ଆସକ୍ତି
ଆସକ୍ତି
ମମତାମୟୀ… ବାଛି ବାଛି ବୋଉ ଦେଇଥିଲା l ନହେଲେ ବାପାଙ୍କର ତ ଇଛା ଥିଲା ଆଉ ଗୋଟିଏ ନାଆଁ… ଶ୍ରୀୟା l ହେଲେ ବୋଉ କହିଲା ନା ନା ମୋତେ ଏତିକି ଅଧିକାର ଦିଅ l ମୋ ଝିଅର ନାମକରଣ ମୁଁ ହିଁ କରିବି l ମୋ ଝିଅର ନାଆଁ ଆଜିଠାରୁ ମମତା ହେଲା l ସେ ସାକ୍ଷାତ ସ୍ନେହ ମମତାର ଅଧିକାରିଣୀ ହେବ l ସ୍ନେହର ରଜ୍ଜୁରେ ସାରା ଦୁନିଆକୁ ବାନ୍ଧି ରଖିବ ମୋ ଝିଅ l କିନ୍ତୁ ବାପାଙ୍କର ମନ ମାନି ନଥିଲା l ପୁରୁଣା କାଳିଆ ନାଆଁ ବୋଲି ବେଳେ ବେଳେ କହନ୍ତି l ସ୍କୁଲ ନାଆଁ ମମତାମୟୀ -ଘରେ ମମି... ମାଆ...ଏମିତି କେତେ କଅଣ ନାଆଁରେ ବୋଉ ଡ଼ାକେ l
ମମତାର ବୋଉକୁ ଝିଅଟିଏ ହିଁ ଇଛା ଥିଲା l ଜେଜୀ କହିବ ଆଲୋ ତୋ ମାଆ ସମସ୍ତଙ୍କ ଠାରୁ ଅଲଗା l ସବୁ ମାଆ ପୁଅ ଚାହାଁନ୍ତି l ଝିଅ ପୁଣି ବାପାର ଏବଂ ପୁଅ ମାଆର ବୋଲି ଜେଜୀ କହେ l ହେଲେ ବୋଉ ତାର ପୁରା ଅଲଗା l ଭଗବାନଙ୍କୁ କାଳେ ଝିଅ ହେବା ପାଇଁ ଡାକୁଥିଲା ଏବଂ ଭଗବାନ ଶୁଣିଲେ ମଧ୍ୟ l ମାର ଝିଅ ଏବଂ ଝିଅର ମାଆ l ଏ ଦୁହିଁଙ୍କ ଭିତରେ ବାପା ବି ପଶି ପାରନ୍ତି ନାହିଁ l
ବୋଉର ଏକମାତ୍ର କନ୍ୟା ମମତା ପ୍ରତି ବହୁତ ମାୟା ମୋହ l ଅକାଳରେ ଛାଡି ଚାଲି ଯିବାର ଅହେତୁକ ଭୟ ମଧ୍ୟ l ମମତା ବି ଚବିଶ ଘଣ୍ଟା ଖାଲି ବୋଉ ବୋଉ l ବାପାଙ୍କୁ ଦେଖିଲେ ବି କହିବ ବୋଉ ଦରକାର l ବାପା କହନ୍ତି ଏମିତି ମାଆ ଝିଅ ଯୋଡି ମୁଁ ଦେଖି ନାହିଁ l ମୁହଁକୁ ମୁହଁ ଯୋଡି ଅସରନ୍ତି ଗପ l ମମତାକୁ ସାଙ୍ଗ ଦରକାର ପଡ଼େନାହିଁ l ବୋଉ ତ ଅଛି ସାଙ୍ଗ କଣ ହେବ l
