Writer Roja Panda

Others

5.0  

Writer Roja Panda

Others

୧୦୦ ଟଙ୍କା ବନାମ ୨୦୦ ଟଙ୍କା

୧୦୦ ଟଙ୍କା ବନାମ ୨୦୦ ଟଙ୍କା

4 mins
541


ଯେତେବେଳେ ଯାହା ଯେଉଁଠି ଦରକାର ସେତେବେଳେ ତାହା ବ୍ୟବହାର କରିବା ଆବଶ୍ୟକ । ଅନାବଶ୍ୟକ ସ୍ଥାନରେ ନିଜର କ୍ଷମତା ଓ ଜ୍ଞାନକୁ ପ୍ରଦର୍ଶନ କରିବା ଅପାତ୍ରରେ ଦାନ ସଦୃଶ୍ୟ । ଏହାକୁ ନେଇ ଏକ ଛୋଟ କାହାଣୀ ।

କଟକ ସହରସ୍ଥିତ ନେତାଜୀ ନଗର ରେ ଜଣେ ସମ୍ରାନ୍ତ ପରିବାର ରହୁଥିଲେ । ସେମାନେ ଜମିଦାର ଥିଲେ । ପାଖରେ ବହୁତ ଟଙ୍କା ପଇସା ଥିବାରୁ ନିଜକୁ ଖୁବ ଜ୍ଞାନୀ ଆଉ ଶକ୍ତିଶାଳୀ ବୋଲି ଭାବୁଥିଲେ । ନିଜକୁ ଅନ୍ୟମାନଙ୍କ ଠାରୁ ଖୁବ ଚତୁର ଓ ବୁଦ୍ଧିଆ ବୋଲି ଭାବୁଥିଲେ । ଥରେ ସେଇ ପରିବାରର ମୁଖିଆ ବଡ ଜମିଦାର ବାବୁ ଗାଁ ଭ୍ରମଣ କରୁଥିଲେ । ଗାଁ ଲୋକମାନଙ୍କୁ ନିଜର ଭଲମନ୍ଦ ପଚାରି ପଚାରି ଶେଷରେ ଜଣେ ପଣ୍ଡିତଙ୍କ ଘରେ ପହଞ୍ଚିଲେ । ଦେଖିଲେ ପଣ୍ଡିତ ଜଣଙ୍କ ନିଜର ଏକମାତ୍ର ପୁତ୍ର ଉପରେ ଖୁବ ବିରକ୍ତ ହେଉଛନ୍ତି । ଏସବୁ ଦେଖି ବଡ ଜମିଦାର ବାବୁ ପଣ୍ଡିତଙ୍କୁ ବିରକ୍ତି ହେବାର କାରଣ ପଚାରିଲେ । ପଣ୍ଡିତ କହିଲେ - ପୁଅ ମୋର ପାଠପଢ଼ାରେ ବିଲକୁଲ ମନ ଦେଉନାହିଁ । ମୁଁ ଜଣେ ବଡ ପଣ୍ଡିତ କିନ୍ତୁ ମୋ ପୁଅ ହେଇ ଏ ଯଦି ମୂର୍ଖ ହେବ ତେବେ ମତେ ଏ ସମାଜ କଣ କହିବ ?

ବଡ ଜମିଦାର ବାବୁ ପଣ୍ଡିତଙ୍କ ମୂଖରୁ ଏମିତି ବାଣୀ ଶୁଣି କହିଲେ , ଆପଣ ନିଜକୁ ବଡ ପଣ୍ଡିତ ବୋଲି କାହିଁକି ଭାବୁଛନ୍ତି ? ଯଦି ପ୍ରକୃତରେ ଆପଣ ଜଣେ ବଡ ପଣ୍ଡିତ ହେଇଥାନ୍ତେ ତେବେ ଆପଣଙ୍କ ପୁତ୍ର କଣ ମୂର୍ଖ ହେଇଥାନ୍ତା ?

