ଆତ୍ମବିଶ୍ଵାସ
ଆତ୍ମବିଶ୍ଵାସ
ସମୟ ନିଜ ବାଟରେ ଏମିତି ଗଡିଚାଲେ । ଜଣା ଯାଏନି କେତେ ସୁଖ, ଦୁଃଖ ,ସ୍ମୃତି , ଅନୁଭୂତି ପରସ୍ତ ପରସ୍ତ ଭାଙ୍ଗି ହୋଇ ରହି ଯାଆନ୍ତି ରୁମାଲଟିଏ ପରି। ପାଶୋରି ଯାଉଥିବା କଥା ଯେତେ ବେଳେ ତାର ପୁରୁଣା ଗଣ୍ଠି ଖୋଲି ସାମନାକୁ ଆସେ, ମନଟା ଭିତରେ ଆଲୋଡନ ସୃଷ୍ଟି ହୁଏ।
କିଛିଦିନ ତଳେ ମାର୍କେଟରେ ଲୋକଙ୍କ ଭିଡ଼ ଗହଳି ଭିତରୁ ହଠାତ୍ ଝିଅଟିଏ ନଇଁ ପଡି ପାଦ ଛୁଇଁ "ଆଣ୍ଟି ପ୍ରଣାମ" ବୋଲି କହିଲା। ମୁହଁଟି ଓଢଣୀ ଭିତରେ ପୂରା ଘୋଡେଇ ହେଇଛି,କେବଳ ମୋଟା କଜଳ ଟଣା ସୁନ୍ଦର ଆଖି ଦୁଇଟି ଦେଖା ଯାଉଚି। ଡରରେ ଦୁଇ ପା ପଛେଇ ଯାଇ ପଚାରିଦେଲି ,ଚିହ୍ନି ପାରୁନି ଝିଅ !ସେ ମୁଁହ ଉପରୁ ଓଢଣୀ ଖୋଲି ହସିଲା ଗୋଟେ ଆତ୍ମୀୟତାର ହସ।କହିଲା, ଏବେ ଜାଣି ପାରୁଛନ୍ତି,ତଥାପି ଜାଣି ପାରିଲେନି, ଆପଣ ସଂକେତର ମାମା,ଆମ ସ୍କୁଲ ପାଖରେ
ଆପଣଙ୍କ ଘର।ସଂକେତ ମୋ ସାଙ୍ଗ। ଆଉ ମୁଁ ସ୍ଵାତୀ ସ୍ଵାତୀ ବିଶ୍ଵାଳ ......ଏବେ ମନେ ପଡ଼ୁଛି ଆଣ୍ଟି।
ଖୁସିରେ ମୁଁ ସ୍ଵାତୀକୁ ଜୋରରେ ବାହୁ ଭିତରେ ଜାବୁଡ଼ି ଧରିଲି। ଖରାପ୍ ବି ଲାଗିଲା। ଧେତ୍ କେମିତି ଝିଅ ଟିକୁ ଚିହ୍ନି ପାରିଲିନି। ତଥାପି କହିଲି, ଛୋଟ ଥିଲୁ....ଏତେ ବର୍ଷ ପରେ ଦେଖିଲି ତେଣୁ ଦୋ ଦୋ ଚିହ୍ନା ହେଲି।ସେ ମଲ୍ଲି କଢ଼ିଟେ ପରି ହସୁଥିଲା।
ସ୍ଵାତୀ ଓ ମୋ ପୁଅ L K G ରୁ ଏକାଠି ପଢୁଥିଲେ।
ପୁଅ ସବୁଦିନ ସ୍କୁଲରେ କିଛି ନା କିଛି ଜିନିଷ ଯେମିତି ପେନ୍ସିଲ ,ରବର ଟିଫିନ୍ ବାକ୍ସ ହେଉ କି ଖାତା ବହି ପର୍ଯ୍ୟନ୍ତ ଛାଡ଼ି ଆସିବ। ପାଖ ବେଞ୍ଚ ରେ ବସିଥିବା ସ୍ଵାତୀ ଅଜାଙ୍କ ସହିତ ଘରକୁ ଫେରିଲା ବେଳେ ମୋତେ ଦେଇଯିବ। ଆଉ କହିବ ଆଣ୍ଟି ତାକୁ ରାଗିବେନି। ଆଉ ମୁଁ ପ୍ରତିଦିନ ତା ପାଇଁ ଚକୋଲେଟ ଟିଏ ରଖି ଥିବି। ସେ ସ୍କୁଲ ଛାଡ଼ିବା ପର୍ଯ୍ୟନ୍ତ ଏଇଟା ଥିଲା ପ୍ରତିଦିନର ଅଭ୍ୟାସ।ଆଶ୍ଚର୍ଯ୍ୟ ଲାଗୁଥିଲା । ଝିଅଟି ତା ପବିତ୍ର ମନ ଭିତରେ ସବୁ ସାଇତି ରଖିଛି ଆଉ ମୁଁ ସ୍ୱାର୍ଥପର ସବୁ ଭୁଲି ସରିଛି।