ବୋଉର ସବୁଠୁ ପ୍ରିୟ ଖାଦ୍ୟ ଥିଲା ଆଳୁଚପ l ମମତା କଲେଜରୁ ଫେରିଲା ବେଳେ ବାପା ଓ ବୋଉ ପାଇଁ ଅଳୁଚପ ନେଇ ଆସିଥାଏ l ବୋଉ ଗୋଟେ ଖଣ୍ଡେ ଖାଇବ ସିନା କିନ୍ତୁ ମମତା ଆଣିଛି ବୋଲି ବୋଉ ଆଖିର ଚମକ ଦେଖିବା ଯୋଗ୍ୟ l ବାପା ଯେତେବେଳେ ମମତାର ବାହାଘର ବିଷୟରେ କହନ୍ତି ବୋଉ ବାଆଁରେଇ ଦିଏ l ବୋଉ ବୋଧହୁଏ ମମତାକୁ ଛାଡି ରହିବାକୁ ଡରୁଥିଲା କି କଣ l ସେଥିଲାଗି ଏକା ଥରକେ ମମତାର ରାସ୍ତା ସଫା କରି ଚାଲିଗଲା l ବୋଉ ବଞ୍ଚିଥିଲେ ବୋଧହୁଏ ମମତାକୁ ବିଦାୟ ଦେଇ ପାରି ନଥାନ୍ତା l ଚାଲିଗଲା ସେଥିପାଇଁ l
ବୋଉକୁ କଣ ହେଲା କେଜାଣି ଖାଲି ଶୁଖି ଶୁଖି ଯାଉଥିଲା l ଭିତରୁ କୋଉଠୁ ରକ୍ତସ୍ରାବ ହୋଇ ବୋଉ କାଠି ପରି ହୋଇ ଯାଇଥିଲା l ଏମିତି ମାତ୍ର ଦୁଇ ତିନିମାସ ବଞ୍ଚିଥିବ କି କଣ ଯିବିନି ଯିବିନି ହେଇକି ଶେଷରେ ବୋଉ ଚାଲିଗଲା l କିନ୍ତୁ ଶେଷ ପର୍ଯ୍ୟନ୍ତ ବୋଉ ମମତା ହାତରୁ ଭାତ ଖାଉଥିଲା ଏବଂ ଶେଷ ଦିନ ଚା ବି ପିଇଛି l ସ୍ୱପ୍ନରେ ବି ଭାବି ନଥିଲା ବୋଉ ବିନା ବି ରହିବାକୁ ହୁଏ l ଖାଇ ପିଇ ଜୀଇଁବାକୁ ହୁଏ l କିଛି ଦିନ ପରେ ବାଧ୍ୟ ହୋଇ ସବୁ ଭୁଲିଗଲା ପରି ଅଭିନୟ କରିବାକୁ ହୁଏ l କିନ୍ତୁ ଦିନ ଆସିଲା ସତକୁ ସତ ଏହି ସବୁ କରିବାକୁ ହୋଇଥିଲା ତାକୁ l ବର୍ଷେ ଦେଢ଼ ବର୍ଷ ପରେ ସୀତାଂଶୁଙ୍କ ସହ ବାହାଘର ଆନିର ଜନ୍ମ l ସରିଗଲା ଗୋଟିଏ ଅଧ୍ୟାୟ l
ବସି ଭାବିଲେ କେତେ କଥା l ସତେ କଣ ବୋଉ ନାହିଁ ? ବୋଉ ବିନା ସେ ବଞ୍ଚି ରହିଛି ଏବଂ ଏକମାତ୍ର ଝିଅ ଆନିକୁ ବଡ଼ କରୁଛି l କିନ୍ତୁ ମମତାର ସମ୍ପର୍କ ବୋଉ ସହିତ ଯେମିତି ଥିଲା ଆନିର ମମତା ସହିତ ସେପରି ନଥିଲା l ଆନି ଆଜିକାଲିର ପିଲା ଲାପଟପ ମୋବାଇଲ ନେଇ ବ୍ୟସ୍ତ l ଲାପଟପ ମୋବାଇଲର ଦୁନିଆ ବାହାରେ ଆଉ ଏକ ଦୁନିଆ ରହିଛି ତାହା ହେଲା ସାଙ୍ଗମାନଙ୍କ ବିରାଟ ଦୁନିଆ l ସୁତରାଂ ଗୋଟିଏ କଂସାରେ ବସି ଝିଅ ସହିତ ପଖାଳ ଖାଇବାର ସୌଭାଗ୍ୟ ମମତାକୁ ମିଳି ନଥିଲା l
