରିବାକୁ ଲାଗିଲା। ଅଫିସରେ ପହଞ୍ଚି ଦେଖିଲା ତା ନାଁ ପ୍ରଥମରେ ଅଛି। ଯାହା ହେଉ ଡେରି ହେଇନି ବୋଲି ଭଗବାନଙ୍କୁ ଧନ୍ୟବାଦ ଦେଲା। ଇଣ୍ଟରଭ୍ୟୁ ବୋର୍ଡ଼ ଭିତରେ ସେ ଅରୁନ୍ଧତୀକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଲା। ହାତ ଦୁଇଟା ନମସ୍କାର କରିବା ଉଦ୍ଦେଶ୍ୟରେ ଯେଉଁ ଉପରକୁ ଉଠିଥିଲା ଆଉ ତଳକୁ ଖସୁ ନଥିଲା। ଅରୁନ୍ଧତୀ ଯେତେବେଳେ ବସିବାକୁ କହିଲେ ସେ ପ୍ରକୃତିସ୍ଥ ହେଲା।
ଅରୁନ୍ଧତୀ ହସି ଦେଇ କହିଲେ ତମ ସାହାଯ୍ୟ ପାଇଁ ଆଉଥରେ ଧନ୍ୟବାଦ ଦେଉଛି। ହସିଦେଇ ସମସ୍ତଙ୍କ ଲକ୍ଷ୍ୟରେ କହିଲେ, ବାଟରେ ମୋ କାରର ଟାୟାର ଫାଟି ଯିବାରୁ ବସ୍ ଅଟକାଇ ଆସିବାକୁ ପଡିଲା।
ତା'ପରେ ଇଣ୍ଟରଭ୍ୟୁ ଯେମିତି ହେବା କଥା ହେଲା। ପରିମଳ ଚାକିରି ବି ପାଇଲା ।
କାକା ଖୁଡୀ ନିଜ ବାହାବା ସବୁଆଡେ କହି ବୁଲିଲେ। କହିଲେ, ଆମ ଘରେ ରହି ପିଲାଟା ପାଠ ପଢୁଥିଲା, ଭଲ କରିବନି। ସେ ଖାଲି ଆମ ଉପକାର ମନେ ରଖି ପାରିଲେ ହେଲା। ବାରମ୍ବାର ଏପରି କଥା ଶୁଣି ପରିମଳର ମନରେ ବିରକ୍ତି ଆସୁଥାଏ। ପ୍ରତ୍ୟୁତ୍ତରରେ ପଦେ କହିଦେବା ପାଇଁ ମନଟା ଉତକ୍ଷିପ୍ତ ହେଇ ଉଠୁଥାଏ। ପରିମଳର ମନୋଭାବକୁ ବୁଝିପାରି ବାପା କହିଲେ,କୁହନ୍ତୁ ସେ ଯାହା କହୁଛନ୍ତି। ତୁ ବର୍ତ୍ତମାନ ନିଜ ଗୋଡ଼ରେ ଠିଆ ହେଲୁଣି ବୋଲି ଦୁଇ ପଦ ଉତ୍ତର ଦେଇ ପାରିବୁ କିନ୍ତୁ ତାଠାରୁ ଅଧିକ କିଛି ତୋର ଲାଭ ହେବ ନାହିଁ। ବରଂ ଏ ଦୃଷ୍ଟାନ୍ତ ଦେଖି ସମାଜରେ କେହି କାହାରି ପିଲାକୁ ଘରେ ରଖିବାର ଇଛା ଆଉ କରିବେ ନାହିଁ।
ପରିମଳ କହିଲା - ସେମାନେ ବାପା ମୋତେ ତାଙ୍କ ସ୍ଵାର୍ଥ ପାଇଁ ଘରେ ରଖିଥିଲେ, ମୋର ପାଠ ପଢିବା ପାଇଁ ନୁହେଁ।
- ଯାହାର ବି ସ୍ଵାର୍ଥ ପାଇଁ ହେଉ ସେଥିରେ ଯଦି ନିଜର ସିଦ୍ଧି ଅଛି ତାହାଲେ ଭଗବାନ ସେହି ମାର୍ଗକୁ ତୋ ପାଇଁ ରଖିଛନ୍ତି ବୋଲି ଭାବିବାକୁ ପଡିବ। ତୁ ଥରେ ଭାବି ଦେଖ ଯେତେ କଷ୍ଟ ସହି ତୁ ମଣିଷ ହେଇଛୁ ତା ଦ୍ଵାରା ତୋ ବ୍ୟକ୍ତିତ୍ୱ ସେତିକି ମଜଭୁତ ହେଇଛି କି ନାହିଁ। ଦି'ପଦ ଉତ୍ତର ଦେଇ ସେ ବ୍ୟକ୍ତିତ୍ବକୁ ତୁ କଳୁଷିତ କାହିଁକି କରିବୁ। ତୋର ତିକ୍ତ ଅଭିଜ୍ଞତା ତାଙ୍କୁ ସମ୍ମାନିତ କରି ନପାରେ କିନ୍ତୁ ନିନ୍ଦା କରିବାର ଅଧିକାର ମଧ୍ୟ ଆମର ନାହିଁ। ବରଂ ଭଗବାନ ତୋ କକେଇକୁ ତୋ ପରି ଉନ୍ନତ ଚରିତ୍ର ଦେଇ ନାହାନ୍ତି ବୋଲି ତୋର ଅନୁକମ୍ପା ପ୍ରଦର୍ଶନ କରିବା ଉଚିତ୍।
ତୁ ଚାକିରୀରୁ ଫେରି ମଝିରେ ମଝିରେ ଭାଗବତ ଟିକିଏ ପଢ। ଆଧ୍ୟାତ୍ମିକ ଦର୍ଶନ ମଣିଷର ମନକୁ ନିର୍ମଳ କରିଦିଏ।
ଅତିବଡୀ ଜଗନ୍ନାଥ ଦାସ କହିଛନ୍ତି -
ବିଷୟ ସ୍ମରଣେ ନିରତେ । ଯେହ୍ନେ ବିଷୟ ଜଡ଼େ ଚିତ୍ତେ ॥
ମୋର ସ୍ମରଣ ଯାର ଚିତ୍ତେ । ତା ପାଶେ ଥାଇ ମୁଁ ନିରତେ ॥
ଯେଉଁ ବ୍ଯକ୍ତି ନିରନ୍ତର ବିଷୟ ଚିନ୍ତନ କରେ, ତାର ଚିତ୍ତ ବିଷୟରେ ମଜ୍ଜିଯାଏ ଏବଂ ଯେ ନିରନ୍ତର ମୋତେ ସ୍ମରଣ କରେ, ତା'ଚିତ୍ତ ମୋଠାରେ ତଲ୍ଲୀନ ହୋଇଯାଏ । କକେଇଙ୍କ କଥା ଭାବି ଲାଭ କଣ କହ!
ପରିମଳ ଶାନ୍ତ ମୁଦ୍ରାରେ ବାପାଙ୍କୁ ଅନାଇ ଭାବୁଥିଲା ସେ କେତେବଡ ଭୁଲ କରିବାକୁ ଯାଉଥିଲା। ମନକୁ ଦୃଢ କରି ଭାବିଲା, ଆଉ ସେ ଭୁଲ ହେବନାହିଁ।
==== ସମାପ୍ତ ====
