ଯାଉଛି ଶୀତ ଆସେ ବସନ୍ତ
ଯାଉଛି ଶୀତ ଆସେ ବସନ୍ତ
ଆରମ୍ଭ ଯାହାର ବିଲୟ ତାହାର
ଏ ତ ଚିରନ୍ତନ ସତ୍ୟ,
ଯିବା ଆସିବା ତ ବିଧିର ବିଧାନ
ନୁହଇ ମୋଟେ ବିଚିତ୍ର ।।
ଆସିଥିଲା ଦିନେ ବିଧିର ବିଧାନେ
ଦେଖାଇ ତାହାର ଠାଣି,
ଫେରିବା ସମୟ ଆସିଗଲେ ପୁଣି
ହୃଦୟ ହୁଅଇ ହାଣି ।।
ଆସିବା ସମୟେ ଥାଏ ଯେଉଁ ଗର୍ବ
ଉଦ୍ଦାମତା ମନ ମଧ୍ୟେ,
କ୍ରମେ କ୍ରମେ ତାର ଗର୍ବ ହୁଏ ଖର୍ବ
ସତ୍ୟ ଏହା ମହୀ ମଧ୍ୟେ ।।
ଆସିଥିଲା ଦିନେ ମରତ ଧାମକୁ
କଷ୍ଟ ଦାୟୀ ଋତୁ ଶୀତ,
ଦେଖାଇ ସ୍ୱରୂପ ଦେଇଗଲା କଷ୍ଟ
ମର୍ତ୍ତ୍ୟ ଜନେ ଅପ୍ରମିତ ।।
ପୌଷ ମାଘ ଅନ୍ତେ ଆସିଛି ଜଗତେ
ଋତୁ ମାନଙ୍କର ରାଜା,
ତା ସ୍ୱାଗତେ ଆଜି ସାରା ଜଗତରେ
ଚାଲିଅଛି ସାଜସଜ୍ଜା।।
ବନେ ଉପବନେ କୁସୁମର ହାଟ
ପରଭୃତ ର ଗୁଞ୍ଜନ,
ହେମାଳ ପବନ ଲଭି ଅପମାନ
ଫେରିଛି ନିଜ ଭୁବନ ।।
ଉତ୍ତରା ପବନ ଥମିଲା ବହନ
ଦକ୍ଷିଣ ଦିଗରୁ ବହେ,
ଋତୁରାଜଙ୍କ ର ଆସିବା ଖବର
ଧିରେ ଧିରେ କାନେ କହେ ।।
ପଳାଶ କୁସୁମ ଦିଶେ ଅନୁପମ
ବାଟେ ଘାଟେ ବିଲେ ବନେ,
ଶିମିଳି ମାଖିଛି ଅବିର ର ରଙ୍ଗ
ଚାରୁ ଦିଶେ ଅପଘନେ।।
ସୁରୁଚିର ଛବି ସର୍ବତ୍ର ବିରାଜି
ଅବନୀ ନବ ଯୌବନା,
ମଜ୍ଜି ପୁଷ୍ପଗଣେ ମଧୁ ଆକର୍ଷଣେ
ଅଳି ହୁଏ ଆନମନା ।।
ପାଦପ ସକଳ ପତ୍ର ଝଡ଼ା ଦେଲେ
ପଲ୍ଲବି ନୂତନ ଦଳ,
ରସାଳ ପାଦପେ ପେନ୍ଥା ପେନ୍ଥା ଝୁଲେ
ସୁନ୍ଦର ଆମ୍ବ ବଉଳ ।।
ମହକ ରେ ଭରି ଚଉଦିଗ ପୂରି
କବିଙ୍କୁ କରେ ଅଥୟ,
ଦଣ୍ଡେ ରହି ଯାଇ ଦେଖଇ ବାଟୋଇ
କ୍ଷଣେ ହୁଏ ଭାବମୟ ।।
ଚାଲିଯାଏ ଶୀତ ଆସଇ ବସନ୍ତ
ଶୀତ ଯେବେ ଯାଏ ସରି,
ବସନ୍ତ ପରଶେ କ୍ଷିତି ରାଣୀ ହସେ
ନବ ଉନ୍ମାଦନା ଧରି ।।
କୁସୁମ ସମ୍ଭାରେ ବସନ୍ତ ଆସଇ
ବସିଲା ସୁଷମା ହାଟ,
ପ୍ରକୃତି ରାଣୀ ଏ ନବ ବଧୂ ପ୍ରାୟେ
ପିନ୍ଧିଛି ଵର୍ଣ୍ଣାଳୀ ପାଟ ।।
ଷଡ଼ୠତୁ ମଧ୍ୟେ ବସନ୍ତ ଋତୁ ଟି
ୠତୁ ମାନଙ୍କର ସାର,
କ୍ଷିତିରେ ବସିଛି କୁସୁମର ମେଳା
ମୁଚୁକୁନ୍ଦ, କନିଅର ।।
କାମିନୀ,କାଞ୍ଚନ, ଯୁଇ, ଜାଈ, ମଲ୍ଲୀ
କରବୀର ଓ ମାଳତୀ,
ଦୁଦୁରା,ଅରଖ,ଟଗର,ମାଧବୀ