କାମବାଲୀ ଆସି କାମ କରିଦେଇ ଯାଏ l ସୀତାଂଶୁ ଦିନ ସାରା ଅଫିସରେ l ଆନି ତା ରୁମରେ ଲାପଟପ ନେଇ ବସି ଯାଏ ଓ ମମତା ଖାଲି ଏ ରୁମରୁ ସେ ରୁମ ହେଉ ଥାଏ l କାମ କିଛି ନାହିଁ l
ଏବେ କେତେ ଦିନ ହେଲା ବାହାରେ ବିରାଡ଼ିଟିଏ ମ୍ୟାଉଁ ମ୍ୟାଉଁ ହେଉଛି l ବାହାରେ ମୂଷା ଅଛନ୍ତି କି କଣ l ମୂଷା ମାନଙ୍କୁ ଗୋଡ଼ାଇ ଚାଲି ଆସିଥିବ l ସେଦିନ କାମବାଲୀ କହୁଥିଲା ପଛ ପାଖ ଡ୍ରେନ ଦେଇ ମୂଷା ଆସୁଛନ୍ତି l ପଡୋଶୀ ରବି ବାବୁଙ୍କର ୱାସିଂ ମେସିନ ଭିତରେ ମୂଷାଟିଏ ପଶି ଯାଇଥିଲା l ଭାଗ୍ୟ ଭଲ ମମତାର ଗାର୍ଡେନରେ ବିରାଡ଼ିଟିଏ ଆସି ଅନବରତ ଘୁରି ବୁଲୁଛି ନହେଲେ ତାଙ୍କ ଅବସ୍ଥା ବି ସେମିତି ହୋଇଥାନ୍ତା l
ମମତା ବି ଆଜି ଛାତ ଉପରେ ମର୍ଣ୍ଣିଙ୍ଗ ୱାକ କଲା ବେଳେ ଦେଖିଲା ବିରାଡ଼ିଟିଏ ଏପଟ ସେପଟ ବୁଲୁଛି l କେତେ ସମୟ ମମତା ଚାହିଁ ରହିଲା ତାକୁ l ହଠାତ ବିରାଡ଼ିଟି ଚଳ ପ୍ରଚଳ ହେବା ବନ୍ଦ କରି ତାକୁ ଉପରକୁ ଚାହିଁ ରହିଲା l ମମତା ପୁଣି ମର୍ଣ୍ଣି ୱାକରେ ମନ ଦେଲା l ବୁଲି ବୁଲି ସାମ୍ନା ପଟକୁ ଆସିଲା ବେଳକୁ ବିରାଡ଼ିଟି ସତେ ଯେମିତି ମମତାକୁ ଅପେକ୍ଷା କରି ବସିଥାଏ l ମମତା ଛାତ ଉପରେ ଯେତିକି ଘୁରୁଥାଏ ବିରାଡ଼ିଟି ସେତିକି ଘୁରି ଘୁରି ଦେଖୁଥାଏ ତାକୁ l ଘଣ୍ଟାଏ ୱାକ କରିସାରି ଚାଲିଆସିଲା ତଳକୁ l ପରଦିନ ପୁଣି ସେଇ ଏକା କଥା l ବିରାଡ଼ି ଟି ଚଳ ପ୍ରଚଳ ନହୋଇ ବସି ରହିଲା ଓ ମମତାକୁ ଦେଖିବାରେ ଲାଗିଲା l କେମିତି ଗୋଟିଏ ଅଜବ ଲାଗିଥିଲା ମମତାକୁ l କେତେଦିନ ହେଲାଣି ବିରାଡ଼ି ଟି ବସି ରହୁଛି କେବଳ ମମତା ପାଇଁ l
