ଗାଁ ରେ ପ୍ରଭାତ
ଗାଁ ରେ ପ୍ରଭାତ
ବିଭାବରୀ ଅନ୍ତେ ଧରାରେ
ବିଜେ ପ୍ରଭାତ କାଳ,
ସିନ୍ଦୂରା ଫାଟିଲା ପ୍ରାଚୀରେ
ବିଜେ ତପନ ବାଳ ।।
ରଜନୀର କଳା ଓଢନୀ
ଧିରେ ଅପସାରିତ,
ଉଷା ଆଗମନେ ପରାଚୀ
ଗଗନ ସୁଶୋଭିତ ।।
ପ୍ରାଚୀ ଗଗନ ରେ ସତେ କେ
ବୁଣେ ରଙ୍ଗ ମୁରୁଜ,
ଧିରେ ଧିରେ ଉଇଁ ଆସନ୍ତି
ନଭେ ନବ ସୁରୁଜ ।।
ରାବିଲେ କୁକ୍କୁଟ କୁମ୍ଭାଟି
ପ୍ରଭାତ ହେଲା ଜାଣି,
ପ୍ରଭାତୀ ତାରକା ଗଗନେ
କାନ୍ଦେ ବିଦାୟ ଜାଣି ।।
କିଚିରି ମିଚିରି ଶବଦ
ଶୁଭୁଅଛି ପ୍ରଖର,
ଡେଣା ଝାଡି ବସା ଛାଡନ୍ତି
ପକ୍ଷୀଏ ଖରତର ।।
ଖାଦ୍ୟ ଅନ୍ୱେଷଣେ ଗମନ୍ତି
ଧାଡ଼ି ବାନ୍ଧି ଆକାଶେ,
ଚରା ସାରି ନୀଡେ ଫେରିବେ
ନିଜ ଶାବକ ପାଶେ ।।
ଧୀରେ ଧୀରେ ଉଇଁ ତପନ
ବୁଣିଲେ ସ୍ଵର୍ଣ୍ଣ ରେଣୁ,
ଡାମରା ରାବିଲା ମଥାନେ
ପ୍ରଭାତ ହେଲା ଯେଣୁ ।।
ଅଳସ ଭାଙ୍ଗିଲା ଧରଣୀ
ଯେବେ ହେଲା ପ୍ରଭାତ,
ଇନ୍ଦ୍ରପୁରୀ ଯେହ୍ନେ ଧରଣୀ
ହୋଇଲା ପ୍ରତିଭାତ ।।
ପଲ୍ଲୀ ବଧୂ ଉଠି ଦାଣ୍ଡରେ
ଦେଲେ ଗୋବର ପାଣି,
ଖରକା ଖରକି କରନ୍ତି
ପ୍ରଭାତ ହେବା କ୍ଷଣି ।।
ଦାନ୍ତ ଘଷାଘଷି କରନ୍ତି
ସର୍ବେ ପୋଖରୀ ତୁଠେ,
ପଲ୍ଲୀବଧୂ ସ୍ନାନ ସାରିଣ
ଚାଲେ ଗ୍ରାମର ବାଟେ ।।
କାଖେ ଜଳଭରା କଳସୀ
ଡାହାଣ କୁ ନଇଁଛି ,
ଚାଲନ୍ତେ ଅଧିରେ ଯତନେ
ଛିଟିକି ପଡ଼େ କିଛି ।।
ମନ୍ଦିରରୁ ଶୁଭେ ଓଁକାର
ଘଣ୍ଟ ଶଙ୍ଖ ର ଧ୍ଵନୀ,
ବେଦ ମନ୍ତ୍ର ହୁଏ ଧ୍ୱନିତ
ପ୍ରଭାତ ହେବା କ୍ଷଣି ।।
ତୁଳସୀକୁ ଜଳ ଦିଅନ୍ତି
ବଧୂଏ ଭକ୍ତି ମନେ,
ପରିବାର ଶୁଭ ମନାସୀ
ହସ୍ତ ଯୋଡ଼ି ପ୍ରଣମେ ।।
ଲଙ୍ଗଳ ସଜାଡ଼ି କୃଷକ
ଚଳେ ଆପଣା ବିଲେ,
ଗୁହାଳରୁ ଗୋରୁ ଫିଟିଣ
ବନକୁ ଚରି ଗଲେ ।।
ଆପଣା ଆପଣା କର୍ମ ରେ
ସର୍ବେ ଲାଗି ପଡ଼ିଲେ,
କର୍ମ ମୟ ଏହି ସଂସାର
ବିଶ୍ରାମ ନାହିଁ ତିଳେ ।।
କୁସୁମ ଫୁଟିଲେ କାନନେ
ବିତରିଲେ ସୁବାସ,
ନବ ରବି କର ଲଭିଣ
ସୁନ୍ଦର ହସ ହସ ।।
ସୁରଭି ବିତରି ମଳୟ
ବହୁଅଛି ସଧୀରେ,
ସୁସୁରି ବଜାଏ ପଲ୍ଲବ
ଦେହକୁ ଝାଡି ଧୀରେ ।।
ମହୁ ସଂଗ୍ରହ ରେ ଲାଗିଲେ
ମଧୁମକ୍ଷିକା ଗଣ,
ମଧୁ ଆକର୍ଷନ୍ତି ଯତନେ
ଗୁଣୁଗୁଣୁ ନିସ୍ଵନେ ।।
ପାଖୁଡ଼ା ମେଳିଲେ କମଳ
ପାଇ ରବି କିରଣ,
ଚନ୍ଦ୍ରମା କିରଣ ନ ପାଇ
କଇଁ ବୁଜେ ନୟନ ।।
ଜଳ, ସ୍ଥଳ ,ନଭ ,ଧରଣୀ
ଆହା କି ମନୋହର,
କି ସୁନ୍ଦର ଚିତ୍ରପଟ ଏ
ରଚିଦେଲେ ଈଶ୍ୱର ।।
ପ୍ରଭାତର ଶୋଭା ଅପୂର୍ବ
ଦେଖ ମରତପୁର,
ଛଳ ଛଳ ଚାରୁ ବିଭବ
ରଚିଛନ୍ତି ଈଶ୍ୱର ।।
ରବିକର ପାଇ ଧରଣୀ
ସୃଜେ ବର୍ଣ୍ଣିଳ ବିଭା,
ନ ସରେ ଲେଖିଲେ ପ୍ରଭାତ
କାଳ ପ୍ରକୃତି ଶୋଭା ।।