ଯାଜ୍ଞସେନୀଙ୍କ କ୍ଳେଶ
ଯାଜ୍ଞସେନୀଙ୍କ କ୍ଳେଶ
ଯାଜ୍ଞସେନୀଙ୍କ କ୍ଲେଶ
===================================
ପାଣ୍ଡବ ମାନଙ୍କର ଅଜ୍ଞାତବାସ ଶେଷ ହେବା ପରେ ଅଭିମନ୍ୟୁ ସହିତ ବିରାଟ ରାଜକନ୍ୟା ଉତ୍ତରାର ବିବାହ ସମ୍ପନ୍ନ ହେଲା। ବିରାଟ ରାଜ୍ୟର ଉପପ୍ଳାବ୍ୟ ନଗରୀରେ ପାଣ୍ଡବ ଏବଂ ସେମାନଙ୍କ ସହାୟକ ଶକ୍ତି ଏକତ୍ରିତ ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ଆଲୋଚନାରେ ମଗ୍ନ ହେଲେ। ଶ୍ରୀକୃଷ୍ଣଙ୍କୁ କୌରବ ଦରବାରକୁ ଶାନ୍ତି ଦୂତ ଭାବରେ ପଠାଇବା ପାଇଁ ସେହି ସଭାରେ ସ୍ଥିର କରାଗଲା।କିନ୍ତୁ ଯାଜ୍ଞସେନୀ ଶାନ୍ତି ସପକ୍ଷରେ ନଥିଲେ। ଯେଉଁ କୌରବମାନେ କୁରୁ ସଭା ତଳେ ତାଙ୍କର ବସ୍ତ୍ର ହରଣ କରିବା ପ୍ରୟାସ କରିଥିଲେ, ଯେଉଁ ପିତା/ପିତାମହ ମାନେ ଏହି ନଗ୍ନ ପ୍ରୟାସକୁ ମନଭରି ଉପଭୋଗ କରିଥିଲେ କିପରି ସେମାନଙ୍କୁ ସେ ଏତେ ସହଜରେ କ୍ଷମା ଦେଇପାରନ୍ତେ !!
===================================
କନ୍ୟାଦାନ କଲେ ବିରାଟ ଦେଇ ବିପୁଳ ଧନ,
ମହୋତ୍ସବ ପରେ ଫେରିଲେ ବର କନ୍ୟା ସଦନ।
ଉପପ୍ଲାବ୍ୟ ନଗ୍ରେ ଡକାଇ ଏକ ଚିନ୍ତନ ସଭା,
ଧର୍ମରାଜ କଲେ ଜିଞ୍ଜାସା "କେଉଁ ମାର୍ଗ ବାଛିବା?"
ଉପସ୍ଥିତ ଥିଲେ ସଭାରେ କାଶୀ,ଶୈବ ରାଜନ,
ବିରାଟ ନରେଶ,ପାଞ୍ଚାଳ ଆବର ଧୃଷ୍ଟଦ୍ୟୁମ୍ନ।
ବଳରାମ ସଙ୍ଗେ ଶ୍ରୀକୃଷ୍ଣ,ଥିଲେ ସାତ୍ୟକି ପୁଣି,
ପଣ୍ଡୁ ପଞ୍ଚପୁତ୍ର ସହିତେ ଥିଲେ ଦ୍ରୌପଦୀ ରାଣୀ।
ସଭାଗୃହ ଏକ କୋଣରେ ଥିଲେ କୃଷ୍ଣା ସୁନ୍ଦରୀ,
ଆଖିରୁ ଆଖିଏ ଯନ୍ତ୍ରଣା ଲୁହ ପଡଇ ଝରି।
ହସିଦେଇ ଚକ୍ରୀ ବୋଲନ୍ତି"ଅୟୀ କୃଷ୍ଣା କଲ୍ୟାଣୀ"
ଦ୍ରୌପଦୀ ବୋଇଲେ ପ୍ରଭୁହେ! ଦୁଃଖ ବଳିଗଲାଣି।
ନଜାଣ କି ପ୍ରଭୁ ଦୁଃଖିନୀ ଅନ୍ତରର ବେଦନା
ଆଉ କେତେ ଦିନ ସହିବ ଗ୍ଳାନି ଏ ଭାଗ୍ୟହୀନା?