ଧୀରେ ପାଖକୁ ଯାଇ ବିରାଡ଼ିଟିକୁ ନିରୀକ୍ଷଣ କରିବାରେ ଲାଗିଲା l ମମତା କେତେ ପାଖରେ ଥିଲେ ମଧ୍ୟ ବିରାଡ଼ି ସେମିତି ଏକ ଲୟରେ ତା ଆଖିକୁ ଚାହିଁ ରହିଛି l ଆଖି ପତା ପଡୁନାହିଁ l ଆଶ୍ଚର୍ଯ୍ୟ ଲାଗୁଥିଲା ତାକୁ l କୋଉଠି ଗୋଟେ ଶୁଣିଥିଲା ପରଲୋକ ଗତ ଆତ୍ମା ପୁଣି ପଶୁ ପକ୍ଷୀ ଜନ୍ମ ନେଇ ନିଜ ପରିବାରର ଲୋକଙ୍କୁ ଦେଖିବାକୁ ଆସନ୍ତି l ଇଏ ତେବେ କିଏ ହୋଇଥିବ l
କିଏ...ତେବେ….ଇଏ କଣ ବୋଉ...? ବିରାଡ଼ିଟି ପ୍ରତି କେମିତି ଗୋଟେ ମାୟା ଆସିଗଲା ମମତାର l ଗୋଟେ ସାନ ଗିନାରେ କ୍ଷୀର ଗିନାଏ ଆଣି ତା ଆଗରେ ଥୋଇ ଦେଇଥିଲା l ବିରାଡ଼ି ଟି ଯୁଗ ଯୁଗରୁ ସତେ ଯେପରି ଭୋକିଲା ଥିଲା l ଚାହୁଁ ଚାହୁଁ ଗିନାର ସବୁ କ୍ଷୀର ପିଇ ଦେଇ ପୁଣି ବସି ରହିଲା ଅନେକ ବେଳ ଯାଏଁ l ଏମିତି ଭାବରେ ବିରାଡ଼ି ପାଖକୁ ଯାଇ ବସିବା ମମତାର ଗୋଟିଏ ରୁଟିନରେ ପରିଣତ ହୋଇ ଯାଇଥିଲା ଏବଂ ସେ ଏଣିକି ବେଶୀ ଅନ୍ୟମନସ୍କ ରହିବାକୁ ଲାଗିଲା l
ସେଦିନ ସୀତାଂଶୁ ମାର୍କେଟ ଗଲାବେଳେ ମାଛ ଆଣିବା ପାଇଁ କହିଥିଲା l ହେଲେ ଟଙ୍କା ନଅଣ୍ଟିବାରୁ ଖାଲି ହାତରେ ଚାଲିଆସିଲେ l ସେଥିରେ ମମତା ଗୋଟିଏ ଖଣ୍ଡ ପ୍ରଳୟ ସୃଷ୍ଟି କରି ଦେଇଥିଲା l
--ଅଣ୍ଡା ପ୍ରିୟ ମୋର ମମତା ଡାର୍ଲିଂଗ ମାଛ ପାଇଁ ଆଜି ଲଢ଼େଇ କରୁଛନ୍ତି l ବିଶ୍ୱାସ ହେଉନାହିଁ l
--ମୁଁ ଜାଣେ ପରା ବୋଉ ଖାଇଦେବ ବୋଲି ତୁମେ ଆଣିବ ନାହିଁ l ମୋ ବୋଉର ଖୁସି ଦେଖିଲେ ତୁମ ଦେହ ସହିବ କି ?
--ବୋଉ ? କିଏ କାହାର ବୋଉ ? କଣ କହି ଯାଉଛ ମମତା ?
