STORYMIRROR

SARATA KUMAR DAS

Others

2  

SARATA KUMAR DAS

Others

ତୁମେ ପାଖେ ଥିଲେ

ତୁମେ ପାଖେ ଥିଲେ

1 min
490



ତୁମେ ପାଖେ ଥିଲେ ଅଳସୀ ସଂଜଟା

ମହମହ ବାସୁଥାଏ

ଆକାଶ ଛାତିରୁ ତାରାଫୁଲ ସବୁ

ଧୀରେ ଧୀରେ ଖସୁଥାଏ ।।


ତୁମେ ପାଖେ ଥିଲେ ଉଦାସୀ ରାତିଟା

ଷୋଡଷୀ ଯୌବନା ହୁଏ

ପ୍ରୀତି ଫଲ୍ଗୁଧାର ବହେ ନିରନ୍ତର

ମନ ମୋର ଝୁମୁଥାଏ ।।

ତୁମେ ପାଖେ ଥିଲେ ବିନା ଫଗୁଣରେ

ଫଗୁ ଝରେ ଝର ଝର

ନିର୍ମଳ ଆକାଶେ ଇନ୍ଦ୍ରଧନୁ ଖେଳେ

ସାତରଂଗ ସମାହାର ।।


ତୁମେ ପାଖେ ଥିଲେ ନିଦାଘ ବୈଶାଖେ

ବସନ୍ତର ସମ୍ମୋହନ

ହାତ ପାପୁଲିରେ ଜହ୍ନ ଖେଳୁଥାଏ

ଜ୍ୟୋସ୍ନାରେ ଭିଜେ ମୋ ମନ ।।


ତୁମେ ପାଖେ ଥିଲେ ବିନା କଳାମେଘେ

ମୟୂର ନାଚଇ ଧୀରେ

ଶୁଷ୍କ ନଦୀ ଧାରେ କଳ କଳ ସ୍ବର

ମନ ଭରେ ମୂର୍ଚ୍ଛନାରେ ।।


ତୁମେ ପାଖେ ଥିଲେ ଅମା ଅନ୍ଧକାରେ

ଦେଖେ ନିତି ପୂର୍ଣ୍ଣଚାନ୍ଦ

ଶ୍ରାବଣ ଝରେ ମୋ ମନ ଅଗଣାରେ

ପଲ୍ଲବିତ ହୁଏ ହୃଦ ।।


ତୁମେ ପାଖେ ଥିଲେ ବିଷର ପିଆଲା

ପୀୟୂଷ ରେ ଭରିଯାଏ

ଜୀବନ ଯନ୍ତ୍ରଣା ଉଦାସ ପଣ ମୋ

ପ୍ରୀତିସିକ୍ତ ହେଉଥାଏ ।।


ତୁମେ ପାଖେ ଥିଲେ ସବୁ ଋତୁ ଲାଗେ

ପ୍ରୀତିଭରା ମଧୁମାସ

ଗୋଲାପୀ ଗୋଲାପୀ ବାସୁଥାଏ ଦିନ

ଝରା ଶେଫାଳୀ ର ହସ ।।


ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