ରଜସ୍ବଳା ହୋଇ ଥିଲି ମୁଁ ବସି ଏକ ବସ୍ତ୍ରରେ,
ବଳେ ଦୁଃଶାସନ ଝିଙ୍କିଲା ବାଳ ହିଂସ୍ର କ୍ଷୁଧାରେ।
ଘୋଷାରି ନେଇ ସେ ହସ୍ତିନା ସଭାତଳେ ଫିଙ୍ଗିଲା,
ଗୁରୁ,ଗୁରୁଜନ ସମୀପେ ଅଙ୍ଗ ବସ୍ତ୍ର ଝିଙ୍କିଲା ।
ଜାଣିଲି ସେଦିନ ଯେ ନାମ ମାତ୍ର ମୋ ସ୍ବାମୀଗଣ
କୁରୁ ସଭାରେ ମୋ ସତୀତ୍ବ କରିଥିଲେ ନିଲାମ।
ନଂପୁସକ ସମ ମୁଖକୁ ପୋତି ଥିଲେ ସେ ବସି,
ଯେବେ ମୋ ଯୌବନ ଦର୍ଶନେ ଦୁଷ୍ଟେ ହେଲେ ପ୍ରୟାସୀ।
ଭୀଷ୍ମ,ଦ୍ରୋଣ,କୃପ ସହିତେ ଜ୍ଞାନଶ୍ରେଷ୍ଠ ବିଦୂର,
କ୍ଲୀବତ୍ବକୁ ଲଭି ଦେଖିଲେ ଅବଳା ଅତ୍ୟାଚାର।
ଜାଣିଲି ସେଦିନ ପ୍ରଭୁ ହେ ପଣ୍ୟ ଦ୍ରବ୍ୟ ସମାନ,
ବିପଣୀରେ ହୁଏ ନିଲାମ ଅବଳାର ସମ୍ମାନ।
ପରିଣୟ ଅନ୍ତେ ସତେକି ନାରୀ ସ୍ବାଧୀନ ହୀନା ?,
ପୁରୁଷର ଶଜ୍ୟାସଙ୍ଗିନୀ ତା'ର ହସ୍ତ- ଖେଳନା।
ବସ୍ତ୍ରଦାନେ ମୋର ସମ୍ମାନ ତୁମ୍ଭେ ରଖିଲ ହରି,
କେତେ ଦିନ ମୁକ୍ତ କେଶ ମୋ ରହିଥିବ ମୁରାରୀ?
କେତେ ଦିନ ଆଉ କାନ୍ଦିବି ମୁହିଁ ରକ୍ତର ଲୁହ?
କେତେଦିନେ ମୋର ମେଣ୍ଟିବ ପ୍ରଭୁ ବୁକୁର କୋହ?
ମନେପଡେ ଯେବେ ପାପିଷ୍ଠ ଦେହ ଛୁଇଁଲା ମୋର
ପୁତିଗନ୍ଧମୟ ଲାଗିଲା ଘୃଣିତ ମୋ ଶରୀର।
ଭୟେ ଲୋମକୂପ ଶିହରୀ ଉଠେ ପଡିଲେ ମନେ,
ଏବେବି ଶୁଭୁଛି ପାପାତ୍ମା ଅଟ୍ଟହାସ ମୋ କାନେ।
ଏବେବି ଶୁଭୁଛି ଅନ୍ଧ ପୁତ୍ରର ନିର୍ଲଜ ରୋଳ,
ଜଙ୍ଘ ପିଟି ଯେବେ ଡାକିଲା ବସିବାକୁ ତା କୋଳ।
ରାଜକନ୍ୟା ହୋଇ ବୁଲୁଛି ଆଜି ଅରଣ୍ୟ ପ୍ରାନ୍ତେ,
କି ଲାଭ ଏପରି ପତିଏ ଥାଇ ମୋହରି ସାଥେ?
ଦୁଃଶା ରକ୍ତେ ବେଣୀ ବାନ୍ଧିବି,ପ୍ରଭୁ କର ଉପାୟ,
ତୁମ୍ଭେ ମୋର ଶେଷ ଭରସା ବସୁଦେବ ତନୟ।
ଶୁଣି ହସି ହସି ବୋଲନ୍ତି କୃଷ୍ଣ "ଶୁଣ କଲ୍ୟାଣୀ,
ମନୁ ତେଜ ବ୍ୟଥା ବହୁତ ଦୁଃଖ ଭୋଗ କଲଣି।
ଦେଖ କାଳରାତ୍ରି ବିତିଛି, ଉଦେ ସୂର୍ଯ୍ୟ ନୂତନ,
ଅଧର୍ମ ହୋଇବ ବିନାଶ ଧର୍ମ ହେବ ସ୍ଥାପନ।
ସେହି ଧର୍ମ ସଂସ୍ଥାପନାରେ ତୁମ୍ଭେ ମୋର ସହାୟ,
ସବୁ ଚିନ୍ତା ତେଜ କଲ୍ୟାଣୀ କରୁଛି ମୁଁ ଉପାୟ।