ABADHOOT PANDA

Others

4.4  

ABADHOOT PANDA

Others

ଆଗ୍ରାହାଟସ୍ଥ ମାତା ଆଗଲ ଚଣ୍ଡୀ

ଆଗ୍ରାହାଟସ୍ଥ ମାତା ଆଗଲ ଚଣ୍ଡୀ

7 mins
343


ଚାରିବାଟିଆ ଏ. ଆର. ସି.ଏବଂ ରେଳ ଷ୍ଟେସନ ସମୀପସ୍ଥ ଏକ ପ୍ରାଚୀନ ଗ୍ରାମ l ନାମ ଅଗ୍ରାହାଟ l ପୁରାତନ ଐତିହାସିକ ତଥା ପୌରାଣିକ ତଥ୍ୟ ସଂରକ୍ଷିତ କ୍ଷେତ୍ର l ଉକ୍ତ ଗ୍ରାମରେ ଦୁଇଟି ଚଣ୍ଡୀ ପୀଠ ବିଦ୍ୟମାନ l ଗୋଟିଏ ଆଗଲ ଚଣ୍ଡୀ ଏବଂ ଅନ୍ୟଟି ଶ୍ମଶାନ ଚଣ୍ଡୀ l ଦୁଇଟି ପୀଠ ସମଗ୍ର ଗ୍ରାମର ଗ୍ରାମ ଦେବୀ ତଥା ରକ୍ଷା କବଚ l ଲୋକଙ୍କ ବିଶ୍ୱାସ ଆଗଲ ବଡ଼ ଓ ଶ୍ମଶାନ ଚଣ୍ଡୀ ସାନ ଭଉଣୀ l ଦୁଇ ଭଉଣୀ ଯାକ ଦୁଇଟି ବୃକ୍ଷ ତଳେ ଉପବିଷ୍ଟ l ବିରାଟ ବଟ ବୃକ୍ଷ ତଳେ ବଡ଼ ଭଉଣୀ ଓ ମଧ୍ୟମ ଉଚ୍ଚତା ବିଶିଷ୍ଟ ଅଶ୍ୱସ୍ଥ ବୃକ୍ଷ ତଳେ ସାନ ଭଉଣୀ ସମାସୀନ l 


ସନାତନ ଧର୍ମ ବିଶ୍ୱାସ ଅନୁଯାୟୀ ଚଣ୍ଡୀ ଏକ ଉଭୟ ଲିଙ୍ଗୀ ତତ୍ତ୍ୱ l ନାରୀ ଓ ପୁରୁଷ ସ୍ଵଭାଵ ଯୁକ୍ତ ଏକ ଭିନ୍ନ ରୂପ l ଯାହାକୁ ଆମେ ମାତା ବୋଲି ସମ୍ବୋଧନ କରୁ l ଯୁଗା ଯୁଗାନ୍ତର ଧରି ବିଶ୍ୱାସକୁ ଆମେ ଗୁରୁତ୍ୱ ଦେଇ ମାଆ ଚଣ୍ଡୀ ବୋଲି ଡ଼ାକିବା ବିଧେୟ l ଯାହା ବି ହେଉ ଆମେ ଏଠାରେ ଆଗଲ ଚଣ୍ଡୀ ମାତାଙ୍କ ବିଷୟରେ ଆଲୋଚନା କରିବା l ବଟ ବୃକ୍ଷ ତଳେ ମାତାଙ୍କ ଆସ୍ଥାନ ପରିଷ୍କାର ପରିଚ୍ଛନ୍ନ l କେତୋଟି ପଥର ମୂର୍ତ୍ତି ଆସ୍ଥାନ ଉପରେ ବିଦ୍ୟାମାନ l ଆଗ୍ରାହାଟ ବ୍ରାହ୍ମଣ ସାହିର ଅନ୍ତର୍ଭୁକ୍ତ ଥିବାରୁ ବ୍ରାହ୍ମଣମାନଙ୍କ ମାର୍ଫତରେ ପୀଠଟି ସମର୍ପିତ l ତେଣୁ ବ୍ରାହ୍ମଣମାନଙ୍କ ଦ୍ୱାରା ମାଆଙ୍କ ପୂଜାର୍ଚ୍ଚନା ଵିଧି ପାଳନ ନିୟମିତ ସମ୍ପାଦିତ ହୋଇଥାଏ l


