ଉତ୍ତର ପାଇନଥିବା ପ୍ରଶ୍ନ
ଉତ୍ତର ପାଇନଥିବା ପ୍ରଶ୍ନ
ଏବେବି ଉତ୍ତର ପାଇନଥିବା ପ୍ରଶ୍ନ
ପିଲାଟିକୁ ବିଚଳିତ କରୁଛି
ଆକାଶ କାହିଁକି ନେଳି ରଙ୍ଗ ନେଲା
ସୂର୍ଯ୍ୟ ଅଂଶୁଘାତରେ ମାରନ୍ତି କାହିଁକି?
ଚନ୍ଦ୍ର ଏକ ଗ୍ରହ ନା ଜହ୍ନମାମୁଁ
ପୁଣି ବୁଝିପାରେନା ପିଲାଟି
କାହାକୁ ପଚାରିବ ମାଆ ତାର କାନ୍ଦେ କାହିଁକି
ବାପା ଏତେ ଉଦାସ କାହିଁକି
ସେ ନିଜେ ହସେ କାହିଁକି
ପଶୁମାନଙ୍କର ଘର କେଉଁଠି
ପକ୍ଷୀ ଏତେ ସୁନ୍ଦର କେମିତି
ନଈରେ ପାଣି ଗଛରେ ଫଳ ଆସେ କୋଉଠୁ
ଏମିତି ଅନେକ ପ୍ରଶ୍ନରେ ଜଡସଡ଼ ହେଉଥିବା ଶିଶୁକୁ
ବାପା କହନ୍ତି ପଢିଲେ ଜାଣିବୁ
ମାଆ କହେ ବେଗି ବେଗି ବଡ଼ ହେଇଯା
ପ୍ରଶ୍ନ ମାନେ ଶୁଆଇ ଦିଅନ୍ତି ନାହିଁ ତାକୁ
ବୋଲି କେହି ବୁଝୁନାହାଁନ୍ତି କାହିଁକି ବୋଲି ସେ ବୁଝିପାରୁନି
ରାତିରେ ବାଘମାମୁଁକୁ ଡର
ପୁଣି କେବେ ଅସୁର ଅସୁରୁଣୀଙ୍କ ଘର
ସ୍ବପ୍ନ ନା ଜେଜେମା ଗପ ସେ ବୁଝିନି
ଝିଟିପିଟି କାନ୍ଥରେ ଚାଲେ କେମିତି
ଏଣ୍ଡୁଅ ମୁଣ୍ଡ ଟୁଙ୍ଗାରେ କାହିଁକି ସେ ବୁଝିପାରୁନି
ଦୌଡିବା ମନା ତାକୁ
ଖେଳିବା କଟକଣା ତା ପାଇଁ
ସେ ଏକେଲା ଜିବାକୁ ଚାହେଁ ପ୍ରଜାପତି ପଛରେ
କେହି ଅନୁମତି ଦିଏନା କାହିଁକି
ବାପା ମାଆଙ୍କୁ ସକାଳୁ ମୁଣ୍ଡିଆ ମାରିଲେ କଣ ହେବ
ଫୁଲ ଛିଣ୍ଡେଇଲେ ଜେଜେମା ରାଗେ କାହିଁକି
ଭଗବାନ କିଏ
ଜେଜେଙ୍କ ଚଷମା ବଙ୍କୁଲି ବାଡ଼ି, ବଟୁଆ ତାର ଭାରି ପ୍ରିୟ
ହେଲେ ସେସବୁ ଧରିବାରେ ଏତେ କଟକଣା କଣ ପାଇଁ
ଏକା ଯିବା ବାଣ ଫୁଟେଇବା କି ଡେଇଁବା ନାଚିବା ଗାଇବା ସବୁ ମନା କଣ ପାଇଁ
ବଡ଼ କେବେ କେମିତି କୋଉଦିନ ହେବ
ପ୍ରଶ୍ନ ସବୁ ଶୁଆଇଦେଉନି ତାକୁ
କଣ କରିବ ସେ??
