STORYMIRROR

Ranjita Das

Others

4  

Ranjita Das

Others

ଉତ୍କୃଷ୍ଟ ଓଡିଶା

ଉତ୍କୃଷ୍ଟ ଓଡିଶା

2 mins
201


ଓଡିଶା ନୁହଇଁ କେବଳ ପୁରୀ, କୋଣାର୍କ, ଭୁବନେଶ୍ୱର 

ସୌନ୍ଦର୍ଯ୍ୟରେ ଭରା ତିରିଶି ଜିଲ୍ଲାର ଏ ସମାହାର ।

ଆସନ୍ତି କେତେ ଯାଆନ୍ତି କେତେ ସୁନ୍ଦରତାର ବାସ୍ନା ବାରିବାକୁ,

ପୁଣି ପଛକୁ ଫେରି ଦେଖନ୍ତି ଏ ଓଡ଼ିଶାର ରୂପରେଖକୁ ।

ବୁଝିବାକୁ ହୁଏ କଷ୍ଟ ଏଇ ରାଇଜର ଭୂଗୋଳକୁ,

ଉତ୍ତରରେ ନୁହେଁ କି ଦକ୍ଷିଣରେ ନୁହେଁ 

ଓଡିଶା ରହିଛି ଠିକ ପୂର୍ବକୁ ।


ଇତିହାସରେ ନାଁ ଅଛି ଏଇ ରାଇଜର, 

ତଥାପି ଅବହେଳିତ ଏ ରାଜ୍ୟ ଏବଂ ଗରିମା ଏହାର ।

ହୁଅନ୍ତୁ ସେ ଗୋପବନ୍ଧୁ କି ମଧୁ ବାରିଷ୍ଟର ,

ଉତ୍କଳ ଭୂମି ଏ ମାଟି ବୀରଙ୍କର ।


ଆଦିବାସୀ ଜିଲ୍ଲା ବୋଲି ହୁଡ଼ି ପକାଉଛୁ କାହିଁ ,

ଆଦିମରୁ ଜାତ ତୁ ଆଦିବାସୀରୁ ତହିଁ ।

ଯାନିଯାତ ପରବ ଗୌରବ ସବୁକୁ ଆଦରି 

ଓଡ଼ିଆଣୀ ପାଳେ ଏଠି ପରଶେ ଖିରି ଆଉ ପୁରୀ ।


କଟକର ବାଲିଯାତରା କି ସମ୍ବଲପୁରର ଶୀତଳଷଷ୍ଠୀ,

ସଭିଏଁ ଭାଇ ଭାଇ ମିଳିମିଶି ପାଳନ୍ତି ଏକାଠି ।

ଚିଲିକାର ଦୃଶ୍ୟ ଅଟେ ଅତି ମନୋହର ,

ପୁରୀରୁ କୋଣାର୍କର ରାସ୍ତା ଯୋଗାଏ ଖୁସିର ଆହାର ।


ଧାମରା ବନ୍ଦର ହେଉ କି ହେଉ ଚାନ୍ଦବାଲି ,

ସାଳନ୍ଦୀ , ବୈତରଣୀ ହସେ ଖିଲିଖିଲି ।

ଯାଜପୁର ଜିଲ୍ଲା ମା' ବିରଜାଙ୍କ କ୍ଷେତ୍ର ,

ମା' ର ଦର୍ଶନରେ ଭରିଯାଏ ନେତ୍ର ।

କୁସୁମା ପୋଖରୀ ଡାକେ ହାତକୁ ଠାରି ,

ଶୋଭା ସେ ବଢାଏ ଲଳିତଗିରି , ରତ୍ନଗିରି ଓ ଉଦୟଗିରି।


ଗଞ୍ଜାମର ଗର୍ବ କସ୍ତୁରୀମୂର୍ଗ ,

ଦାରିଙ୍ଗିବାଡ଼ି କହେ କଥା ଆମ ଓଡ଼ିଶାର ସ୍ୱର୍ଗ ।

ଗଜପତି ଜିଲ୍ଲା ବଢାଏ ଓଡ଼ିଶାର ଶୋଭା , 

ଚନ୍ଦ୍ରଗିରିର ଜିରାଙ୍ଗ ସ୍ଥଳ ଆହାଃ କି ମନଲୋଭା ।

ପାରଳାଖେମୁଣ୍ଡିର ରାଜରାଜୁଡା ନୀତି ଇତିହାସ କହେ ,

ବୃନ୍ଦାବନ ମହଲ ସେ ମନକୁ ଯେ ମୋହେ ।


ତାଳଚେର ଗଣେଶ ପୂଜା 

ଦେବଗଡର ପୁଷପୁନି ପର୍ବ ,

ଅନୁଗୁଳ ସାତକୋଶିଆ ଆମ ଓଡ଼ିଶାର ଗର୍ବ ।

କଳା ହୀରାର ସହର ଆମ ତାଳଚେର,

ଆମ ଦେବଗଡ ଅଟେ ପ୍ରକୃତିର ଗନ୍ତାଘର ।

ଝରଣାର ସହର ଜିଲ୍ଲା ଦେବଗଡ ,

ପ୍ରଧାନପାଟ , ଦେଓଝରନ ଏଠି ଝରେ ଝର ଝର ।


ଢେଙ୍କାନାଳ ଲକ୍ଷ୍ମୀପୂଜା

ଘଟଗାଁର ମା' ତାରିଣୀ,

ସଭିଙ୍କ ଦୁଃଖ କରେ ଦୂର 