ଝିଅଟି ସେଇ କମ୍ ବୟସରେ ମଧ୍ୟ ଥିଲା ସରଳ, ସ୍ଥିର
ଓ ଯତ୍ନଶୀଳ। ଦୁଇ ବର୍ଷ ରୁ ଅଜା ଆଈ ପାଖରେ ବଢ଼ିଛି।
ବାପା ମା ଙ୍କ ଦାମ୍ପତ୍ୟ କଳହ ତାକୁ କରିଦେଇଥିଲା ବୟସ ଠାରୁ ଅଧିକ ବୟସ୍କା । ପିଲା ଖେଳ ବୟସରେ କୋର୍ଟ କଚେରୀ ଧାଇଁ ଧାଇଁ ଛୁଆଟା ହୋଇଯାଉଥିଲା ନୟାନ୍ତ। ତା ପାଇଁ ମା ମନରେ ନ ଥିଲା ସ୍ନେହ,ଆଦର ,ଭଲପାଇବା....ବାପା ମନରେ ନ ଥିଲା ଦୟା କ୍ଷମା କର୍ତ୍ତବ୍ୟ.....ତାକୁ କେବଳ ହାର ଜିତ୍ ର ମୋହରା ବନେଇଥିଲେ ନିଜ ଅହଙ୍କାରକୁ ନେଇ। ଶେଷରେ ମା ଜିତି ଯାଇଥିଲେ। ଏବଂ ସେ ଅଜା ଆଈ ଙ୍କ ପାଖରେ ହିଁ ରହିଗଲା। ମାଆଙ୍କ ଦ୍ଵିତୀୟ ବିବାହ ପରେ।
ଜୀବନ କାହାଣୀ ତାର ଏହା ପରେ ମୋଡ଼ ନେଲା।ସ୍ଵାତୀ ମୋ ପୁଅ ସ୍କୁଲ ,ପୁରୁଣା ସାଙ୍ଗମାନଙ୍କୁ ଛାଡ଼ି ଷଷ୍ଠ ଶ୍ରେଣୀ ରୁ ନୂଆ ସହରର ନୂଆ ସ୍କୁଲ ରେୁପଢିବାକୁ ଗଲା
ତାର ସାବତ ବାପାଙ୍କ ସହିତ। ସେବେ ଠାରୁ ମୁଁ ଭାବିଥିଲି
ଯାହା ହେଉ ଝିଅଟା ଜୀବନ ପୁଣି ହସିବ।
ଏବେ ସ୍ଵାତୀ କହୁଥିଲା ତା କାହାଣୀ। ସେ+୩ଶେଷ ବର୍ଷ ର ଛାତ୍ରୀ । DCA କରିଛି,ଚାକିରି ସନ୍ଧାନରେ ଅଛି।
ମୁଁ ସ୍ବାଭାବିକ ଭାବେ କହିଲି ,ପାଠ ସରିନି ଏବେ ଚାକିରି କଣ?ସେ କାନ୍ଦିଲା ,ଅମାନିଆ ଲୁହ ଯେମିତି ବହିଯାଉଥିଲା
ନଈ ଟିଏ ପରି। କହିଲା ତା ଦୁର୍ଦ୍ଦିନ ର କାହାଣୀ।ସାବତ ବାପା କିପରି ତା ଇଜ୍ଜତ ନେବାକୁ ଚାହୁଁଥିଲେ,ମା ର ସମ୍ମତି
ଥିଲା। ପ୍ରତିରୋଧ କରିବାରୁ ମାଡ଼ ମାରି ଖାଇବା ବନ୍ଦ କରିବା ତ ଛୋଟ କଥା। ଗୋଟେ ଘରେ ବନ୍ଦ୍ କରି ରଖିଲେ। ପଡିଶା ଘର ସହିଯୋଗରେ ସେ ନର୍କରୁ ଉଦ୍ଧାର ପାଇଥିଲା। ଝିଅଟେ ହୋଇ ବଞ୍ଚିବା କେତେ କଷ୍ଟ?
