ଉତ୍କଳ ଗୌରବ
ଉତ୍କଳ ଗୌରବ
ଉତ୍କଳ କହିଲେ "ମଧୁ" ଙ୍କୁ ବୁଝାଏ
ଉତ୍କଳ ର ଗଉରବ,
ମଧୁବାବୁ ବିନା ଉତ୍କଳ ର ନାମ
କହିଲେ କି ଶୋଭା ଦେବ ?
ଯୋଗଜନ୍ମା ବୀର କଟକରେ ଘର
ସତ୍ୟଭାମା ପୁର ଗ୍ରାମେ,
ଦୈତ୍ୟାରୀ ଔରସେ ପାର୍ବତୀ ଗର୍ଭ ରୁ
ଜାତ ହେଲେ ଶୁଭକ୍ଷଣେ ।।
ଅଷ୍ଟାଦଶ ଶହ ଅଠଚାଳିଶ ରେ
କୋଡିଏ ତାରିଖ ଦିନ,
ଉତ୍କଳ ଆକାଶେ ପ୍ରତିଭାତ ହେଲେ
ତେଜୋଦୀପ୍ତ ତାରା ସମ ।।
ଓଡ଼ିଶା ମାଟିର ମୂଲ୍ୟବାନ ହୀରା
ଗୋବିନ୍ଦ ବଲ୍ଲଭ ନାମ,
ଖ୍ରୀଷ୍ଟିୟାନ ଧର୍ମ ରେ ଦୀକ୍ଷିତ ହେବାରୁ
ନାମଟି ମଧୁସୂଦନ ।।
ଏକାଧିକ ନାମେ ବିଖ୍ୟାତ ଅଟନ୍ତି
ତାଙ୍କୁ ବା ନ ଜାଣେ କିଏ ?
ନବ ଉତ୍କଳ ର ପ୍ରାଣ ପ୍ରତିଷ୍ଠାତା
ମଧୁ ବାରିଷ୍ଟର ସିଏ ।।
"ମଧୁବାବୁ", "କୁଳବୁଦ୍ଧ" ନାମେ ପୁଣି
"ମଧୁସୂଦନ" ରେ ଖ୍ୟାତ,
ପ୍ରଥମ ଓକିଲ, ସାରା ଓଡ଼ିଶାରୁ
ପ୍ରଥମେ ଗଲେ ବିଲାତ ।।
ବିଚକ୍ଷଣ ବୁଦ୍ଧି ଅସୀମ ସାହସ
ଧୈର୍ଯ୍ୟ ଶକ୍ତି ବଳିଆର,
ଓଡ଼ିଆ ଭାଷା ଭାଷୀ ଅଞ୍ଚଳ କୁ
କଲେ ସିଏ ଏକାକାର ।।
ତାଙ୍କରି ଚେଷ୍ଟା ରେ ଉତ୍କଳ ଭୂମିର
ରୂପରେଖ ମନୋହର,
ସାରା ଭାରତରେ ମହୋଦଧି ତୀରେ
ଉତ୍କଳ ରାଜ୍ୟ ସୁନ୍ଦର ।।
ମନରେ ଓଡ଼ିଆ କର୍ମରେ ଓଡ଼ିଆ
ଓଡ଼ିଶା ରେ ତାଙ୍କ ଘର,
କୋଟି ଓଡ଼ିଆ ଙ୍କ ନମସ୍ୟ ଅଟନ୍ତି
ସେହି ମଧୁ ବାରିଷ୍ଟର ।।
ନୂଆ ରୂପ ଦେଲେ ଓଡ଼ିଶା ମାଟି କୁ
ପ୍ରାଣ ପଣେ ଚେଷ୍ଟା କରି,
ଜାତି ସମ୍ମିଳନୀ କରିଥିଲେ ଦମ୍ଭେ
ନାନା ବାଧା ବିଘ୍ନ ବରି ।।
ଯୋଗଜନ୍ମା ବୀର ଜାତି କର୍ଣ୍ଣଧାର
ଜାତି ପ୍ରୀତି ହୃଦେ ବହେ,
ତାଙ୍କରି ଜୀବନୀ ଉତ୍କଳ କାହାଣୀ
ଗୌରବ ଗାରିମା କହେ ।।
ଏକାଧାରେ ଥିଲେ ସୁଲେଖକ କବି
ଆଇନଜୀବି ବିଚକ୍ଷଣ,
ଉତ୍କଳର ପାଇଁ ସର୍ବଦା ଚେଷ୍ଟିତ
ଥିଲା ତାଙ୍କ ମନପ୍ରାଣ ।।
ତେଜଭରା ତାଙ୍କ ଉଦବୋଧନ ଗୀତେ
ଜାଗିଲେ ଉତ୍କଳବାସୀ,
ଜାତି ସମ୍ମିଳନୀ ଅଗାଧ ସିନ୍ଧୁରେ
ବିନ୍ଦୁ ସମ ହେଲେ ଝାସି ।।
ହସ୍ତେ ଧରି ଜାତି ନନ୍ଦିଘୋଷ ଡୋର
ସାଜିଥିଲେ ବାସୁଦେବ,
ସାରା ଉତ୍କଳ ର ଜାତି କର୍ଣ୍ଣଧାର
ତାଙ୍କ ପରି କିଏ ହେବ ??
ଯେତେ ଦିନ ଯାଏ ଉତ୍କଳ ର ନାମ
ରହିଥିବ ଧରିତ୍ରୀ ରେ,
ଗୌରବ ମଣ୍ଡିତ ମଧୁବାବୁ ନାମ
ଲିପିବଦ୍ଧ ସ୍ବର୍ଣ୍ଣାକ୍ଷରେ ।।
ଉତ୍କଳ ମାଟିର ପ୍ରତି ଧୂଳିକଣା
ଉଚ୍ଚାରେ ତାଙ୍କରି ନାମ,
ଯେତେ ଲେଖୁଥିଲେ କମ୍ ପଡ଼ିଯାଏ
ତାଙ୍କ କୀର୍ତ୍ତି ମହୀୟାନ ।।
ସଦା ଭାସ୍ଵରିତ ତାଙ୍କ ଗୁଣରାଜି
ରହିଥିବ ଅମଳାନ,
ଚିରଞ୍ଜିବୀ ଆତ୍ମା ଉତ୍କଳ ଆକାଶେ
ଧନ୍ୟ ସେ ମଧୁସୂଦନ ।।