ଭଗବତୀ ଭାରତୀ ଦେବୀ ନମସ୍ତେ
ଭଗବତୀ ଭାରତୀ ଦେବୀ ନମସ୍ତେ
ଅଇଳ ସରସ୍ଵତୀ ଆନନ୍ଦ ମନେ
ରତନ ବିଭୂଷିତ କୁଣ୍ଡଳ କର୍ଣ
ଜୟ ମାତା ସରସ୍ଵତୀ ତୁ ହଂସ ବାହିନୀ,
ପ୍ରସନ୍ନ ବଦନୀ ମାଗୋ ବିଦ୍ୟା ପ୍ରଦାୟିନୀ ।।
ଜୟ ଜୟ ବିଧି ସୁତା ବିଷ୍ଣୁ ଙ୍କ ଘରଣୀ,
କମଳ ନୟନୀ ମାତା କମଳ ବାସିନୀ ।।
ବୀଣା ପୁସ୍ତକ ଧାରିଣୀ ଗୋ ଜ୍ଞାନ ଦାୟିନୀ,
ଅଜ୍ଞାନ ତିମିରେ ମାଗୋ ଆଲୋକ ଦାୟିନୀ ।।
ତୋର ଦୟା ବଳେ ମୂର୍ଖ ହୁଅଇ ପଣ୍ଡିତ,
ତୋର ଦୟା ବଳେ ମାତା ମୁକ ଗାଏ ଗୀତ ।।
ସାତ ଜନ୍ମ ମୂରୁଖ ଯେ କାଳିଦାସ ଥିଲେ,
ତୋତେ ସୁମରଣା କରି ପଣ୍ଡିତ ହୋଇଲେ ।।
ତୋ କରୁଣା ଊଣା ହେଲେ ନ ଚାଲେ ଲେଖନୀ,
ଜୟ ଜୟ ସରସ୍ଵତୀ ବରଦା ଭବାନୀ ।।
ଶ୍ଵେତ ପଦ୍ମାସନୀ ମାତା ପୁସ୍ତକ ଧାରିଣୀ,
ବୀଣା ରେ ଝଙ୍କୃତ ସଦା ସଙ୍ଗୀତ ରାଗିଣୀ ।।
ଜୟ ମାତା ବିଦ୍ୟାଦାତ୍ରୀ ଜୟ ବୀଣାପାଣି,
ଜ୍ଞାନ ଠାକୁରାଣୀ ମାଗୋ ପୁସ୍ତକ ଧାରିଣୀ ।।
କମଳ ନୟନୀ ମାଗୋ ତୁ ହଂସ ବାହିନୀ,
ଜୟ ମାତା ବିଦ୍ୟାଦାତ୍ରୀ କମଳ ବାସିନୀ ।।
ସ୍ଫଟିକ ମାଳା ଧାରିଣୀ ଜୟ ମା ବରଦା,
ଦୟା କରିଥିବୁ ମାତା ସନ୍ତାନେ ସର୍ବଦା ।।
ଶ୍ଵେତ ପଦ୍ମ ନିବାସିନୀ ଜୟ ମାଗୋ ବାଣୀ,
ଶୁକ୍ଳାମ୍ବରୀ,ବିଷ୍ଣୁ ଜାୟା ବ୍ରହ୍ମା ଙ୍କ ନନ୍ଦିନୀ ।।
ତୋର ଦୟା ବଳେ ମୂର୍ଖ ହୁଅଇ ପଣ୍ଡିତ,
ତୁହି କୋପ କଲେ ହୁଏ ମୂର୍ଖ ରେ ବିଦିତ ।।
କୃପା ନୟନରେ କାଳିଦାସ କୁ ଦେଖିଲୁ,
ଜ୍ଞାନର ଭଣ୍ଡାର ତାକୁ ଦୟା କରି ଦେଲୁ ।।
ଏଡ଼େ ବଡ଼ ମୂର୍ଖ କ୍ଷଣେ ହୋଇଲା ପଣ୍ଡିତ,
ନବରତ୍ନ ପଣ୍ଡିତ ରେ ହୋଇଲା ବିଖ୍ୟାତ ।।
ତୋର ଦୟା ବଳେ ମୋର ଲେଖନୀ ଚାଲଇ,
ଲେଖନୀ ମୂନରେ ମାତା ସଦା ଥିବୁ ରହି ।।
କଣ୍ଠ ଦେଶେ ବସି ମାତା ବିଦ୍ୟା ଦେବୁ କହି,
ତୋର କୃପା ବିନା କିଛି ଲେଖି ନ ପାରଇ ।।
ବୀଣା ର ଝଙ୍କାରେ ମାତା ଥାଉ ସରସ୍ଵତୀ,
ଗୀତର ମୂର୍ଚ୍ଛନା ନୋହି ତୋ ବିନା ଭାରତୀ ।।
କବି ର କଣ୍ଠ ରେ ବସି ରାଗ ଦେଉ ତୋଳି,
ପଣ୍ଡିତ ଜିହ୍ୱାଗ୍ରେ ବସି ଭାଷା ଦେଉ ବୋଲି ।।
ନୃତ୍ୟ,ଗୀତ,ସ୍ୱର,ଲୟ,ସଙ୍ଗୀତ ମୂର୍ଚ୍ଛନା,
ଅସମ୍ଭବ ସବୁ କିଛି ତୋର ଦୟା ବିନା ।।
ସୁଭାଷିନୀ,ସୁହାସିନୀ, ମାଗୋ ସୁକେଶିନୀ,
ଜ୍ଞାନଦା,ବରଦା ମାତା ଜୟ ମା କଲ୍ୟାଣୀ ।।