ସଂପୂର୍ଣ୍ଣ କାହାଣୀ ଶୁଣିବାକୁ ମୋର ଧର୍ଯ୍ୟ ନ ଥିଲା।
ତଥାପି ସେ କହୁଥିଲା ପୁଣି ଥରେ ଅଜାଙ୍କ ପାଖକୁ ଫେରିଲା ପରେ ମାମୁଁ ମାଇଁ ମଧ୍ୟ ଘର ଛାଡ଼ିଲେ।ଅଜା ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ ଅବସର ପରେ ପେନସନ ପାଇ ଗାଆଁରେ ଚଳି ଯାଇଥିଲୁ। ଅଜାଙ୍କ ଦେହ ବାରମ୍ବାର ଖରାପ୍ ହେଉଛି, ଗାଆଁ ରୁ ଆଣିବା ଏତେ ସହଜ ହେଉନି। ଭାବୁଚି ଏଠି ପ୍ରାଇଭେଟ୍ ସ୍କୁଲ, ପ୍ଲେ ସ୍କୁଲ ରେ କୋଉଠି ରହିଯିବି। ଅଜାଙ୍କୁ ପାଖରେ ରଖିବି ।
ସେଦିନ ସେତିକି କଥାରେ ଭାରାକ୍ରାନ୍ତ ମନରେ ତା ଠାରୁ ବିଦାୟ ନେଲି।ୟା ଭିତରେ ଜଣେ ବନ୍ଧୁଙ୍କ ସହିତ କଥା ହେଲି, ସେ ମଧ୍ୟ ଝିଅ ଟିକୁ ତାଙ୍କ ଅଫିସ୍ ରେ ସହାୟିକା ଭାବରେ ରଖିବାକୁ ରାଜି ହେଲେ। ମୁଁ ଖୁସି ରେ ଯେତେ ବେଳେ ସ୍ଵାତୀକୁ ଫୋନ କରି ଏ କଥା କହିଲି, ତା ଉତ୍ତର ଶୁଣି ମୋ ମଥା ଲାଜରେ ନଇଁ ଗଲା।
ସେ କହିଲା ଆଣ୍ଟି ମୁଁ ଯଦି ଚାକିରି କରିବି ଜୀବନ ରେ କେବଳ ଶିକ୍ଷକତା ହିଁ କରିବି।ଯେଉଁ ଗୁରୁ ମାନଙ୍କୁ ମୁଁ ମୋର ଆଦର୍ଶ ଭାବରେ ଗ୍ରହଣ କରି ଏକୁଟିଆ ସଂଗ୍ରାମ କରୁଛି,ସେହି ମାନଙ୍କୁ ସମ୍ମାନ ଜଣାଇ ଶିକ୍ଷାଦାନକୁ ମୁଁ ମୋର ବୃତ୍ତି ଭାବରେ ଗ୍ରହଣ କରିବି।ମୁଁ ମୋ ଭାଗ୍ୟ ପରୀକ୍ଷା ରେ ସଫଳ ହେବି ମୋତେ ଏତିକି ଆଶିର୍ବାଦ କରନ୍ତୁ। ତାର ଗଭୀର ଆତ୍ମ ବିଶ୍ୱାସ ଆଗରେ ମୁଁ ନିଜକୁ ତୁଚ୍ଛ ମଣୁ ଥିଲି। ଆଉ କିଛି ନ ହେଉ ଝିଅଟା ସ୍ଵାଭିମାନ ରେବଞ୍ଚିବାକୁ ଚାହୁଁଛି। ଇଶ୍ୱରଙ୍କ ଉଦ୍ଦେଶ୍ୟ ରେ ମୋର ହାତ ଉଠାଇ କହିଲି, ହେ ପ୍ରଭୁ ! ଝିଅଟିର ବିଶ୍ୱାସ ଆଉ ଭାଙ୍ଗିବାକୁ ଦିଅନି ।ତାକୁ ତାର ଲକ୍ଷ୍ୟ ରେ ପହଞ୍ଚିବା ରେ ସହାୟ ହୁଅ।