ଆଲୁଅ ଓ ଅନ୍ଧାର
ଆଲୁଅ ଓ ଅନ୍ଧାର
(ଆଲୁଅ ଓ ଅନ୍ଧାର - ଗୋଟିଏ ଡେମ୍ଫର ଦୁଇଟି ପତ୍ର)
ଆଜିକୁ ପ୍ରାୟ ଦୁଇ ଦଶନ୍ଧି ତଳର କଥା। ଗୋଟିଏ ଗାଁରେ ଜନୈକ କୁଳୀନ ଭଦ୍ର ବ୍ଯକ୍ତି ବାସ କରୁଥିଲେ। ତାଙ୍କର ଦୁଇଟି ପୁତ୍ର ଓ ଗୋଟିଏ କନ୍ଯା ଥିଲେ। କନ୍ଯାକୁ ବିଭା ଦେଲା ପରେ ସେ ବଡ଼ ଦୁଇ ପୁତ୍ରଂକୁ ପାଖକୁ ଡାକି କହିଲେ,'ଦେଖ ପୁଅମାନେ ମୁଁ ବୁଢ଼ା ହେଇଗଲି ଏଣିକି ତୁମମାନଙ୍କର ଦାୟିତ୍ୱ ଘର ସମ୍ଭାଳିବା। ଜୀବନ ତମାମ ମୁଁ ସତ୍ ବାଟରେ ରୋଜଗାର କରି ତୁମକୁ ରଜାପିଲା ପରି ବଢ଼େଇ ଆଣିଛି। ଆଖପାଖ ମୌଜାରେ ମୋର ସୁନାମ ଅଛି। ତୁମ ବୋଉ ବି ଜଣେ ପତିବ୍ରତା ସୁଗୃହିଣି। ଆମର ପର୍ଯ୍ଯାପ୍ତ ସମ୍ପତି ପଡ଼ିଛି ସେଇଥିରୁ ବୁଦ୍ଧି ଖେଳେଇ ରୋଜଗାର କରିବ।ଆମେ ଦୁଇ ଜଣ ପାଚିଲା ଆମ୍ବ କେତେବେଳେ ଝଡ଼ି ପଡ଼ିବୁ କହି ହବନି। ଆଜିକାଲି ଦୁନିଆଁଟା ବିଷାକ୍ତ ଅନୈତିକ ପରିବେଶରେ ପରିବେଷ୍ଠିତ। ଦୁର୍ଜନ ସଙ୍ଗେ ମିଳନ ଅକାଳେ ମୃତ୍ୟୁ ଲକ୍ଷଣ। ଏହି କଥା ସବୁବେଳେ ମନେ ରଖିଥିବ।ମୁଁ ଯାଉଛି।'
ସତକୁ ସତ ସେହି ଦିନ ଦୀର୍ଘ କାଳ ରୋଗଶଯ୍ୟାରେ ଶାୟିତ ଶତାୟୁ ଭଦ୍ରବ୍ୟକ୍ତି ପୁତ୍ର ଦ୍ୱୟଙ୍କୁ ଅନ୍ତିମ ଊପଦେଶ ଦେଇ ଚିରଦିନ ପାଇଁ ଆଖି ବୁଜିଦେଲେ। ତା'ପରେ ବର୍ଷେ ବିତିଗଲା।ଜଣେ ବିଦେଶୀ ଶିଳ୍ପପତି ଏକ କାରଖାନା ବସେଇବା ଉଦ୍ଦେଶ୍ଯରେ ତାଙ୍କ ଗାଁକୁ ଆସିଲେ। ମୃତ ଭଦ୍ରବ୍ଯକ୍ତିଙ୍କର ଜମିକୁ ମନୋନିତ କଲେ ଓ ୱାରିଶ୍ ଦୁଇ ଭାଇଙ୍କୁ ଡକାଇ ପଠାଇଲେ। ଏ ବିଷୟ ଜାଣିବା ପରେ ଭାଇଙ୍କ ମଧ୍ୟରେ ଆଲୋଚନା ଚାଲିଲା। ବଡ଼ ଭାଇ ପିତୃଭକ୍ତ ଓ ସ୍ୱର୍ଗତ ପିତାଙ୍କ ଉପଦେଶ ମାନି ତାଙ୍କର ଆଦର୍ଶ ରେ ଜୀବନ ଅତିବାହିତ କରିବାକୁ ବଦ୍ଧପରିକର ମାତ୍ର ସାନଭାଇ ସମ୍ପୂର୍ଣ୍ଣ ବିରୁଦ୍ଧ ମନୋଭାବଯୁକ୍ତ। ଫଳତଃ ଦୁଇ ଭାଇଙ୍କ ମଧ୍ଯରେ ମତଭେଦ ଘଟି ସାନଭାଇ ବିଦେଶୀଙ୍କ ଦଳରେ ମିଶିଲା ଏବଂ ବାପାଙ୍କ ଉପଦେଶ ଭୁଲି ରାତାରାତି ଅମୀର ବନିବାକୁ ଲାଗି ପଡ଼ିଲା। ପୈତୃକ ଜମି ନିଜ ଭିତରେ ବାଣ୍ଟିନେଲେ।କିନ୍ତୁ ବଡ଼ଭାଇ ବିଭା ହୋଇ ନିଜ ଭିଟାମାଟିର ଇଜ୍ଜତ ରଖିଲା ।
