ପଖାଳ କଂସା
ପଖାଳ କଂସା
ପଖାଳ କଂସାରେ ପ୍ରାଣ ଅଟକିଛି
ଓଡ଼ିଆ ଜାତିର ସହୀ,
ଆତ୍ମା ପରିତୃପ୍ତ ହୋଇ ଯାଏ ସତେ
ତୋରାଣି ମୁନ୍ଦିଏ ପିଇ ।।
ଯେତେ ତୃପ୍ତି ମିଳେ ପଖାଳ କଂସାରେ
ଆଉ କେଉଁଥିରେ ନାହିଁ,
ଛଣା ଛଣି ଖାଦ୍ୟ ଯେତେ ଦାମିକିଆ
ପଖାଳକୁ ସରି କାହିଁ ??
ବାସି ପଖାଳକୁ ଲଙ୍କା ପିଆଜ ଲୋ
ଆହା କେଡେ ତୃପ୍ତିକର,
ବଡି ଚୁରା କିବା ବାଇଗଣ ପୋଡ଼ା
ଦେହ ପାଇଁ ହିତକର ।।
ବାସି ପଖାଳର ସୁଆଦ ନିଆରା
ମହମହ ବାସୁଥାଏ,
ପଖାଳ କଂସାକୁ ଦେଖି ଦେଲେ ଥରେ
ଭୋକ ଆଉ ବଢ଼ି ଯାଏ ।।
ଯେତେ ଖାଉଥିଲେ ମନ ଭରେ ନାହିଁ
ସତେ କି ଅମୃତ ଭରା,
ପେଟେ ଖାଇଦେଲେ ଦିନଟା ନିଶ୍ଚିନ୍ତ
ବାଧେ ନାହିଁ ଗ୍ରୀଷ୍ମ ଖରା।।
ଓଡ଼ିଆଙ୍କ ପ୍ରାଣ କାଳିଆ ଠାକୁର
ଭୋଗରେ ଲାଗେ ପଖାଳ,
ପଖାଳକୁ ଯିଏ କରେ ହତାଦର
ନିଶ୍ଚେ ସେ ପୋଡ଼ା କପାଳ ।।
ଖରାଦିନ ପାଇଁ ଅତି ଉପାଦେୟ
ଦେହକୁ ରଖଇ ଭଲ,
ଅଂଶୁଘାତ ଠାରୁ ରକ୍ଷା କରେ ପରା
ଆମର ପ୍ରିୟ ପଖାଳ ।।
ସ୍ଵାଦରେ ଯେପରି ଗୁଣରେ ସେପରି
ସି "ଭିଟାମିନ ଭରା,
ଅନେକ ରୋଗରୁ ରକ୍ଷା କରେ ସିଏ
ଶ୍ଵେତ ସାରେ ଅଛି ପୂରା।।
ବିଦେଶରେ ଏବେ ଆଦୃତ ହେଲାଣି
ପଖାଳ କଂସା ଆମର,
କରୋନା ଭୁତାଣୁ ନାଶକ ଅଟଇ
ଖାଦ୍ୟସାର ଭରପୁର ।।
ଶକତି ଦିଅଇ ମନକୁ ଭରଇ
ଦେହକୁ ଦିଅଇ ବଳ,
ଧନୀ କି ଗରୀବ ସଭିଙ୍କର ପ୍ରିୟ
ଅଟଇ ବାସି ପଖାଳ ।।
ପ୍ରଭୁଙ୍କ ପ୍ରସାଦ ଟଙ୍କ ତୋରାଣି ରେ
ପାପୀ ପାଇଯାଏ ମୁକ୍ତି,
ପଖାଳ କଂସାରେ ଓଡ଼ିଆଙ୍କ ଆସ୍ଥା
ଭୋଜନେ ପରମ ତୃପ୍ତି ।।