Pranati Mahapatra

Children Stories Children

3.8  

Pranati Mahapatra

Children Stories Children

ଆମ ସାର୍

ଆମ ସାର୍

3 mins
257


ବଡ଼ ଖୁସିରେ ମୋବାଇଲରେ ଭିଡିଓ ଦେଖି ଦେଖି, ବିଭିନ୍ନ ପ୍ରକାର ଖେଳ ଖେଳି ଖେଳି ଗତ ୨୦୨୦ ମାର୍ଚ୍ଚରୁ ଗୋଟିଏ ଦୁଇଟି ବିଷୟରେ ପରୀକ୍ଷା ଦେଇ ମଜା ମସ୍ତିରେ ଦିନ ବିତାଉଥିଲା ମୋହିତ୍, ଆଉ ବିଦ୍ୟାଳୟ ଯିବାର ସମ୍ଭାବନା ନାହିଁ ବୋଲି ।ଭାରି ହସଖୁସିଆ ପିଲାଟିଏ।କିଛି କଥାରେ ତା'ର ଯାଏ ଆସେ ନାହିଁ।ବାପାଙ୍କ ସାଙ୍ଗରେ ମଝିରେ ମଝିରେ ବିଦ୍ୟାଳୟ ଯାଇ ଚାଉଳ ଇତ୍ୟାଦି ଇତ୍ୟାଦି ନେଇଆସେ।

   ଆଜି ସାର୍ ଖବର ଦେଇଛନ୍ତି ବିଦ୍ୟାଳୟରୁ ବହି ଆଣିବା ପାଇଁ।ଏଥର ଆଉ ନିସ୍ତାର ନାହିଁ।ବହି ଆସିଲେ ତ ପାଠ ପଢିବାକୁ ପଡିବ, ଆଉ ମଜା ମସ୍ତି କେମିତି ହେବ।ଘର ପାଖରେ ଏଥର ଜଣେ ନୂଆ ସାର୍ ଆସି ଭଡ଼ା ରହିଛନ୍ତି।ବାପା ବୋଉ ସାରଙ୍କ ସହ କଥା ହେବାର ଶୁଣିଥିଲା ମୋହିତ୍।ବହି ଆସିଲେ ସେ ତାକୁ ସକାଳେ ସଞ୍ଜରେ ପଢାଇବେ।

ଧେତ୍,ଏ ସାର୍ କାହିଁକି ଆସିଲେ ଯେ ...

ପୁଣି ଆମରି ଘର ପାଖକୁ।ମିଟୁ ବି ସେମିତି ଚିନ୍ତିତ ।ଉଭୟଙ୍କ ଘର ପାଖାପାଖି ସାର୍ ରହୁଛନ୍ତି।

ବାପା ବହି ଆଣି କଡାକଡି ଭାବରେ କହିଲେ, ଶୁଣ୍ ମୋହିତ୍।ଏଥର ମୋବାଇଲରେ ଆଉ କ୍ଲାସ କରିବା ଦରକାର ନାହିଁ, ସବୁଦିନେ ସକାଳେ ସଞ୍ଜେ ସାରଙ୍କ ପାଖକୁ ଯାଇ ପଢିବୁ।


   କିଛି ସମୟ ପରେ ମିଟୁ ବି ଆସି ସେହି ବିଷୟରେ କଥା ହୋଇ ମନଦୁଃଖ କଲେ।


ତା' ପରଦିନ ସକାଳେ ଦୁହେଁ ବହିଖାତା ନେଇ ଗଲେ ସାରଙ୍କ ପାଖକୁ ପାଠ ପଢିବା ପାଇଁ।ବସୁ ବସୁ ମିଟୁ କହିଲା ସାର୍, ଆପଣଙ୍କର କଣ ଘରଦ୍ୱାର ନାହିଁ କି, ଏଭଳି ବିପତ୍ତି ସମୟରେ ଏଠାରେ ଆସି ରହୁଛନ୍ତି।ଆମେ କେତେ ମଜା ମସ୍ତି କରୁଥିଲୁ ।ଏବେ ପାଠ ବୋଝ।ବଡ଼ କଷ୍ଟ ଲାଗୁଛି ସାର୍ ।