ଅପରାଜିତା,କେତକୀ ।।
ସୁରୁଚିର ଛବି ସର୍ବତ୍ର ବିରାଜି
ଅବନୀ ନବ ଯୌବନା,
ମଜ୍ଜି ପୁଷ୍ପ ଗଣେ ମଧୁ ଆକର୍ଷଣେ
ଅଳି ହୁଏ ଆନମନା ।।
ହୋଇ ମତୁଆଳି ଭ୍ରମୁଅଛି ଅଳି
ଆହା କେଡେ ମନ ଲୋଭା,
ଅପୂର୍ବ ପସରା ଚାରୁ ଚିତ୍ତଚୋରା
ପ୍ରକଟେ ବସନ୍ତ ବିଭା ।।
ଅଳି ପଦାଘାତେ ଵୃନ୍ତଚ୍ୟୁତ କେତେ
ବାତାଘାତେ ଝଡେ କିଛି,
ଆହା ଏ ସୌରଭ ଅପୂର୍ବ ବିଭବ
ମନ ନେତ୍ର ଆକର୍ଷିଛି ।।
ମହୁଲ ପାଦପ ତେଜି ପତ୍ରଚୟ
କୁଞ୍ଚ ଧରେ ଅଗ୍ର ଭାଗେ,
ହୋଇ ପ୍ରସ୍ଫୁଟିତ ଚୌଦିଗେ ପ୍ଲାବିତ
ଆପଣା ର ବାସ ରାଗେ। ।।
ଶାଳ ବଣେ ଭରା ଅପୂର୍ବ ପସରା
ଶୁଭ୍ର ପୁଷ୍ପ ସୁରୁଚିରା,
ସୂଚାଏ ବସନ୍ତ ସମ୍ରାଟ ଆଗତ
ଅପରୂପ ମନୋହରା ।।
ଲିମ୍ବ କରଞ୍ଜାଦି ପକ୍ବ ଦଳ ତେଜି
ନବଦଳେ ସୁସଜ୍ଜିତ ,
ପୁଷ୍ପ ସମ୍ଭାର ରେ ଜନ ମନ ହରେ
ମାନସ କରେ ମୋହିତ ।।
ଆମ୍ବ୍ର କୁଞ୍ଜେ ବସି ବସନ୍ତ ର ସାଥି
ପିକ ଗାଏ ପ୍ରୀତି ଗୀତି ,,
ଆହା ଏ ବିଭବ ଦୁଃଖ ପରାଭବ
ଗାଏ ମିଳନ ର ଗୀତି ।।
ହଳଦୀ ବସନ୍ତ ମନେ ଆନନ୍ଦିତ
ରଚିବ ନୀଡ଼ ନିଶ୍ଚୟ,,
ମାତୃତ୍ଵ ସୁଲଭେ ମାତୃତ୍ଵ ର ଲୋଭେ
ଧରୁ ନାହିଁ ଟିକେ ଥୟ ।।
ନବ ପଲ୍ଲବ ରେ ପୁଷ୍ପ ସମ୍ଭାରରେ
ହସୁଛି ପ୍ରକୃତି ଆଜି ,,
ଧିରେ ପ୍ରବାହିତ ମଳୟ ମରୁତ
ବସନ୍ତର ଦୂତ ସାଜି ।।
ନିର୍ମଳ ଆକାଶ ଶୁଷ୍କ ରାସ୍ତାଘାଟ
କ୍ଷୀଣ ତନୁ ତଟିନୀ ର ,
ବିକଶେ କମଳ ଜଳେ ଢଳଢଳ
ଦେଖି ନଭେ ଦିବାକର ।।
ହସେ କୁମୁଦିନୀ ଚନ୍ଦ୍ରମା ପରଶେ
ଶୀତ ର ବିଦାୟ ଜାଣି,
କୁହୁଡି କାକର ଶିଶିର ର ଦାଉ
ପରାଣ ନ ଦେବ ଝୁଣି ।।
ନାହିଁ ରୌଦ୍ରତାପ ବାଧେ ନାହିଁ ଶୀତ
ଚଞ୍ଚଳ ହୋଇଲା ତନୁ ,
ମକର କୁ ତେଜି ଅଳସ ବରଜି
ଉତ୍ତରେ ଚଳିଲେ ଭାନୁ ।।
ରାଧାକୃଷ୍ଣ ରାସ ରଙ୍ଗ ପିଚକାରୀ
ହୋଇବ ଖେଳ ଅବିର ,
ଜାଗର ଯାତରା ଶ୍ରୀ ରାମ ନବମୀ
ପାଳିତ ହେବ ବିଧିର ।।
ଋତୁରାଜ ବସନ୍ତ ହେଲେ ଉପଗତ
କି ବର୍ଣ୍ଣିବା କ୍ଷିତି ଶୋଭା,
କାଳି ଯିବ ସରି ବିତି ବିଭାବରୀ
ସରିବ କି ତାହା ଅବା !!
*****************
ବନାନୀ ବାଳା ନାଏକ, ସୁନ୍ଦରଗଡ଼