ତୁମେ ହିଁ ଜାଣିଛ
ତୁମେ ହିଁ ଜାଣିଛ
ହେ ଜଗନ୍ନାଥେ
ମୋ ଦୁଃଖ କଷ୍ଟ ପାଇଁ
ତୁମକୁ କେବେ ଦାୟୀ କରିବିନି,
ମୋ ଦୁଃଖ ଲାଘବ ପାଇଁ
ତୁମ ଆଗେ କେବେ ଅଳି କରିବିନି ।
ତୁମେ ଜାଣିଛ,
କଣ କଣ ଲେଖିଛ, କାହିଁକି ଲେଖିଛ
କେତେ ଦୁଃଖ, କେତେ ସୁଖ
କପାଳରେ ମୋର,
ତୁମର ଯେବେ ଯାହା ମନହେବ,
ତୁମେ ଯେ କରିବ,
କେବେ କାହା କଥା ଶୁଣିଛ ଯେ
ଆଜି ମୋ କଥା ମାନିଯିବ ?
ତୁମେ ଯେ ସବୁକାଳେ
ନିଜର ମନମାନି କରିଛ, କରିବ
ହୁଏତ ମୋତେ ହୀରାର ଚମକ ଦେବାକୁ
ପୋତିଦେଲ ଗରମ ଲାଭାରେ
କାଠରୁ କୋଇଲା ପୁଣି
କୋଇଲାରୁ ହୀରା ଗଢିଦେବ ।
ଯେବେ ତୁମ ମନହେବ
କୁଶଳ କାରୀଗର ତୁମେ
ପଥରକୁ କାଟି ହୀରାର ଚମକ ଦେବ ।
ଗହଣାର ରୂପ ନେବାପାଇଁ
ସୁନାକୁ ବି ଜଳିବାକୁ ହୁଏ
ମୁଁ ସାମାନ୍ୟ ମଣିଷଟିଏ
ମୋ କଥା ଅବା ପଚାରିବ କିଏ ?
କେବଳ ତୁମେହିଁ ଜାଣିଛ
ମୋତେ ତୁମେ କେମିତି ଗଢିବ
କେଉଁଠୁ ଉଠାଇ ପୁଣି କେଉଁଠି ଥୋଇବ ।
ଦୁଃଖ ନାହିଁ ଏଇମିତି ଜଳିବାରେ
ଯଦି ତୁମେ ସାଥିରେ ମୋ ଥିବ
କେବେ ଯଦି ଲୁହଟୋପେ ଝରିଯିବ
ହାତ ବଢାଇ ଥରେ,
ବନ୍ଧୁ ଭାବି ଲୁହ ମୋର ପୋଛିନେବ ।
***ॐ***