ଏସବୁ ଶୁଣି ପଣ୍ଡିତଙ୍କ ମୁହଁ ଲାଜରେ ତଳକୁ ହେଇଗଲା । ହେଲେ ପଣ୍ଡିତଙ୍କ ପୁଅ ଘର ଭିତରେ ଥାଇ ବଡ ଜମିଦାରଙ୍କ କଥା ଶୁଣି ମୁରୁକି ହସୁଥାଏ ।

ବଡ ଜମିଦାର ବାବୁ ଶେଷରେ ଗାଁ ଭ୍ରମଣ ସାରି ଘରକୁ ଫେରିଲେ । ତାଙ୍କ କାନରେ ବାରମ୍ବାର ଗୋଟିଏ କଥା ବାଜି ଉଠୁଥାଏ ଯେ ," ମୁଁ ଜଣେ ବଡ ପଣ୍ଡିତ ହେଇ ମୋ ପୁଅ ମୂର୍ଖ ହେବ" ଯେଉଁ କଥା ଉକ୍ତ ପଣ୍ଡିତ ବଡ ଜମିଦାର ବାବୁଙ୍କୁ କହିଥିଲେ । ବଡ ଜମିଦାର ବାବୁ ଭାବୁଥିଲେ ଯେ , ମୁଁ ଏଇ ଗାଁର ଏକ ମାତ୍ର ଧନୀ ବ୍ୟକ୍ତି ଆଉ ବିଦ୍ୱାନ ମଧ୍ୟ । ମୁଁ ଥାଉ ଥାଉ ସେ ମୂର୍ଖ ପଣ୍ଡିତ ନିଜକୁ ବଡ ପଣ୍ଡିତ ବୋଲି ମନେ କରୁଛି । ତାକୁ ନିଶ୍ଚିତ ପାନେ ଦେବି । ଏମିତି ସବୁ ଭାବୁଥିଲେ ବଡ ଜମିଦାର ବାବୁ । ଶେଷରେ ତାଙ୍କ ମୁଣ୍ଡକୁ ଗୋଟେ ବୁଦ୍ଧି ଆସିଲା । ସେ ସର୍ବସାଧାରଣରେ ସେଇ ପଣ୍ଡିତଙ୍କୁ ତାଙ୍କ ପୁଅ ଜରିଆରେ ଅପମାନ ଦେବେ ବୋଲି ସ୍ଥିର କଲେ ।

ବଡ ଜମିଦାର ବାବୁ ଗାଁରେ ଗୋଟେ ମେଳାର ଆୟୋଜନ କଲେ । ସେଠାକୁ ଗାଁ ସାରା ଲୋକଙ୍କୁ ଡାକିଲେ । ଗାଁରେ ଯେତେ ପିଲା ପାଠ ପଢୁଥିଲେ ସମସ୍ତଙ୍କ ପାଇଁ ଗୋଟେ ଖେଳ ପ୍ରତିଯୋଗିତାର ଆୟୋଜନ ମଧ୍ୟ କଲେ । ଉକ୍ତ ପ୍ରତିଯୋଗିତାରେ ବଡ ଜମିଦାର ବାବୁ ନିଜେ ପରିଚାଳକ ହେଇ ଗାଁ ର ସମସ୍ତ ପିଲାଙ୍କୁ ଡାକି ଖେଳରେ ଭାଗ ନେବାପାଇଁ କହିଲେ ।