ଉକ୍ତ ଚଣ୍ଡୀ ପୀଠ ମହାଭାରତ ଯୁଗରୁ ଅଦ୍ୟାବଧି ଆସ୍ଥିତ ହୋଇ ଆସୁଛି l କିମ୍ବଦନ୍ତୀ ଅନୁସାରେ ବଟ ବୃକ୍ଷଟି ପ୍ରାୟ ଆଠ ହଜାର ବର୍ଷ ପୂର୍ବର l ଉକ୍ତ ଅଞ୍ଚଳ ସେତେବେଳେ ଘଞ୍ଚ ଅରଣ୍ୟ ପରିବେଷ୍ଟିତ ଥିଲା l ହିଂସ୍ର ଜନ୍ତୁଙ୍କ ପ୍ରାଦୁର୍ଭାବରେ ସେଠିକାର ଅଧିବାସୀ ଗଣ ଭୟ ଓ ଆଶଙ୍କାରେ ଜୀବନ ଅତିବାହିତ କରୁଥିଲେ l କିନ୍ତୁ ମାତାଙ୍କ ସୁଦୟାରୁ ହିଂସ୍ର ଜନ୍ତୁ ନିକଟସ୍ଥ ଗ୍ରାମବାସୀମାନଙ୍କର କିଛି ଅନିଷ୍ଟ କରି ପାରୁନଥିଲେ l ପ୍ରତ୍ୟକ୍ଷ୍ୟ ଗ୍ରାମ ଦେବୀ ଭାବେ ମାଆଙ୍କ ପ୍ରଧାନ୍ୟତା ବଳ ବତ୍ତର ଥିଲା ଓ ଏବେ ମଧ୍ୟ ଅଛି l ଅରଣ୍ୟ ବାସୀ ହୋଇ ଥିବାରୁ ମାଆଙ୍କୁ ବଣ ଦେବୀ ମଧ୍ୟ କୁହାଯାଏ l ମାତା ଆଗଲ ଚଣ୍ଡୀ ସପୂର୍ଣ୍ଣ ସାତ୍ତ୍ଵିକ ଭାବ ଧାରା ଯୁକ୍ତ l ଏଣୁ ଏଠାରେ ଆମିଷ ଭୋଗ ଲାଗି ହୁଏ ନାହିଁ l ସଙ୍କଟରେ ପଡ଼ିଥିବା ଆବାଳଵୃଦ୍ଧବନିତା ମାନସିକ କରିଥାନ୍ତି l ମାନସିକ ପୂର୍ଣ୍ଣ ପରେ ଅରୁଆ ଅନ୍ନ ଫଳ ମୂଳ ମାଆଙ୍କୁ ସମର୍ପଣ କରାଯାଏ l


