STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଉପହାର

ଉପହାର

1 min
429


କେଉଁ ଉପହାର ତୁମକୁ ମୁଁ ଦେବି

ବୟସ ଯାଇଛି ଲୁଚି

ମୋ ଜୀବନ ନିଶ୍ଚେ ତୁଛ ପଡିଯିବ

ରହିଯିବ ପ୍ରଶ୍ନବାଚୀ


ତୁମେ ମୋର ପତ୍ନୀ ପ୍ରେମିକା ସଜନୀ

ଦିଆଲୋକ ଦୀପ ପରି

ସୂର୍ଯ୍ୟାଲୋକ ସମ ସବୁଜୀମା ଦିଅ

ଆଲୋକିତ ମୋତେ କରି


ତୁମରି ଆଲୋକ ଭରସାରେ ମୁଁ ତ

ଯାଇନାହିଁ କେବେ ହାରି

ଅନ୍ଧାର ଆଡେଇ ଆଲୋକ ପାଇଛି

କଷଣ କାନ୍ତାରୁ କାଢି


କେତେ ସେବା ତ୍ୟାଗ ଦେଇଛ ଅଜାଡି

ଦୁଃଖରେ ପାଇଛି ସୁଖ

ମୋ ତୁଛ ଘରକୁ ଅମୂଲ୍ୟ କରିଛ

ଦେଇନାହଁ କେବେ ଦୁଃଖ।


ମୋ ଘର ଦୁଆର କରିଲ ମନ୍ଦିର

ପ୍ରେମ ପ୍ରୀତି ଥାଳ ଧରି

ସାତ୍ତ୍ଵିକ ମାନସେ ଦେଲ ସୁଖ ଶାନ୍ତି

ଦିନ ଗଲା ଅପସରି


ତୋର ପୂଣ୍ୟ ପଥେ ଚାଲୁଥାଏ ବାଟ

ହେଇନାହିଁ କେବେ କ୍ଳାନ୍ତ

ଆହା କେତେ ସୁଖ ଧରିବାକୁ ହାତ

ଜୀବନ ପଥେ ଦାମ୍ପତ୍ୟ।


ସଂସାର ମାୟାରେ ମୋହ ଠାରୁ ଦୂରେ

ଜୀବନ ଯାଇଛି ସରି

କହିନାହଁ କେବେ ଦେଇଛି ମୁଁ ଦୁଃଖ

ଅବା କେଵେ ଅଳି କରି


ମୋ ଜୀବନ ଅର୍ଥ ସାର୍ଥକ ସମ୍ପୂର୍ଣ୍ଣ

ତୁମ ପାଇଁ ତନୁ ମନ

ତୁମ ପ୍ରୀତି ସ୍ପର୍ଶ ଭୁଲାଇଛି ଦୁଃଖ

ଜୀବନ ହୋଇଛି ଧନ୍ୟ।


ନିଜକୁ ସମର୍ପି ଦେଉଛି ତୁମକୁ

ହେବି ବୋଲି ଉପହାର

ରଖିବିନି ଦୁଃଖ ବୟସ ବାର୍ଦ୍ଧକ୍ୟ

ରହିଥିବି ସଙ୍ଗେ ତୋର


ଉପହାର ହୋଇ ଆସିଥିଲ ତୁମେ

ମୋ ଜୀବନ ପୂର୍ବାହ୍ନରେ

ଦେଇ ପାରିଲିନି କିଛି ବି ତୁମକୁ

ବୟସର ନିଶାନ୍ତରେ


ନିଅ ଉପହାର ମୋ ନିକଟୁ ତୁମେ

ମୋର ଏ ନୈବେଦ୍ୟ ବାଣୀ

କଲ୍ୟାଣ କରୁଛି କୃତାର୍ଥ କରିବି

ଏ ଜୀବନ ଚିର ଋଣୀ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