ଶିକ୍ଷକ ଜଣକ ଯୁବକ।ଘରସଂସାର କହିଲେ ବାପା ମାଆ ଦୁଇଜଣ।ବାହାରେ ଯାଇ ବିଭିନ୍ନ ପ୍ରକାର ଟ୍ରେନିଂ ନେଇ ଫେରିଛନ୍ତି।ଅମନଯୋଗୀ ପିଲାମାନଙ୍କୁ କେମିତି ପାଠ ପଢିବା ପାଇଁ ମନନଶୀଳ କରିହେବ, ସେ ବିଷୟରେ।


ତେଣୁ ଶିକ୍ଷକ ପ୍ରଥମେ ପିଲାଦୁଇଜଣଙ୍କୁ କେତେ ଗୁଡିଏ ଲମ୍ବା ଲମ୍ବା କାଠି ଦେଲେ, ସେସବୁ ଛୋଟ ଛୋଟ କରି ଦଶ ଦଶ ଟିକୁ ଗୋଟିଏ ଗୋଟିଏ ବିଡା କରିବାକୁ ।ସକାଳ ସମୟରେ ଖୁସି ଗପ ଭିତରେ ଏତକ କାମ ଦୁହେଁ ଶେଷ କରି ଘରକୁ ଫେରି ଆସିଲେ।ସନ୍ଧ୍ୟାରେ ଗଲେ ଯେ ସାର୍, ସାହିତ୍ୟ ବହିରେ କେତୋଟି ବିଷୟ ଅଛି ଓ କେଉଁ ବିଷୟ ଅଧିକ ଭଲ ଲାଗୁଛି ଇତ୍ୟାଦି କହିଲେ।ମୋହିତ୍ ଓ ମିଟୁ ବଡ଼ ଖୁସି ହେଉଥାନ୍ତି।ଦ୍ଵିତୀୟ ଦିନ ସକାଳେ ସାର୍ ଓଦା ବାଲିରେ ବିଭିନ୍ନ ମୂର୍ତ୍ତି ଗଢିବାର କୌଶଳ ଶିଖାଇଲେ।କାଗଜ କାଟି ଖେଳନା, ସନ୍ଧ୍ୟା ବେଳେ ଇଂରାଜୀ ବିଭିନ୍ନ ଶବ୍ଦ ଇତ୍ୟାଦି ଇତ୍ୟାଦି ଭାବରେ ଚାଲିଲା ଦୁହିଁଙ୍କ ପାଠପଢା।ପିଲା ଦୁଇଟି ଏମିତି ହେଲେ ଯେ, ସାରଙ୍କ ପାଖକୁ ପ୍ରଥମେ ଇଚ୍ଛା ନ ଥିବା ପିଲାମାନେ, ରାତି ପାହିଲା ବେଳକୁ ସାରଙ୍କ ଦୁଆରେ ହାଜର।ମାସ ଦୁଇ ଭିତରେ ପିଲା ଦୁଇଟି ବହି ପାଠ ନ ପଢି ବି ବହିର ବିଭିନ୍ନ ପାଠ ମୁହଁରେ ମୁଖସ୍ତ କରି ସାରିଥିଲେ।ଚିତ୍ରକଳା, ବାଲୁକା ଶିଳ୍ପ, ମାଟିରେ ବିଭିନ୍ନ ମୂର୍ତ୍ତି, ଗପ,ଗୀତ ଇତ୍ୟାଦିରେ ପାରଙ୍ଗମ।