ଅଗ୍ରାହାଟ ଗ୍ରାମଟି ମୋଗଲ ବନ୍ଦୀ ଅଞ୍ଚଳ l ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଏଠାରେ ଇଂରେଜମାନେ ସେନା ଛାଉଣୀ ପକାଇ ଥିଲେ l ଯାହାର ନମୁନା ଏ ପର୍ଯ୍ୟନ୍ତ ଗ୍ରାମ ସୀମାନ୍ତରେ ବିଦ୍ୟମାନ l ଆଉ ଵି ପାକିସ୍ଥାନ ସୃଷ୍ଟି ବେଳେ ଅନେକ ଶରଣାର୍ଥୀ ଏଠାରେ ଆଶ୍ରୟ ନେଇଥିଲେ l ମାଆଙ୍କ ବିଶେଷତ୍ୱ ଏହି କି ଯେ ନିଜର ଭକ୍ତମାନଙ୍କ ଅଭିଳାଷ ଅତି ଶୀଘ୍ର ପୂର୍ଣ୍ଣ କରିଥାନ୍ତି l ଗ୍ରୀଷ୍ମ ଋତୁରେ ଗାଆଁ ପିଲାମାନେ ବର ଓହଳରେ ଦୋଳି ଖେଳନ୍ତି l ବୟସ୍କ ବ୍ୟକ୍ତିଗଣ ପୀଠ ପାଖ ଗଛ ତଳେ ବସି ଅବସର ବିନୋଦନ କରନ୍ତି l ତାସ କ୍ୟାରମ ବାଗାଟେଲ ଚେସ ଇତ୍ୟାଦି ଖେଳରେ ନିଜ ନିଜକୁ ଆପ୍ୟାୟିତ କରି ଥାଆନ୍ତି l ଆଗ୍ରାହାଟ ଓ ଡାଳି ଯୋଡ଼ା ମୌଜାର ଏହା ଏକ ପ୍ରଧାନ ଓ ମହତ୍ତ୍ୱ ପୂର୍ଣ୍ଣ ଚଣ୍ଡୀ ପୀଠ l ପୂର୍ବେ ପ୍ରତିବର୍ଷ ଡାଳିଯୋଡ଼ା ରାଜା ଓ ରାଣୀ ଏଠାରେ ପାର୍ବଣ ସମୟରେ ଆସି ଭୋଗ ରାଗ କରି ନିଜ ଉଆସକୁ ଫେରିଯାଆନ୍ତି l ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ଇଂରେଜ ସୈନ୍ୟମାନେ ଆସି ମାତାଙ୍କୁ ଦର୍ଶନ କରୁଥିଲେ ଏବଂ ସେମାନଙ୍କର ଅସ୍ତ୍ର ଶସ୍ତ୍ରଗୁଡି଼କୁ ପୂଜକ ମାଧ୍ୟମରେ ପୂଜା କରାନ୍ତି l କଟକ ସହରର ଅନେକ ବରିଷ୍ଠ ଅଧିବାସୀ ଅଛନ୍ତି ଯେଉଁମାନେ ସେମାନଙ୍କ ଯୌବନ ଅବସ୍ଥାରେ ପ୍ରତି ଗୁରୁବାର ଦିନ ମାତାଙ୍କୁ ଦର୍ଶନ କରିବାକୁ ଯାଉଥିଲେ l