ଏମିତି କିଛିବର୍ଷ କଟିଗଲା ପରେ ସାନ ଭାଇ ଜଣେ କୁଖ୍ଯାତ ଆନ୍ତର୍ଜାତୀୟ ଡନ୍ ପାଲଟି ପରାର୍ଦ୍ଧପତି ଭାବରେ ନିଜର ପରିଚୟ ଦେଲା। ଆଶାତୀତ କଳାଧନ ବଳରେ ନାନା ଅସାମାଜିକ କର୍ମରେ ଲିପ୍ତ ରହିଲା। କିନ୍ତୁ ତା'ର ଗୋଟାଏ ଭଲ ଗୁଣ ଗରିବ ଗାଁ ବାଲାଙ୍କୁ ଆର୍ଥିକ ସାହାଯ୍ୟ ଦେଇ ଥଇଥାନ କରାଇବା ଓ ଅନାଥାଶ୍ରମକୁ ଚାନ୍ଦା ଦିଏ। ତା'ର ଅଧିକାଂଶ ସମୟ ବିଦେଶରେ କଟେ ଓ ମଝିରେ ମଝିରେ ବଡ଼ଭାଇର ବାରଣ ସତ୍ତ୍ୱେ ବୋଉଙ୍କୁ ଦେଖିବାକୁ ଘରକୁ ଆସେ। ଦୁଇଭାଇଙ୍କ ମଧ୍ଯରେ ଆଲୁଅ ଅନ୍ଧାରର ଖେଳ ଦୀର୍ଘ ଦଶବର୍ଷ ଧରି ଚାଲିଲା। ଦିନେ ହଠାତ୍ ରାତି 12ଟାରେ ବଡ଼ଭାଇ ଗାଁରେ ଏରୋଗ୍ରାମ୍ ମାଧ୍ଯମରେ ସିଂଗାପୁର୍ ରୁ ଭାଇର ମୃତ୍ୟୁ ସମ୍ବାଦ ପାଇ ମର୍ମାହତ ହୋଇ ପଡ଼ିଲା।ବୃଦ୍ଧା ମାତା ଗେଲ୍ହା ପୁଅର ମଲା ଖବର ପାଇଲା ପରେ ତାଙ୍କର ହାର୍ଟଫେଲ୍ ଘଟିଲା।'ଅନ୍ଯଜଣେ ବିଦେଶୀ ପ୍ରତିଦ୍ୱନ୍ଦୀଙ୍କ ଗୁଳିରେ ମାଗୁଣି ଚରଣ ନାମକ ଏକ ଭାରତୀୟ ଅଣ୍ଡର୍ ୱାର୍ଲଡ୍ ଡନ୍ ଗତକାଲି ସନ୍ଧ୍ୟାର ସିଂଙ୍ଗାପୁରରେ ପ୍ରାଣତ୍ୟାଗ କରିଛନ୍ତି। 'ସକାଳ ଖବର କାଗଜ ପଢ଼ି ମନକୁ ମଜବୁତ୍ କରି ବୋଉଙ୍କ ଶବ ସଂସ୍କାର ସାରି ଏକ ଦୁଃସ୍ୱପ୍ନ ଭାବି ସାନ ଭାଇର ସ୍ମୃତିକୁ ପାସୋରି ପକାଇଲା l
ମଣିଷର ଶହେଟା ପୂଣ୍ୟକର୍ମ ମଧ୍ଯରେ ଗୋଟିଏ ପାପ କର୍ମ ମଣିଷର ଧନ ଜୀବନକୁ ରକ୍ଷା କରିପାରେ ଅଥଚ ଶହେଟା ପାପକର୍ମ ମଧ୍ୟରେ ଗୋଟିଏ ପୂଣ୍ଯକର୍ମ ମଣିଷର ସାମାଜିକ ପ୍ରତିଷ୍ଠା ସହିତ ଧନଜୀବନ ରକ୍ଷା କରିବାରେ ଅକ୍ଷମ ହୋଇପାରେ ଯେପରି ସାନଭାଇ ଜୀବନରେ ଘଟିଲା l ଏତେ ଗୁଡ଼ା ଧନ ସମ୍ପତ୍ତିର ଅଧିକାରୀ ହୋଇ ସୁଦ୍ଧା ଭୋଗ କରି ନପାରି ଓଥଡ଼ା ଅବସ୍ଥାରେ ଯୁବା କାଳରେ ଅକାଳ ମୃତ୍ୟୁ ବରଣ କଲା l ତେଣୁ ଆମ ଶାସ୍ତ୍ରରେ ଅଛି, "ଅଧର୍ମ ବିତ୍ତ ବଢ଼େ ବହୁତ ଗଲା ବେଳେ ଯାଏ ମୂଳ ସହିତ" l ସୁତରାଂ," ସନ୍ତୁଷ୍ଟସ୍ୟ ସଦା ସୁଖଂ"; ପରମେଶ୍ୱର ଆମକୁ ଯେତିକି ସମ୍ବଳ ଦେଇଛନ୍ତି ସେତିକିରେ ଖୁସି ରହି ଜୀବନଯାପନ କରିବା ବିଧେୟ l ତେବେ ଯାଇ ନିଜର ତଥା ସମାଜର ମଙ୍ଗଳ ।