ପ୍ରକୃତିସ୍ଥ ହୋଇଥିଲା ସେ l ସତରେ ତା ବୋଉ ବିରାଡ଼ି ରୂପରେ ଆସିଛି ବୋଲି ପ୍ରମାଣ କଣ ? କିଏ ଅବା ବିଶ୍ୱାସ କରିବ ? ତେଣୁ ଚୁପ ରହିବା ବରଂ ଭଲ l ଅନ୍ୟମାନେ ଜାଣିଲେ ବିରାଡ଼ିଟିକୁ ବାଡିଆ ପିଟା କରି ତଡିଦେଇ ପାରନ୍ତି l ସେଦିନ ମାଛ ନମିଳିବାରୁ ଅଣ୍ଡାଟିଏ ନେଇ ଲୁଚେଇକି ଥୋଇଦେଲା ବିରାଡ଼ି ପାଖରେ l ବିରାଡ଼ିଟି ଖାଲି ଚାଟି ଚାଟି ଅଣ୍ଡାଟି ଛାଡି ଦେଲା ସିନା ଖାଇଲା ନାହିଁ l ବୋଉକୁ ବି ଅଣ୍ଡା ଭଲ ଲାଗେନାହିଁ ! ହଉ ସନ୍ଧ୍ୟା ବେଳେ ଅନଲାଇନରେ କଣ ହେଲେ ଚଟପଟା ଜିନିଷ ଆଣିବା l
ମମତା ଜଗି ବସିଛି କେତେବେଳେ ସନ୍ଧ୍ୟା ହେବ l ପାଞ୍ଚଟା ବାଜୁ ବାଜୁ ଅନଲାଇନରେ ଆଳୁଚପ ମଗାହେଲା l ବୋଉକୁ ଆଳୁଚପ ଭଲ ଲାଗେ ! ଆଳୁଚପଗୁଡିକ ଡାଇନିଂ ଟେବୁଲ ଉପରେ ରଖି ମମତା ଚାଲି ଗଲା ଫୋନ ରିସିଭ କରିବା ପାଇଁ l ଫେରିଆସି ଏ କଣ ଦେଖୁଛି ? ବାପ ଝିଅ ମିଶିକି ସବୁ ସଫା କରି ଦେଇଛନ୍ତି l କାନ୍ଦିବାକୁ ଚାହିଁ ବି କାନ୍ଦି ପାରୁନି l ଲୁହ ଧାର ଧାର ବୋହି ଯାଉଛି l ସୀତାଂଶୁ ଏଭଳି ଅବସ୍ଥାରେ ମମତାକୁ ପ୍ରଥମ ଥର ପାଇଁ ଦେଖିଲେ l
--ପ୍ଲିଜ କାନ୍ଦନାହିଁ l ମୁଁ ତୁମ ପାଇଁ ପୁଣି ମଗାଇ ଦେଉଛି l ଭୋକ ହେଉଥିଲା ତ….. ତେଣୁ….l
--ମୋ ବୋଉ ର….ଖାଇଦେଲ ? ବୋଉ ବି ଭୋକରେ ଅଛି l ମାଛ ମିଳିଲା ନାହିଁ l କ୍ଷୀର ଟିକିଏ ଯାହା ପିଇଥିଲା ସକାଳୁ….l
--ବୋଉ ? କିଏ କାହାର ବୋଉ ? କଣ ପାଗଳ ହୋଇ ଯାଇଛ ତୁମେ ? ତୁମ ବୋଉ ମରିକି ପରା….l ହଠାତ ଆନି କହି ଉଠିଲା ଡ଼ାଡ଼ି ମୁଁ କେତେଦିନ ହେଲା ଦେଖୁଛି ମମି ସେ ବିରାଡ଼ି ପାଖରେ ଘରର ସବୁ ଖାଇବା ଜିନିଷରୁ ଟିକିଏ ଟିକିଏ ନେଇ କି ଥୋଉଛି l ଆଳୁଚପ ବି ତା ପାଇଁ ମଗାଇ ଥିବ l