ପ୍ରକାଶ ଥାଉକି ଆମ୍ଭର ସ୍ୱର୍ଗତ ପିତା ଦେବେନ୍ଦ୍ର ନାଥ ପଣ୍ଡା ଚଣ୍ଡୀ ମାତାଙ୍କ ପରମ ଭକ୍ତ ଥିଲେ l ମାଆଙ୍କ କରୁଣାରେ ତାଙ୍କର ଜୀବନରେ କୌଣସି ବାଧା ବିଘ୍ନ ଆସିନଥିଲା ତଥା ସ୍ୱର୍ଗ ଆରୋହଣ ଦିବସରେ ମଧ୍ୟ ତାଙ୍କର ମୁଖର ଉଜ୍ଜ୍ୱଳତା କିମ୍ବା ହାସ୍ୟତା ଅମ୍ଳାନ ଥିଲା l ସେ ମାତାଙ୍କ ବର ପୁତ୍ର ଥିଲେ l ନିୟମିତ କର୍ମ କ୍ଷେତ୍ରରୁ ପ୍ରତ୍ୟାବର୍ତ୍ତନ ସମୟରେ ମାତାଙ୍କ ବରଗଛ ଓହଳରେ ନିଜ ମଥା ସ୍ପର୍ଶ କରାଇ ଘରେ ପ୍ରବେଶ କରୁଥିଲେ l ଆମ୍ଭ ପିତାଙ୍କ ଗଭୀର ମାତୃ ଭକ୍ତିର ଏକ ନମୁନା ନିମ୍ନଲିଖିତ ମତେ ଆମ୍ଭେ ଲିପିବଦ୍ଧ କରୁଛୁ ଯାହା ଏକ ପ୍ରାଣସ୍ପର୍ଶୀ ଘଟଣା ପ୍ରାୟ ତିରିଶ ବର୍ଷ ତଳର l ଶରତ ଋତୁର ପାର୍ବଣ ସମୟ l ବର୍ଷା ଛାଡ଼ି ଯାଇଥାଏ l ତଥାପି ପାହାଡ଼ିଆ ଝର ଶୁଖି ନଥାଏ l ନିଜର ଭିଲିୟର୍ସ ମଟର ସାଇକେଲ ଖରାପ ଥିବାରୁ ସେ ନିଜ ରାଲେ ସାଇକେଲରେ ପ୍ରାୟ ପୂର୍ବାହ୍ନ ଦଶଟା ସମୟରେ ଡମଣୀ ଠାକୁରାଣୀଙ୍କ ଦର୍ଶନ କରିବାକୁ ଘରୁ ବାହାରିଲେ l ମାତା ଡମଣୀ ଡାଳିଯୋଡ଼ା ଜଙ୍ଗଲର ରକ୍ଷକା ଆଉ ଜଣେ ପ୍ରତ୍ୟକ୍ଷ ବଣ ଦେବୀ l ପିତାଙ୍କ ମାନସିକ ଥାଏ l ପୂର୍ଣ୍ଣ କରିବାର୍ଥେ ଭୋଗ ସାମଗ୍ରୀ କିଣି ସାଙ୍ଗରେ ନେଇଥିଲେ l