ଖେଳରେ ଦୁଇଟି ଚୌକି ପଡିଲା । ଗୋଟେ ଚୌକି ରେ ୧୦୦ ଟଙ୍କା ରଖାଗଲା ଏବଂ ଅନ୍ୟ ଚୌକିରେ ୨୦୦ ଟଙ୍କା ରଖାଗଲା । ସମସ୍ତ ପିଲାଙ୍କୁ ଜଣ ଜଣ କରି ସେଇ ଚୌକିରୁ ଗୋଟିଏ ଭାଗ ଟଙ୍କା ନିଜ ଇଚ୍ଛା ଅନୁସାରେ ବାଛି ନେବାପାଇଁ ନିର୍ଦ୍ଧେଶ ଦିଆଗଲା । ଏମିତି ପନ୍ଦର ଦିନ ଧରି ଖେଳ ଚାଲିଲା । ଗାଁର ପ୍ରାୟ ସବୁ ପିଲା ଖେଳରେ ଭାଗ ନେଇ ସାରିଥିଲେ । ସେଇ ପିଲା ମାନଙ୍କ ମଧ୍ୟରେ ଉକ୍ତ ପଣ୍ଡିତଙ୍କ ପୁଅ ମଧ୍ୟ ଥିଲେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ , ସବୁ ପିଲା କମ ବେଶି ର ଫରକ ଜାଣିପାରି ୨୦୦ ଟଙ୍କା ଟି ଧରୁଥିଲେ ମାତ୍ର ପ୍ରତ୍ୟେକ ଦିନ ପଣ୍ଡିତଙ୍କ ପୁଅ ୧୦୦ ଟଙ୍କାର ଭାଗ ଟି ଉଠାଇ ନେଉଥିଲା । ଏମିତିରେ ପନ୍ଦର ଦିନ ବିତିଗଲାଣି ।