କେତେ କଣ ବୁଝାଇ ବୁଝାଇ ସୀତାଂଶୁ ଥକିଗଲେ l ମମତା ବୁଝିବାକୁ ନାରାଜ ହୋଇ ଚାଲିଗଲା ଗାର୍ଡେନକୁ l ବିରାଡ଼ି ପାଖରେ ବସି ମନକୁ ମନ ଗୁଣୁଗୁଣୁ ହେଉଥାଏ l ମୋ ବୋଉ ବୁଝାଇଲେ ବୁଝି ଯିବ ଯେ... l ସେ ଅବୁଝା ନୁହେଁ l ଘରେ ସମସ୍ତଙ୍କୁ ଟେନସନ l ଡକ୍ଟର ଆସି ଦେଖି କହିଲେ
--ଆପଣଙ୍କ ପତ୍ନୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ l ଆପଣ ମାନେ ନିଜ ନିଜ କାମରେ ବ୍ୟସ୍ତ ରହୁଛନ୍ତି l ତାଙ୍କୁ ସମୟ ଦେଇ ପାରୁନାହାନ୍ତି l ତେଣୁ ସେ ଏକାକୀ ରହିବା ଫଳରେ ପଶୁ ପକ୍ଷୀଙ୍କ ସହିତ ସମୟ ଅତିବାହିତ କରି ସେମାନଙ୍କୁ ହିଁ ସାଙ୍ଗ ବୋଲି ଭାବୁଛନ୍ତି l ସ୍ଥାନ ପରିବର୍ତ୍ତନ କଲେ ସବୁ ଆପେ ଆପେ ଠିକ ହୋଇଯିବ l
କେତେ କହିଲେ ବି ମମତା ବିରାଡ଼ିକୁ ଛାଡି ଗୋଟିଏ ଦିନ ମଧ୍ୟ ଘର ବାହାରକୁ ଯିବା ପାଇଁ ରାଜି ହେଲା ନାହିଁ l ଏଣେ ଦିନକୁ ଦିନ ବିରାଡ଼ି ପ୍ରତି ବି ତାର ଆସକ୍ତି ବଢ଼ିବାରେ ଲାଗିଥାଏ l ବିରାଡ଼ି ଟିକୁ କେତେ ମାରିବାକୁ ଗୋଡ଼ାଇଲେ ବି ସେ ଘର ପାଖ ଛାଡ଼ୁନାହିଁ l ସୀତାଂଶୁ ଭାବିଲେ ବିରାଡ଼ିକୁ ଧରି ନେଇ କୋଉଠି ଛାଡି ଆସିବା ପାଇଁ l ତେବେ ବି ବିପଦ l ହଠାତ ସକ ପାଇ ମମତାର ଯଦି କଣ ହୋଇଯାଏ ତେବେ ? ବିରାଡ଼ି ଚାରି ପାଖେ ହିଁ ମମତା ପାଗଳ ପରି ଘୁରି ବୁଲୁଥାଏ l କେତେ ଡକ୍ଟର କେତେ ଓଷଦ ସୀତାଂଶୁଙ୍କ କେତେ ଉପଦେଶ ଓ ଆନିର କେତେ କନ୍ଦାକଟା ମମତାକୁ କିଛି ଉପଶମ ଦେଇ ପାରି ନଥିଲା l
ଏହାର ଗୋଟେ ମାସ ପରେ...
ଦିନେ ସୀତାଂଶୁ ଓ ଆନି କଥାବାର୍ତ୍ତା ହେଉଥିଲେ ଯେତେବେଳ ମମତା ନିଦ ଓଷଦ ଖାଇ ଶୋଇ ରହିଥିଲା l
--ମାରେ ବ୍ୟସ୍ତ ହେବାର କିଛି ନାହିଁ l ନିଦ ଓଷଦର ଡୋଜ କମି ଆସିଲାଣି l ଡକ୍ଟର କହିଛନ୍ତି ଆଉ ମାତ୍ର ଗୋଟିଏ ସପ୍ତାହ ଭିତରେ ମମି ତୋର ପୁରାପୁରି ଭଲ ହୋଇ ଯିବ l
--ଏ ବର୍ଷ ଟା ହିଁ ଆମ ପାଇଁ ଖରାପ ଥିଲା ଡ଼ାଡ଼ି l କେତେ କଣ ଘଟିଗଲା ନା ?