ଆଗ୍ରାହାଟ ଗ୍ରାମ ଠାରୁ ଡମଣୀ ପୀଠ ପ୍ରାୟ କୋଡ଼ିଏ କିଲୋମିଟର ଦୂର l ସେଠାରେ ପ୍ରାୟ ଦିନ ଦୁଇଟା ବେଳେ ଆମ୍ଭର ପିତା ପହଞ୍ଚିଲେ l ବୈଧାନିକ ଭାବେ ମାଆଙ୍କୁ ଭକ୍ତଙ୍କ ସାମର୍ଥ୍ୟ ଅନୁଯାୟୀ ଗଞ୍ଜେଇ ଭୋଗ ଅର୍ପଣ କରାଯାଏ ଓ ମାତା ସନ୍ତୁଷ୍ଟ ହୁଅନ୍ତି l ଏପରି ବିଶ୍ୱାସ ଭକ୍ତମାନେ ସର୍ବଦା ନିଜ ମନରେ ପୋଷଣ କରିଥାନ୍ତି l ପୂଜା କର୍ମ ଶେଷ ହେଲା ପରେ ଆମ୍ଭର ପିତା ଡମଣୀ ମାତାଙ୍କ ମନ୍ଦିର ଆସ୍ଥାନ ( ସେତେବେଳେ ବର୍ତ୍ତମାନ ପରି ମନ୍ଦିର ନଥିଲା ) ପାର୍ଶ୍ୱସ୍ଥ ବନ୍ୟ ଝରଣା କୂଳେ କୂଳେ ସାଇକେଲ ଧରି ଚାଲି ଚାଲି ଆଗେଇ ଚାଲିଲେ l ପ୍ରାୟ ସମୟ ଅପରାହ୍ନ ତିନିଟା ପାଖା ପାଖି l ବନ୍ୟ ଜୀବ ଜନ୍ତୁ ଓ ପକ୍ଷୀମାନଙ୍କ ସ୍ୱରରେ ବଣ ପରିବେଶ ମୁଖରିତ ହେଉ ଥାଏ l ଝରଣା କୂଳେ କୂଳେ ଯାଇ ଏକ ପାହାଡ଼ ଉପରକୁ ଚଢ଼ି ଆଦିବାସୀ ଶବର ପଲ୍ଲୀରେ ପହଞ୍ଚିଲେ l ସେମାନଙ୍କ ମୁଖିଆ ଆମ୍ଭ ପିତାଙ୍କର ପରିଚିତ ଥିଲେ l ସେ ତାଙ୍କୁ ସାଦରେ ଆମନ୍ତ୍ରଣ କରି ନିଜ ଝାଟିମାଟି ଘରକୁ ନେଇଗଲେ l ପିତା ଟାଙ୍ଗୀ ଚୌଦ୍ୱାର ଅଞ୍ଚଳର ଜଣେ ବିଶିଷ୍ଟ ଜ୍ଞାନୀ ବ୍ୟକ୍ତି ହିସାବରେ ଲୋକ ପ୍ରିୟତା ଅର୍ଜନ କରିଥିଲେ l ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ l ତେଣୁ ଶବର ପଲ୍ଲୀର ଅଧିବାସୀମାନଙ୍କ ସମ୍ପର୍କରେ ଜାଣିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା l ଜଣେ ଭାଷାବିତ ଥିବାରୁ ଅନୁନ୍ନତ ଶବରମାନେ ତାଙ୍କ ପାଖରେ ରୁଣ୍ଡ ହୋଇ ତାଙ୍କ ପ୍ରଶ୍ନର ଉତ୍ତର ଦେଲେ l ତାପରେ ମୁଖିଆ ସମେତ ଦଶ ବାର ଜଣ ଶବର, ପିତାଙ୍କୁ ସାଥିରେ ନେଇ ସେମାନଙ୍କ ଗାଆଁ ଚଉପାଢ଼ୀ ନିକଟରେ ଥିବା ନିଜ ଗ୍ରାମ ଦେବୀଙ୍କ ପାଷାଣ ପ୍ରତିମା ଦର୍ଶନ କରାଇ ଆମ୍ବିଳିଝରି ଗୁମ୍ଫା ଭିତରକୁ ନେଲେ l ଆମ୍ଭ ପିତାଙ୍କୁ ଫଳ ମୂଳ ଭୋଜନରେ ଆପ୍ୟାୟିତ କରି ଏକ କୀର୍ତ୍ତନ ସମାରୋହର ଆୟୋଜନ କଲେ l ଉକ୍ତ ପ୍ରାଚୀନ ଗୁମ୍ଫା ପରିସର ଭକ୍ତ ମାନଙ୍କ ନାମ କୀର୍ତ୍ତନ ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଲା l ସ୍ୱର୍ଗତ ପିତା ସେମାନଙ୍କୁ ଶବର ଭାଷାରେ ଏକ ଧାର୍ମିକ ପ୍ରବଚନ ଶୁଣାଇବାରୁ ସେମାନେ ବିଶେଷ ମାନସିକ ତୃପ୍ତି ଲାଭ କଲେ l