ବଡ ଜମିଦାର ବାବୁ ପଣ୍ଡିତଙ୍କୁ ସର୍ବ ସାଧାରଣରେ ଅପମାନ ଦେବାପାଇଁ ଏକ ସଭା ଡାକି କହିଲେ , ଏଇ ପଣ୍ଡିତର ପୁଅ କେତେ ମୂର୍ଖ । କମ୍ ବେଶି ର ଫରକ ଜାଣିପାରୁନି । ଗାଁର ସବୁ ପିଲା ୨୦୦ ଟଙ୍କା ଉଠାଇବା ବେଳେ ପଣ୍ଡିତର ପୁଅ ପ୍ରତ୍ୟେକ ଦିନ ୧୦୦ ଟଙ୍କା ଉଠାଉଛି। ଏତେ ବଡ ପଣ୍ଡିତ ବୋଲାଉଥିବା ଲୋକର ପୁଅ କେମିତି ଏତେ ମୂର୍ଖ ହେଇପାରିବ ? ଏହା ଖୁବ ଲଜ୍ଜ୍ୟା ଦାୟକ । ଏସବୁ ଶୁଣି ପଣ୍ଡିତ ଜଣଙ୍କ ଅପମାନର ବୋଝରେ ମୁଣ୍ଡ ତଳକୁ କରି ଘରକୁ ଫେରିଲେ । ଘରକୁ ଫେରି ନିଜ ପୁଅକୁ ଡାକି ୨୦୦ ଟଙ୍କା ଆଉ ୧୦୦ ଟଙ୍କା ମଧ୍ୟରେ କମ୍ ବେଶି ର ଫରକ ପଚାରିବାରୁ ପୁଅଟି ୨୦୦ ଟଙ୍କା ଟି ୧୦୦ ଟଙ୍କା ଠାରୁ ଅଧିକା ବୋଲି ଠିକ ଉତ୍ତର ଦେଇଥିଲା । ପଣ୍ଡିତ ଜଣକ ପୁଅ କୁ କହିଲେ - ପୁଅ ତୁ ୨୦୦ ଟଙ୍କା ଆଉ ୧୦୦ ଟଙ୍କା ମଧ୍ୟରେ କମ୍ ବେଶି ର ପାର୍ଥକ୍ୟ ଜାଣି ମଧ୍ୟ ପ୍ରତିଯୋଗିତାରେ ପ୍ରତ୍ୟେକ ଦିନ ୧୦୦ ଟଙ୍କା ଉଠାଇ କାହିଁକି ମତେ ଭରା ସଭାରେ ଅପମାନିତ କଲୁ ? ବାପାଙ୍କର ଏପରି ଭାଙ୍ଗିପଡିବା ଏବଂ ମନ ଦୁଃଖ ଥିବାର ଦେଖି ପୁଅଟି ପଣ୍ଡିତଙ୍କ ହାତ ଧରି ନିଜ ପଢା ଘର ଭିତରକୁ ନେଇଗଲା । ସେଠି ଗୋଟେ ଛୋଟ ବାକ୍ସ ରଖାଯାଇଥିଲା । ସେଇ ବାକ୍ସ ଖୋଲି ପୁଅ ତାର ବାପାଙ୍କୁ ଦେଖାଇଲା । ସେଥିରେ ପନ୍ଦର ଖଣ୍ଡ ୧୦୦ ଟଙ୍କିଆ ନୋଟ ଥିଲା । ପଣ୍ଡିତ ଜଣକ ଏସବୁ ଦେଖି ପୁଅକୁ ଏତେ ଟଙ୍କା କୋଉଠୁ ଆଣିଲୁ ବୋଲି ପଚାରିବାରୁ ପୁଅ ଉତ୍ତର ଦେଲା , - ବାପା ଏସବୁ ମୁଁ ଖେଳ ପ୍ରତିଯୋଗିତାରୁ ଆଣିଛି । ପ୍ରତ୍ୟେକ ଦିନ ମୁଁ ୧୦୦ ଟଙ୍କିଆ ନୋଟ ଖଣ୍ଡେ ଉଠାଏ । କିନ୍ତୁ ବାକି ପିଲାମାନେ ୨୦୦ ଟଙ୍କିଆ ନୋଟ ଉଠାନ୍ତି । ଆଉ ଯେଉଁ ମାନେ ୨୦୦ ଟଙ୍କିଆ ନୋଟ ଉଠାନ୍ତି ସେମାନେ ପ୍ରତିଯୋଗିତାରେ ଜିତି ଯାଆନ୍ତି । ଏବଂ ସେଇ ଥରକ ପରେ ଆଉ ଖେଳ ରେ ଭାଗ ନେଇପାରନ୍ତି ନାହିଁ । ମୁଁ ଯେଉଁଦିନ ୨୦୦ ଟଙ୍କିଆ ନୋଟ ଟି ଉଠାଇ ଥାଆନ୍ତି ସେଇ ଦିନ ହିଁ ଏହି ଖେଳ ପ୍ରତିଯୋଗିତା ସାରିଯାଇଥାନ୍ତା । ମୋ ପାଖରେ ଏତେ ଗୁଡ଼ାଏ ଟଙ୍କା ହେଇପାରିନଥାନ୍ତା ।

ପଣ୍ଡିତ ମହାଶୟ ପୁଅର ଚତୁରତା ଦେଖି ଖୁବ ଖୁସି ହେଲେ ଏବଂ ପୁଅକୁ ସର୍ବ ସାଧାରଣ ସାମ୍ନାରେ ବଡ ଜମିଦାର ବାବୁଙ୍କୁ ଏସବୁ କଥା କହିବାପାଇଁ ନିର୍ଦ୍ଧେଶ ଦେଲେ । ପୁଅ ଯେତେବେଳେ ସମସ୍ତଙ୍କ ସାମ୍ନାରେ ବଡ ଜମିଦାର ବାବୁଙ୍କୁ ଏସବୁ କହିଲା , ଯେଉଁ ଜମିଦାର ପଣ୍ଡିତଙ୍କୁ ଅପମାନିତ କରିଥିଲେ ଆଜି ସେ ନିଜେ ଅପମାନର ବୋଝରେ ଲାଲ ପଡିଗଲେ ଏବଂ ନିଜର ମୁର୍ଖତା କୁ ସ୍ୱୀକାର କଲେ ।


Rate this content
Log in