ଏମାନଙ୍କ ଦେଖା ଦେଖି ଅନ୍ୟ ପିଲାଙ୍କ ବାପାମାଆମାନେ ନିଜ ପିଲାଙ୍କ ପାଇଁ ସାରଙ୍କୁ ଅନୁରୋଧ କଲେ।ସର୍ବୋପରି କହିବାକୁ ଗଲେ ସେ ଗାଆଁର ସବୁ ପିଲା ବିଭିନ୍ନ ବିଷୟରେ ପାରଙ୍ଗମ ହୋଇ ଯିବା ସହ ସାରଙ୍କ ଗୁଣଗାନ କଲେ।ଏଥର ଆଉ ପିଲାମାନେ ମୋବାଇଲ, ଟିଭି ନ ଦେଖି କାଗଜ, ମାଟି, ବାଲି,କାଠି ଇତ୍ୟାଦିରେ ବିଭିନ୍ନ ଜିନିଷପତ୍ର କରିବାକୁ ଲାଗିଲେ।ସେ ଗ୍ରାମ ଭିତରକୁ ପଶିଗଲେ ଲାଗେ ଯେମିତି ଏ ଗୋଟିଏ ମ୍ୟୁଜିୟମ।ଗାଁ ମୁଣ୍ଡରେ ଫାଙ୍କା ଜାଗାରେ ସାର୍ ଗୋଟିଏ ସଂଗ୍ରହାଳୟ କରିଛନ୍ତି, ଓଃ କି ଆନନ୍ଦଦାୟକ ପରିବେଶ।ଏଥର

ପିଲାମାନେ ସନ୍ଧ୍ୟା ସମୟରେ ବସି ସାରଙ୍କ ପାଖରୁ ବିଭିନ୍ନ ଜ୍ଞାନକୌଶଳ ଶିଖିଲେ।


ସାର୍ କିଛି ଦିନ ପାଇଁ ଘରକୁ ବୁଲିଗଲେ ।ଦିନେ, ଦୁଇଦିନ, ପାଞ୍ଚ ଦଶ କରି ଦୁଇମାସ ଚାଲିଗଲା ।ସାର୍ ଆଉ ଆସିଲେ ନାହିଁ।ଗାଆଁ ଲୋକ ଖବର ବୁଝିଲେ ଯେ ସାର୍ ଆଉ ଏ ଦୁନିଆଁରେ ନାହାଁନ୍ତି।ବାପା ମାଆ ତାଙ୍କର ଅସହାୟ ପରି ମୁଣ୍ଡକଚାଡି କେବଳ କାନ୍ଦି ଚାଲିଛନ୍ତି।ଦିନେ ଗାଆଁର ସବୁ ପିଲା ବସି ନିଷ୍ପତ୍ତି ନେଲେ, ନିଜ ବାପାମାଆଙ୍କ ସହ ପରାମର୍ଶ କରି ସାରଙ୍କ ବାପାମାଆଙ୍କୁ ଆଣି ଆମ ଗାଆଁରେ ରଖିବା।

ସାର୍ କହିଥିଲେ ଜୀବନରେ ସବୁଠାରୁ ଭଲ କାମ ହେଲା, ନିଜ ବିବେକାନୁମୋଦିତ ହୋଇ ଅସହାୟକୁ ସହାୟ ହେବା।


ତା ପରଦିନ ଗାଆଁ ଲୋକ ସମସ୍ତେ ମିଶି ଘର ଠିକ୍ କରି ସାରଙ୍କ ବାପାମାଆଙ୍କୁ ଆଣି ସେହି ଗ୍ରାମରେ ରଖିଲେ।ସକାଳେ ସନ୍ଧ୍ୟାରେ ପିଲାମାନେ ତାଙ୍କର ସବୁ କାମ କରିଦିଅନ୍ତି ଆଉ ଗପ ଗୀତ ଶୁଣି ଖୁସି ମନରେ ଘରକୁ ଫେରନ୍ତି।

ଆଉ ଗୁଣୁଗୁଣୁ ହୋଇ କହନ୍ତି ଆମ ସାର୍ ଯେମିତି ଏ ଅଜା ଆଇ ବି ତାଙ୍କ ଠାରୁ ଆହୁରି ଭଲ ସେମିତି।



Rate this content
Log in