ସେତେବେଳକୁ ସମୟ ଅପରାହ୍ନ ପାଞ୍ଚଟା l ସମସ୍ତେ ଆମ୍ଭ ପିତାଙ୍କୁ ସେମାନଙ୍କ ପାହାଡ଼ିଆ ଚାଷ ଜମିରେ ଉଠା ଜଳ ସେଚନ ନିମିତ୍ତ ଏକ ପମ୍ପ ସେଟ କରାଇ ଦେବାକୁ ପିତାଶ୍ରୀଙ୍କୁ ସବିନୟ ଅନୁରୋଧ କରିଥିଲେ l ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ ଥିବାରୁ ଆମ୍ଭର ସ୍ୱର୍ଗତ ପିତାଶ୍ରୀ ସେମାନଙ୍କ ଅଭିଳାଷ ପରେ ପରେ ପୂରଣ କରାଇଥିଲେ l ଯାହା ଫଳରେ ସେଠିକାର ଶବର ସମ୍ପ୍ରଦାୟ ଅଦ୍ୟାବଧି ଚିର କୃତଜ୍ଞ ରହିଛନ୍ତି l ସେଦିନ ପିତାଶ୍ରୀ ନିଜ ପକେଟରୁ ଏକ ହଜାର ଟଙ୍କା ଗ୍ରାମ ଦେବତୀଙ୍କ ପୁରୁଣା ଛୋଟ ମନ୍ଦିରର ମରାମତି ଉଦ୍ଦେଶ୍ୟରେ ମୁକ୍ତ ହସ୍ତରେ ଦାନ କରିଥିଲେ l ଡାଳିଯୋଡ଼ା ପାହାଡ଼ ତଳି ଶବର ବସ୍ତି ପରିଦର୍ଶନ ଓ ଲୋକ ସମ୍ପର୍କ ସ୍ଥାପନ କରି ଘରକୁ ଫେରି ଅସିବାକୁ ଆମ୍ଭର ପିତାଶ୍ରୀ ଉଦ୍ୟତ ହେବାରୁ ଗାଆଁ ମୁଖିଆ ତାଙ୍କ ଘରେ ରାତିଟି ବିତାଇ ବାକୁ ଅନୁରୋଧ କରିଥିଲେ l କାରଣ ସେତେବେଳକୁ ସନ୍ଧ୍ୟା ଆସନ୍ନ l ଡମଣୀ ଜଙ୍ଗଲର ବଣୁଆ ହାତୀ ଓ କଲରା ପତ୍ରିଆ ବାଘଙ୍କ ଉତ୍ପାତ ଯୋଗୁଁ ଲୋକମାନେ ସନ୍ଧ୍ୟା ପୂର୍ବରୁ କାମ ଦାମ ସାରି ଘରକୁ ଫେରି ଆସନ୍ତି l କେବେ କେବେ ଅଜଗର ସାପ ମଧ୍ୟ ରାସ୍ତା କଡ଼ରେ ଶିକାର ଆଶାରେ କୁଣ୍ଡଳୀ ବୁଲେଇ ପଡ଼ି ରହିଥାନ୍ତି l କିନ୍ତୁ ଆମ୍ଭର ପିତା ଏକ ଜିଦିଆ ସ୍ଵଭାଵର ଥିବାରୁ ସଫା ସଫା ମନା କରିଦେଲେ l ତାପରେ ମୁଖିଆ ବାବୁ ପୁଣି ଦୁଇ ଜଣ ଗ୍ରାମବାସୀଙ୍କୁ ସାଙ୍ଗରେ ନେଇ ଘରେ ଛାଡ଼ି ଦେଇ ଆସିବାକୁ ପିତାଶ୍ରୀଙ୍କୁ ପରାମର୍ଶ ଦେଲେ l କାରଣ ରାତିରେ ହିଂସ୍ରଜନ୍ତୁଙ୍କ ଆକ୍ରମଣର ଆଶଙ୍କା ରହିଥିଲା l ଏତେ ସହଯୋଗ ଉଦ୍ୟମ ସତ୍ତ୍ୱେ ପିତାଶ୍ରୀ ନିଜ ଜିଦ୍ଦିରେ ଅଟଳ ରହିଲେ l ଯେହେତୁ ପରୋପକାର ଓ ସହାନୁଭୂତିଶୀଳତା ତାଙ୍କର ସ୍ଵଭାଵ l ନିଜ ପାଇଁ ଅନ୍ୟକୁ ଅଯଥା କଷ୍ଟ ଦେବାକୁ ସେ ଆଦୌ ଇଛା କରି ନଥିଲେ l ସୁତରାଂ ସାଦର ଅଭ୍ୟର୍ଥନା ଏବଂ ସମ୍ମାନ ଲାଭ ପୂର୍ବକ ନିଜ ସାଇକେଲ ଗଡ଼ାଇ ଗଡ଼ାଇ ଗୃହ ଅଭିମୁଖେ ଲୋଟଣି ଯାତ୍ରା ଆରମ୍ଭ କଲେ l


