ବନ୍ଧୁ ମହାନ୍ତି
ବନ୍ଧୁ ମହାନ୍ତି
ଭକତ ଭାବରେ ବନ୍ଧା ମୋ କାଳିଆ
ଭକତର ଗଳା ମାଳି,
ଭକତ ନିମନ୍ତେ ସବୁ ଦୁଃଖ ସହେ
ଶୁଣେ ଭକତର ଗାଳି।।
ଭକ୍ତ ପାଦ ଚିହ୍ନ ବହେ ହୃଦୟରେ
ଭକ୍ତ ପାଇଁ ଅବତାର,
ଭକତ ଭାବରେ ବନ୍ଧା ହୋଇ ଅଛି
ସିଏ ମୋ କଳା ଠାକୁର ।।
ଯାଜପୁର ବାସୀ ବନ୍ଧୁ ମହାନ୍ତି ସେ
ପ୍ରିୟ ଭକ୍ତ କାଳିଆର,
ତାହାର ଦୁଃଖରେ ଲୁହ ଝରାଇଲେ
ଶୁଣିଲେ ଦୁଃଖ ତାହାର ।।
ଭିକ୍ଷା ବୃତ୍ତି କରି ପାଳଇ କୁଟୁମ୍ବ
ଲୟ ରଖି ପ୍ରଭୁ ପାଦେ,
ପତ୍ନୀ ପୁତ୍ର ସହ ଦିନ ଯାପୁଥାଏ
ଦୁଃଖେ ସୁଖେ ଅପ୍ରମାଦେ।।
ଅକାଳ ମରୁଡି ପଡ଼ିଥିଲା ଦେଶେ
ଭିକ୍ଷାର ହେଲା ଅଭାବ,
ଭୋକରେ ସଭିଏଁ ଡହଳ ବିକଳ
କିଏ ବା କାହାକୁ ଦେବ ??
ପ୍ରଭୁଙ୍କ ଦର୍ଶନ ଇଚ୍ଛା କରି ଦିନେ
ବନ୍ଧୁ ମହାନ୍ତି ଯେ ଗଲା,
ସପତ୍ନୀକ ଯାଇ ପିଲାପିଲି ନେଇ
ସିଂହଦ୍ଵାରେ ପହଞ୍ଚିଲା ।।
ମନ୍ଦିରେ ପହଡ଼ ପଡ଼ିଥିଲା ଯେଣୁ
ଅଟକିଲା ସିଂହ ଦ୍ୱାରେ,
କ୍ଷୁଧାରେ ଆତୁର ଜଳେ ଅନ୍ତ ତାର
ଦେଖିଲେ ପେଜ ନଳା ରେ ।।
ପେଟେ ପେଜ ପିଇ ମେଣ୍ଟାଇଲା ଶୋଷ
ପରିବାର ସଂଗତରେ,
ଭୂମିରେ ଗାମୁଛା ପାରି ଶୋଇଗଲେ
ପ୍ରଭୁଙ୍କର ପ୍ରତୀକ୍ଷାରେ ।।
ଭକତ ବାନ୍ଧବ ସେ କମଳାଧବ
ଜାଣିଲେ ଅନ୍ତର ଗତେ,
ସୁବର୍ଣ୍ଣ ଥାଳିରେ ଅନ୍ନ ଜଳ ନେଇ
ଗଲେ ଭକତ ଅଗ୍ରତେ ।।
ପଣ୍ଡା ବେଶ ଧରି ଅନ୍ନ ଦେଇଗଲେ
ବନ୍ଧୁ ମହାନ୍ତିର ହାତେ,
ଅନ୍ନ ଦେଇ ପ୍ରଭୁ ହେଲେ ଅନ୍ତର୍ଦ୍ଧାନ
ଶାନ୍ତି ଲଭି ହୃଦ ଗତେ।।
ଖାଇ ସାରି ଅନ୍ନ ପଣ୍ଡାକୁ ନ ପାଇ
ଥାଳି କୁ ଯତନେ ରଖି,
ଗହଳ ନିଦରେ ପରିବାର ସହ
ଶୋଇ ଗଲେ ନିଶି ଦେଖି ।।
ପ୍ରଭାତ ରୁ ତହୁଁ ଚହଳ ପଡ଼ିଲା
ରତ୍ନ ଥାଳି ଗଲା ହଜି,
ପେଜ ନଳା ଠାରୁ ମିଳିଲା ସେ ଥାଳି
ହେଲା ଯେବେ ଖୋଜା ଖୋଜି ।।
ଚୋର ଖଣ୍ଟ ଭାବି ବନ୍ଧୁ ମହାନ୍ତିଙ୍କୁ
ବନ୍ଦୀ କଲେ କାରାଗାରେ,
ଏ କି କଲ ପ୍ରଭୁ ବୋଲି କାନ୍ଦେ ଭକ୍ତ
ନୟନରୁ ଲୁହ ଝରେ ।।
ଭକ୍ତର ବିକଳ ସହି ନ ପାରିଲେ
ଭକତ ବାନ୍ଧବ ହରି,
ସ୍ୱପ୍ନାଦେଶ କରି ରାଜାଙ୍କୁ ସେ କଥା
କହିଲେ ବିସ୍ତାର କରି।।
ଗଜପତି ରାଜା ଭୁଲ୍ ବୁଝି ପାରି
ଗଲେ ଭକତଙ୍କ ପାଶେ,
ଧନ୍ୟ ଭକ୍ତ ଶ୍ରେଷ୍ଠ ହେ ବନ୍ଧୁ ମହାନ୍ତି
ଆସିଛି କ୍ଷମାର ଆଶେ ।।
ଅନ୍ନ ବସ୍ତ୍ର ଖଞ୍ଜି ବନ୍ଧୁ ମହାନ୍ତି ଙ୍କୁ
ନିଯୁକ୍ତ କଲେ ସେବାରେ,
ଭକ୍ତ ଙ୍କ ନାମରେ ଆଶ୍ରମ ତୋଳିଲେ
ସେହି ପେଜ ନଳା ଠାରେ ।।
ଧନ୍ୟ ଭକ୍ତ ଶ୍ରେଷ୍ଠ ଧନ୍ୟ ତୁମ୍ଭ ଭକ୍ତି
କାଳ କୁ କୀର୍ତ୍ତି ରଖିଲ,
ଜଗନ୍ନାଥଙ୍କ ର ଶ୍ରେଷ୍ଠ ଭକ୍ତ ଭାବେ
ଜଗା ଭକ୍ତ ବୋଲାଇଲ ।।