ତୁମେ ମୋ ସ୍ପନ୍ଦନ
ତୁମେ ମୋ ସ୍ପନ୍ଦନ
ମୋ ହୃଦଚନ୍ଦନ ଜୀବର ଜୀବନ
ତୁମେ ମୋ ହୃଦୟ ହାର
ଏ ସାରା ଜୀବନ ସମର୍ପି ଦେଇଛି
ପ୍ରାଣର ପୀୟୂଷ ମୋର।
ଦର୍ଶନେ ତୁମକୁ ହୁଏ ଶାନ୍ତ ମନ଼
ତୁମେ ମୋ ପ୍ରାଣର ଧନ
ଏ ଜୀବନ ବନେ ତୁମେ ପାରିଜାତ
ତୁମେ ମୋ ବାସ ଚନ୍ଦନ।
ଶୟନେ ସ୍ବପନେ ଜାଗରଣେ ଶୁଭେ
ତୁମରି ମୁରଲୀ ସ୍ବନ
ହେ ନନ୍ଦ ନନ୍ଦନ ଯଶୋଦାର ପ୍ରାଣ
ଗାଏ ତୁମରି ଭଜନ।
ସମର୍ପି ଦେଇଛି ତୁମ ପାଦେ
ମୋର ଏଇ କ୍ଷୀଣ ପ୍ରାଣ
ଜୀବ ଥିବା ଯାଏ ତୁମକୁ ଜପିବି
ତୁମ ପାଦେ ଥାଉ ଧ୍ଯାନ।
କରିନାହିଁ ମାନ କିବା ଅଭିମାନ
ଗାଏ ତୁମ ଯଶୋଗନ
ରାଧାର ହୃଦୟ ମୀରାର ଚିନ୍ତନ
ଦିଅ ହେ ବିଶ୍ବ ମୋହନ।
ସଂସାର କରତା ହେ ଭାଗ୍ଯ ବିଧାତା
ପୁରା କର ମୋ କାମନା
ସେବା ଅର୍ଚ୍ଚନା ରେ ଯାଉ ମୋର ଦିନ
ଏତିକି ମାଗୁଣି ସିନା।
ଜଗତର ହିତ କର ଜଗନ୍ନାଥ
ଏତିକି ମୋ ନିବେଦନ
ସର୍ବଦା ତୁମେ ମୋ ସହ ରହିଥାଅ
ତୁମେ ମୋ ହୃଦସ୍ପନ୍ଦନ।