ରାତି ପ୍ରାୟ ସାତଟା l ହାତୀ ମାନଙ୍କ ବିଗୁଲ, ବାଘ ଗର୍ଜନ ଓ ବିଲୁଆମାନଙ୍କ ହୁକେ ହୋ ବୋବାଳି ପିତାଶ୍ରୀଙ୍କ କାନରେ ବାଜୁ ଥାଏ l ମନରେ ସାହସ ବାନ୍ଧି ମାତା ଆଗଲ ଚଣ୍ଡୀଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା ରଖି ଜଙ୍ଗଲ ରାସ୍ତାରେ ଆଗେଇ ଚାଲିଲେ l କୃଷ୍ଣ ପକ୍ଷ ରାତି l କାଳି ଅନ୍ଧାରି ଜହ୍ନ l ଜଙ୍ଗଲ ଭିତରଟା କିଟିକିଟିଆ ଅନ୍ଧାର l ଠାଏ ଠାଏ ବର୍ଷା ପାଣି ଜମି ଥାଏ l ସେହି ପାଣି ଭିତରେ ପିତାଶ୍ରୀଙ୍କ ଗୋଡ଼ ଖସି ଯିବାରୁ ତଳେ ପଡ଼ି ଗଲେ ଓ ଫୁଲ ପ୍ୟାଣ୍ଟ ସାରା କାଦୁଅ ଲାଗିଗଲା l ତଥାପି ସାହସର ସହ ଉଠିଗଲେ l ମଝିରେ ମଝିରେ ଖସ ଖସ ଆୱାଜ଼ ଓ ହେଟା ବାଘ, ରାମ ଶିଆଳମାନଙ୍କ ଖେଁ ଖାଁ ସ୍ୱର ଶୁଭୁଥାଏ l ରାସ୍ତା ଜଣା ପଡ଼ୁ ନଥାଏ l ମୂଳ ରାସ୍ତାକୁ ଧରିବାକୁ ଆହୁରି ପ୍ରାୟ ଏକ କିଲୋମିଟର ବାକି l ମାଆ ଚଣ୍ଡୀଙ୍କୁ ମନେ ମନେ ସ୍ମରଣ କଲେ l ହଠାତ ଏକ ଚମତ୍କାର କାଣ୍ଡ ଘଟିଲା l ଏକ ଅତି ଉଜ୍ବଳ ଆଲୋକ ପିଣ୍ଡ ଜଙ୍ଗଲ ମଝିରେ ଦିଶିଲା l ସେହି ଆଲୋକ ପିଣ୍ଡରୁ ଏକ ତେଜସ୍କର ରଶ୍ମି ପିତାଶ୍ରୀଙ୍କୁ ବାଟ ଦେଖାଇଲା l ତାପରେ ସେ ମୂଳ ରାସ୍ତାରେ ପହଞ୍ଚି ଯାଇ ସାଇକେଲ ଉପରେ ବସି ପ୍ୟାଡଲିଙ୍ଗ ଆରମ୍ଭ କରି ଦେଲେ l ଡାଳିଯୋଡ଼ା ବ୍ରହ୍ମପୁରର ପିଚୁ ରାସ୍ତା ଉପରେ ଆସି ପହଞ୍ଚିଲେ l ଦୂରରୁ ଚାରିବାଟିଆ ରେଳ ଷ୍ଟେସନର ବିଜୁଳିବତୀ ଦେଖାଗଲା l ପିତାଶ୍ରୀଙ୍କ ମନରେ ଆନନ୍ଦ ଆସିଲା l ସେ ମାତା ଚଣ୍ଡୀଙ୍କୁ ଆନ୍ତରିକ ଶ୍ରଦ୍ଧା ମିଶ୍ରିତ ଭକ୍ତିପୂର୍ଣ୍ଣ ପ୍ରଣାମ କଲେ ଏବଂ ସିଧା ସାଇକେଲ ଚଢ଼ି ଚାରିବାଟିଆ ରେଳ ଷ୍ଟେସନର ଲେବେଲ କ୍ରସିଂ ପାରି କରି ନିଜ ଗାଆଁ ଆଗ୍ରାହାଟରେ ପହଞ୍ଚି ଗଲେ l