ମା' ସେ ଦୁଃଖ ହରିଣୀ ।

ସୌନ୍ଦର୍ଯ୍ୟର ଗନ୍ତାଘର ଆମ କେନ୍ଦୁଝର ,

ସାନଘାଗରା ,ବଡଘାଗରା ମନକୁ ଡାକେ ବାରମ୍ବାର ।


ବାରିପଦା ମୁଢି ମାଂସ ,ବଲାଙ୍ଗୀର ଚାଉଳ ବରା ,

ଘରେ ଘରେ ଜମେ ପଖାଳର ଆସର ଆସିଗଲେ ଖରା ।

ଶୀତଦିନେ ନାଲି ଅଦା ଚା' ସଙ୍ଗେ ମୁଢି -ବାରମଜା,

ପଖାଳ ଭାତରେ ପିଆଜ ସାଙ୍ଗକୁ ଥାଏ ମାଛଭଜା ।


ଚାନ୍ଦିପୁର କୂଳ ଖେଳେ ଲୁଚକାଳି …

ଯେତେ ଖାଇଲେ ବୁଝେନି ଏ ମନ, 

ବାଲେଶ୍ୱର ଛେନାଗଜା ଓ କେନ୍ଦ୍ରାପଡା ରସାବଳି ।


ପାରାଦୀପ କୂଳ ଦେଖାଏ କେତେ ରଙ୍ଗ ଢଙ୍ଗ, 

ନାଚି ନାଚି ଯାଏ ନାଚି ନୀଳ ଢେଉ ତରଙ୍ଗ ।

ମା' ସାରଳାର ଦର୍ଶନକୁ ଝୁରୁଥାଏ ଏ ଆଖି , 

ଖୋର୍ଦ୍ଧାର କୋରା ଖଇ ପାଖେ ମନ ଯାଏ ଲାଖି ।


ସୋନପୁର ବୋମକାଇ ଶାଢ଼ୀର ଚମକ, ପୁଣି ଟେରାକୋଟା ହସ୍ତଶିଳ୍ପର ମହକ ।

ଚାରିଶମ୍ଭୁ ମନ୍ଦିର ବଢାଏ ଯେ ଶୋଭା .,

ପ୍ରକୃତିର ଅପୂର୍ବ କଳା ପଦ୍ମତୋଳା ଅତି ମନଲୋଭା ।


ଇସ୍ପାତନଗରୀ ରାଉରକେଲା ବେଦବ୍ୟାସ,

କୋଇଲିଘୁଘର ଜଳରାଶି 

ପୁଣି ବିକ୍ରମଖୋଲ କହେ ଇତିହାସ ।

ହକିର ପାନ୍ଥଶାଳା ଆମ ସୁନ୍ଦରଗଡ, 

କୋଇଲାଖଣିର କେନ୍ଦ୍ର ସେ ବେଲପାହାଡ ।


ଓଡ଼ିଶାର ଭାତ ହାଣ୍ଡି ଆମ ବରଗଡ଼,

ପୁଣି ମନ ଟାଣେ ନୟାଗଡ ଛେନାପୋଡ଼ ।

ବରଗଡ଼ ଧନୁଯାତ୍ରା ଦୁନିଆରେ ନାଁ କଲା ,

ଗନ୍ଧମାର୍ଦ୍ଧନ ପର୍ବତ ଶୋଭା ବଢ଼ାଇଲା ।

ଘୁମୁରା ଘୁମୁରା ନୃତ୍ୟ କଳାହାଣ୍ଡିର ଗୋୖରବ, 

ହବାସପୁରି ଶାଢ଼ୀ ପାଇଁ ଓଡିଶା କରେ ଗର୍ବ ।

ଦେବଗିରି ପର୍ବତ କହେ ସମ୍ପୂର୍ଣ୍ଣ କାହାଣୀ ,

ଚେକାଗୁଡା ଝୁଲା ପୋଲ କହେ ଅସୁମାରୀ ବାଣୀ ।


ମଣ୍ଡେଇ ଯାତ୍ରା ପାଇଁ ନବରଙ୍ଗପୁର ନାଁ କଲା ,

ସେଇ ମାଟିରେ ପୁଣି ମକା ଯେ ଚମକିଲା ।

ସୁନାବେଡା ଅଭୟାରଣ୍ୟ ନୂଆପଡାରେ ଚମକିଲା 

ଓଡ଼ିଶାର ଇତିହାସ ଏଇ ମାଟି ଯେ କହିଲା ।


ଦେଓମାଳି ଶୃଙ୍ଗ ଓଡ଼ିଶାର ଗର୍ବ ,

ଲୋକେ ପାଳନ୍ତି ଖୁସି ହେଇ ଚୈତ୍ର ପର୍ବ ।

ମାଲକାନଗିରି କହେ ବାଲିମେଳାର କାହାଣୀ,

ମନ ମୋର ଝୁରେ ଏ ମାଟି ଏ ପାଣି ।


ସୁନ୍ଦର ରାଇଜ ମୋର ଓଡିଶା ମାଟି,

ସୌନ୍ଦର୍ଯ୍ୟରେ ଭରା ମୋ ଦେଶ ଗାଁଟି ।

ଓଡିଶା ନୁହଇଁ କେବଳ ପୁରୀ, କୋଣାର୍କ, ଭୁବନେଶ୍ୱର,

ପ୍ରକୃତିର ଗନ୍ତାଘର ତିରିଶି ଜିଲ୍ଲାର ସମାହାର ।






Rate this content
Log in