ତୁମେ ସୁନାଦିଅଁ
ତୁମେ ସୁନାଦିଅଁ
ପୃଥିବୀ ଭିତରେ ସୁନ୍ଦର ମଣିଷ ସୃଷ୍ଟି କରିଦେଲ ଭଗବାନ,
ହେଲେ ସେ କେମିତି ଏମିତିକା ହେଲା ଜାଣି ପାରିଲିନି କଉଶଳ ॥
କହୁଛି ଗୋଟିଏ କଥା ଯେଉଁ ମୁଖେ କରୁଥାଏ ପୁଣି ସେ ଓଲଟା,
ଯେତେ ସବୁ ଅପକର୍ମ କଲାପରେ ଦୋଷ ଲଦେ ପୁଣି ସେ ଓଲଟା ||
ଆଜି ମୋର ମୋର ଯାହାକୁ କୁହଇ କାଲି କରିଦିଏ ସାତ ପର,
ହିତ ଉପଦେଶ ଦେଇ ଦେଇ ସିଏ ନିଜେ ଅହିତରେ ଆଗୁସାର ॥
ମୋତେ କିଏ କିଛି କହୁ କି ନ କହୁ ମୁଁ କିନ୍ତୁ କହେ ବହୁ କଥା,
ସେଇ କଥା ନିଜେ ପାଳିଲା ବେଳକୁ ହୋଇଯାଏ ପୁଣି ମୁଣ୍ଡ ବ୍ୟଥା ।
କେମିତି ମଣିଷ କରିଦେଲ ସତେ ଜାଣି ପାରିଲିନି ଏବେ ଯାଏଁ |
ଅଜଣା ଭିତରେ ଅନେକ ଜାଣିଛି ସମସ୍ତଙ୍କୁ ସେ ଦେଖେଇ ହୁଏ ||
ସକାଳ ଗଡୁଛି ସଞ୍ଜ ବି ଆସୁଛି ରାତି ବି ଆସୁଛି ସବୁ ଦିନ,
ହେଲେ ମୁଁ ଭାବୁଛି ଏଇମିତି ମୋର ସବୁ ଦିନ ଥିବ ଯଉବନ II
ଆଜି ମଲେ ପରା କାଲିକୁ ଦି ଦିନ ଏ ମଣିଷ ସବୁ ଜାଣି ଜାଣି,
କେମିତି କା ମିଛ ଅହଙ୍କାରେ ମାରେ ନିଜ ଗୋଡେ କୁରାଢିକୁ ହାଣି ॥
ମୋତେ କ୍ଷମା କରିଦେବ ଯଦି ଥରେ ମହାପ୍ରଭୁ କ୍ଷମାକରି ଦିଅ,
ତୁମେ ପରା ମୋର ସୁନାଦିଅଁ ସ୍ୱାମୀ ମହାବାହୁ ପ୍ରଭୁ ତୁମେ, ସୁନା ଦିଅଁ !!