ସେତେବେଳକୁ ରାତି ଦଶଟା l ଆମ ଜେଜେମା ମାତାଙ୍କ କାଳିସୀ ଥିଲେ l ତାଙ୍କ ଶରୀରରେ ମାତା ଆଗଲ ଚଣ୍ଡୀ ପ୍ରବେଶ କଲେ l ପିତାଶ୍ରୀଙ୍କୁ କୁଣ୍ଢାଇ ଧରି ଭୋ ଭୋ କାନ୍ଦିବାକୁ ଲାଗିଲେ ଏବଂ ସ୍ନେହ ମିଶ୍ରିତ ମାତୃ ସୁଲଭ ତାଡ଼ନାତ୍ମକ ରୁକ୍ଷ ସ୍ୱରରେ କହିଲେ," ତତେ କିଏ କହିଲା ଜଙ୍ଗଲ ଭିତରକୁ ଯିବାକୁ l ତୁ ସବୁଦିନେ ଯୁଆଡ଼େ ଗଲାବେଳେ ମୋତେ ଜଣେଇ କି ଯାଉ l ଆଜି ତ ମତେ କିଛି କହିନୁ l ସତ କହ ଗୋଟାଏ ମାଙ୍କଡ଼ ଆଉ ବାଘ ମୁଣ୍ଡ ଦେଖିନୁ ସେଇ ପାହାଡ଼ିଆ ଝରଣା ପାଖ ବୁଦା ମଝିରେ? " ପିତାଶ୍ରୀ ଉତ୍ତର ଦେଲେ, " ହଁ ମାଆ ଦେଖିଛି l ମୋତେ ଶୋଷ ହେଲାରୁ ଝରଣାରୁ ପାଣି ପିଇଲି l ଗୁଡ଼ାଖୁ ଟିକେ ଘଷି କୁଳି କଲି l ତାପରେ ଗୋଟାଏ ବିରାଟ ଆଲୋକ ରଶ୍ମି ଟର୍ଚ୍ଚ ଲାଇଟ ଭଳିଆ ମୋ ସାମ୍ନାରେ ପଡ଼ିଲାରୁ ମୁଁ ବାଟ ପାଇଲି l " ଜେଜେମାଆ ଦେହରେ ପ୍ରବିଷ୍ଟ ମାତା କହିଲେ," ଯାହା ହେଉ ପୁଅ ସତ କହିଲୁ ମୋ ମନଟା ଖୁସି ହେଲା l ତୁ ମୋତେ କିଛି ନ କହିଲେ ଵି ତୋ ପଛେ ପଛେ ମୁଁ ଯାଇଥିଲି l ତୁ ଯେଉଁ ଲାଇଟ ଦେଖିଲୁ ସେଇଟା ମୋର ଆଲୋକ l ତୁ ପରା ମୋର ଗେହ୍ଲା ପୁଅ l ତୋ ମନର କଥା ମୁଁ ଜାଣେ l ମୁଁ ତୋ ପାଖେ ଆଜି ନଥିଲେ ତୋତେ ଆଜି ବାଘ ଖାଇ ଯାଇଥାନ୍ତା ଆଉ ମୁଁ ତୋ ପରି ପୁଅକୁ ସବୁ ଦିନ ପାଇଁ ହରାଇଥାନ୍ତି l ହଉ ଯାଆ ପରିଷ୍କାର ପରିଚ୍ଛନ ହୋଇ ଖା ପିଆ କରି ଶୋଇ ପଡ଼ l ଥକି ଯାଇଛୁ l" ଏତିକି କହି ଆମ ଜେଜେମାଆଙ୍କ ଶରୀରରୁ ମାତା ଚଣ୍ଡୀ ବାହାରିଗଲେ l ମୁଁ ମୋର ଛୋଟ ଭାଇଭଉଣୀ ମାଆ ସମସ୍ତେ ମାଆଙ୍କର ଅଦ୍ଭୁତ ମହିମା ଦେଖି ଆଶ୍ଚର୍ଯ୍ୟ ହୋଇ ପଡ଼ିଲୁ l ଆମ୍ଭ ପିତାଶ୍ରୀଙ୍କ ମୂଲ୍ୟବାନ ଜୀବନ ରକ୍ଷା କରିଥିବାରୁ ଚଣ୍ଡୀ ମାତାଙ୍କୁ ମନେ ମନେ ଧନ୍ୟବାଦ ଜଣାଇ ଆମେ ସମସ୍ତେ ସାଷ୍ଟାଙ୍ଗ ପ୍ରଣିପାତ କଲୁ l ମା ହାତ ତିଆରି ରୁଟି ଆଉ ହରଡ଼ ଡାଲି ଖାଇ ଆମେ ନଅ ଜଣ ଭାଇ ଭଉଣୀ ନିଜ ନିଜ ଖଟ ଉପରେ ଶୋଇ ପଡ଼ିଲୁ l ଜୟ ମା ଆଗଲ ଚଣ୍ଡୀ l

[ ପ୍ରତ୍ୟକ୍ଷ ଅନୁଭୂତିମୂଳକ ଏକ ସତ୍ୟ ପାରିବାରିକ ଘଟଣା ]



Rate this content
Log in