ଛତ୍ରପତି ଶିବାଜୀ
ଛତ୍ରପତି ଶିବାଜୀ
ମାଟିର ମଣିଷ ମାଟିରେ ମିଶଇ
ଯଶ ରହେ ମହୀତଳେ,
କୀରତି କୁସୁମ ବାସନା ଛୁଟାଇ
ବଞ୍ଚି ରହେ କାଳେ କାଳେ ।।
ଲେଖିଯାଏ କୀର୍ତ୍ତି ଅଲିଭା ଅକ୍ଷରେ
କାଳର ଚଟାଣ ପରେ,
ଭାସ୍ଵରିତ ରହେ ଅମର କୀରତି
ସ୍ୱର୍ଣ୍ଣମୟ ଅଧ୍ୟାୟରେ ।।
ଦୈଦୀପ୍ୟମାନ ସେ କୀରତି ପ୍ରଦୀପ
ପ୍ରକାଶଇ ମହାଜ୍ୟୋତି,
ଜନମ ଭୂମିର ମୁକତି ମଶାଲ
ଜାଳିଲା ଯେ ମହାମତି ।।
ବୀରତ୍ଵ, ଗାରୀମା , ସୁଦକ୍ଷ ଶାସନ
ନ୍ୟାୟ ନୀତି ବିଶାରଦ,
ଭାରତ ମାତାର ସୁଯୋଗ୍ୟ ସନ୍ତାନ
ମାତାଙ୍କ ବୀର ଦାୟାଦ ।।
ମାତା ଜିଜାବାଈ ଜନକ ସାହାଜୀ
ଗୃହକୁ ମଣ୍ଡନ କରି,
ଷୋଳ ଶ" ତିରିଶ ଥିଲା ସମ୍ମତ୍ସର
ମାସ ଥିଲା ଫେବୃୟାରୀ ।।
ମହାରାଷ୍ଟ୍ର ରାଜ୍ୟ ପୁନେ ସହରରେ
ବୀର ସୁତ ଜନ୍ମହେଲେ ,
ଶୁଭ କ୍ଷଣେ ଜନ୍ମି ଜନନୀ କୋଳରେ
କୁଆଁ କୁଆଁ ଡାକ ଦେଲେ ।।
ମାତା ଜିଜାଙ୍କ ର ପାଶେ କଟିଥିଲା
ଶୈଶବ ଓ ବାଲ୍ୟ କାଳ,
ଶୈଶବ କାଳ ରୁ ବିଚକ୍ଷଣ ବୁଦ୍ଧି
ଚପଳ ମତି ଚଞ୍ଚଳ ।।
ମାତା କୋଳେ ରହି ଶୁଣୁଥିଲେ ନିତ୍ୟ
ବୀର, ବୀରାଙ୍ଗନା କଥା,
କାହାଣୀ ଶ୍ରବଣେ ପ୍ରଭାବ ଜୀବନେ
ଉଚ୍ଚ ହେଲା ତାଙ୍କ ମଥା ।।
ନୀତି ବିଶାରଦ କୁଶଳୀ ଶାସକ
ସମର କୁଶଳୀ ବୀର,
ଶକ୍ତି ସାହସ ରେ କଲେ ରାଜ୍ୟ ଜୟ
ବୟସ ମାତ୍ର ପନ୍ଦର ।।
କରି ରାଜ୍ୟ ଜୟ ରଖି ଦେଶ ଟେକ
ବୋଲାଇଲେ ଛତ୍ରପତି,
ଜନମ ଭୂମିର ମୁକତି ମଶାଲ
ଜାଳି ଦେଲେ ମହାମତି।।
ଯୁଦ୍ଧରେ ଅଶୋକ ସମ ବୀରଶ୍ରେଷ୍ଠ
ନୀତିରେ ଚାଣକ୍ୟ ସମ,
କୂଟନୀତି ,ରାଜନୀତି ,ଯୁଦ୍ଧନୀତି
ସବୁଥିରେ ପାରଙ୍ଗମ ।।
ରାମଦାସ ଥିଲେ ତାଙ୍କ ବିଦ୍ୟାଗୁରୁ
ତାଙ୍କ ଆଦେଶାନୁସାରେ,
ଧରି ଭିକ୍ଷା ଝୁଲି ମାଗି ବୁଲିବୁଲି
ଗ୍ରାମେ ଗ୍ରାମେ ଦ୍ୱାରେ ଦ୍ୱାରେ ।।
ମାଗି ସେ ଭିକ୍ଷା ଲଭୁଥିଲେ ଶିକ୍ଷା
ମନୁ ତେଜି ଅଭିମାନ,
ଦେଖାଇଲେ ନିଷ୍ଠା ଭକ୍ତି ପରାକାଷ୍ଠା
ଶିଷ୍ୟ ମଧ୍ୟେ ସେ ମହାନ ।।
ଷୋହଳ ଶ" ଅଶୀ ଏପ୍ରିଲ ତିନିରେ
ପଚାଶ ବର୍ଷ ଆୟୁରେ,
କଲେ ପ୍ରାଣତ୍ୟାଗ ସେ ବୀର ପୁଙ୍ଗବ
ଆମାଶୟର ବ୍ୟାଧି ରେ ।।
ବିରଳ ବ୍ୟକ୍ତିତ୍ବ ଦେଶରେ ସେ ବୀର
ଯଶୋ ଦେହେ ସେ ଅମର,
ଶିବାଜୀଙ୍କ ନାମ ଗୁଞ୍ଜରିତ ସଦା
ବୀର ମଧ୍ୟେ ଶ୍ରେଷ୍ଠବୀର ।।
ରହିଛି ରହିବ ରହିଥିବ ପୁଣି
ଶିବାଜୀଙ୍କ ବୀର ଗାଥା,
ସୃଷ୍ଟି ଥିବା ଯାଏ ବଞ୍ଚି ରହିଥିବ
ତାଙ୍କର ଅମର କଥା ।।