ଯାଦୁଗର
ଯାଦୁଗର
କିଏ ସେ କଲା
କେମିତି କଲା
କାହିଁକି ଅବା କଲା
ନୀଳ ଆକାଶେ
ସୁରୁଜ ତାରା
ଜହ୍ନକୁ ଖଞ୍ଜି ଦେଲା l
ପ୍ରତି ପ୍ରଭାତେ
ସୁରୁଜ ଆସେ
କିରଣ ଦିଏ ବିଞ୍ଚି,
ରାତି ଆସିଲେ
ଜହ୍ନ ମାମୁଁଟି
ଜୋଛନା ଦିଏ ସିଞ୍ଚି l
ଜାତି ଜାତିକା
ଫୁଲ ଫଳରେ
ଗଛରେ ଭରିଦେଲା
ରସ ରସିଆ
ମିଠା ଫଳରେ
ମନକୁ ମୋହି ନେଲା l
ପରଜାପତି
ତରକା ଅତି
ଫୁଲରେ ବସି ଝୁଲେ
ମହୁମାଛିଟି
ମଧୁର ସୁରେ
ମଧୁ ସନ୍ଧାନେ ବୁଲେ l
ନାନା ରକମ
ପଶୁ ପକ୍ଷୀରେ
ସୁନ୍ଦର ଦିଶେ ବନ
ମୟୁର ବଣି
ଶୁଆ ସାରି ଓ
କୋଇଲି କୁହୁ ତାନ l
କାଉ ତ କଳା
କୋଇଲି କଳା
କଜଳପାତି କଳା
ବତକ ଧଳା
ବଗ ବି ଧଳା
ରାଜହଂସ ବି ଧଳା l
ଜିରାଫ ଜେବ୍ରା
ହରିଣ ମୃଗ
କେଡେ ସୁନ୍ଦର ସତେ
ଆଙ୍କିଛି କିଏ
ରଙ୍ଗ ତୁଳୀ ରେ
ସୁନ୍ଦର ଫୁଲ ଯେତେ l
ବାଘ ମାମୁଁ ତ
ବଣର ରାଜା
ସଭିଏଁ ପ୍ରଜା ତାର
ଆମିଷ ବିନା
ରୂଚେନା କିଛି
କାହାକୁ ନାହିଁ ଡର l
ଋତୁ ସମୂହ
ଆସନ୍ତି ଧୀରେ
ଛନ୍ଦି ହାତକୁ ହାତ
ଗ୍ରୀଷ୍ମ ବରଷା
ଶରତ ହେମନ୍ତ
ଶୀତ ଆଉ ବସନ୍ତ l
ଆବର୍ତ୍ତନ ଓ
ପରିକ୍ରମଣ
ଋତୁ ଚକ୍ରର କଥା
ଦିବସ ଯାଇ
ରଜନୀ ହୁଏ
ପ୍ରକୃତି ନୀତି କଥା l
କେଡେ ସୁନ୍ଦର
ଆମରି ଧରା
ମମତାମୟୀ ସିଏ
ସେବାରେ ତାର
ଜୀବନ ଦେବା
ଯେଉଁଠି ଥାଏ ଯିଏ ।