--ଥ୍ୟାଙ୍କ ଗଡ଼ ! ଏବେ ସବୁ ଠିକଠାକ ଚାଲିଛି l ହେଲେ ମାରେ ସେ ବିରାଡ଼ିଟା କଣ ମନକୁ ମନ ଉଭେଇ ଗଲା ? ଆଉ ଆଖିରେ ପଡୁନାହିଁ ତ ? ଯାହା ବି ହେଲା ଭଲ ହେଲା କହି ସୀତାଂଶୁ ଉଠି ଚାଲିଗଲେ l
ଡ଼ାଡ଼ି ସିନା ଜାଣି ନାହାନ୍ତି ବିରାଡ଼ିଟି କେଉଁ ଆଡେ ଚାଲିଗଲା ବୋଲି ହେଲେ ଆନିର ନିଦ ଉଡି ଯାଇଛି l ସେଦିନର ଘଟଣା ମନେ ପଡି ଯାଉଛି l ମମତାର ଉପସର୍ଗ ଦିନକୁ ଦିନ ବଢ଼ିବାରେ ଲାଗିଥାଏ l ଡକ୍ଟରଙ୍କ ପରାମର୍ଶରେ ନିଦ ଓଷଦ ଦିଆ ଯାଉଥାଏ l ଆନିର ମାଆ ଶଯ୍ୟାଶାୟୀ ବାପା ବି ରୋଗରୁ ଉଠିଲା ଭଳି ଲାଗୁଥାନ୍ତି l ଆନିର ପଢ଼ାପଢିର କିଛି ଠିକ ଠିକଣା ନଥାଏ l
ଆନି ଯାଇ ବିରାଡ଼ି ପାଖରେ ଠିଆ ହେଲା l ବସିଛି ବିରାଡ଼ି l ଅପଲକ ନେତ୍ରରେ ଆନି ଆଡକୁ ଚାହିଁ ରହିଛି l ଆନି କହିବାକୁ ଲାଗିଲା l
--ତୁ ବି ତ ଜଣେ ମାଆ ଥିଲୁ l ତେବେ ମୋ ମାକୁ ମୋଠୁ କାହିଁକି ଛଡାଇ ନେଉଛୁ ? ଆଉ କିଏ ଅଛି ମୋର ଏ ଦୁନିଆରେ ? ମୋ ବାପାଙ୍କ ଅବସ୍ଥା ତ ଦେଖୁଛୁ l ଭାଙ୍ଗି ଯାଉଛି ମୋ ପରିବାର l ସତରେ ଯଦି ତୁ ଗୋଟେ ମାଆ ତେବେ ମୋ ମାଆକୁ ଛାଡି ଚାଲିଯା l ନହେଲେ ସେ ବେଶିଦିନ ଏଭଳି ଅବସ୍ଥାରେ ବଞ୍ଚି ପାରିବ ନାହିଁ l ମାଆ ଚାଲିଗଲେ ମୁଁ ଅନାଥ ହୋଇଯିବି l
ବିରାଡ଼ିଟି ଥରେ ମାତ୍ର ଆଖି ପତା ପକାଇଥିଲା l ଆନି ଉଠି ଚାଲିଆସିଲା ବିରାଡ଼ି ସେମିତି ବସିଛି l ତା ପର ଦିନ ଠାରୁ ବିରାଡ଼ିଟିକୁ ଦେଖିବାକୁ ମିଳି ନଥିଲା l ଆନି ବୁଝି ପାରୁ ନଥିଲା ଯେ ଏଇଟା ଅନ୍ଧ ବିଶ୍ୱାସ ନା ଯୋଗାଯୋଗ ନା ସତରେ ଆଈର ଆତ୍ମା ଆସି….l ସେ ଯାହା ହେଉ ଆଉ ପ୍ରାୟ ସପ୍ତାହେ ଖଣ୍ଡେ ମମି କି ରେଷ୍ଟ ନେବାକୁ ଡକ୍ଟର କହିଛନ୍ତି l ତା ପରେ ସେ ଭଲ ହୋଇଗଲେ ଗଲା l ତିନିଜଣିଆ ପରିବାରଟି ପୁଣିଥରେ ହସି ଉଠିବ l କିନ୍ତୁ ଆନି ଦୃଢ଼ ନିଶ୍ଚିତ ଥିଲା ଯେ ବିରାଡ଼ିଟି କସ୍ମିନ କାଳେ ଆଉ ଆସିବ ନାହିଁ l
