ଉତ୍କଳମଣି ଗୋପବନ୍ଧୁ ଦାସ
ଉତ୍କଳମଣି ଗୋପବନ୍ଧୁ ଦାସ
ସେ ଉତ୍କଳମଣି ଉତ୍କଳ ଗଠନେ
ଚିରସ୍ମରଣୀୟ ସେହୁ,
ତାଙ୍କରି ଚରଣେ ଶ୍ରଦ୍ଧାଞ୍ଜଳି ନିତ୍ୟେ
ଭାଷାର ଗୌରବ ସେହୁ।୧।
ରାଷ୍ଟ୍ରର ନିର୍ମାଣେ ସେ ମହାନାୟକ
ଭକ୍ତିପୂତ ଶ୍ରଦ୍ଧାଞ୍ଜଳି,
ବିଚ୍ଛନ୍ନାଚଳର ପବିତ୍ର ଭୂମିରୁ
ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।୨।
ରୋଗଗ୍ରସ୍ତ ଜନେ ନିତି ସେବା ଭାବ
ଶିକ୍ଷା ପ୍ରତି ତାଙ୍କ ଧ୍ୟାନ,
ନିରୋଗୀ ହୋଇବେ ଶିକ୍ଷିତଟି ହେବେ
ପବିତ୍ର ମନ୍ତ୍ରରେ ମନ।୩।
ସ୍ୱତନ୍ତ୍ର ଓଡିଆ ପ୍ରଦେଶ ଗଠନେ
ତାଙ୍କରି ହିଁ ଅବଦାନ,
ସମ୍ପୂର୍ଣ୍ଣ ରାଷ୍ଟ୍ରର ଜନସେବା ପ୍ରତି
ସର୍ବଦା ଆତୁର ମନ।୪।
ଲେଖନୀ ମୁନରେ ଈଶ୍ୱରୀୟ ଶକ୍ତି
ମହାନ ବିଦ୍ୱାନ ସେହୁ,
ତାଙ୍କରି ରଚନା ପ୍ରେରଣା ଦେଉଛି
ବର୍ତ୍ତମାନ ଯୁଗେ ଏହୁ।୫।
ରୋଗଗ୍ରସ୍ତ ପୁଅ ପତ୍ନୀକୁ ଛାଡିଣ
ବାହାରି ଗଲେଟି ଘରୁ,
ଦୁର୍ଭିକ୍ଷ ଓ ବନ୍ୟା ପ୍ରପୀଡ଼ିତ ଜନେ
ସାହାଯ୍ୟ କରିବେ ସେହୁ।୬।
ପଣତକାନିକୁ କାଟି ଧର୍ମପତ୍ନୀ
ଭିକ୍ଷା ମାଗି ଥିଲା ପୁଅ,
ଉତ୍ତର ହିଁ ଦେଲେ ନ ପାରିବି ରହି
କୋଟି ପ୍ରପୀଡ଼ିତ ପୁଅ।୭।
କୋଟିଏ ପୁତ୍ରର ବଞ୍ଚିବାର ପାଇଁ
କୋଟି ପୁତ୍ର ବଳିଦାନ,
କିପରି ସହିବି ଆତୁରିତ ମନ
କାଟୁ ଥାଅ ତୁମେ ଦିନ।୮।
ଯିବା ମୋର ତହିଁ ଆତି ଆବଶ୍ୟକ
ଧୈର୍ଯ୍ୟ ଧର ପତ୍ନୀ ଏବେ,
ଯିବା ପାଇଁ ସେଠି ଅନୁମତି ଦିଅ
ଦୁଃଖିତ ନ ହୁଅ ଏବେ।୯।
ମୃତ୍ୟୁ ଶଯ୍ୟା ପରେ ଛାଡିଣ ପୁତ୍ରକୁ
ସେବା ପଥେ ଚାଲି ଗଲେ,
ଏହି ପରି ତ୍ୟାଗ ଦେଖି ନାହିଁ କେହୁ
କର୍ମପଥେ ଚାଲି ଗଲେ।୧୦।
ସ୍ୱତନ୍ତ୍ର ରାଷ୍ଟ୍ରର ଅମୂଲ୍ୟ ମଣି ସେ
ତ୍ୟାଗ ପ୍ରତିମୂର୍ତ୍ତି ମଣି,
ହୋଇ ନାହିଁ କେହୁ ହୋଇବେ ଟି ନାହିଁ
କୋଟି କୋଟି ଜନ ମଣି।୧୧।
ସେବା ଭାବ ଯାର ମନେ ଭରି ଅଛି
ନିଜର ହିଁ କିଛି ନାହିଁ,
ଜନତା ସେବାରେ ସମର୍ପଣ ଭାବ
ସେହୁତ ଦେଶର ମଣି।୧୨।
ଦୀନ ଦରିଦ୍ରଙ୍କ ବନ୍ଧୁ ଗୋପବନ୍ଧୁ
ଜନଜନଙ୍କର ବନ୍ଧୁ,
କୋଟି ପ୍ରଣିପାତ ତାଙ୍କରି ଚରଣେ
ସମ୍ପୂର୍ଣ୍ଣ ବିଶ୍ୱର ବନ୍ଧୁ।୧୩।
ସେ ଉତ୍କଳମଣି ଉତ୍କଳ ଗଠନେ
ଚିରସ୍ମରଣୀୟ ସେହୁ,
ତାଙ୍କରି ଚରଣେ ଶ୍ରଦ୍ଧାଞ୍ଜଳି ନିତ୍ୟେ
ଭାଷାର ଗୌରବ ସେହୁ।
